ଆଧୁନିକ ଭାରତ ନିର୍ମାଣରେ ‘ଭାରତରତ୍ନ’ ବାବାସାହେବ ଆମ୍ବେଦକରଙ୍କ ଅବଦାନର ତାଲିକା ସୁଦୀର୍ଘ। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସ୍ବାଧୀନତା ସଂଗ୍ରାମର ସବୁଠାରୁ ନିର୍ଣ୍ଣାୟକ ସମୟ ଚାଲିଥିବାବେଳେ ଆମ୍ବେଦକର ଏକ ଭିନ୍ନ ଧରଣର ଲଢ଼େଇରେ ବ୍ୟାପୃତ ଥିଲେ। ଏହା ଥିଲା ଭାରତୀୟ ସମାଜର ସବୁଠାରୁ ନିଷ୍ପେଷିତ ବର୍ଗଙ୍କ ମୁକ୍ତି ସଂଗ୍ରାମ। କେହି କେହି ଏହାକୁ ବ୍ରିଟିସ୍ ଶାସନ ବିରୋଧୀ ଲଢ଼େଇ ଠାରୁ ଅଧିକ ବ୍ୟାପକ ଓ ଗଭୀର ବୋଲି ବିଶ୍ବାସ କରନ୍ତି। ଆମ୍ବେଦକରଙ୍କ ଜୀବଦ୍ଦଶାରୁ ଏ ପର୍ଯ୍ୟନ୍ତ ତାଙ୍କର ନୀତି ଓ ଆଦର୍ଶ ଦେଶର କୋଟି କୋଟି ଦଳିତଙ୍କୁ ସ୍ବାଭିମାନ, ଆତ୍ମସମ୍ମାନ ଓ ଦାୟିତ୍ବ ସମ୍ପନ୍ନ ଜୀବନଯାପନର ପଥ ପ୍ରଦର୍ଶନ କରିଆସିଛି। ମଧ୍ୟ ପ୍ରଦେଶର ଏକ ମରାଠୀ ପରିବାରରେ ପିତାମାତାଙ୍କ ୧୪ତମ ତଥା ଶେଷ ସନ୍ତାନ ରୂପେ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ହୋଇଥିଲେ। ତାଙ୍କ ଜୀବନ ଯେତିକି ସଂଘର୍ଷମୟ ସେତିକି ଗରିମାମୟ। ସେ ଛୋଟ ଥିବା ବେଳେ ମାଆ ଆରପାରିକୁ ଚାଲିଗଲେ। ଦରିଦ୍ର ଓ ଅଛୁଆଁ ଜାତିର ହୋଇଥିବାରୁ ସେ ଶୈଶବରୁ ସାମାଜିକ-ଅର୍ଥନୈତିକ ପକ୍ଷପାତର ସମ୍ମୁଖୀନ ହୋଇଥିଲେ। ସ୍କୁଲ୍ରେ ଉଚ୍ଚ ଜାତିର ସହପାଠୀଙ୍କ ଠାରୁ ତାଙ୍କୁ ଦୂରରେ ବସିବାକୁ ପଡୁଥିଲା। ଭାଇଭଉଣୀଙ୍କ ମଧ୍ୟରୁ କେବଳ ସେ ହାଇସ୍କୁଲ୍ରେ ପାଦ ମାଡ଼ିପାରିଥିଲେ। ୧୮୯୭ରେ ତାଙ୍କ ପରିବାର ମୁମ୍ବାଇ ଚାଲିଆସିଥିଲା। ସେଠାରେ ଥିବା ଏଲ୍ଫିନଷ୍ଟୋନ୍ ହାଇସ୍କୁଲ୍ରେ ଏକମାତ୍ର ଦଳିତ ଛାତ୍ର ଭାବେ ଆମ୍ବେଦକର ଯୋଗ ଦେଇଥିଲେ। ଏଲ୍ଫିନଷ୍ଟୋନ୍ କଲେଜରୁ ସ୍ନାତକ ହାସଲ କରି ଅଧ୍ୟୟନ ପାଇଁ ବିଦେଶ ଯାଇଥିଲେ।
ଆମ୍ବେଦକର ବିଦେଶରୁ ଅର୍ଥନୀତିରେ ପିଏଚ୍.ଡି ହାସଲ କରିଥିବା ପ୍ରଥମ ଭାରତୀୟ ହେଲେ। ୧୯୧୭ରେ ସେ ଭାରତ ଫେରି ସିଡ଼େନହମ୍ କଲେଜରେ ପ୍ରଫେସର ରୂପେ ଯୋଗ ଦେଇଥିଲେ। କିନ୍ତୁ ସେଠାରେ ଉଚ୍ଚ ଶିକ୍ଷିତ ଅଧ୍ୟାପକଙ୍କ ଦ୍ବାରା ପ୍ରଭେଦର ଶିକାର ହୋଇ ସେ ଅଧ୍ୟାପନା ବୃତ୍ତି ଛାଡ଼ି ଓକିଲାତି କଲେ। ଏହି ସମୟରେ ସେ ଦଳିତ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ୧୯୨୦ରେ ଏକ ସାପ୍ତାହିକ ମରାଠୀ ଖବରକାଗଜ ଆରମ୍ଭ କରି ଜାତିଭେଦର କଡ଼ା ସମାଲୋଚନା କରିବା ସହିତ ବୈଷମ୍ୟ ବିରୋଧରେ ଲଢ଼ିବା ପାଇଁ ଆହ୍ବାନ କରି ନିଷ୍ପେଷିତ ବର୍ଗର ପ୍ରତିନିଧି ସାଜିଥିଲେ। ଦଳିତଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ତାଙ୍କର ଉଦ୍ୟମକୁ ଦେଶର ରକ୍ଷଣଶୀଳ ଗୋଷ୍ଠୀ ଘୋର ବିରୋଧ କରିଥିଲେ। କିନ୍ତୁ ତାଙ୍କୁ ସେସବୁ କେବେହେଲେ ବିଚଳିତ କରିପାରି ନ ଥିଲା। ସେ ଦୃଢ଼ବିଶ୍ବାସ କରୁଥିଲେ ଯେ ସାମାଜିକ ନ୍ୟାୟ ବିନା ରାଜନୈତିକ ସ୍ବାଧୀନତା ଜାତୀୟ ଏକତାକୁ ସୁନିଶ୍ଚିତ କରିପାରିବ ନାହିଁ। ସ୍ବାଧୀନତା ପରେ ସେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ହୋଇଥିଲେ। ସମ୍ବିଧାନର ଖସଡ଼ା ପ୍ରସ୍ତୁତ କରିବା ଓ ଅଛୁଆଁ ଭେଦଭାବକୁ ବେଆଇନ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ହିନ୍ଦୁ ଧର୍ମରେ ଅଛୁଆଁ ଭେଦଭାବର ବ୍ୟାପକତା ଦେଖି ସେ ନିରାଶ ହୋଇଥିଲେ ଏବଂ ୧୯୫୬ରେ ନାଗପୁର ଠାରେ ଦୁଇ ଲକ୍ଷ ଦଳିତଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ଆଧୁନିକ ବୌଦ୍ଧ ଆନ୍ଦୋଳନର ସେନାପତି ମଧ୍ୟ କୁହାଯାଏ। ୧୯୫୬ ଡିସେମ୍ବର ୬ ତାରିଖରେ ବାବାସାହେବ ଆମ୍ବେଦକର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।