ସ୍ବାଧୀନତାର ମହାନାୟକ: ମାଧୋ ସିଂହ

ବୀର ସୁରେନ୍ଦ୍ର ସାଏଙ୍କ ପଦାଙ୍କ ଅନୁସରଣ କରି ମାତୃଭୂମିର ମୁକ୍ତି ପାଇଁ ଜୀବନର ଶେଷ କ୍ଷଣ ଯାଏ ଲଢ଼ିଥିବା ମହାନ ଦେଶପ୍ରେମୀ ଥିଲେ ମାଧୋ ସିଂହ। ତାଙ୍କର ଓ ତାଙ୍କ ପରିବାରର ସାହସିକ ବଳିଦାନର କାହାଣୀ ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଅବିସ୍ମରଣୀୟ ଅଧ୍ୟାୟ। ଉତ୍କଳକେଶରୀ ହରେକୃଷ୍ଣ ମହତାବଙ୍କ ମତରେ ମାଧୋ ସିଂହଙ୍କ ନେତୃତ୍ବରେ ସଂଗଠିତ ବିଦ୍ରୋହ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ଥିଲା। ୧୭୮୬ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ପିତା ଅର୍ଜୁନ ସିଂହ ତାଙ୍କୁ ବାଲ୍ୟକାଳରୁ ସମରକଳାରେ ସିଦ୍ଧହସ୍ତ କରାଇଥିଲେ। ମାଧୋଙ୍କ ସାହସ ଓ ସାମର୍ଥ୍ୟ ଦେଖି ପିତା ତାଙ୍କୁ ଆଜିର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଘେଁସ୍‌ ଅଞ୍ଚଳର ଜମିଦାରୀ ହସ୍ତାନ୍ତର କରିଥିଲେ। ସେ ଅତ୍ୟନ୍ତ ସ୍ବାଧୀନଚେତା ଥିଲେ। ତେଣୁ ମରାଠା ବା ବ୍ରିଟିସ୍‌ଙ୍କ ନିୟନ୍ତ୍ରଣ ଅଧୀନରେ ରହିବାକୁ ସେ ଚାହୁ ନ ଥିଲେ। ସେମାନେ ଭାରତୀୟମାନଙ୍କ ଶୋଷଣ କରୁଥିବାରୁ ମାଧୋ ସିଂହ ସେମାନଙ୍କୁ ଘୃଣା କରୁଥିଲେ। ବୀର ସୁରେନ୍ଦ୍ର ସାଏଙ୍କୁ ସମ୍ବଲପୁରର ରାଜସିଂହାସନରୁ ବଞ୍ଚିତ କରି ପରବର୍ତ୍ତୀ ସମୟରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ମାଧୋ ସିଂହଙ୍କୁ ଉତ୍‌କ୍ଷିପ୍ତ କରିଥିଲା। ତାଙ୍କ ଜ୍ବାଇଁ ନାରାୟଣ ସିଂହଙ୍କୁ ମଧ୍ୟ ବ୍ରିଟିସ୍‌ମାନେ ହତ୍ୟା କରିଥିଲେ। ତେଣୁ ସେ ନିଜ ମାତୃଭୁମିର ସ୍ବତନ୍ତ୍ରତା ରକ୍ଷା କରିବା ପାଇଁ ବିଦ୍ରୋହୀ ପାଲଟିଥିଲେ। ସେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ସେ ଆଦିବାସୀ ସଂପ୍ରଦାୟର ମୁଖିଆ ହୋଇଥିବାରୁ ଘେଁସ ଅଞ୍ଚଳର ଅସଂଖ୍ୟ ଗଣ୍ଡ ଓ ବିଂଝାଲ ଯୁବକ ତାଙ୍କର ଅନୁଗାମୀ ପାଲଟିଥିଲେ। ସେ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ଯୁଦ୍ଧ ପାଇଁ ପ୍ରସ୍ତୁତ କରିଥିଲେ। ତାଙ୍କ ସ୍ବର୍ଗତ ଜ୍ୱାଇଁଙ୍କ ପୁତ୍ର ଗୋବିନ୍ଦ ସିଂହ ମଧ୍ୟ ପିତୃ ହତ୍ୟାର ପ୍ରତିଶୋଧ ନେବା ପାଇଁ ତାଙ୍କୁ ସମର୍ଥନ ଦେଇଥିଲେ। ମାଧୋ ସିଂହଙ୍କର ପୁତ୍ରମାନେ ମଧ୍ୟ ବ୍ରିଟିସ୍‌ଙ୍କୁ ତଡ଼ିବା ପାଇଁ ବଦ୍ଧପରିକର ହୋଇଥିଲେ। ଏମାନଙ୍କ ମିଳିତ ସହଯୋଗରେ ମାଧୋ ସିଂହ ଘେଁସ୍‌ ଅଞ୍ଚଳକୁ ଜାତୀୟତାବାଦର କେନ୍ଦ୍ରସ୍ଥଳୀ ପରିଣତି କରିଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ବିପଦସଂକୁଳ ପାହାଡ଼ ମଧ୍ୟରେ ସଂଗୋଡ଼ା ନାମରେ ଏକ ଘାଟି ରହିଥିଲା।

ଏହି ଘାଟି ଦେଇ ଯାଇଥିବା ରାସ୍ତା ଥିଲା ସମ୍ବଲପୁର ଏବଂ ନାଗପୁର ଓ ରାୟପୁର ମଧ୍ୟରେ ମୁଖ୍ୟ ଯୋଗାଯୋଗ ସ୍ଥାପନକାରୀ। ଏକଥା ମାଧୋ ସିଂହଙ୍କୁ ଜଣାଥିଲା। ତେଣୁ ସେ ନିଜ ସୈନ୍ୟବାହିନୀ ସହ ଏହି ଘାଟିକୁ ଜଗି ରହିଥିଲେ। ଏହି ଘାଟିକୁ ବିଦ୍ରୋହୀଙ୍କ କବଳରୁ ମୁକ୍ତ କରିବା ପାଇଁ ଇଂରେଜ ପ୍ରଶାସନ ଉଦ୍ୟମ କରିଥିଲେ। ୧୮୫୭ ଡିସେମ୍ବରରେ ନାଗପୁରରୁ କ୍ୟାପଟେନ୍ ବ୍ରିଜ୍ ଓ ରାୟପୁରରୁ କ୍ୟାପଟେନ୍ ସେକ୍‌ସପିୟର ଅଶ୍ବାରୋହୀ ସୈନ୍ୟ ଧରି ସଂଗୋଡ଼ା ଘାଟି ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ପରେ ପରେ ସମ୍ବଲପୁରରୁ କ୍ୟାପ୍‌ଟେନ୍ ଉଡ୍‌ବ୍ରିଜ୍‌ ମଧ୍ୟ ଆସି ବ୍ରିଟିସ୍‌ ବାହିନୀକୁ ସୁଦୃଢ଼ କରିଥିଲେ। ଫଳରେ ଇଂରେଜ ବାହିନୀ ଏବଂ ବିଦ୍ରୋହୀ ବାହିନୀ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା। ବିଦ୍ରୋହୀମାନେ କ୍ୟାପଟେନ ଉଡବ୍ରିଜ୍‌ଙ୍କ ମୁଣ୍ଡ କାଟି ଗଛରେ ଝୁଲାଇ ଦେଇଥିଲେ। ତେଣୁ ବ୍ରିଟିସ୍ ସରକାର ମେଜର୍ ଫଷ୍ଟରଙ୍କୁ ବିଦ୍ରୋହ ଦମନର ଦାୟିତ୍ବ ଦେଇଥିଲେ। କ୍ୟାପଟେନ ଉଡ୍‌ବ୍ରିଜ୍‌ଙ୍କ ହତ୍ୟାରେ ପ୍ରତିଶୋଧ ପରାୟଣ ହୋଇ ଇଂରେଜ ବାହିନୀ ସମ୍ବଲପୁରରେ ଆତଙ୍କ ଖେଳାଇ ଦେଇଥିଲେ। ୧୮୫୮ ମସିହା ଶେଷ ଭାଗରେ ବ୍ରିଟିସ୍ ସୈନ୍ୟମାନେ ଘେଁସ ଆକ୍ରମଣ କରି ମାଧୋ ସିଂହଙ୍କୁ ଗିରଫ କରିଥିଲେ। ଉଡ୍‌ବ୍ରିଜ୍‌ଙ୍କ ହତ୍ୟା ଅପରାଧରେ ୧୮୫୮ ଡିସେମ୍ବର ୩୧ ତାରିଖରେ ସମ୍ବଲପୁର ଜେଲ ଛକରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଓଡ଼ିଶାର ଏହି ବୀରପୁତ୍ରଙ୍କୁ ସେତେବେଳେ ୭୨ ବର୍ଷ ବୟସ ହୋଇଥିଲା।

ସମ୍ବନ୍ଧିତ ଖବର