ସ୍ବାଧୀନତାର ମହାନାୟକ ପ୍ରୀତିଲତା ଓ୍ୱାଦେଦାର

ଦେଶର ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଅବିଶ୍ରାନ୍ତ ସଂଘର୍ଷ କରି ଶେଷରେ ନିଜ ଜୀବନ ଦେଇଥିବା ପ୍ରୀତିଲତା ଵାଦେଦାରଙ୍କ ବିଚକ୍ଷଣ ବ୍ୟକ୍ତିତ୍ବ ତ୍ୟାଗ ଓ ବଳିଦାନର ଏକ ପ୍ରେରଣାଦାୟୀ ସ୍ରୋତ। ତତ୍‌କାଳୀନ ବେଙ୍ଗଲର ଚିଟ୍ଟାଗଙ୍ଗ (ଆଜିର ବାଂଲାଦେଶ ଅନ୍ତର୍ଗତ)ରେ ୧୯୧୧ ମେ ୫ରେ ପ୍ରୀତିଲତା ଭୂମିଷ୍ଠ ହୋଇଥିଲେ। ସେ ଛାତ୍ରବୃତ୍ତି ପାଇ ସ୍କୁଲ୍‌ରେ ପଢ଼ୁଥିବା ସମୟରେ ଇଂରେଜଙ୍କ ଦ୍ବାରା ବିପ୍ଳବୀ ସୂର୍ଯ୍ୟ ସେନଙ୍କୁ ଗିରଫ କରାଯାଇଥିଲା। ଭାରତୀୟ କ୍ରାନ୍ତିକାରୀଙ୍କ ଉପରେ ଅତ୍ୟାଚାରର ଦୃଶ୍ୟ ତାଙ୍କ ମନରେ ଦେଶଭକ୍ତିର ଭାବନା ଜନ୍ମାଇଥିଲା।

ସେ ସ୍ବାଧୀନତା ସଂଗ୍ରାମୀଙ୍କ ଦର୍ଶନ ଓ ଜୀବନୀ ପଢ଼ିବାକୁ ଲାଗିଲେ। ୧୯୨୮ରେ ମେଟ୍ରିକ୍ ଉତ୍ତୀର୍ଣ୍ଣ ହେବା ପରେ ଇଡେନ୍‌ କଲେଜରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ। ‘ଦୀପାଲୀ ସଂଘ’ ନାମକ ଏକ ଗୁପ୍ତ ସଂଗଠନରେ ଯୋଗ ଦେଇ ପ୍ରୀତିଲତା କ୍ରାନ୍ତିକାରୀ ଗତିବିଧିରେ ସକ୍ରିୟ ହେବା ଆରମ୍ଭ କରିଥିଲେ। ଏହା ପରେ ସେ କଲିକତା ଆସି ବେଥୁନ କଲେଜରେ ପଢ଼ିଥିଲେ। ଏଠାରେ ସେ ଦର୍ଶନଶାସ୍ତ୍ରରେ ସ୍ନାତକ ପରୀକ୍ଷା ଦେଇଥିଲେ। କିନ୍ତୁ ସ୍ବାଧୀନତା ସଂଗ୍ରାମ ସହ ସଂପୃକ୍ତି କାରଣକୁ ତାଙ୍କୁ ଡିଗ୍ରି ପ୍ରଦାନ କରାଯାଇନଥିଲା। ତାଙ୍କ ମୃତ୍ୟୁର ୮୦ ବର୍ଷ ପରେ ୨୦୧୨ରେ ଯାଇ ତାଙ୍କୁ ମରଣୋତ୍ତର ଭାବେ ଏହି ଡିଗ୍ରି ପ୍ରଦାନ କରାଯାଇଥିଲା। ପାଠପଢ଼ା ସାରି ପ୍ରୀତିଲତା ଏକ ସ୍କୁଲ୍‌ରେ ଅଧ୍ୟାପିକା ରୂପେ ନିଯୁକ୍ତ ହୋଇଥିଲେ।

ବେଙ୍ଗଲ୍‌ର ଅଗ୍ରଣୀ କ୍ରାନ୍ତିକାରୀ ନେତା ସୂର୍ଯ୍ୟ ସେନ ମହିଳାଙ୍କୁ ନିଜ ଗୋଷ୍ଠୀରେ ସାମିଲ କରୁ ନ ଥିଲେ। ତେବେ ଇଂରେଜ ଶାସନର ମୂଳୋତ୍ପାଟନ ଲାଗି ପ୍ରୀତିଲତାଙ୍କ ପ୍ରତିବଦ୍ଧତା ଓ ତର୍କ ଦେଖି ତାଙ୍କୁ ପ୍ରଥମ ମହିଳା ଭାବେ ନିଜ ଗୋଷ୍ଠୀର କମ୍ରେଡ୍‌ ଭାବେ ସେ ଗ୍ରହଣ କରିଥିଲେ। ସୈନ୍ୟ ଦଳ ଗଠନ, ରଣନୀତି ପ୍ରସ୍ତୁତି ଆଦିରେ ପ୍ରୀତିଲତାଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ଥିଲା। ସେ ନିଜେ ଯୁଦ୍ଧ କୌଶଳ, ବନ୍ଧୁକ ଚାଳନା ଆଦି ଶିଖି ଅନ୍ୟ ଯୁବକଯୁବତୀଙ୍କୁ ଇଂରେଜ ଶାସନ ବିରୋଧରେ ଅସ୍ତ୍ର ପ୍ରୟୋଗ ଲାଗି ଅନୁପ୍ରାଣିତ କରୁଥିଲେ। ବ୍ରିଟିସ୍‌ ସେନାର ଶସ୍ତ୍ରାଗାର ଦଖଲ କରିବାର ଲକ୍ଷ୍ୟ ନେଇ ସୂର୍ଯ୍ୟ ସେନଙ୍କ ନେତୃତ୍ବରେ ହୋଇଥିବା ଅସଫଳ ଚିଟ୍ଟାଗଙ୍ଗ ବିଦ୍ରୋହ ପରେ ବିପ୍ଳବୀଙ୍କ ଉପରେ ବ୍ରିଟିସ୍‌ ପୁଲିସର ଦମନଲୀଳା ଆରମ୍ଭ ହୋଇଯାଇଥିଲା।

ପୁରୁଷ ନେତାମାନେ ଧରାପଡ଼ିବାର ଆଶଙ୍କା ଅଧିକ ଥିବାରୁ ପ୍ରୀତିଲତା ‘ଇଣ୍ଡିଆନ୍ ରେଭଲ୍ୟୁସନାରି ଆର୍ମି’ର ମଙ୍ଗ ସମ୍ଭାଳିଥିଲେ। ସେ ଛଦ୍ମବେଶରେ ବନ୍ଦୀ ବିପ୍ଳବୀଙ୍କ ଠାରୁ ସୂଚନା ସଂଗ୍ରହ କରିବା ସହ ଗୋଳାବାରୁଦ ନେବାଆଣିବା କରୁଥିଲେ। ଗିରଫରୁ ବର୍ତ୍ତି ଆତ୍ମଗୋପନ କରିଥିବା ଅବସ୍ଥାରେ ଏହି ଗୋଷ୍ଠୀର ନେତାମାନେ ପୁଣି ଏକ ଆକ୍ରମଣର ଯୋଜନା କରିଥିଲେ। ଏଥର ପାହାଡ଼ତଳି ୟୁରୋପିଆନ୍ କ୍ଲବ୍‌ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି କରାଯାଇଥିଲା। ଏହି କ୍ଲବ୍‌ର ଇଂରେଜ ସଦସ୍ୟମାନେ ଭାରତୀୟଙ୍କ ପ୍ରତି ବିଦ୍ବେଷ ଭାବନା ରଖିଥିଲେ। ଏପରିକି ଏହି କ୍ଲବ୍‌ର ଏକ ଫଳକରେ ଉଲ୍ଲେଖ ଥିଲା ‘କୁକୁର ଓ ଭାରତୀୟଙ୍କ ପ୍ରବେଶ ନିଷେଧ’। ତେଣୁ ୨୧ ବର୍ଷ ବୟସ୍କା ପ୍ରୀତିଲତା ୧୯୩୨ ସେପ୍‌ଟେମ୍ବର ୨୩ରେ ଏକ କ୍ଷୁଦ୍ର ଗୋଷ୍ଠୀକୁ ନେଇ ଏହି କ୍ଲବ୍‌ ଉପରେ ଆକ୍ରମଣ କରିଥିଲେ।

ବନ୍ଧୁକ ଲଢ଼େଇ ବେଳେ ପ୍ରୀତିଲତାଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେଠାରୁ ଖସି ବାହାରିବା ସମ୍ଭବ ନୁହେଁ ବୋଲି ଜାଣିବା ପରେ ସେ ଆତ୍ମସମର୍ପଣ କରି ନିଜ ଜୀବନ ରକ୍ଷା କରିପାରିଥାନ୍ତେ। କିନ୍ତୁ ଭୀରୁ ଭଳି ଆତ୍ମସମର୍ପଣ କରିବା ପରିବର୍ତ୍ତେ ସହିଦ ହେବା ଶ୍ରେୟଷ୍କର ମଣି ସେ ସିଆନାଇଡ୍‌ ପିଲ୍‌ ଗିଳିଦେଇଥିଲେ। ସେ ଯେଉଁଭଳି ଭାବେ ବୀରତ୍ବ ପ୍ରଦର୍ଶନ କରି ଆକ୍ରମଣର ନେତୃତ୍ବ ନେଇଥିଲେ ଏବଂ ଦେଶ ପାଇଁ ମୃତ୍ୟୁକୁ ଆଦରିନେଇଥିଲେ ତାହା ଅନେକଙ୍କୁ (ମୁଖ୍ୟତଃ ମହିଳାଙ୍କୁ) ସ୍ବାଧୀନତା ଆନ୍ଦୋଳନରେ ଝାସ ଦେବାକୁ ଅନୁପ୍ରାଣିତ କରିଥିଲା।

ସମ୍ବନ୍ଧିତ ଖବର