ଆସିକା: ଗଞ୍ଜାମ ଜିଲ୍ଲା ଆସିକାର ଅଧିଷ୍ଠାତ୍ରୀ, କରୁଣାମୟୀ ଓ ପ୍ରତ୍ୟକ୍ଷ ଦେବୀ ମା’ ଖମ୍ବେଶ୍ବରୀଙ୍କ ପୀଠ। କାହିଁ କେଉଁ କାଳରୁ ବିଦ୍ୟମାନ ମା’ଙ୍କ ଗାଥା, କଥା, କିଂବଦନ୍ତି ଓ ଇତିହାସ ସର୍ବତ୍ର ପ୍ରଚାରିତ। ଋଷିକୁଲ୍ୟା ନଦୀରେ ସ୍ନାନ କରି ମା’ଙ୍କ ଦର୍ଶନ କଲେ ସବୁ ମାନସିକ ପୂରଣ ହୋଇଥାଏ। ପୀଠରେ ବାରମାସ‌ରେ ତେର ପର୍ବ ପାଳିତ ହେଉଥିବା ବେଳେ ଶାରଦୀୟ ନବରାତ୍ରି, ଚୈତ୍ର ପର୍ବ, ବୈଶାଖୀ ଯାତ୍ରା, ଚିତାଲାଗି ଅମାବାସ୍ୟା, ମାର୍ଗଶୀର ଗୁରୁବାର ସମେତ ସଂକ୍ରାନ୍ତି‌ରେ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହୁଏ। ଶାରଦୀୟ ନବରାତ୍ରି‌ ଉତ୍ସବରେ ୯ ଦିନ‌ରେ ମା’ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। 

Advertisment

ତେବେ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ସୁ‌ନାବେଶ ହେଉଛି ଏହି ପୀଠର ସ୍ବତନ୍ତ୍ରତା। ଉକ୍ତ ଚାରିଦିନ ଗଞ୍ଜାମ ଜିଲ୍ଲା ଓ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁ, ମାନସିକଧାରୀଙ୍କ ସୁଅ ଛୁଟିଥାଏ। ସମସ୍ତେ ଅଖଣ୍ଡ ଦୀପ ଜାଳି ମା’ଙ୍କ ପାଖରେ ଶୁଭ ମନାସିଥା’ନ୍ତି। ଘଟପୂଜା, ‌ହୋମଯଜ୍ଞ, ବାଳଭୋଗ, ମା’ଙ୍କ ସ୍ବତନ୍ତ୍ର ସେବା, ଚଣ୍ଡୀପାଠ ଆଦି ନୀତି ଅନୁଷ୍ଠିତ ହୁଏ। ପୀଠ ପରିସରରେ ବଳିପ୍ରଥା ଓ ଆମିଷ ଭୋଗକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ୱାଇଁ ଓ ସଦସ୍ୟମାନଙ୍କ ତତ୍ତ୍ବାବଧାନରେ ଗତ ୩ ତାରିଖଠୁ ମା’ଙ୍କ ନବରାତ୍ରି ପୂଜା ଆରମ୍ଭ ହୋଇଛି। 

ଏହି ପୀଠ ସହ ଅନେକ କିଂବଦନ୍ତି ଜଡ଼ିତ। ଚଣ୍ଡୀ ପୁରାଣ ଅନୁସାରେ, ପିତା ଦକ୍ଷ ପ୍ରଜାପତିଙ୍କ ମୁଖରୁ ଶିବଙ୍କ ଅପମାନ ଶୁଣି ଯଜ୍ଞକୁଣ୍ଡରେ ଆହୁତି ଦେଇଥିବା ଦେବୀ ସତୀଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ନେଇ କ୍ରୋଧାନ୍ବିତ ମହାଦେବ ଯେ‌ତେବେଳେ ତାଣ୍ଡବ ନୃତ୍ୟ କଲେ, ସେତେବେଳେ ସୃଷ୍ଟି ରକ୍ଷା ଏବଂ ମହାଦେବଙ୍କୁ ଶାନ୍ତ କରିବାକୁ ଯାଇ ଶ୍ରୀବିଷ୍ଣୁ ସୁଦର୍ଶନ ଚକ୍ର ସାହାଯ୍ୟରେ ସତୀଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରି ତାଙ୍କ ହସ୍ତରୁ ଝରାଇଦେଲେ। ଆଉ ମା’ଙ୍କ ଗୋଡ଼ର କିଛି ଅଂଶ ଖମ୍ବ ଆକାରରେ ଋଷିକୁଲ୍ୟା ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲରେ ପଡ଼ିଥିଲା। ସେଠାରେ ବସତି ସ୍ଥାପନ କରିଥିବା ଆଦିବାସୀମାନେ ମା’ ଖମ୍ବେଶ୍ବରୀ ରୂପରେ ପୂଜାର୍ଚ୍ଚନା ଆରମ୍ଭ ‌କରିଥିଲେ।

ସେହିପରି ଆଉ ଏକ କିଂବଦନ୍ତି ଅନୁସାରେ, ଋଷିକୁଲ୍ୟା ତଟ ବି‌ଘ୍ନେଶ୍ବର ମନ୍ଦିରର ପାର୍ଶ୍ୱଦେବୀ ଭାବେ  ଅଷ୍ଟଭୁଜା ମା’ ଦୁର୍ଗାଙ୍କ ଜ୍ୟୋତି ଏଠାରେ ପୂଜା ପାଉଥିଲା। କାଳକ୍ରମେ ଏହି ଜ୍ୟୋତି ସ୍ତମ୍ଭ ଆକାରର ହୋଇଯିବାରୁ ମା’ଏଠାରେ ସ୍ତମ୍ବେଶ୍ବରୀ ରୂପେ ପୂଜିତ ହେଲେ। ଅନ୍ୟ ଏକ କିଂବଦନ୍ତି ଅନୁଯାୟୀ, ଖମା ମୁନି ନାମକ ଜଣେ ବ୍ୟକ୍ତି ଦିନେ ଋଷିକୁଲ୍ୟା ନଦୀରେ ଭାସିଯାଉଥିବା ଏକ କାଠଗଣ୍ଡିକୁ ଆଣି ତାକୁ କୁରାଢ଼ିରେ କାଟିବା ବେଳେ ସେଥିରୁ ରକ୍ତ ଝରିଥିଲା। ଫଳରେ ଏଥିରେ ଦୈବୀଶକ୍ତି ଥିବା ଜାଣି ଖମା ଓ ତାଙ୍କ ବଂଶଜ ପୂଜାର୍ଚ୍ଚନା କରିଥିଲେ। ଏହାପରଠୁ ମା’ ଖମ୍ବେଶ୍ବରୀ ପୂଜା ପାଉଥିବା ଶୁଣାଯାଏ। ଏଠାରେ ଚୈତ୍ର ମଙ୍ଗଳବ‌ାର ଯାତ୍ରାରେ ସହସ୍ରାଧିକ ଶିଶୁଙ୍କ ମୁଣ୍ଡନ ହୋଇଥାଏ। ରାତିରେ ମା’ଙ୍କ ଚଳନ୍ତି ପ୍ରତିମା ସହର ପରିକ୍ରମା କରିଥାଏ।