‘ଦଣ୍ଡବତ’ର ଅର୍ଥ ହେଉଛି- ଦଣ୍ଡ ବା ଯଷ୍ଟିଟିଏ ପରି ସିଧା। ଏହିପରି ଭାବରେ ଭୂମିରେ ପଡ଼ି ପ୍ରଣାମ କରିବାକୁ କୁହାଯାଏ ‘ସାଷ୍ଟାଙ୍ଗ ପ୍ରଣାମ’। ପ୍ରଣାମର ଆଠଟି ଅଙ୍ଗକୁ ନେଇ ‘ସାଷ୍ଟାଙ୍ଗ’ ଶବ୍ଦର ସୃଷ୍ଟି। ଏହାର ଅର୍ଥ- ଆଠଅଙ୍ଗ ସହିତ। ଏଣୁ ଆଠ ଅଙ୍ଗ ସହିତ ପ୍ରଣାମ ହେଉଛି ସାଷ୍ଟାଙ୍ଗ ପ୍ରଣାମ।
ପ୍ରଣାମର ଏହି ଆଠଟି ଅଙ୍ଗ କ’ଣ ସେ ନେଇ ବିଭ୍ରାନ୍ତି ରହିଛି। କିନ୍ତୁ ଏହାର ପ୍ରକୃତ ଅର୍ଥ ହେଉଛି- ଜାନୁ ବା ଜଙ୍ଘ, ପାଦ, ହସ୍ତ, ଉରଃ ବା ଛାତି, ଶିର ବା ମସ୍ତକ ଏବଂ ବୁଦ୍ଧି, ବାକ୍ୟ ଓ ଚକ୍ଷୁ। ଏସବୁ ଯେଉଁ ପ୍ରଣାମରେ ସମନ୍ୱିତ, ତାହା ଦଣ୍ଡବତ୍ ପ୍ରଣାମ ବା ଦଣ୍ଡପ୍ରଣାମ।
ଏହି ପ୍ରଣାମର ପ୍ରତିଫଳ କ’ଣ ତାହା ଶାସ୍ତ୍ରପୁରାଣ ଆଦିରେ ବର୍ଣ୍ଣିତ ହୋଇଛି। ସେପରି ଗୋଟିଏ ଶାସ୍ତ୍ର ହେଉଛି- ମହାଦେବ ଦାସକୃତ ‘ଏକାଦଶୀ ମାହାତ୍ମ୍ୟ’। ସେଥିରେ ସକଳବ୍ରତର ସାର, ବ୍ରତରାଜ ଏକାଦଶୀର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ସେହି ପ୍ରସଙ୍ଗରେ, ତାହାର ଷଷ୍ଠ ଅଧ୍ୟାୟରେ ଏକାଦଶୀବ୍ରତରେ ଭଗବାନଙ୍କୁ ଦଣ୍ଡପ୍ରଣାମ କରିବାର ଫଳକୁ ଝରଣାର ଜଳ ସହିତ ତୁଳନା କରାଯାଇଛି। ସେହି ପଦଟି ହେଉଛି- “ଦଣ୍ଡ ପ୍ରଣାମ ଧର୍ମ ପୁଣି। / ଯେସନେ ଝରଣାର ପାଣି।”
କିନ୍ତୁ କାହିଁକି ବ୍ରତରାଜ ଏକାଦଶୀ ବ୍ରତର ଫଳକୁ ଝରଣାର ଜଳ ସହ ତୁଳନା କରାଯାଇଛି? ତାହା ହିଁ ତାତ୍ପର୍ଯ୍ୟପୂର୍ଣ୍ଣ।
ଉପରୋକ୍ତ ପଦର ପର ପଦରେ ଅଛି ସେହି ତାତ୍ପର୍ଯ୍ୟପୂର୍ଣ୍ଣ ଉକ୍ତି। ତାହା ହେଉଛି, “ବହିଲେ ଶେଷ ନୁହେଁ ଜଳ। / ତେସନ ଦଣ୍ଡବତ ଫଳ।” ଅର୍ଥାତ୍‌, ଝରଣାର ଜଳ ଯେପରି ଅଶେଷ ଏବଂ ଅବିରତ ପ୍ରବାହିତ, ସେହିପରି ଦଣ୍ଡବତର ଫଳ ମଧ୍ୟ ଅଶେଷ ଓ ଅବିରତ ପ୍ରବାହିତ ହୋଇଥାଏ।