ସ୍ବାଧୀନତାର ମହାନାୟକ: ଚନ୍ଦ୍ରଶେଖର ବେହେରା
ଚନ୍ଦ୍ରଶେଖର ବେହେରା ଥିଲେ ପଶ୍ଚିମ ଓଡ଼ିଶାର ଜଣେ ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ। ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷାର ପୁନଃପ୍ରତିଷ୍ଠା ଏବଂ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧ୍ୟ ତାଙ୍କର ଅବଦାନ ଅବିସ୍ମରଣୀୟ। ୧୮୭୩ ମେ ୨୦ ତାରିଖରେ ସମ୍ବଲପୁରର ଧାନକଉଡ଼ା ଗ୍ରାମରେ ସେ ଜନ୍ମ ହୋଇଥିଲେ। ସ୍କୁଲ୍ ଶିକ୍ଷା ହାସଲ ପରେ ଉଚ୍ଚ ଶିକ୍ଷାର ସୁବିଧା ନ ଥିବାରୁ ସେ ନିଜେ ପଢ଼ିଥିବା ସମ୍ବଲପୁର ଜିଲ୍ଲା ସ୍କୁଲ୍ରେ ଶିକ୍ଷକତା ଆରମ୍ଭ କରିଥିଲେ। ଛାତ୍ରବତ୍ସଳ ସ୍ବଭାବ କାରଣରୁ ସେ ସମଗ୍ର ଅଞ୍ଚଳରେ ପ୍ରସିଦ୍ଧି ଅର୍ଜନ କରିଥିଲେ। ଏହା ପରେ ସେ ନାଗପୁର ସଚିବାଳୟରେ ନିଯୁକ୍ତ ହୋଇଥିଲେ। ତାଙ୍କର ଉଚ୍ଚ ଶିକ୍ଷା ହାସଲର ଅଭିଳାଶ ଥିବାରୁ ସେ ଚାକିରି ସହିତ ଆଇନ ପଢ଼ା ଜାରି ରଖିଥିଲେ। ୧୯୦୧ରେ ଆଇନ ଡିଗ୍ରୀ ହାସଲ କରି ଚନ୍ଦ୍ରଶେଖର ପଶ୍ଚିମ ଓଡ଼ିଶାର ପ୍ରଥମ ଆଇନଜୀବୀ ହୋଇଥିଲେ। ସେ କାଳରେ ସମ୍ବଲପୁର ଜିଲ୍ଲା ମଧ୍ୟ ପ୍ରଦେଶ ଅଧୀନରେ ଥିଲା। ତେଣୁ ସମ୍ବଲପୁରର ସ୍କୁଲ୍, ଡାକ୍ତରଖାନା, ଥାନା ସମେତ ଅଦାଲତରେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷାର ବ୍ୟବହାର କରାଯାଉଥିଲା। ଚନ୍ଦ୍ରଶେଖର ଏହାକୁ ସହ୍ୟ କରିପାରି ନ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ସମ୍ବଲପୁରରେ ଓକିଲାତି ଆରମ୍ଭ କରି ଭାଷା ଆନ୍ଦୋଳନ ଆରମ୍ଭ କରିଥିଲେ। ଫଳସ୍ବରୂପ ୧୯୦୩ରେ ସମ୍ବଲପୁରରେ ଓଡ଼ିଆ ଭାଷା ପୁଣି ଥରେ ପ୍ରଚଳିତ ହେଲା। ସେ ଉତ୍କଳ ସମ୍ମିଳନୀ ଆୟୋଜନରେ ସାହାଯ୍ୟ କରିବା ଠାରୁ ଆରମ୍ଭ କରି ପୁରୀରେ ଅନୁଷ୍ଠିତ ୧୯୧୯ ସମ୍ମିଳନୀରେ ସଭାପତିତ୍ବ କରିଥିଲେ। ୧୯୨୦ରେ ନାଗପୁର କଂଗ୍ରେସ ଅଧିବେଶନରେ ଚନ୍ଦ୍ରଶେଖର ଯୋଗ ଦେଇଥିଲେ। ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ଏକାଧିକ ଥର କାରାବରଣ। ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଇଂରେଜୀ ଶିକ୍ଷା ବର୍ଜନର ଆହ୍ବାନରେ ଶତାଧିକ ଛାତ୍ର ସମ୍ବଲପୁର ଜିଲ୍ଲା ସ୍କୁଲ୍ ଛାଡ଼ିଦେଇଥିଲେ। ସେମାନଙ୍କ ଶିକ୍ଷା ପାଇଁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରୋତ୍ସାହନରେ ପଣ୍ଡିତ ନୀଳକଣ୍ଠ ଦାସ ଏକ ଜାତୀୟ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ। ଚନ୍ଦ୍ରଶେଖର ଏହି ବିଦ୍ୟାଳୟର ପରିଚାଳନା ଦାୟିତ୍ବ ଗ୍ରହଣ କରିବା ସହିତ ସେଠାରେ ନିଜର ଦୁଇ ପୁଅଙ୍କ ନାମ ଲେଖାଇଥିଲେ। ୧୯୨୮ ମସିହାରେ ଗାନ୍ଧୀଜୀ ପତ୍ନୀ କସ୍ତୁରବା ଓ ପୁଅଙ୍କୁ ନେଇ ପ୍ରଥମ ଥର ସମ୍ବଲପୁର ଆସିଥିଲେ। ଚନ୍ଦ୍ରଶେଖର ସେମାନଙ୍କୁ ନିଜ ଘରେ ଅତିଥି କରି ରଖିଥିଲେ। ଗାନ୍ଧୀଜୀ ୧୯୩୪ରେ ପୁଣି ହରିଜନ ଆନ୍ଦୋଳନ ପାଇଁ ସମ୍ବଲପୁର ଗସ୍ତ ବେଳେ ତାଙ୍କ ଘରେ ରହିଥିଲେ। ଚନ୍ଦ୍ରଶେଖର ଜଣେ ସାହସିକ ସମାଜ ସଂସ୍କାରକ ମଧ୍ୟ ଥିଲେ। ତତ୍କାଳୀନ ସମାଜରେ ବ୍ରାହ୍ମଣମାନେ ହଳ କରିବା ନିଷେଧ ଥିଲା। ସେ ୧୯୨୫ରେ ଏହି ପ୍ରଥା ଅମାନ୍ୟ କରି ହଳ କରିଥିଲେ। ଉତ୍କ୍ଷିପ୍ତ ବ୍ରାହ୍ମଣ ସମାଜ ତାଙ୍କ ଉପରେ ଆର୍ଥିକ ଦଣ୍ଡ ଲାଗୁ କରିଥିଲେ। କିନ୍ତୁ ସେ କୌଣସି କାମ ଛୋଟ ନୁହେଁ ବୋଲି ଯୁକ୍ତି କରି ଲୋକଙ୍କ ମନ ପରିବର୍ତ୍ତନ କରିପାରିଥିଲେ। ୧୯୩୨ରେ ତାଙ୍କ ଉଦ୍ୟମରେ ‘ଅସ୍ପୃଶ୍ୟତା ନିବାରଣ ସମିତି’ ଗଠିତ ହୋଇଥିଲା। ଅସ୍ପୃଶ୍ୟତା ବିରୋଧରେ ଗଣଆନ୍ଦୋଳନ ପାଇଁ ସେ ଡାକରା ଦେଇଥିଲେ। ସେ ଥିଲେ ନିର୍ଭୀକ, ସ୍ପଷ୍ଟବାଦୀ ତଥା ସଚ୍ଚୋଟ ଜନନେତା। ସେ ଜାତୀୟତା ଭାବନାରେ ଉଦ୍ବୁଦ୍ଧ ହୋଇ ଆଞ୍ଚଳିକ ମନୋଭାବ ତ୍ୟାଗ କରି ଉତ୍କଳ ସମ୍ମିଳନୀକୁ ଜାତୀୟ କଂଗ୍ରେସରେ ମିଶ୍ରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ସେ ଦିଗରେ ଉଦ୍ୟମ ଜାରି ରଖିଥିଲେ। ଏହି କ୍ରମରେ ସେ ସମ୍ବଲପୁରର ଆଞ୍ଚଳିକ ସ୍ବାଧୀନତା ସଂଗ୍ରାମକୁ ଜାତୀୟ କଂଗ୍ରେସ ସହିତ ମିଶ୍ରଣ କରିଥିଲେ। ୧୯୩୫ରେ ଇଂରେଜ ସରକାର ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ କରିବା ନେଇ ଘୋଷଣା କରିଥିଲେ। କିନ୍ତୁ ସମ୍ବଲପୁର ଜିଲ୍ଲାକୁ ଆଂଶିକ ବିଚ୍ଛିନ୍ନ ଇଲାକା ରୂପେ ରଖାଯାଇଥିଲା। ଏହାର ପ୍ରତିବାଦରେ ସେ ଦିନର ଗୋଟିଏ ଓଳି ଖାଇବା ଛାଡ଼ିବାର ଶପଥ ନେଇଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବା ସତ୍ତ୍ବେ ସେ ନିଜ ସଂକଳ୍ପରେ ଅଟଳ ରହି ୧୯୩୬ ଜାନୁଆରି ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଜାତୀୟତା ଓ ତ୍ୟାଗ ଯୋଗୁଁ ସମ୍ବଲପୁର ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ସହିତ ମିଶିପାରିଥିଲା। ସମ୍ବଲପୁର ଜିଲ୍ଲା ସ୍କୁଲ୍କୁ ଏହି ଓଡ଼ିଆ ବରପୁତ୍ରଙ୍କ ନାମାନୁଯାୟୀ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍ ଭାବରେ ନାମିତ କରାଯାଇଛି।