ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ‘ଆର୍ଟେମିସ୍-୩’ ଅଭିଯାନ ସ୍ବରୂପ ୨୦୨୬ରେ ଏକ ମାନବବାହୀ ମହାକାଶଯାନ ଆଦୌ ସୂର୍ଯ୍ୟକିରଣ ଦେଖିନଥିବା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଖାଲି ସେତିକି ନୁହେଁ, ମହାକାଶ ଅଭିଯାନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ପାଦ ଦେବାର ରେକର୍ଡ କରିବେ। ଏଥିପାଇଁ ‘ନାସା’ରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ମହିଳା ମହାକାଶଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଧରଣର ସ୍ପେସ୍ ସୁଟ୍ ମଧ୍ୟ ନିର୍ମାଣ କରାଯାଉଛି। ମହାକାଶ ଯାତ୍ରାର ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନି ‘ଆକ୍ସିମ୍ ସ୍ପେସ୍’ ସହ ଇଟାଲିର ପ୍ରଖ୍ୟାତ ଫେସନ୍ କମ୍ପାନି ‘ପ୍ରାଡା’ ମିଶି ଏହି ପୋଷାକ ନିର୍ମାଣ କରୁଛନ୍ତି।
ବିଳାସପୂର୍ଣ୍ଣ ବସ୍ତ୍ର ନିର୍ମାଣ ଲାଗି ଜଣାଶୁଣା ଇଟାଲିର ‘ପ୍ରାଡା’ କମ୍ପାନି ଦ୍ବାରା ପ୍ରସ୍ତୁତ ‘ଆକ୍ସିମ୍ ଏକ୍ଷ୍ଟ୍ରାଭେହିକୁଲାର୍ ମୋବିଲିଟି ୟୁନିଟ୍’ ନାମକ ସ୍ପେସ୍ ସୁଟ୍ ସର୍ବୋଚ୍ଚ ୫୪ ଡିଗ୍ରି ସେଲ୍ସିଅସ୍ ଓ ସର୍ବନିମ୍ନ ବିଯୁକ୍ତ ୨୦୩ ଡିଗ୍ରି ତାପମାତ୍ରା ସହନଶୀଳ। ସ୍ପେସ୍ ଵାକ୍ ପାଇଁ ଏଥିରେ ଲାଇଫ୍-ସପୋର୍ଟ ସିଷ୍ଟମ୍ ଖଞ୍ଜାଯାଇଛି। ଏହା ମହାକାଶଚାରୀଙ୍କୁ ହାନିକାରକ ବିକିରଣରୁ ସୁରକ୍ଷା ଦେବ।
‘ଆକ୍ସିମ୍ ଏକ୍ଷ୍ଟ୍ରାଭେହିକୁଲାର୍ ମୋବିଲିଟି ୟୁନିଟ୍’ ବା ‘ଏଏକ୍ସଇଏମ୍ୟୁ’ ନାମକ ଏହି ପୋଷାକରେ ଉଭୟ ଦୀର୍ଘସ୍ଥାୟିତ୍ବ ଓ କାର୍ଯ୍ୟକୁଶଳତାକୁ ଗୁରୁତ୍ବ ଦିଆଯାଇଛି। ବିଳାସପୂର୍ଣ୍ଣ ଡିଜାଇନ୍ ଓ ପ୍ରଯୁକ୍ତିଭିତ୍ତିକ ବସ୍ତ୍ର ନିର୍ମାଣରେ ମାହିର ‘ପ୍ରାଡା’ କମ୍ପାନି ମହାକାଶଚାରୀଙ୍କୁ ଚନ୍ଦ୍ରର ବିଷମ ପରିବେଶରେ ସୁସଜ୍ଜିତ ତଥା ସକ୍ରିୟ ରଖିବା ପାଇଁ ଉକ୍ତ ପୋଷାକରେ ଆବଶ୍ୟକ ଜ୍ଞାନକୌଶଳ ପ୍ରୟୋଗ କରିଛି। ଏହାକୁ ଜଳରେ ବୁଡ଼ାଇବା ସମେତ କୃତ୍ରିମ ଚନ୍ଦ୍ର ପରିବେଶରେ ଏହାର କ୍ରିୟାଶୀଳତା ପରୀକ୍ଷା କରାଯାଇଛି। ସର୍ବାଧିକ ତାପ ପ୍ରତିଫଳନ କରିବା ପାଇଁ ଉକ୍ତ ପୋଷାକର ବାହ୍ୟଭାଗର ରଙ୍ଗ ଧଳା ରଖାଯାଇଛି। ଲାଲ୍ ଓ ପାଉଁଶିଆ ରଙ୍ଗର ପଟି କମ୍ପାନିର ପରିଚୟ ବହନ କରୁଛି। ସେହିପରି ପୋଷାକଟି ସର୍ବୋଚ୍ଚ ୫୪ ଡିଗ୍ରି ସେଲ୍ସିଅସ୍ ଓ ସର୍ବନିମ୍ନ ବିଯୁକ୍ତ ୨୦୩ ଡିଗ୍ରି ତାପମାତ୍ରା ସହନଶୀଳ। ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଅନାୟାସରେ ବୁଲାବୁଲି କରିବା ପାଇଁ ମଧ୍ୟ ଏହା ଆରାମଦାୟକ ରହିବ। ଏହି ‘ଏଏକ୍ସଇଏମ୍ୟୁ’ ପୋଷାକରେ ବିଜ୍ଞାନ, ପ୍ରଯୁକ୍ତି ଓ କଳାର ସମ୍ମିଶ୍ରଣ ଘଟିଛି ବୋଲି ଏହାର ଜଣେ ପ୍ରସ୍ତୁତକର୍ତ୍ତା ବିଶେଷଜ୍ଞ କହିଛନ୍ତି।
ଏହା ଅନ୍ତରୀକ୍ଷରେ ମହାକାଶଚାରୀଙ୍କୁ ବିଭିନ୍ନ ବିକିରଣରୁ ସୁରକ୍ଷିତ ରଖିବା ସହ ସ୍ପେସ୍ ଵାକ୍ ପାଇଁ ଏଥିରେ ବିଭିନ୍ନ ପ୍ରକାର ଲାଇଫ୍-ସପୋର୍ଟ ବ୍ୟବସ୍ଥା ମଧ୍ୟ ଖଞ୍ଜାଯାଇଛି। ଏହି ଅତ୍ୟାଧୁନିକ ପୋଷାକ ‘ଆପୋଲୋ’ ମିସନ୍ ସମୟର ମହାକାଶଚାରୀ ପୋଷାକକୁ ବିଦାୟ ଜଣାଇବା ସହ ଆଧୁନିକ ଅନ୍ତରୀକ୍ଷ ଅଭିଯାନରେ ମହାକାଶଚାରୀମାନେ ସାମ୍ନା କରୁଥିବା ବିଭିନ୍ନ ଆହ୍ବାନର ମୁକାବିଲା କରିପାରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରପୃଷ୍ଠରେ କେବଳ ୧୨ ଜଣ ପୁରୁଷ ମହାକାଶଚାରୀ ପାଦ ଥାପିଥିବା ବେଳେ ଆମେରିକୀୟ କ୍ରିଷ୍ଟିନା କୋଚ୍ ପ୍ରଥମ ମହିଳା ଭାବେ ସେହି ଗୌରବ ହାସଲ କରିବେ। ତେବେ ତା’ ପୂର୍ବରୁ ସେ ୨୦୨୫ରେ ‘ନାସା’ର ‘ଆର୍ଟେମିସ୍-୨’ ମହାକାଶଯାନରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରି ଫେରି ଆସିବାର ଯୋଜନା ରହିଛି।