କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ପ୍ରତ୍ନତତ୍ତ୍ବବିତ୍ମାନେ ଜଣେ ଆଙ୍ଗ୍ଲୋ-ସାକ୍ସନ ଯୁବତୀର ଖପୁରିକୁ ଭିତ୍ତି କରି ତା’ ମୁହଁର ଏକ ସଂପୂର୍ଣ୍ଣ କଳେବର ପ୍ରସ୍ତୁତ କରିଛନ୍ତି। ଏହା ଏବେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ପ୍ରଦର୍ଶନୀରେ ସ୍ଥାନ ପାଇଛି। ସୂଚନାଯୋଗ୍ୟ, ୪୧୦ ଖ୍ରୀଷ୍ଟାବ୍ଦ ବେଳକୁ ରୋମାନ୍ ସାମ୍ରାଜ୍ୟର ପତନ ପରେ ଜର୍ମାନୀର ଆଙ୍ଗେଲ୍ନ ଓ ସାକ୍ସୋନି ଅଞ୍ଚଳର ଯେଉଁ ବାସିନ୍ଦାମାନେ ବ୍ରିଟେନ୍ରେ ଆସି ଥଇଥାନ ହୋଇଥିଲେ, ସେମାନଙ୍କୁ ଆଙ୍ଗ୍ଲୋ-ସାକ୍ସନ କୁହାଯାଏ। ପ୍ରାୟ ୧୩୦୦ ବର୍ଷ ତଳେ ମୃତ୍ୟୁ ଘଟିଥିବା ଏହି ଯୁବତୀଙ୍କୁ ପ୍ରାୟ ସପ୍ତମ ଶତାବ୍ଦୀରେ ୟୁନାଇଟେଡ୍ କିଙ୍ଗଡମ୍ରେ କବର ଦିଆଯାଇଥିଲା। ତାଙ୍କର କଙ୍କାଳଟି ୨୦୧୨ ମସିହାରେ କେମ୍ବ୍ରିଜ୍ସାୟାରର ଟ୍ରମ୍ପିଂଟନ୍ ଅଞ୍ଚଳରୁ ଖନନ ବେଳେ ମିଳିଥିଲା। ଖପୁରିର ବିଭିନ୍ନ ଅଂଶକୁ ମାପି ଫରେନ୍ସିକ୍ ଶିଳ୍ପୀ ହ୍ୟୁ ମରିସନ୍ ଯୁବତୀଙ୍କ ସମ୍ଭାବ୍ୟ ମୁହଁର ରୂପରେଖ ଗଠନ କରିଥିଲେ। ତେବେ ତାହାର ଡିଏନ୍ଏ ବିଶ୍ଳେଷଣ ବିନା ମରିସନ୍ ତାହାର ଆଖି ଦୁଇଟିର ଗଠନ ଓ ଚୁଟିର ରଙ୍ଗ ବାବଦରେ ନିଶ୍ଚିତ ନୁହନ୍ତି। ତେବେ ଗଢ଼ାଯାଇଥିବା ମୁହଁଟି ଯୁବତୀଙ୍କର ଠିକ୍ ମୃତ୍ୟୁ ପୂର୍ବ ମୁହୂର୍ତ୍ତର ପ୍ରତିକ୍ରିୟାକୁ ଦର୍ଶାଉଛି ବୋଲି ମରିସନ କହିଛନ୍ତି। ପ୍ରତ୍ନତତ୍ତ୍ବବିତ୍ମାନଙ୍କ ଆକଳନ ଅନୁଯାୟୀ, ଯୁବତୀ ଜଣକ ସମ୍ଭବତଃ ଆଲ୍ପସ ପର୍ବତମାଳା ସନ୍ନିକଟ ଦକ୍ଷିଣ ଜର୍ମାନୀରେ ଜନ୍ମ ହୋଇଥିଲେ ଏବଂ ତାଙ୍କୁ ପ୍ରାୟ ସାତ ବର୍ଷ ହୋଇଥିବା ବେଳେ ସେ କେମ୍ବ୍ରିଜ୍ସାୟାରକୁ ସ୍ଥାନାନ୍ତର ହୋଇଥିଲେ।
ଜର୍ମାନୀରେ ଥିଲା ବେଳେ ସେ ପ୍ରଚୁର ମାଂସ ଓ ଦୁଗ୍ଦଜାତ ଖାଦ୍ୟ ଖାଉଥିବା ବେଳେ ଟ୍ରମ୍ପିଂଟନ୍କୁ ଆସିବା ପରେ ତାଙ୍କ ଖାଦ୍ୟରେ ପୁଷ୍ଟିସାର ଭାଗ କମି ଆସିଥିଲା। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ତାଙ୍କୁ ଏକ ଖୋଦେଇ ହୋଇଥିବା କାଷ୍ଠଶଯ୍ୟାରେ କବର ଦିଆଯାଇଥିଲା ଯେଉଁଥିରେ ସେ ସୁନ୍ଦର ବସ୍ତ୍ର, ସୁବର୍ଣ୍ଣ କଣ୍ଟା ଓ କ୍ରସ ପରିଧାନ କରିଥିଲେ। ସର୍ବୋପରି ଦୂର ଅତୀତର ଜଣେ ବ୍ୟକ୍ତିଙ୍କୁ ପୁଣି ଜୀବନ୍ତ କରାଇବାର ଏହା ଏକ ଚମତ୍କାର ଉଦାହରଣ ବୋଲି ଆଙ୍ଗ୍ଲୋ-ସାକ୍ସନ ବିଶେଷଜ୍ଞ ସାମ୍ ଲୁସି କହିଛନ୍ତି।