ଜଙ୍ଗଲର ଆଦିବାସୀଙ୍କୁ ନେଇ ଓଡ଼ିଶାରେ ବ୍ରିଟିସ୍ ସରକାରଙ୍କ ବିରୋଧରେ ଦୁଇ ଦଶନ୍ଧି କାଳ ବିଦ୍ରୋହ କରିଥିବା ଓଡ଼ିଆ ବୀରପୁତ୍ର ଥିଲେ ଚକରା ବିଷୋୟୀ। ଦେଶର ସ୍ବାଧୀନତା ପାଇଁ ତାଙ୍କ ବଳିଦାନ ଓ ସାହସିକ ସଂଗ୍ରାମ ଦେଶଭକ୍ତିର ଏକ ଅମର ଗାଥା। ୧୮୨୩ ଶାମ୍ବ ଦଶମୀରେ ତତ୍କାଳୀନ ଘୁମୁସର ଅନ୍ତର୍ଗତ ବିଂଜିଗିରି ଗ୍ରାମରେ ଚକରା ବିଷୋୟୀ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ସେ ଅତ୍ୟନ୍ତ ସାହସୀ ଓ ବଳଶାଳୀ ଥିଲେ। ତାଙ୍କ ପିତା ରାମ ସିଂ ଘୁମୁସର ରାଜବଂଶର ଅର୍ଥନୈତିକ ବ୍ୟବସ୍ଥା ବୁଝୁଥିବାରୁ ତାଙ୍କୁ ‘ବିଷୋୟୀ’ ଉପାଧି ମିଳିଥିଲା। ଚକରାଙ୍କ ଦାଦା କମଳଲୋଚନ ଦୋରା ବିଷୋୟୀ ଥିଲେ ଘୁମୁସର ରାଜାଙ୍କ ସେନାପତି ଯିଏ ପରବର୍ତ୍ତୀ ସମୟରେ ଇଂରେଜ ବିରୋଧୀ ବିଦ୍ରୋହର ମୁଖ୍ୟ ପୁରୋଧା ପାଲଟିଥଲେ। ସେମାନେ ନିଜ ଗାଁରୁ ଆସି ଆଦିବାସୀ ଗାଁ ତୋରାବାଡ଼ିରେ ରହୁଥିଲେ। ଦାଦା ଦୋରା ବିଷୋୟୀଙ୍କ ପାଖରୁ ସେ କୁସ୍ତି, ମଲ୍ଲଯୁଦ୍ଧ, ଗରିଲା ଯୁଦ୍ଧ କୌଶଳ ସମେତ ଖଣ୍ଡା, ତୀର ଓ ବନ୍ଧୁକ ଚାଳନା ଶିଖିଥିଲେ। ଇଂରେଜମାନେ କିପରି ଆମ ଦେଶ ଉପରେ ଅତ୍ୟାଚାର କରୁଛନ୍ତି ସେ ନେଇ ଦୋରା ବିଷୋୟୀ ତାଙ୍କୁ ସଚେତନ କରାଉଥିଲେ। ତେଣୁ ଚରକା ବଡ଼ ହୋଇ ଇଂରେଜଙ୍କୁ ଦେଶରୁ ତଡ଼ିବା ପାଇଁ ପ୍ରତିଜ୍ଞା କରିଥିଲେ। ତାଙ୍କ ପିତାଙ୍କୁ ବ୍ରିଟିସ୍ ସୈନିକମାନେ ହତ୍ୟା କରିବା ପରେ ସେ ମାତ୍ର ତେର ବର୍ଷ ବୟସରେ ବିଦ୍ରୋହୀ ସାଜିଥିଲେ। ଘୁମୁସର ରାଜା ଧନଞ୍ଜୟ ଭଞ୍ଜ ଇଂରେଜ ସରକାରଙ୍କୁ ଖଜଣା ନ ଦେବାରୁ ଇଂରେଜ ପ୍ରଶାସକ ସାର୍ ହେନରି ଟେଲର ଘୁମୁସର ଦଖଲ କରିନେଇଥିଲେ। ହେଲେ ସେନାପତି ଦୋରା ବିଷୋୟୀ ଇଂରେଜଙ୍କୁ ରାଜ୍ୟ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ନ ଥିଲେ। ତେଣୁ ସେ କନ୍ଧମାନଙ୍କୁ ଏକାଠି କରି ଇଂରେଜଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ। କନ୍ଧ ମେଳି ଓ ଇଂରେଜ ଫୌଜ ମଧ୍ୟରେ ଏକାଧିକ ଯୁଦ୍ଧ ସଂଗଠିତ ହୋଇଥିଲା। ତେବେ ବିଶାଳ ବ୍ରିଟିସ୍ ସୈନ୍ୟ ସମ୍ମୁଖରେ ବିଜୟର ସମ୍ଭାବନା ନ ଥିବାରୁ ସେ ପୁତୁରା ଚରକାଙ୍କୁ ନେଇ ଅନୁଗୁଳ ଚାଲିଯାଇଥିଲେ। ଚକ୍ରାନ୍ତକ୍ରମେ ଇଂରେଜମାନେ ଦୋରା ବିଷୋୟୀଙ୍କୁ ଗିରଫ କରି ଦେଶାନ୍ତର ଦଣ୍ଡ ଦେଇ ରାଜ୍ୟ ବାହାରକୁ ପଠାଇଦେଇଥିଲେ। ଏହା ଚକରାଙ୍କୁ ଅଧିକ ପ୍ରତିଶୋଧପରାୟଣ କରିଦେଇଥିଲେ। ଇଂରେଜଙ୍କ ଉଗ୍ର ଦମନଲୀଳାରେ ଅତିଷ୍ଠ କନ୍ଧମାନେ ଚକରାଙ୍କୁ ସେମାନଙ୍କ ନେତା ଭାବେ ଗ୍ରହଣ କରିଥିଲେ। ଜନ୍ମମାଟିରୁ ଇଂରେଜଙ୍କୁ ବିତାଡ଼ିତ କରିବା ଲାଗି ସେ ସ୍ଥାନୀୟ ଯୁବକଙ୍କୁ ନେଇ ଏକ ବିଦ୍ରୋହୀ ଗୋଷ୍ଠୀ ତିଆରି କରିଥିଲେ। ଚକରାଙ୍କ ବିଦ୍ରୋହୀ ସୈନ୍ୟବାହିନୀ ଘୁମୁସର ନିକଟସ୍ଥ ଚନ୍ଦ୍ରଗିରି ଜଙ୍ଗଲରେ ଲୁଚିରହି ରାତିରେ ଇଂରେଜ ସୈନ୍ୟ ଛାଉଣି ଉପରେ ଆକ୍ରମଣ କରୁଥିଲେ। ତାଙ୍କର ବାରମ୍ବାର ଆକ୍ରମଣ ଇଂରେଜ ଅଧିକାରୀଙ୍କୁ ଆତଙ୍କିତ କରି ରଖିଥିଲା। ଶେଷରେ ବିଦ୍ରୋହ ଦମନ ପାଇଁ ଇଂରେଜ ଅଧିକାରୀ ମ୍ୟାକ୍ପରସନ୍ ମେରିଆ ଆସିଥିଲେ। ସେ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରିବା ସହିତ ସେମାନଙ୍କ ଧର୍ମ ବିଶ୍ବାସ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ଧାର୍ମିକ ବିଶ୍ବାସ ଅତୁଟ ରଖିବା ପାଇଁ ଚକରାଙ୍କ ଅନୁରୋଧକୁ ମ୍ୟାକ୍ପରସନ୍ ବେଖାତିର କଲେ। ତେଣୁ ସେ କନ୍ଧମାଳକୁ ଯାଇ ଫୁଲବାଣୀରେ ଥିବା ଇଂରେଜ ଶିବିରରେ ନିଆଁ ଲଗାଇଦେଇଥିଲେ। ଏହା ପରବର୍ତ୍ତୀ ଦମନଲୀଳା ବଡ଼ ଧରଣର ବିଦ୍ରୋହକୁ ଜନ୍ମ ଦେଇଥିଲା। ୧୯୪୬ରେ ଗିରଫରୁ ବର୍ତ୍ତିବା ପାଇଁ ଚକରା ବଉଦ ଅଞ୍ଚଳର ଆଦିବାସୀ ନେତା ନବଘନ କୁଅଁରଙ୍କ ସହିତ ଅନୁଗୁଳ ଚାଲିଯାଇଥିଲେ। ଶତ ଚେଷ୍ଟା ସତ୍ତ୍ବେ ଇଂରେଜ ପୁଲିସ ତାଙ୍କୁ କେବେହେଲେ ଧରିପାରି ନ ଥିଲା। ସେ ଜଙ୍ଗଲରେ ଲୁଚିରହି ବିଦ୍ରୋହ ଚଳାଇଥିଲେ। ସେ ପୁଣି ଥରେ ଘୁମୁସର ଫେରି ଇଂରେଜଙ୍କୁ ତଡ଼ିବା ପାଇଁ ଯୋଜନା କଲେ। ତେବେ ତାଙ୍କର ଚେଷ୍ଟା ସଫଳ ହୋଇପାରି ନ ଥିଲା। ୧୮୫୬ ମସିହାରେ ଚକରା ଅଚାନକ ଅଦୃଶ୍ୟ ହୋଇଯାଇଥିଲେ। ଏହା ପରେ ତାଙ୍କ ଜୀବନ ସମ୍ପର୍କରେ କେହି ଠିକ୍ ଭାବେ ଜାଣିନାହାନ୍ତି। କେତେକଙ୍କ ମତରେ ସେ ତେଲ ନଦୀ କୂଳରେ ଶେଷ ଜୀବନ ଅତିବାହିତ କରିଥିଲେ। ତେବେ ତାଙ୍କର ଦେହାନ୍ତ କେବେ ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଅଜଣା ହୋଇ ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp