ଘନା: ଗତ ଫେବ୍ରୁଆରିରେ ଏକ ଭିନ୍ନ ଶିକ୍ଷକଙ୍କୁ ଦେଖିବାକୁ ପାଇଥିଲେ ବିଶ୍ୱବାସୀ। ନିଆରା ଭାବେ ଶିକ୍ଷା ଦାନ କରି ଇଣ୍ଟର୍ନେଟ୍ରେ ବି ଖୁବ୍ ଭାଇରାଲ୍ ହୋଇଥିଲେ ଏହି ଶିକ୍ଷକ ଜଣକ। ଆପଣଙ୍କ ନଜର ଆସିଥିବ ନିଶ୍ଚୟ ସୋସିଆଲ୍ ମିଡିଆରେ ଗତ କିଛି ଦିନ ହେବ ଏକ ଫଟୋ ଘୂରିବାରେ ଲାଗିଥିଲା। ଜଣେ ଶିକ୍ଷକ ଏକ କଳାପଟାରେ ମାଇକ୍ରୋସଫ୍ଟ ଓ୍ଵାର୍ଡର ଥିବା ମେନ୍ୟୁ ଗୁଡ଼ିକର ଚିତ୍ର ନିଜ ହାତରେ ଖଡ଼ି ସାହାଯ୍ୟରେ କଳାପଟାରେ କରି ପିଲାମାନଙ୍କୁ ପାଠ ବୁଝାଉଥିଲେ। ଆପଣଙ୍କର ଯଦି ଓ୍ଵାର୍ଡ ସଂପର୍କିତ ସାମାନ୍ୟତମ ଜ୍ଞାନ ଥାଏ ତାହାଲେ ନିଶ୍ଚୟ ବୁଝିପାରୁଥିବେ ଏହା କାହିଁକି ଆଲୋଚନାର ବିଷୟବସ୍ତୁ। ବିନା କମ୍ପ୍ୟୁଟରରେ ଓ୍ଵାର୍ଡ ଉପରେ ପିଲାଙ୍କୁ ଜ୍ଞାନ ଦେବାର ସାହସ କରିଥିବା ଏହି ମହାନ ଶିକ୍ଷକ ଜଣକ ହେଉଛନ୍ତି ରିଚାର୍ଡ ଆପିହା ଅକୋଟ।
ଦକ୍ଷିଣ ଆଫ୍ରିକାର ଏକ ଦୁର୍ଗମ ଅଞ୍ଚଳରେ ଥିବା ଘନାର ଏକ ଗ୍ରାମରେ ୩୩ ବର୍ଷିଅ ରିଚାର୍ଡ ବିନା କମ୍ପୁଟର୍ ସାହାଯ୍ୟରେ ପିଲାଙ୍କୁ କମ୍ପୁଟର୍ ଜ୍ଞାନ ଦେବା ପାଇଁ ଦୀର୍ଘ ସମୟ ଲାଗି ପ୍ରଥମେ କଳାପଟାରେ ମେନ୍ୟୁର ଚିତ୍ର ଆଙ୍କିଥାନ୍ତି। ତା’ପରେ ପିଲାଙ୍କୁ ମେନ୍ୟୁ ସଂପର୍କିତ ଶିକ୍ଷା ପ୍ରଦାନ କରିଥାନ୍ତି। ସୂଚନା ଏବଂ ଯୋଗାଯୋଗ କୌଶଳ(ଆଇସିଓି) ବିଷୟ ପଢ଼ାଇବା ପାଇଁ ରିଚାର୍ଡ ଏପରି ପ୍ରଣାଳୀ ଅବଲମ୍ବନ କରିଥିଲେ।
ନିକଟରେ ରିଚାର୍ଡଙ୍କର ଏହି ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସେ ବିଶ୍ୱର ବିଭିନ୍ନ ଆଡୁ କମ୍ପୁଟର୍ ଏବଂ ଲାପ୍ଟପ୍ ଦାନ ଆକାରରେ ପାଉଛନ୍ତି।