ସ୍ବାଧୀନତାର ମହାନାୟକ: ପାର୍ବତୀ ଗିରି

ପାର୍ବତୀ ଗିରି ଥିଲେ ଏପରି ଜଣେ ସ୍ବାଧୀନତା ସଂଗ୍ରାମୀ ଯିଏ ବ୍ରିଟିସ୍‌ଙ୍କ ସହିତ ଲଢ଼ିବା ପାଇଁ ମାତ୍ର ୧୧ ବର୍ଷରେ ସ୍କୁଲ୍ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ। ଓଡ଼ିଶାର ପୁରପଲ୍ଲୀରେ ସ୍ବାଧୀନତା ଆନ୍ଦୋଳନର ପ୍ରଚାରରୁ ଆରମ୍ଭ କରି ସ୍ବାଧୀନୋତ୍ତର କାଳରେ ଅହିଂସା, ଆତ୍ମନିର୍ଭରଶୀଳତା ନୀତିକୁ ପାଥେୟ କରି ସମାଜସେବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଏଥିପାଇଁ ସେ ‘ପଶ୍ଚିମ ଓଡ଼ିଶାର ମଦର ଟେରେସା’ ନାମରେ ପ୍ରସିଦ୍ଧ ହୋଇଥିଲେ। ବରଗଡ଼ ଜିଲ୍ଲାର ସମଲେଇପଦର ଗ୍ରାମରେ ୧୯ ଜାନୁଆରି ୧୯୨୬ରେ ତାଙ୍କର ଜନ୍ମ। ସେ ସ୍ବାଧୀନତା ସଂଗ୍ରାମ ସହିତ ଜଡ଼ିତ ଅନେକ ବୈଠକ, ଆଲୋଚନା ଓ ତର୍କବିତର୍କ ଦେଖି ବଡ଼ ହୋଇଥିଲେ। ତେଣୁ ଖୁବ୍ ଅଳ୍ପ ବୟସରୁ ତାଙ୍କ ମନରେ ଦେଶସେବା ପାଇଁ ପ୍ରବଳ ଉତ୍ସାହର ଉନ୍ମେଷ ଘଟିଥିଲା। ସ୍ବାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ସେ ତୃତୀୟ ଶ୍ରେଣୀରୁ ସ୍କୁଲ୍‌ ଛାଡ଼ିଥିଲେ। ୧୯୩୪ ମସିହାରେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀ ପ୍ରମୁଖ ତାଙ୍କ ଗ୍ରାମରେ ଆୟୋଜିତ ଏକ ସଭାକୁ ଆସିଥିଲେ। ସେବାକାର୍ଯ୍ୟ କରିବାକୁ ପାର୍ବତୀଙ୍କ ଉତ୍ସାହ ଦେଖି ମାଳତୀଦେବୀ ତାଙ୍କୁ ରମାଦେବୀଙ୍କ ବରୀ ଆଶ୍ରମକୁ ଯିବାକୁ କହିଥିଲେ। ପିତାମାତାଙ୍କ ବାରଣ ସତ୍ତ୍ବେ ସେ ୧୨ ବର୍ଷ ବୟସରେ ବରୀ ଆଶ୍ରମକୁ ଚାଲିଯାଇଥିଲେ।

ସେତେବେଳେ ବରୀ ଆଶ୍ରମ ଥିଲା ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟର ମୁଖ୍ୟ କେନ୍ଦ୍ର। ସେଠାରେ ପାର୍ବତୀ ପାରମ୍ପରିକ ହସ୍ତଶିଳ୍ପ ଓ ଗାନ୍ଧୀ ନୀତି ପରି ଅନେକ ମୂଲ୍ୟବାନ ଶିକ୍ଷା ହାସଲ କରିଥିଲେ। ଏହା ପରେ ଓଡ଼ିଶାର ଗାଁ ଗାଁ ବୁଲି ସୂତା କଟା ଓ ଖଦି ବୁଣା ପ୍ରଶିକ୍ଷଣ ଦେବା ସହିତ ବିଭିନ୍ନ ସ୍ଥାନରେ ସଭା ଆୟୋଜନ କରି ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ସ୍ବାଧୀନତା ଆନ୍ଦୋଳନର ବାର୍ତ୍ତା ପ୍ରଚାର କଲେ। ୧୯୪୦ ମସିହାରେ ସ୍ବାଧୀନତା ପାଇଁ ସତ୍ୟାଗ୍ରହ ଆରମ୍ଭ ହୋଇଯିବାରୁ ଆଶ୍ରମର କର୍ମୀମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ପାର୍ବତୀ ମଧ୍ୟ ବରଗଡ଼ ଫେରି ଆସିଥିଲେ। ୧୯୪୨ ମସିହାରେ ଗାନ୍ଧୀଜୀଙ୍କ କର ବା ମର ଡାକରାରେ ପାର୍ବତୀ ଝାସ ଦେଇଥିଲେ। ପାର୍ବତୀଙ୍କୁ ୧୮ ବର୍ଷ ହୋଇନଥିବାରୁ ପୁଲିସ ତାଙ୍କୁ ଗିରଫ କରିପାରୁ ନ ଥିଲା। ଏକଦା ସେ ତାଙ୍କ ବାନରସେନା ଦଳକୁ ଧରି ବରଗଡ଼ର କଚେରିରେ ପଶି ଓକିଲମାନଙ୍କୁ ଏବଂ ତତ୍କାଳୀନ ଏସ୍‌ଡିଓ ବି. ମୁଖାର୍ଜୀଙ୍କୁ ଇସ୍ତଫା ଦେବାକୁ ଆହ୍ବାନ କରିଥିଲେ। ସେ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇ ଏକ ମଦଭାଟି ମଧ୍ୟ ଭାଙ୍ଗି ଦେଇଥିଲେ। ପାର୍ବତୀ ଧର୍ମଶାଳାରେ ରହୁଥିବା ବେଳେ ହାଟ ବଜାରରେ ବୁଲି ବୁଲି ଭାରତଛାଡ଼ ଆନ୍ଦୋଳନର ପ୍ରସ୍ତାବର ନକଲ ବାଣ୍ଟୁଥିଲେ। ସେହି କାରଣରୁ ତାଙ୍କୁ ଗିରଫ କରାଯାଇ ଦୁଇ ବର୍ଷ ପାଇଁ ସମ୍ବଲପୁର ଜେଲରେ ବନ୍ଦୀ ରଖାଯାଇଥିଲା। ୧୯୪୪ ମସିହାରେ ଜେଲରୁ ମୁକ୍ତ ହେବାପରେ ସେ ନିର୍ଭୀକ ଭାବେ ପୂର୍ବବତ୍‌ ଗାଁ ଗହଳରେ ସାଂଗଠନିକ କାର୍ଯ୍ୟ ଚଳାଇଥିଲେ। ୧୯୪୫ରେ ସେ ଗାନ୍ଧୀଙ୍କ ୱାର୍ଦ୍ଧା ଆଶ୍ରମକୁ ଯାଇଥିଲେ।

ଭାରତ ସ୍ବାଧୀନ ହେବା ଦିନ ସେ ୱାର୍ଦ୍ଧା ଆଶ୍ରମରେ ସ୍ବାଧୀନତା ଦିବସ ପାଳନ କରିଥିଲେ। ଏହା ପରେ ସେ ଓଡ଼ିଶା ଫେରି ସମାଜସେବାରେ ସଂପୂର୍ଣ୍ଣ ଧ୍ୟାନ ଦେଇଥିଲେ। ବିଧବା ଓ ଅନାଥ ଶିଶୁଙ୍କ ଲାଗି ‘କସ୍ତୁରବା ଗାନ୍ଧୀ ମାତୃନିକେତନ’ ନାମରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ। ନିରାଶ୍ରୟ ଶିଶୁଙ୍କ ପାଇଁ ‘ଡକ୍ଟର ସାନ୍ତ୍ରା ବାଳନିକେତନ’ ନାମରେ ଆଉ ଏକ ବାଳାଶ୍ରମ ଖୋଲିଥିଲେ। ଦେଶର ସ୍ବାଧୀନତା ଆନ୍ଦୋଳନ ତଥା ସମାଜସେବାରେ ନିଜକୁ ଉତ୍ସର୍ଗ କରି ପାର୍ବତୀ ଚିରକୁମାରୀ ରହିଯାଇଥିଲେ ସତ କିନ୍ତୁ ସେ ଶହ ଶହ ଅନାଥଙ୍କର ମା’ ହୋଇପାରିଥିଲେ। ୧୯୬୧ ମସିହାରେ ବିନୋବା ଭାବେଙ୍କ ଆହ୍ବାନକ୍ରମେ ଭୂଦାନ ଆନ୍ଦୋଳନରେ ସାମିଲ ହୋଇ ଦୀର୍ଘ ୧୨ ବର୍ଷ ମଧ୍ୟପ୍ରଦେଶ, ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, କେରଳ, ଆସାମ ଆଦି ରାଜ୍ୟମାନଙ୍କରେ ପଦଯାତ୍ରା କରିଥିଲେ। ଓଡ଼ିଶାର ଗ୍ରାମାଞ୍ଚଳର ଜେଲ୍‌ମାନଙ୍କର ଅବସ୍ଥାରେ ଉନ୍ନତି ଓ କୁଷ୍ଠ ଦୂରୀକରଣ ଦିଗରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ଥିଲା। ୧୯୯୫ ଅଗଷ୍ଟ ୧୭ ତାରିଖରେ ମୃତ୍ୟୁ ହେବା ପର୍ଯ୍ୟନ୍ତ ପାର୍ବତୀ ଗିରି ଦରିଦ୍ର ଓ ଅସହାୟମାନଙ୍କ ସେବା କାର୍ଯ୍ୟରେ ସକ୍ରିୟ ରହିଥିଲେ।

ସମ୍ବନ୍ଧିତ ଖବର