ସ୍ବାଧୀନତାର ମହାନାୟକ: ସୈଫୁଦ୍ଦୀନ କିଚଲୁ
ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟରେ ହିନ୍ଦୁ-ମୁସଲମାନ ଏକତାର ସେତୁ ଏବଂ ଜାଲିଆନଵାଲାବାଗ୍ର ନାୟକ ସାଜିଥିଲେ ସୈଫୁଦ୍ଦୀନ କିଚଲୁ। ୧୮୮୮ ଜାନୁଆରି ୧୫ରେ ସେ ଅମୃତସରର ଏକ କାଶ୍ମୀରୀ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପୂର୍ବଜମାନେ କାଶ୍ମୀରୀ ପଣ୍ଡିତ ଥିଲେ ଯେଉଁମାନେ ପରେ ସ୍ବଇଚ୍ଛାରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଅମୃତସରରୁ ପ୍ରାରମ୍ଭିକ ଶିକ୍ଷା ହାସଲ କରିବା ପରେ ସେ କେମ୍ବ୍ରିଜରେ ଓକିଲାତି ପଢ଼ିଥିଲେ ଏବଂ ଜର୍ମାନୀରୁ ଡକ୍ଟରେଟ୍ ଉପାଧି ହାସଲ କରିଥିଲେ। କେମ୍ବ୍ରିଜ୍ ରହଣି କାଳରେ ତାଙ୍କ ଉପରେ ସମାଜବାଦୀ ଆଦର୍ଶର ପ୍ରଭାବ ପଡ଼ିଥିଲା। ସମାଜବାଦ ସହ ଜଡ଼ିତ ପୁସ୍ତକ ପଢ଼ି ସେ ସ୍ବାଧୀନତା ଆନ୍ଦୋଳନ ଏବଂ ରାଷ୍ଟ୍ରବାଦ ପ୍ରତି ଆକୃଷ୍ଟ ହୋଇଥିଲେ। ବିଦେଶରେ ଅଧ୍ୟୟନରତ ଭାରତୀୟ ଛାତ୍ରମାନେ ନିଜ ପରାଧୀନ ଦେଶର କରୁଣ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ‘ମଜଲିସ’ ନାମକ ସୋସାଇଟି ଗଠନ କରିଥିଲେ। ସୈଫୁଦ୍ଦୀନ ଏହାର ଜଣେ ସକ୍ରିୟ ସଦସ୍ୟ ଥିଲେ। ‘ମଜଲିସ’ରେ ହିଁ ସେ ଭାବୀ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ପ୍ରଥମେ ଭେଟିଥିଲେ। ପାଠପଢ଼ା ସମାପ୍ତି ପରେ ସେ ଅମୃତସର ପ୍ରତ୍ୟାବର୍ତ୍ତନ କରି ଓକିଲାତି ଆରମ୍ଭ କରିଥିଲେ। କିନ୍ତୁ ମହାତ୍ମା ଗାନ୍ଧୀ ଏବଂ ଜାତୀୟତା ଆନ୍ଦୋଳନର ଗଭୀର ପ୍ରଭାବ ତାଙ୍କୁ ଓକିଲାତି ପେସା ଛାଡ଼ି ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେବାକୁ ପ୍ରବର୍ତ୍ତାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୧୯ ମସିହାରେ ଇଂରେଜ ଶାସକମାନେ ‘ରୌଲେଟ୍ ଆଇନ’ ସୁପାରିସ କରିଥିଲେ। ଏହି ଆଇନ ଜରିଆରେ ଇଂରେଜ ସରକାର ବିରୋଧୀ ଆନ୍ଦୋଳନକୁ ଦମନ କରିବାର ଚେଷ୍ଟା କରାଯାଇଥିଲା। ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ସଂଗଠିତ ହୋଇଥିଲା। ସୈଫୁଦ୍ଦୀନ ପଞ୍ଜାବର ଲୋକଙ୍କୁ ବ୍ରିଟିସ୍ ସରକାର ବିରୋଧରେ ଅହିଂସ ଆନ୍ଦୋଳନରେ ଯୋଗ ଦେବାକୁ ଆହ୍ବାନ କରିଥିଲେ। ୧୯୧୯ ମାର୍ଚ୍ଚ ୩୦ରେ ତାଙ୍କ ଦ୍ବାରା ଆୟୋଜିତ ସଭାରେ ୩୦ ହଜାର ଲୋକ ଯୋଗ ଦେଇଥିଲେ। ପୁଣି ଏପ୍ରିଲ୍ ୯ରେ ବନ୍ଧୁ ସତ୍ୟପାଲଙ୍କ ସହ ମିଶି ଅମୃତସରେ ଏକ ସରକାର ବିରୋଧୀ ବିକ୍ଷୋଭ ଆୟୋଜନ କରିଥିଲେ। ଫଳସ୍ବରୂପ ଦୁଇ ନେତାଙ୍କୁ ଗିରଫ କରି ଧର୍ମଶାଳାରେ ନଜରବନ୍ଦୀ ରଖାଯାଇଥିଲା। ଏପ୍ରିଲ୍ ୧୩ ତାରିଖରେ ଏହି ଦୁଇ ନେତାଙ୍କ ଗିରଫର ପ୍ରତିବାଦ ସ୍ବରୂପ ଅମୃତସରର ଜାଲିଆନଵାଲାବାଗରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ସମାବେଶ ହୋଇଥିଲା। ଏହାର ପ୍ରତିକ୍ରିୟାରେ ଜେନେରାଲ୍ ଡାୟରଙ୍କ ନେତୃତ୍ବରେ ସମବେତ ଜନସାଧାରଣଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରାଯାଇଥିଲା ଯେଉଁଥିରେ ସହସ୍ରାଧିକ ନିରୀହ ଭାରତୀୟ ମୃତ୍ୟୁବରଣ କରିଥିଲେ। ସେହି ବର୍ଷ ଡିସେମ୍ବରରେ ସୈଫୁଦ୍ଦୀନ କିଚଲୁ ଜେଲ୍ରୁ ମୁକ୍ତ ହୋଇଥିଲେ। ତାଙ୍କୁ ଅଖିଳ ଭାରତୀୟ ଖିଲାଫତ ସମିତିର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ସେ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଥିଲେ। ଖିଲାଫତ ଆନ୍ଦୋଳନର ବିଫଳତା ପରେ ସେ ଜାତୀୟ ଏକତା ସୃଷ୍ଟିରେ ଲାଗିପଡ଼ିଲେ। ସେ ସର୍ବଦା କହୁଥିଲେ ଯେ ବ୍ରିଟିସ୍ ସାମ୍ରାଜ୍ୟବାଦ ହେଉଛି ଭାରତର ସବୁଠାରୁ ବଡ଼ ଶତ୍ରୁ ଏବଂ ସମନ୍ବିତ ଉଦ୍ୟମ ହିଁ ଏହି ସାମ୍ରାଜ୍ୟକୁ ପରାସ୍ତ କରିପାରିବ। ଧାର୍ମିକ ଆଧାରରେ ଦେଶ ବିଭାଜନକୁ ସେ ଘୋର ବିରୋଧ କରୁଥିଲେ। ଏହା ସତ୍ତ୍ବେ ବିଭାଜନ ହେଲା।
ବିଭାଜନ କାଳର ସାମ୍ପ୍ରଦାୟିକ ଦଙ୍ଗାରୁ ସେ ନିଜେ ମଧ୍ୟ ବର୍ତ୍ତି ନ ଥିଲେ। ତାଙ୍କର ଅମୃତସର ସ୍ଥିତ ଘରକୁ ଜାଳିଦିଆଯାଇଥିଲା। ତାଙ୍କୁ ନିଜ ଜନ୍ମସ୍ଥାନ ଛାଡ଼ି ସପରିବାର ଦିଲ୍ଲୀରେ ଆଶ୍ରୟ ନେବାକୁ ପଡ଼ିଥିଲା। ସ୍ବାଧୀନତା ପରେ ସେ ଶାନ୍ତି ବାହୁଡ଼ା ଦିଗରେ କାର୍ଯ୍ୟ କରିଥିଲେ। ସୋଭିଏତ ରୁଷ୍-ଭାରତ ସମ୍ପର୍କକୁ ଶକ୍ତିଶାଳୀ କରିବାରେ ତାଙ୍କର ନିର୍ଣ୍ଣାୟକ ଭୂମିକା ଥିଲା। ସେ ନିଜ ବକ୍ତବ୍ୟରେ ସମାଜବାଦୀ ସମାଜର ସମର୍ଥନ ଏବଂ ବିଶ୍ବ ଶାନ୍ତି ପ୍ରତିଷ୍ଠାର ଆବାହନ କରୁଥିଲେ। ୧୯୫୨ରେ ସେ ପ୍ରଥମ ଭାରତୀୟ ଭାବେ ‘ଲେନିନ୍ ଶାନ୍ତି ପୁରସ୍କାର’ ପାଇଥିଲେ। ୧୯୬୩ ଅକ୍ଟୋବର ୯ରେ ସୈଫୁଦ୍ଦୀନ କିଚଲୁଙ୍କ ମୃତ୍ୟୁ ଘଟିବା ପରେ ନେହରୁ କହିଥିଲେ, ‘ମୁଁ ମୋର ଜଣେ ଘନିଷ୍ଠ ବନ୍ଧୁଙ୍କୁ ହରାଇଛି ଯିଏ ଭାରତୀୟ ସ୍ବାଧୀନତା ସଂଗ୍ରାମର ଜଣେ ସାହସୀ ଏବଂ ଅଟଳ ଅଧିନାୟକ ଥିଲେ।’