ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ତଥା ନିଷ୍ଠାପର ସ୍ବାଧୀନତା ସଂଗ୍ରାମୀ ଆଚାର୍ଯ୍ୟ ହରିହର ଦାସ ଗାନ୍ଧୀଜୀଙ୍କର ଯୋଗ୍ୟତମ ପଟ୍ଟଶିଷ୍ୟ। ସେ ୧୮୭୯ ମସିହାରେ ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ସେ ମେଧାବୀ ଛାତ୍ର ଥିଲେ। ସରକାରୀ ବୃତ୍ତି ପାଇ ସେ ପୁରୀ ଜିଲ୍ଲା ସ୍କୁଲ୍ରେ ନାମ ଲେଖାଇଲେ। ଜିଲ୍ଲା ସ୍କୁଲ୍ରେ ପଢ଼ିବା ବେଳେ ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର ସହପାଠୀ ଥିଲେ। କ୍ରମେ ଦୁହେଁ ଘନିଷ୍ଠ ବନ୍ଧୁ ପାଲଟି ଆଜୀବନ ସହକର୍ମୀ ହୋଇଥିଲେ। ରେଭେନ୍ସା କଲେଜରୁ ଏଫ୍.ଏ. ଉତ୍ତୀର୍ଣ୍ଣ ହେବା ପରେ ସେ ଗୋପବନ୍ଧୁଙ୍କ ପରାମର୍ଶକ୍ରମେ କୋଲକାତା ଯାଇ ଓକିଲାତି ପାଠ୍ୟକ୍ରମରେ ଯୋଗ ଦେଇଥିଲେ। କିନ୍ତୁ ଓକିଲାତି ଅଧ୍ୟୟନ ଅଧାରୁ ଛାଡ଼ି ନୀଳଗିରି ସ୍କୁଲ୍ରେ ଶିକ୍ଷକତା ଆରମ୍ଭ କଲେ। ଏହା ପରେ କିଛି କାଳ କଟକର ପ୍ୟାରିମୋହନ ଏକାଡେମୀରେ ଶିକ୍ଷକତା କରିଥିଲେ। ପ୍ୟାରିମୋହନ ଏକାଡେମୀ ଛାଡ଼ି ସତ୍ୟବାଦୀ ବକୁଳବନ ଜାତୀୟ ବିଦ୍ୟାଳୟରେ ଯୋଗ ଦେଇଥିଲେ ଏବଂ ଏହାର ଛାତ୍ରାବାସର ତତ୍ତ୍ବାବଧାନ ନେଇଥିଲେ। ଜାତି ଓ ଧର୍ମ ନିର୍ବିଶେଷରେ ଲୋକଙ୍କୁ ଏକତ୍ରିତ କରି ସେମାନଙ୍କ ମନରେ ଜାତୀୟତା ଭାବନା ଉଦ୍ରେକ କରାଇବା ସତ୍ୟବାଦୀ ସ୍କୁଲ୍ର ମୂଳ ଲକ୍ଷ୍ୟ ଥିଲା। ଆଚାର୍ଯ୍ୟ ହରିହର ଏହି ଉଦ୍ଦେଶ୍ୟ ସାଧନରେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ୧୯୨୧ ମସିହାରେ ସେ ଜାତୀୟ ଆନ୍ଦୋଳନରେ ଯୋଗଦେଇଥିଲେ। ଗୋପବନ୍ଧୁଙ୍କ ପ୍ରସ୍ତାବକ୍ରମେ ସେ ପୁରୀରେ ପ୍ରତିଷ୍ଠିତ ବିଧବା ଆଶ୍ରମରେ କାର୍ଯ୍ୟ କରିଥିଲେ।
ଗୋପବନ୍ଧୁ ବନ୍ଦୀ ଥିବା ସମୟରେ ସେ ‘ସମାଜ’ର ସମ୍ପାଦକ ଦାୟିତ୍ବ ତୁଲାଇଥିଲେ। ସ୍ବାଧୀନତା ସଂଗ୍ରାମୀ ଓ ସମାଜସେବୀଙ୍କୁ ନେଇ ସେ ‘ସେବା ସମିତି’ ଗଢ଼ିଥିଲେ। ଏହି ସଂଗଠନ ରୋଗୀ ସେବା, ଖଦି ପ୍ରସାର, ମଦ ବିରୋଧ, ସମାଜ ସଂସ୍କାର ଆଦି ବହୁବିଧ କାର୍ଯ୍ୟ କରୁଥିଲେ। ଗୋପବନ୍ଧୁଙ୍କ ମୃତ୍ୟୁ ପରେ ସେ ପୁରୀ ଛାଡ଼ି କଟକର ସ୍ବରାଜ ଆଶ୍ରମ ଚାଲିଯାଇଥିଲେ। ସେଠାରେ କର୍ମୀମାନଙ୍କୁ ତାଲିମ ଦେଉଥିଲେ। ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହର ଆହ୍ବାନ କ୍ରମେ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ବରେ କଟକରୁ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ ହୋଇଥିଲା। କିନ୍ତୁ ବାଟରେ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରିନିଆଯିବା ପରେ ହରିହର ଏହାର ନେତୃତ୍ବ ନେଇଥିଲେ ଏବଂ ଇଞ୍ଚୁଡ଼ିରେ ପହଞ୍ଚି ଲୁଣ ମାରିଥିଲେ। ତାଙ୍କୁ ମଧ୍ୟ ଗିରଫ କରାଯାଇ ହଜାରିବାଗ୍ ଜେଲ୍ରେ ଛଅ ମାସ ବନ୍ଦୀ ରଖାଯାଇଥିଲା। ୧୯୪୨ରେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ବ୍ରହ୍ମପୁର ଜେଲ୍ରେ କାରାବରଣ କରିଥିଲେ। ବନ୍ଦୀ ଅବସ୍ଥାରେ ସେ ଶ୍ରୀମଦ୍ଭାଗବତ ଗୀତାର ଅନୁବାଦ କରିଥିଲେ। ସେ ୧୯୪୪ରେ ଜେଲ୍ରୁ ମୁକ୍ତ ହୋଇଥିଲେ। ସ୍ବାଧୀନତା ପରେ ଗାନ୍ଧୀ ଯେମିତି ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ହରିହର ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି ସମାଜସେବାରେ ମନୋନିବେଶ କଲେ। ଭୂଦାନ ଆନ୍ଦୋଳନରେ ଯୋଗଦେଇ ୧୯୫୫ରେ ବିନୋବା ଭାବେଙ୍କ ସହ ବିଭିନ୍ନ ଗାଁ ବୁଲିଥିଲେ। ସେ ଓଡ଼ିଶାର ବିଭିନ୍ନ ଗାଁ ବୁଲି ଅହିଂସା ମନ୍ତ୍ର ପ୍ରଚାର, ଖଦି କାମ, ଶିକ୍ଷାର ପ୍ରସାର, ଅସ୍ପୃଶ୍ୟତା ଦୂରୀକରଣ ଆଦି କାମରେ ସକ୍ରିୟ ରହିଥିଲେ। ୧୯୭୧ ମସିହା ଫେବ୍ରୁଆରି ୧୯ ତାରିଖରେ ପରଲୋକ ଘଟିବା ପର୍ଯ୍ୟନ୍ତ ଆଚାର୍ଯ୍ୟ ହରିହର ନିରବଚ୍ଛିନ୍ନ ଭାବେ ଓଡ଼ିଆଙ୍କ ସେବା ଜାରି ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/fsh4sf4hsfh654654f5h6fhffh.jpg)