ସ୍ବାଧୀନତାର ମହାନାୟକ: ନୃସିଂହ ଗୁରୁ

ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ପଶ୍ଚିମ ଓଡ଼ିଶାର ମହାନାୟକଙ୍କ ମଧ୍ୟରେ ନୃସିଂହ ଗୁରୁ ଅଗ୍ରଗଣ୍ୟ। ଛାତ୍ର ଜୀବନରୁ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ୧୯୨୧ରୁ ଭାରତ ସ୍ବାଧୀନତା ଲାଭ କରିବା ପର୍ଯ୍ୟନ୍ତ ସ୍ବାଧୀନତା ଆନ୍ଦୋଳନ ସହିତ ସଂପୃକ୍ତ ରହିଥିଲେ। ନୃସିଂହ ଗୁରୁ ୧୯୦୨ ମାର୍ଚ୍ଚ ୨୪ରେ ସମ୍ବଲପୁର ଅନ୍ତର୍ଗତ ଗୁରୁପାଲୀ ଗ୍ରାମରେ ଜନ୍ମ ହୋଇଥିଲେ। ନୃସିଂହ ସମ୍ବଲପୁର ଜିଲ୍ଲା ସ୍କୁଲ୍‌ରେ ପଢୁଥିବା ସମୟରେ ୧୯୨୧ରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା। ନୃସିଂହ ଓ ସହଯୋଗୀ ଛାତ୍ରମାନେ ବୁଢ଼ାରାଜା ପାହାଡ଼ ତଳେ ଏକ ସଭାର ଆୟୋଜନ କରିଥିଲେ। ଏହି ସଭାରେ ନିଷ୍ପତ୍ତି ନିଆଗଲା ଯେ ସେମାନେ ଆଉ ଗୋଲାମୀ ପାଠ ପଢ଼ିବେ ନାହିଁ। ପ୍ରାୟ ୪୦ ଜଣ ଛାତ୍ର ସମ୍ବଲପୁର ଜିଲ୍ଲା ସ୍କୁଲ୍ ଛାଡ଼ିଥିଲେ ଏବଂ ସହରରେ ବୁଲି ବୁଲି ଅସହଯୋଗର ବାର୍ତ୍ତା ପ୍ରଚାର କଲେ।

ଏହା ପରେ ଚନ୍ଦ୍ରଶେଖର ବେହେରାଙ୍କ ଦ୍ବାରା ପ୍ରତିଷ୍ଠିତ ଜାତୀୟ ବିଦ୍ୟାଳୟରେ ସେମାନେ ଭର୍ତ୍ତି ହୋଇଥିଲେ। ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ସେହି ସ୍କୁଲ୍‌ର ପ୍ରଧାନ ଶିକ୍ଷକ। ଏଠାରେ ସେମାନଙ୍କୁ ସ୍ବଦେଶ ପ୍ରୀତି ଓ ଆତ୍ମନିର୍ଭରଶୀଳତା ଆଦି ଶିକ୍ଷା ଦିଆଯାଉଥିଲା। ତତ୍‌ସହିତ ପୁରପଲ୍ଲୀରେ ସ୍ବାଧୀନତା ଆନ୍ଦୋଳନ ନେଇ ଜନଜାଗରଣ ସୃଷ୍ଟି ପାଇଁ ମଧ୍ୟ ତାଲିମ ଦିଆଯାଉଥିଲା। ଝାରସୁଗୁଡ଼ା ଓ ଲଇକେରା ଅଞ୍ଚଳରେ ଆନ୍ଦୋଳନର ପ୍ରଚାର-ପ୍ରସାର ପାଇଁ ନୃସିଂହଙ୍କୁ ଦାୟିତ୍ବ ମିଳିଥିଲା। ତାଙ୍କ ଉଦ୍ୟମରେ ସେଠାକାର ଲୋକମାନେ କପା ଚାଷ କରି ଅରଟରେ ସୂତା କାଟିଲେ ଏବଂ ସେହି ସୂତାରେ ଲୁଗା ବୁଣି ପିନ୍ଧିଲେ। ସେ ନିଶା ନିବାରଣ କାର୍ଯ୍ୟକ୍ରମରେ ମଧ୍ୟ ମନୋନିବେଶ କରିଥିଲେ। ଫଳସ୍ବରୂପ ମଦ ବିକ୍ରି ହ୍ରାସ ପାଇ ନିଶା ନିବାରଣରେ ସମ୍ବଲପୁର ସମଗ୍ର ଭାରତରେ ଅଗ୍ରଣୀ ହୋଇଥିଲା। ଏଥିପାଇଁ ସେ ଜବାହରଲାଲ ନେହେରୁଙ୍କ ଠାରୁ ଏକ ପ୍ରଶଂସା ପତ୍ର ପାଇଥିଲେ। ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଥିଲା। ସେ ଚନ୍ଦ୍ରଶେଖର ବେହେରାଙ୍କ ସଭାପତିତ୍ବରେ ଗଠିତ ‘ହରିଜନ ସେବକ ସଂଘ’ର ସମ୍ପାଦକ ଥିଲେ ଏବଂ ଏକ ହରିଜନ ଛାତ୍ରାବାସର ପରିଚାଳନା ଦାୟିତ୍ବ ତୁଲାଉଥିଲେ। ୧୯୨୮ ମସିହାରେ ମହାତ୍ମା ଗାନ୍ଧୀ ସମ୍ବଲପୁର ଗସ୍ତରେ ଆସିଥିଲେ।

ନୃସିଂହ ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିବା ପରେ ସରଳ ଜୀବନଯାପନ ଆପଣାଇଥିଲେ। ଆଣ୍ଠୁ ଦିଶୁଥିବା ଲୁଗା ଓ ଖଣ୍ଡେ ଗାମୁଛା ଛଡ଼ା କୌଣସି ବସ୍ତ୍ର ପିନ୍ଧୁ ନ ଥିଲେ। ଗାନ୍ଧୀଙ୍କ ପନ୍ଥାରେ ସେ ସ୍ବଦେଶୀ ପ୍ରସାର, ବିଦେଶୀ ସାମଗ୍ରୀ ବର୍ଜନ, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ହରିଜନ କଲ୍ୟାଣ, ସୂତା କଟା ଓ ଖଦି ପ୍ରଚାର ଭଳି କାର୍ଯ୍ୟରେ ସକ୍ରିୟ ଥିଲେ। ଏହିସବୁ ଜରିଆରେ ସେ ସାଧାରଣ ଲୋକଙ୍କ ଭିତରେ ଜାତୀୟ ଚେତନା ଓ ସ୍ବଦେଶ ପ୍ରେମ ଜାଗ୍ରତ କରୁଥିଲେ। ଏଥିପାଇଁ ସେ ଲୋକମୁଖରେ ‘ପଶ୍ଚିମ ଓଡ଼ିଶାର ଗାନ୍ଧୀ’ ଭାବେ ପ୍ରସିଦ୍ଧ ହୋଇଥିଲେ। ସେ ଆଇନ ଅମାନ୍ୟ ଆନ୍ଦୋଳନରେ ଭାଗ ନେଇ ୬ ମାସ ଜେଲ ଓ ୫୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ଜରିମାନା ଦେବାକୁ ମନା କରିବାରୁ ତାଙ୍କୁ ଆଉ ୨ ମାସ ଜେଲରେ ରହିବାକୁ ପଡ଼ିଥିଲା। ୧୯୪୨ରେ ଭାରତଛାଡ଼ ଆନ୍ଦୋଳନ ଘୋଷଣା ପରେ ପ୍ରମୁଖ ଜାତୀୟ ନେତାମାନଙ୍କୁ ଗିରଫ କରାଯାଇଥିଲା। ଏହି ଖବର ସମ୍ବଲପୁରରେ ପହଞ୍ଚିବା ମାତ୍ରେ ନୃସିଂହ ଆନ୍ଦୋଳନ ସଂଗଠିତ କଲେ।

ଆନ୍ଦୋଳନ ଦମନ କରିବା ପାଇଁ ବ୍ରିଟିସ୍ ପୁଲିସ ନୃସିଂହ ଗୁରୁଙ୍କୁ ଗିରଫ କଲା। ୧୯୪୪ରେ ଯାଇ ସେ ଜେଲରୁ ମୁକ୍ତ ହେଲେ। ସେ ‘ସ୍ବରାଜ’, ‘ୟଙ୍ଗ ଇଣ୍ଡିଆ’, ‘ବସୁମତୀ’, ‘ସର୍ଚ୍ଚ ଲାଇଟ୍’, ‘ଅମୃତବଜାର ପତ୍ରିକା’ ଆଦି ପଢ଼ି ସାମ୍ବାଦିକତା ପ୍ରତି ଆକୃଷ୍ଟ ହୋଇଥିଲେ। ଉତ୍କଳମଣି ଗୋପବନ୍ଧୁ ତାଙ୍କୁ ଦୈନିକ ସମାଜର ସାମ୍ବାଦିକ ରୂପେ ନିଯୁକ୍ତ କରିଥିଲେ। ସ୍ବାଧୀନତା ଲାଭ ପରେ ସେ ସାମ୍ବାଦିକ ଭାବେ ସଂଗ୍ରାମ ଚଳାଇ ରଖିଥିଲେ। ଦୀର୍ଘ ୫୧ ବର୍ଷକାଳ ସାମ୍ବାଦିକତା ମଧ୍ୟରେ ସେ ସତ୍ୟ ଓ ନିର୍ଭୀକ ସମ୍ବାଦ ପରିବେଷଣରୁ କେବେହେଲେ ବିଚ୍ୟୁତ ହୋଇ ନ ଥିଲେ। ୧୯୮୪ ଜାନୁଆରି ୨ରେ ଏହି ନିରଳସ, ସ୍ବଦେଶପ୍ରେମୀ, ତ୍ୟାଗୀ, ଜନସେବୀ ଓ ଉଚ୍ଚମନା ଗାନ୍ଧୀବାଦୀଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର