ସ୍ବାଧୀନତାର ମହାନାୟକ: ପ୍ରାଣନାଥ ପଟ୍ଟନାୟକ

ସ୍ବାଧୀତନା ସଂଗ୍ରାମରେ ଯୋଗ ଦେଇ ଦଶ ଥର କାରାବରଣ କରିବା ବ୍ୟତୀତ ଶିକ୍ଷା ଭିତ୍ତିଭୂମିର ପୃଷ୍ଠପୋଷକତା, କୃଷକ ଆନ୍ଦୋଳନର ନେତୃତ୍ବ, ଜନକଲ୍ୟାଣକାରୀ ରାଜନୀତି ମାଧ୍ୟମରେ ଦେଶହିତକର କାର୍ଯ୍ୟ କରିଥିବା ସଂଗ୍ରାମୀ ବିପ୍ଳବୀ ଥିଲେ ପ୍ରାଣନାଥ ପଟ୍ଟନାୟକ। ୧୯୦୫ ମସିହା ନଭେମ୍ବର ୧୬ରେ ଅବିଭକ୍ତ ପୁରୀ ଜିଲ୍ଲାର ଡିମିରି ଗ୍ରାମରେ ସେ ଜନ୍ମ ହୋଇଥିଲେ। ରେଭେନ୍‍ସା କଲେଜରେ ପଢୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ପ୍ରଥମେ କାରାବରଣ କରିଥିଲେ। ସେ ବାରଣାସୀର କାଶୀ ବିଦ୍ୟାପୀଠରେ ଅଧ୍ୟୟନ କରୁଥିବା ବେଳେ ସମାଜବାଦୀ ଚିନ୍ତାନାୟକ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ସଂସ୍ପର୍ଶରେ ଆସି ସମାଜବାଦ ପ୍ରତି ଆକୃଷ୍ଟ ହୋଇଥିଲେ। କାଶୀ ବିଦ୍ୟାପୀଠରୁ ଶାସ୍ତ୍ରୀ ଉପାଧି ପାଇ ଫେରିବା ପରେ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ ଓ ଜନସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ ସଂସ୍ପର୍ଶରେ ଆସି ଜନସେବା ପାଇଁ ସେ ନିଜର ସୁଖ-ସ୍ବାଚ୍ଛନ୍ଦ୍ୟ ତ୍ୟାଗ କରିଦେଇଥିଲେ। ‘ନର ସେବା ହିଁ ଭଗବତ୍‌ ସେବା’- ଗୋପବନ୍ଧୁଙ୍କ ଏହି ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ପ୍ରାଣନାଥ ଦେଶ ଓ ଜାତିର ସେବା କରୁଥିଲେ। ୧୯୩୦ରେ ସ୍ବାଧୀନତା ସଂଗ୍ରାମରେ ତାଙ୍କର ସକ୍ରିୟତାର ପର୍ବ ଆରମ୍ଭ ହୋଇଯାଇଥିଲା। ନବକୃଷ୍ଣ ଚୌଧୁରୀ, ଭଗବତୀଚରଣ ପାଣିଗ୍ରାହୀ, ହରମୋହନ ପଟ୍ଟନାୟକ ପ୍ରମୁଖଙ୍କ ସହ ସେ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେଇଥିଲେ। ବ୍ରିଟିସ୍‌ ଶାସନ ବିରୋଧରେ ଆନ୍ଦୋଳନ କରି ସେ ସମୁଦାୟ ବାର ବର୍ଷ ଜେଲ୍‌ରେ କାଟିଥିଲେ। ତେଣୁ ତାଙ୍କୁ ଅଧିକାଂଶ ସମୟ ନିଜର ପରିବାରକୁ ଛାଡ଼ି ଅନ୍ଧାର କାରାଗାରରେ ଜୀବନ କାଟିବାକୁ ପଡ଼ିଥିଲା।

ନାନା ଅତ୍ୟାଚାର ସତ୍ତ୍ବେ ସେ ଭାଙ୍ଗିପଡ଼ି ନ ଥିଲେ। ଜେଲ୍‌ରେ ଥାଇ ସ୍ବାଧୀନତା ସଂଗ୍ରାମ ଅବ୍ୟାହତ ରଖିଥିଲେ ଓ ଶୋଷଣମୁକ୍ତ ସମାଜ ଗଠନର ସ୍ବପ୍ନ ଦେଖୁଥିଲେ। ସେ ଜେଲ୍‌ରେ ଅନ୍ୟମାନଙ୍କୁ ସମାଜବାଦୀ ଚେତନାରେ ଉଦ୍‌ବୁଦ୍ଧ କରୁଥିଲେ। ୧୯୩୩ ମସିହାରେ ଜେଲ୍‌ରେ ଥିବା ବେଳେ ୪୩ ଦିନ ଧରି ଅନଶନ କରି ରକ୍ତ ବାନ୍ତି କରିଥିଲେ, କିନ୍ତୁ ନିଜ ନୀତିରୁ ସେ ବିଚ୍ୟୁତ ହୋଇ ନ ଥିଲେ। ୧୯୪୨ ଅଗଷ୍ଟ ବିପ୍ଳବରେ ଯୋଗଦାନ ପାଇଁ ତାଙ୍କୁ ଅଢ଼େଇ ବର୍ଷ ବନ୍ଦୀ ରଖାଯାଇଥିଲା। ଦେଶ ପ୍ରତି ତାଙ୍କର ଅବଦାନ କେବଳ ସ୍ବାଧୀନତା ସଂଗ୍ରାମରେ ସୀମିତ ନ ଥିଲା। ସ୍ବାଧୀନତା ପ୍ରାପ୍ତି ପରେ ମଧ୍ୟ ସେ ବହୁ ଆନ୍ଦୋଳନର ନେତୃତ୍ବ ନେଇଥିଲେ। କୃଷକ ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନ, ସାମ୍ୟବାଦ ଆନ୍ଦୋଳନ ଆଦିର ନେତୃତ୍ବ ନେଇ ସେ ଅନ୍ୟାୟ ବିରୋଧରେ ଆଜୀବନ ସ୍ବର ଉତ୍ତୋଳନ କରୁଥିଲେ। ଓଡ଼ିଶାରେ ବିଧିବଦ୍ଧ କମ୍ୟୁନିଷ୍ଟ ଦଳର ଗଠନ ପୂର୍ବରୁ ଭଗବତୀ ପାଣିଗ୍ରାହୀ, ଗୁରୁଚରଣ ପଟ୍ଟନାୟକ ଓ ପ୍ରାଣନାଥ ମିଳିତ ଭାବେ ଗୋପନରେ କମ୍ୟୁନିଷ୍ଟ ଦଳ ଗଠନ କରିଥିଲେ। ୧୯୩୪ରେ ସେ ଓଡ଼ିଶାର ପ୍ରଥମ କଂଗ୍ରେସ ସାମ୍ୟବାଦୀ ସମ୍ମିଳନୀର ସଭାପତି ହୋଇଥିଲେ। ୧୯୩୭ରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ ଲଢ଼ି ବିଧାୟକ ହୋଇଥିଲେ। ସମାଜର ନିମ୍ନ ଶ୍ରେଣୀରେ ଥିବା ଲୋକଙ୍କ ବିକାଶ ପାଇଁ ସେ ସବୁ ସମୟରେ ଚିନ୍ତାଶୀଳ ଥିଲେ। ‘ଲଙ୍ଗଳ ଯା’ର ଜମି ତା’ର’ ନୀତିରେ ଶ୍ରମିକ-କୃଷକମାନଙ୍କୁ ସଂଗଠିତ କରୁଥିଲେ।

ରାଜ୍ୟରେ ଶିକ୍ଷାର ବିକାଶ ନିମନ୍ତେ ୧୯୪୫ ମସିହାରେ ଜଟଣୀ ହାଇସ୍କୁଲ ଓ ୧୯୫୯ରେ ଖୋର୍ଦ୍ଧାରେ କଲେଜ ସ୍ଥାପନ କରିଥିଲେ। ସ୍ବାଧୀନତା ପରେ ମଧ୍ୟ ବିଧାନସଭାକୁ ନିର୍ବାଚିତ ହୋଇ ଜନତାଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରୁଥିଲେ। ସେ ପ୍ରଗତିଶୀଳ ରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ମଧ୍ୟ ଋଦ୍ଧିମନ୍ତ କରିଥିଲେ। ‘ଆସନ୍ତାକାଲିର ସାହିତ୍ୟ’ ତାଙ୍କର ଏକ ଅନବଦ୍ୟ ସୃଷ୍ଟି। ସେ କମ୍ୟୁନିଷ୍ଟ ଦଳର ମୁଖପତ୍ର ‘ନୂଆ ଦୁନିଆ’ର ସମ୍ପାଦନା କରିବା ସହ ଦଳର ଇତିହାସ ରଚନା କରିଥିଲେ। ୧୯୭୦ ମସିହା ଅକ୍‍ଟୋବର ୫ ତାରିଖରେ କୋଲକାତାରେ ପ୍ରାଣନାଥ ପଟ୍ଟନାୟକଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର