ସ୍ବାଧୀନତାର ମହାନାୟକ: ଧରଣୀଧର ଭୂୟାଁ

କେନ୍ଦୁଝରର ଭୂୟାଁ ସଂପ୍ରଦାୟର ଲୋକମାେନ ସ୍ବାଧୀନତା ପୂର୍ବ କାଳରେ ଅତ୍ୟାଚାରୀ ରାଜା ଓ ଇଂରେଜ ଶାସନ ବିରୋଧରେ ଅନେକ ଥର ବିଦ୍ରୋହ କରିଥିବା ଇତିହାସରେ ଲିପିବଦ୍ଧ। ଏହି ବିଦ୍ରୋହଗୁଡ଼ିକ ଲୋକମୁଖରେ ‘ମେଳି’ ଭାବରେ ଜଣାଶୁଣା। ସେ ମଧ୍ୟରୁ ଏକ ପ୍ରମୁଖ ବିଦ୍ରୋହ ଥିଲା ଧରଣୀଧର ଭୂୟାଁଙ୍କ ନେତୃତ୍ବାଧୀନ ‘ଧରଣୀମେଳି’। ରାଜତନ୍ତ୍ର ଓ ଇଂରେଜ ବିରୋଧରେ ବିପ୍ଳବୀ ଧରଣୀଧରଙ୍କର ଏହି ସଂଗ୍ରାମ ଓଡ଼ିଶା ଇତିହାସରେ ଅନନ୍ୟ। କେନ୍ଦୁଝର ଗଡ଼ଜାତ ଅନ୍ତର୍ଗତ କୁସୁମିତା ଗ୍ରାମରେ ୧୮୬୪ ମେ ୫ ତାରିଖରେ ଧରଣୀଧର ଜନ୍ମଗ୍ରହଣ କରିଥିଲେ। ବାଲ୍ୟ କାଳରୁ ଅଧ୍ୟୟନ ପ୍ରତି ତାଙ୍କ ଠାରେ ପ୍ରବଳ ଆଗ୍ରହ ଜାତ ହୋଇଥିଲା। ମେଧାବୀ ଛାତ୍ର ଭାବରେ ସେ କେନ୍ଦୁଝର ମଧ୍ୟ ଇଂରେଜୀ ସ୍କୁଲ୍‌ରୁ ଉତ୍ତୀର୍ଣ୍ଣ ହୋଇଥିଲେ। ତତ୍‌କାଳୀନ କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କୁ ସର୍ଭେ ଶିକ୍ଷା ହାସଲ ପାଇଁ କଟକ ପଠାଇଥିଲେ। ମହାରାଣୀ ତାଙ୍କୁ ଧର୍ମପୁତ୍ର ରୂପେ ଗ୍ରହଣ କରିଥିଲେ। କଟକରେ ପାଠପଢ଼ା ସାରି ଫେରିବା ପରେ ରାଜା ତାଙ୍କୁ ସର୍ଭେ ପର୍ଯ୍ୟବେକ୍ଷକ ପଦବିରେ ନିଯୁକ୍ତ କରିଥିଲେ। ନିଜର ବ୍ୟକ୍ତିତ୍ବ ଓ କର୍ତ୍ତବ୍ୟନିଷ୍ଠା ବଳରେ ଧରଣୀଧର ରାଜାଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ।

ଧରଣୀଧରଙ୍କ ଲୋକପ୍ରିୟତାରେ ଈର୍ଷାନ୍ବିତ ହୋଇ ରାଜାଙ୍କ ଦେଵାନ୍ ବିଚିତ୍ରାନନ୍ଦ ଦାସ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚଳାଇଥିଲେ। ଫଳସ୍ବରୂପ ଧରଣୀଧର ନିଜର ପଦବି ହରାଇଥିଲେ। ଏହା ପରେ ସେ ମୟୂରଭଞ୍ଜ ରାଜାଙ୍କ ନିକଟରେ ଚାରି ବର୍ଷ କାର୍ଯ୍ୟ କରିସାରି ନିଜ ଗ୍ରାମ କୁସୁମିତା ପ୍ରତ୍ୟାବର୍ତ୍ତନ କରିଥିଲେ। ନିଜ ଅଞ୍ଚଳର ଜନସାଧାରଣଙ୍କ ଉପରେ ରାଜା ଓ ରାଜକର୍ମଚାରୀଙ୍କ ଅତ୍ୟାଚାର ତାଙ୍କୁ ବ୍ୟଥିତ କରିଥିଲା। କେନ୍ଦୁଝରଗଡ଼ ନିକଟସ୍ଥ ମାଛକାନ୍ଦଣା ଝର ଉପରେ ଏକ ବନ୍ଧ ନିର୍ମାଣ ପାଇଁ ରାଜା ଆଦେଶ ଦେଇଥିଲେ। ସ୍ଥାନୀୟ ଭୂୟାଁମାନଙ୍କୁ ବାଧ୍ୟ କରି ଉକ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ପ୍ରଜାଙ୍କୁ ବେଠି ଖଟାଇବାର ଦୃଶ୍ୟ ଦେଖି ଧରଣୀଧର ସହ୍ୟ କରିପାରି ନ ଥିଲେ। ତାଙ୍କ ମନରେ ବିଦ୍ରୋହର ନିଆଁ ଜଳିଉଠିଲା। ତେଣୁ ସେ ଭୂୟାଁ ସଂପ୍ରଦାୟର ଲୋକଙ୍କୁ ଏକତ୍ରିତ କରି ବିଦ୍ରୋହ ପାଇଁ ଆହ୍ବାନ ଦେଇଥିଲେ। ଅନେକ କୋହ୍ଲ, ଭୂୟାଁ ଓ ସାଉଁତି ସଂପ୍ରଦାୟର ଲୋକେ ମଧ୍ୟ ତାଙ୍କର ସହ ବିଦ୍ରୋହରେ ଯୋଗ ଦେଇଥିଲେ। ରାଜା ଏହି ଭୟରେ ଆନନ୍ଦପୁର ପଳାୟନ କରିଥିଲେ। ବିଦ୍ରୋହ ଦମନ ପାଇଁ ରାଜା ବ୍ରିଟିସ୍ ପୁଲିସଙ୍କ ସାହାଯ୍ୟ ଲୋଡ଼ିଥିଲେ। ବଙ୍ଗ ସରକାର ଚାଇଁବସାର ଡେପୁଟି କମିସନର୍‌ ଏଚ୍‌. ଡାଉସନ୍‌ଙ୍କୁ ବିଦ୍ରୋହ ଦମନର ଦାୟିତ୍ବ ପ୍ରଦାନ କରିଥିଲେ। ଏହା ବିଦ୍ରୋହୀଙ୍କୁ ଅଧିକ ଉତ୍ତେଜିତ କରିଦେଇଥିଲେ। ଧରଣୀଧର ନିଜକୁ କେନ୍ଦୁଝରର ଟିକାୟତ ଘୋଷଣା କରି ରାଜାଙ୍କ ଗଡ଼ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ।

ମାତ୍ର ରାଜାଙ୍କ ମ୍ୟାନେଜର୍‌ ଫକୀରମୋହନ ସେନାପତିଙ୍କ ବିଚକ୍ଷଣ କୂଟନୀତି ଯୋଗୁଁ ଏହି ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଥିଲା। ସେନାଧ୍ୟକ୍ଷ ଡାଉସନ୍‌ ଧରଣୀଧରଙ୍କ ନିକଟକୁ ଜଣେ ସବ୍‌-ଇନ୍‌ସପେକ୍ଟର ପଠାଇ ତାଙ୍କୁ ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇଥିଲେ। ହେଲେ ସ୍ବାଭିମାନୀ ଧରଣୀଧର ଆତ୍ମସମର୍ପଣ କରିବାକୁ ମନା କରିଦେଇଥିଲେ। ଶେଷରେ ଡାଉସନ୍‌ ଚକ୍ରାନ୍ତ କରି ଧରଣୀଧରଙ୍କୁ ବନ୍ଦୀ କରିବାରେ ସଫଳ ହୋଇଥିଲା। ସେ ଗିରଫ ହେବା ପରେ ମଧ୍ୟ ତାଙ୍କର ସହଯୋଗୀମାନେ ବିଦ୍ରୋହ ଜାରି ରଖିଥିଲେ। ତେବେ ବିଶାଳ ଇଂରେଜ ସେନାବାହିନୀ ସମ୍ମୁଖରେ ସେହି ବିଦ୍ରୋହ ଦୀର୍ଘ ସମୟ ପାଇଁ ତିଷ୍ଠିପାରି ନ ଥିଲା। ଶେଷରେ ବ୍ରିଟିସ୍ କୋର୍ଟରେ ବିଚାର କରାଯାଇ ୨୮ ଜଣ ବିପ୍ଳବୀଙ୍କୁ ଜେଲ ଦଣ୍ଡ ମିଳିଥିଲା। ବୀର ଧରଣୀଧରଙ୍କୁ ସାତ ବର୍ଷର ସଶ୍ରମ କାରାଦଣ୍ଡ ଦିଆଯାଇଥିଲା। ୧୮୯୭ରେ ସେ ଜେଲ୍‌ରୁ ମୁକ୍ତ ହୋଇ ସନ୍ନ୍ୟାସ ଗ୍ରହଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୧୯୧୨ ମସିହା ପର୍ଯ୍ୟନ୍ତ ବାଙ୍କୀ ମୁହାଣରେ ତପସ୍ୟାରତ ଥିଲେ। ଏହା ପରେ କଟକର ଆଳି ଅଞ୍ଚଳରେ ଏକ ମଠ ନିର୍ମାଣ କରି ମୃତ୍ୟୁ ଯାଏ ସେଠାରେ ରହିଥିଲେ। ୧୯୧୪ ମେ ୧୬ରେ ଏହି ମହାନ ବିଦ୍ରୋହୀଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର