ସ୍ବାଧୀନତାର ମହାନାୟକ : ବକ୍ସି ଜଗବନ୍ଧୁ
ଭାରତୀୟ ସ୍ବାଧୀନତା ସଂଗ୍ରାମର ଆଦ୍ୟକାଳରେ ନିଜ ମାତୃଭୂମିର ମୁକ୍ତି ପାଇଁ ଇଂରେଜ ଶକ୍ତି ସହ ବୀର ଦର୍ପରେ ଲଢ଼ିଥିବା ପାଇକ ମହାନାୟକ ଥିଲେ ବକ୍ସି ଜଗବନ୍ଧୁ। ୧୭୭୩ ମସିହାରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କର ପୂରା ନାମ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ। ୧୮୦୩ରେ ଓଡ଼ିଶାର ଅଧିକାଂଶ ଅଞ୍ଚଳ ବ୍ରିଟିସ୍ ଇଷ୍ଟ ଇଣ୍ଡିଆ କମ୍ପାନି ଅଧୀନକୁ ଚାଲିଯାଇଥିଲା। ପର ବର୍ଷ ଏହାକୁ ବିରୋଧ କରି ଖୋର୍ଦ୍ଧା ରାଜା ମୁକୁନ୍ଦଦେବ ବ୍ରିଟିସ୍ଙ୍କ ବିରୋଧରେ ବିଦ୍ରୋହର ସୂତ୍ରପାତ କରିଥିଲେ। ତେବେ ବ୍ରିଟିସମାନେ ଏହି ବିଦ୍ରୋହକୁ ଦମନ କରି ଖୋର୍ଦ୍ଧା ରାଜାଙ୍କୁ ବନ୍ଦୀ କରିନେଇଥିଲେ। ଏହା ପରେ ପାଇକଙ୍କ ଉପରେ ବ୍ରିଟିସ୍ ପ୍ରଶାସନର ଅତ୍ୟାଚାର ଆରମ୍ଭ ହେଲା। ପୁରୁଷାନୁକ୍ରମିକ ଭାବେ ଜଗବନ୍ଧୁ ବିଦ୍ୟାଧର ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କ ସଶସ୍ତ୍ର ସେନାବାହିନୀର ସେନାଧ୍ୟକ୍ଷ ବା ‘ବକ୍ସି’ ନିଯୁକ୍ତ ହୋଇଥିଲେ। ସେ ସମୟରେ ରାଜା ତାଙ୍କୁ ଜାଗିରି ସୂତ୍ରରେ ରୋଡ଼ଙ୍ଗ ଜମିଦାରି ପ୍ରଦାନ କରିଥିଲେ। କିନ୍ତୁ ବ୍ରିଟିସ୍ ପ୍ରଶାସନ ତାଙ୍କ ପାଖରୁ କ୍ରମେ ସବୁତକ ଜମିବାଡ଼ି ଛଡ଼ାଇନେଇ ନିଲାମ କରିଦେଲେ। ୧୮୧୭ ବେଳକୁ ସେ ସର୍ବସ୍ବାନ୍ତ ହୋଇଯାଇଥିଲେ। ଏଥି ସହିତ ବର୍ଷ ପରେ ବର୍ଷ ପ୍ରଜାଙ୍କ ଉପରେ ବ୍ରିଟିସ୍ କର୍ମଚାରୀଙ୍କ ଅତ୍ୟାଚାର ବଢ଼ିବାକୁ ଲାଗିଥିଲା। ଏହାର ପ୍ରତିକ୍ରିୟାସ୍ବରୂପ ପାଇକମାନେ ବିଦ୍ରୋହ ସଂଗଠିତ କରିବାର ନିଷ୍ପତ୍ତି ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବକ୍ସି ଜଗବନ୍ଧୁ ବିପ୍ଳବୀ ପାଇକମାନଙ୍କ ନେତୃତ୍ବ ନେଲେ। ୧୮୧୭ ମାର୍ଚ୍ଚ ମାସରେ ଘୁମୁସର ଅଞ୍ଚଳର ଚାରି ଶହ କନ୍ଧ ଆଦିବାସୀ କନ୍ଧମାଳର ଘଞ୍ଚ ଜଙ୍ଗଲ ଅତିକ୍ରମ କରି ଖୋର୍ଦ୍ଧାରେ ପହଞ୍ଚିଥିଲେ। ପ୍ରଥମେ ବାଣପୁରରେ ବିଦ୍ରୋହ ଆରମ୍ଭ ହୋଇଥିଲା। ସେମାନେ ବାଣପୁର ଥାନା ଓ କଚେରି ଉପରେ ଆକ୍ରମଣ କରି ସରକାରୀ ସମ୍ପତ୍ତି ଲୁଟ୍ କରିନେଇଥିଲେ। ଖୋର୍ଦ୍ଧାର ପାଇକମାନେ ଏହାର ସୁଯୋଗ ନେଇ ଅତ୍ୟାଚାରୀ ବ୍ରିଟିସ୍ ଶାସନ ବିରୋଧରେ ବିଦ୍ରୋହ ଆରମ୍ଭ କଲେ। ବକ୍ସି ଜଗବନ୍ଧୁଙ୍କ ପାଇକ ସୈନ୍ୟମାନେ ଗଙ୍ଗପଡ଼ା ଓ ପୁରୀରେ ବ୍ରିଟିସ୍ ସିପାହିଙ୍କୁ ପରାସ୍ତ କରିଥିଲେ। ବିଦ୍ରୋହୀମାନେ ରାଜା ମୁକୁନ୍ଦଦେବଙ୍କୁ ପୁଣି ଥରେ ଖୋର୍ଦ୍ଧାର ରାଜଗାଦିରେ ବସାଇଥିଲେ। ତେବେ ଏପ୍ରିଲ ୨୦ ତାରିଖରେ ସଶସ୍ତ୍ର ବ୍ରିଟିସ୍ ସେନା ପ୍ରତିଆକ୍ରମଣ କରି ବିଦ୍ରୋହୀଙ୍କ ପାଖରୁ ପୁଣି ଥରେ ପୁରୀ ଓ ଖୋର୍ଦ୍ଧା ଛଡ଼ାଇନେଇଥିଲେ।
ପାଇକମାନେ ପରାକ୍ରମୀ ଯୋଦ୍ଧା ଥିଲେ, ତେଣୁ ସହଜରେ ପରାଜୟ ବରଣ କରି ନ ଥିଲେ। ପ୍ରତିକୂଳ ପରିସ୍ଥିତିରେ ୧୦ ମାସ ଧରି ସେମାନେ ଏହି ବିଦ୍ରୋହକୁ ଉଜ୍ଜୀବିତ କରି ରଖିପାରିଥିଲେ। ଶେଷରେ ସେମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ଏହା ପରେ ବକ୍ସି ଜଗବନ୍ଧୁ ଅନେକ ବର୍ଷ ଧରି ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ତଥାପି ବକ୍ସି ଜଗବନ୍ଧୁଙ୍କ ଆତଙ୍କ ଇଂରେଜଙ୍କ ମନରୁ ଲିଭି ନ ଥିଲା। ତାଙ୍କୁ ଧରାଇଦେବାକୁ ଇଂରେଜମାନେ ବହୁ ପୁରସ୍କାର ଘୋଷଣା କରିଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଗଲା କିନ୍ତୁ ଇଂରେଜଙ୍କୁ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ଏହିପରି ଭାବେ ୧୮୧୭ରୁ ୧୮୨୫ ଯାଏ ଦୀର୍ଘ ଆଠ ବର୍ଷ ଧରି ଆତ୍ମଗୋପନରେ ରହିବା ପରେ ନୟାଗଡ଼ ରାଜାଙ୍କ ପରାମର୍ଶକ୍ରମେ ସେ ଆତ୍ମସମର୍ପଣ କରିଥିଲେ। ଏହା ପରେ ତାଙ୍କୁ କଟକରେ ନଜରବନ୍ଦୀ ରଖାଯାଇଥିଲା। ସେ କଟକର ଯେଉଁ ସ୍ଥାନରେ ରହିଥିଲେ ତାହା ଏବେ ବକ୍ସିବଜାର ନାମରେ ଜଣାଶୁଣା। ୧୮୨୯ ଜାନୁଆରି ୨୪ ତାରିଖରେ ବନ୍ଦୀ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।