ସେ ଜଣେ ସଫଳ ଅଭିନେତ୍ରୀ ଏବଂ ତା’ ସହିତ ଜଣେ ସ୍ବନାମଧନ୍ୟ ଅଧ୍ୟାପିକା ସାଙ୍ଗକୁ ଗବେଷିକା ଓ ଜଣେ ଯୋଗ ପ୍ରଶିକ୍ଷକ। ତାଙ୍କୁ କିଏ ବା ନ ଜାଣେ? ୮୦ ଦଶକର ନାୟିକା ତାଙ୍କର ଦମ୍‌ଦାର ଅଭିନୟରେ ଦର୍ଶକଙ୍କ ମନ ଜିଣିଛନ୍ତି। ଯାଯାବର, ସମୟ, ସିନ୍ଦୂରବିନ୍ଦୁ, କୃଷ୍ଣସୁଦାମା, ତପସ୍ୟା, ମାନସ ଆଦି ଚଳଚ୍ଚିତ୍ରରେ ନାୟିକା ଭାବେ ଅଭିନୟ କରିଛନ୍ତି। ଟେଲିଭିଜନ ଦୁନିଆରେ କାମ କରିବା ସହିତ ପାଠ ପଢ଼ିବା, ଅନ୍ୟକୁ ସାହାଯ୍ୟ କରିବା ଓ ବିଭିନ୍ନ ସଂଗଠନରେ କାମ କରିବାର ଝୁଙ୍କ ବି ତାଙ୍କୁ ଅନ୍ୟ ଏକ ପରିଚୟ ଦେଇଛି। ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପ୍ରେରଣା ମଧ୍ୟ ସାଜିଛନ୍ତି ସେ। ସମୟକ୍ରମେ ନାୟିକାରୁ ଅଧ୍ୟାପିକା ହୋଇଥିବା ସେହି ସଫଳ ମହିଳା ଜଣକ ହେଉଛନ୍ତି ତ୍ରିପୁରା ମିଶ୍ର। ଯିଏକି ଜୀବନରେ କେବେ ହାରିବା ଶିଖିନାହାନ୍ତି।

Advertisment

ଗଞ୍ଜାମ ଜିଲ୍ଲାର ଖଲ୍ଲୀକୋଟ ଅଞ୍ଚଳର ଶ୍ୟାମସୁନ୍ଦରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ମା’ ପୁଷ୍ପଲତା ମିଶ୍ର ଥିଲେ ତାଙ୍କ ସଙ୍ଗୀତ ଶିକ୍ଷାର ଆଦ୍ୟଗୁରୁ। ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ସେ ଇତିହାସର ପର୍ବପର୍ବାଣି ଉପରେ ଗବେଷଣା କରି ଡକ୍ଟରେଟ୍ ଉପାଧି ହାସଲ କରିଛନ୍ତି। ଓଡ଼ିଶୀ ନାଚ ସହିତ ଗୀତ ବି ଗାଉଥିଲେ।

ତା’ଙ୍କ ଜୀବନୀକୁ ନେଇ ଆମେ ତା’ଙ୍କ ସହ କିଛି ସମୟ ଆଲୋଚନା କରିଥିଲୁ। ସେ କୁହନ୍ତି,‘‘ଜୀବନ ଏକ ଉପହାର। ଯେ ପର୍ଯ୍ୟନ୍ତ ଆମେ ବଞ୍ଚିଛେ ଆମେ କର୍ମ କରିଚାଲିବା ଦରକାର। ଜ୍ଞାନ, ଭକ୍ତି, କର୍ମ ଏହି ତିନୋଟିକୁ ନେଇ ହିଁ ଆମ ଜୀବନ। ଜ୍ଞାନକୁ ଗ୍ରହଣ କରିବା, ସମସ୍ତଙ୍କୁ ସମ୍ମାନ କରିବା ଏବଂ ତା’କୁ ଯଦି ଆମେ ଠିକ୍ କାମରେ ଲଗାଇପାରିଲେ ଆମେ ଜୀବନଟିକୁ ସଫଳ ବୋଲି ଭାବିପାରିବା।’’

ପ୍ରଥମେ ଅଭିନୟ ଦୁନିଆର ସମୟ ବହୁତ ଭଲ ଥିଲା। ତା’ପରେ ଅଧ୍ୟାପନା ‌େମାତେ ଭଲ ଲାଗିଲା। କାରଣ ପ୍ରତିବର୍ଷ ଆମେ ନୂଆ ପିଢ଼ିଙ୍କ ସହ ଭେଟ ହେଉ। ଆମେ ତା’ଙ୍କୁ କିଛି ଶିଖାଉ ଏବଂ ତା’ଙ୍କଠାରୁ ଆମେ କିଛି ଶିଖିଥାଉ। ଅଧ୍ୟାପନା ସମୟରେ ମଧ୍ୟ ବିଭିନ୍ନ ସେନ୍ସର୍ ବୋର୍ଡରେ ସଦସ୍ୟ ରହିଛି, ତାହା ସହ କଳାଜଗତ, ସିରିଏଲ୍‌ରେ ଜୁରି ମେମ୍ବର ବି ହୋଇଛି। ବିଭିନ୍ନ ବିଭାଗରେ କାମ କରିବା ହେଉଛି ମୋ ପାଇଁ ଭଗବାନଙ୍କ ଅବଦାନ। ମୁଁ ଈଶ୍ବରଙ୍କୁ ବହୁତ ବିଶ୍ବାସ କରେ। ସେ ଯେଉଁ ସମୟରେ ଯାହା ଦାୟିତ୍ବ ଦେଇଛନ୍ତି ମଁୁ ତାକୁ ଭଲଭାବେ ତୁଲାଇଛି। ଅଧ୍ୟାପିକାରୁ ଅବସର ହୋଇ ଏବେ କିସ୍‌ରେ ବିଭିନ୍ନ ଦାୟିତ୍ବରେ ରହିବା ସହ କଲେଜର ଉପାଧ୍ୟକ୍ଷ ଅଛି। ଯୋଗ ଉପରେ ବି ପ୍ରଶିକ୍ଷଣ ‌େନବା ସହ ବହୁ ମହିଳାଙ୍କୁ ଯୋଗ ଶିଖାଇଥିଲି।

ଅଭିନୟ ମୋର ପେଶା ନଥିଲା। ସେତେବେଳେ ‌େମାତେ ଅଭିନୟ କରିବାପାଇଁ ଭଲ ଲାଗୁଥିଲା। ସେଥିପାଇଁ ମଁୁ ସବୁବେଳେ କୁହେ ଜୀବନରେ ସ୍ପଷ୍ଟତା ଦରକାର। କର୍ମଜୀବୀ ମହିଳା ହୁଅନ୍ତୁ କିମ୍ବା ଗୃହିଣୀଙ୍କ ଘର କାମ ହେଉ ସବୁଠାରେ ନିଜ ଚିନ୍ତାକୁ ସ୍ପଷ୍ଟ କରିବା ଦରକାର। କେଉଁଠି କ’ଣ କହିବା, କରିବା, ଧୈର୍ଯ୍ୟ ଓ ଏକାଗ୍ରତା ରହିବା ନିହାତି ଦରକାର। ଶ୍ରବଣ, ଚିନ୍ତନ ଓ ମନନ ଆମ ଜୀବନର ମୂଳମନ୍ତ୍ର ହେବା ଉଚିତ’’ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।