ସ୍ବାଧୀନତା ସଂଗ୍ରାମର ଅନ୍ୟତମ ଉଲ୍ଲେଖନୀୟ ଚରିତ୍ର ହେଉଛନ୍ତି ବିନାୟକ ଦାମୋଦର ସାଵରକର(ବୀର ସାଵରକର) ଯିଏ ହିନ୍ଦୁ ରାଷ୍ଟ୍ରୀୟତାବାଦକୁ ହିନ୍ଦୁତ୍ବର ରାଜନୈତିକ ବିଚାରଧାରାରେ ବିକଶିତ କରିଥିଲେ। ହିନ୍ଦୁ ମହାସଭାରେ ସାମିଲ ହୋଇ ସେ ଉକ୍ତ ସଂଗଠନର ଏକ ପ୍ରମୁଖ ବ୍ୟକ୍ତିତ୍ବ ହେବା ସହ ହିନ୍ଦୁତ୍ବକୁ ଲୋକପ୍ରିୟ କରିବା ଦିଗରେ ବିଶେଷ ଭୂମିକା ନିଭାଇଥିଲେ। ତାଙ୍କର ଚିନ୍ତାଧାରା ଥିଲା ଭାରତବର୍ଷର ସାରାଂଶ ଭାବେ ଏକ ସାମୂହିକ ହିନ୍ଦୁ ପରିଚୟ ସୃଷ୍ଟି କରିବା ଜରୁରୀ। ନିଜେ ଜଣେ ନାସ୍ତିକ ହେବା ସତ୍ତ୍ବେ ସେ ହିନ୍ଦୁ ଦର୍ଶନର ଜଣେ ତଥ୍ୟାତ୍ମକ ବ୍ୟବହାରକାରୀ ଥିଲେ। ମହାରାଷ୍ଟ୍ରର ନାସିକ ଜିଲ୍ଲା ଅନ୍ତର୍ଗତ ଭାଗର ଠାରେ ୧୮୮୩ ମସିହା ମେ’ ୨୮ରେ ବୀର ସାଵରକରଙ୍କର ଜନ୍ମ। ପୁଣେର ଫର୍ଗୁସନ୍‌ କଲେଜରେ ପଢ଼ିଲା ବେଳୁ ସେ ସେ ଓ ତାଙ୍କ ଭାଇ ମିଶି ‘ଅଭିନବ ଭାରତ ସମାଜ’ ନାମରେ ଏକ ଗୋପନ ସଂଗଠନ ସ୍ଥାପନ କରି ତାଙ୍କର ବୈପ୍ଳବିକ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ।

Advertisment

ଆଇନ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ ସେ ଯୁକ୍ତରାଜ୍ୟ ଯାଇ ସେଠାରେ ‘ଇଣ୍ଡିଆ ହାଉସ୍‌’ ଓ ‘ଫ୍ରି ଇଣ୍ଡିଆ ସୋସାଇଟି’ ନାମକ ବିପ୍ଳବୀ ସଂଗଠନଗୁଡ଼ିକ ସହ ସାମିଲ ହୋଇ ବିପ୍ଳବ ମାଧ୍ୟମରେ ହିଁ ଭାରତର ପୂର୍ଣ୍ଣ ସ୍ବାଧୀନତା ସମ୍ଭବ ବୋଲି ବିଭିନ୍ନ ପୁସ୍ତକ ପ୍ରକାଶ କରିଥିଲେ। ଭାରତର ୧୮୫୭ ବିଦ୍ରୋହ ସଂପର୍କିତ ତାଙ୍କର ପୁସ୍ତକ ‘ଦି ଇଣ୍ଡିଆନ ଵାର ଅଫ୍‌ ଇଣ୍ଡିପେଣ୍ଡେନ୍ସ’ ବ୍ରିଟିସ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଷିଦ୍ଧ ହେବା ସହ ଇଣ୍ଡିଆ ହାଉସ ପରି ବିପ୍ଳବୀ ସଂଗଠନ ସହ ଜଡ଼ିତ ଥିବା ଅଭିଯୋଗରେ ତାଙ୍କୁ ସେଠାରେ ଗିରଫ କରାଯାଇ ଭାରତକୁ ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ହୋଇଥିଲା। ତେବେ ଜଳପଥରେ ଭାରତ ଫେରିଲା ବେଳେ ସେ ଜାହାଜରୁ ଖସିଯାଇ ଫ୍ରାନ୍ସରେ ଆଶ୍ରୟ ନେଇଥିଲେ। ମାତ୍ର ଫରାସୀ କର୍ତ୍ତୃପକ୍ଷ ତାଙ୍କୁ ବ୍ରିଟିସ ହାତରେ ଅର୍ପଣ କରିଥିଲେ। ଭାରତରେ ପହଞ୍ଚିଲା ପରେ ତାଙ୍କୁ ବିଭିନ୍ନ ଅପରାଧରେ ମୋଟ ୫୦ ବର୍ଷ ଅବଧିର ଦୁଇଟି ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ଏବଂ ତାଙ୍କୁ ରାଜନୈତିକ ବନ୍ଦୀ ଭାବେ ୧୯୧୧ ଜୁଲାଇ ୪ରେ ଆଣ୍ଡାମାନ ଓ ନିକୋବର ଦ୍ବୀପ ସ୍ଥିତ ସେଲୁଲାର ଜେଲ୍ ପଠାଯାଇଥିଲା। ଦଣ୍ଡାଦେଶ କୋହଳ ପାଇଁ ସେ ବାରମ୍ବାର ଆବେଦନ କରିଥିଲେ ହେଁ ବ୍ରିଟିସ ସରକାର ତାହା ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ୧୯୨୧ରେ ସାଵରକରଙ୍କୁ ରତ୍ନଗିରିକୁ ସ୍ଥାନାନ୍ତର କରାଯାଇଥିଲା। ସେହି ସମୟରେ ମହାତ୍ମା ଗାନ୍ଧୀ ଓ ଡ. ଆମ୍ବେଦକରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ୧୯୩୭ ଯାଏ ସେ ରତ୍ନଗିରିରେ ଆବଦ୍ଧ ଥିବା ବେଳେ ବମ୍ବେ ପ୍ରଦେଶର ନବ ନିର୍ବାଚିତ ସରକାର ତାଙ୍କୁ ବିନା ସର୍ତ୍ତରେ ମୁକ୍ତ କରିଥିଲେ।

ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସେ ହିନ୍ଦୁ ମହାସଭାର ଅଧ୍ୟକ୍ଷ ହୋଇ ‘ରାଜନୀତିର ହିନ୍ଦୁକରଣ ଓ ହିନ୍ଦୁତ୍ବର ସାମରିକୀକରଣ’ ସ୍ଳୋଗାନ ଦେଇଥିଲେ। ଏପରିକି ହିନ୍ଦୁମାନଙ୍କ ସାମରିକ ତାଲିମ ପାଇଁ ସେ ବ୍ରିଟିସ ପକ୍ଷ ନେଇଥିଲେ। ମୁସଲମାନ ବିଚ୍ଛିନ୍ନତାବାଦୀଙ୍କୁ କ୍ଷମତା ହସ୍ତାନ୍ତରକୁ ସେ ବିରୋଧ କରୁଥିଲେ। ମହାତ୍ମା ଗାନ୍ଧୀଙ୍କ ହତ୍ୟା ମାମଲାରେ ସାଵରକର ଗିରଫ ହୋଇଥିବା ବେଳେ ପ୍ରମାଣ ଅଭାବରୁ ପରେ ଖଲାସ ହୋଇଥିଲେ। ଏହାପରେ ସେ କୌଣସି ରାଜନୈତିକ କାର୍ଯ୍ୟକଳାପ ନକରି କେବଳ ହିନ୍ଦୁ ରାଷ୍ଟ୍ରୀୟତାବାଦୀ ଭାଷଣ ଦେବାକୁ ଲାଗିଲେ। ୧୯୬୬ ଫେବ୍ରୁଆରି ୨୬ ତାରିଖରେ ବମ୍ବେ ସ୍ଥିତ ନିଜ ବାସଭବନରେ ଏହି ହିନ୍ଦୁ ମହାନାୟକଙ୍କର ପରଲୋକ ହୋଇଥିଲା।