ଭାରତୀୟ ସ୍ବାଧୀନତା ସଂଗ୍ରାମର ଅମର ସହିଦ ଜୟକୃଷ୍ଣ ମହାପାତ୍ର ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଗ୍ରାମରେ ୧୭୩୯ ମସିହା ଅକ୍ଟୋବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଜୟୀ ରାଜଗୁରୁ ନାମରେ ପ୍ରସିଦ୍ଧ ହୋଇଥିଲେ। ବଂଶାନୁକ୍ରମିକ ଭାବେ ତାଙ୍କ ପୂର୍ବପୁରୁଷ ଖୋର୍ଦ୍ଧା ଗଜପତିଙ୍କର ପରାମର୍ଶଦାତା ବା ରାଜଗୁରୁ ଭାବେ କାର୍ଯ୍ୟ କରିଆସୁଥିଲେ। ୪୧ ବର୍ଷ ବୟସରେ ସେ ଦ୍ବିତୀୟ ଦିବ୍ୟସିଂହଦେବଙ୍କର ଦରବାରରେ ରାଜଗୁରୁ ନିଯୁକ୍ତ ହୋଇଥିଲେ। ୧୭୯୮ରେ ଦିବ୍ୟସିଂହଦେବଙ୍କର ମୃତ୍ୟୁ ଘଟିବା ପରେ ଖୋର୍ଦ୍ଧା ସିଂହାସନ ନେଇ ବିବାଦ ଆରମ୍ଭ ହେଲା। ତେବେ ଜୟୀ ରାଜଗୁରୁଙ୍କ ଉଦ୍ୟମରେ ଗଜପତିଙ୍କ ନାବାଳକ ପୁତ୍ର ଦ୍ବିତୀୟ ମୁକୁନ୍ଦଦେବ ସିଂହାସନରେ ବସିଲେ। ରାଜକାର୍ଯ୍ୟ ପରିଚାଳନାର ଦାୟିତ୍ୱ ନ୍ୟସ୍ତ ହୋଇଥିଲା ରାଜଗୁରୁଙ୍କ ହାତରେ। ସେ ରାଜାଙ୍କର ପରାମର୍ଶଦାତା, ଶାସନଗତ ପ୍ରତିନିଧି ଓ ଦିୱାନ ହୋଇଥିଲେ। ଖୋର୍ଦ୍ଧା ରାଜ୍ୟ ଅନ୍ତର୍ଗତ ରାହାଙ୍ଗ, ସରାଇ, ଚବିଶକୁଦ, ଲେମ୍ବଇ ନାମକ ଚାରିଟି ପ୍ରଗଣା ମରହଟ୍ଟାମାନେ ଛଡ଼ାଇ ନେଇଥିଲେ। ମରହଟ୍ଟାମାନଙ୍କ ସହିତ ଯୁଦ୍ଧରେ ଇଂରେଜମାନଙ୍କୁ ସାହାଯ୍ୟ କଲେ ସେହି ପ୍ରଗଣାଗୁଡ଼ିକ ସହିତ ଏକ ଲକ୍ଷ ଟଙ୍କା ମିଳିବ ବୋଲି ଇଂରେଜ ସେନାଧ୍ୟକ୍ଷ କର୍ଣ୍ଣେଲ ହାରକୋର୍ଟ ଗଜପତି ଦ୍ବିତୀୟ ମୁକୁନ୍ଦଦେବଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମୁକୁନ୍ଦଦେବ ଇଂରେଜମାନଙ୍କୁ ପାଇକ ସୈନ୍ୟ ଯୋଗାଇଥିଲେ ଏବଂ ଇଂରେଜମାନେ ଯୁଦ୍ଧରେ ବିଜୟୀ ହେଲେ।
ମାତ୍ର କର୍ଣ୍ଣେଲ ହାରକୋର୍ଟ ପ୍ରତିଶ୍ରୁତି ଅନୁଯାୟୀ ପ୍ରଗଣାଗୁଡ଼ିକୁ ଫେରାଇଲେ ନାହିଁ। ଏଥିରେ ଜୟୀ ରାଜଗୁରୁ କ୍ରୋଧାନ୍ବିତ ହୋଇ ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିବାପାଇଁ ଗଜପତି ମୁକୁନ୍ଦଦେବଙ୍କୁ ପରାମର୍ଶ ଦେଇଥିଲେ। ଜୟୀ ରାଜଗୁରୁଙ୍କ ନେତୃତ୍ବରେ ପାଇକ ଯୋଦ୍ଧାମାନେ ଇଂରେଜ ସେନାବାହିନୀକୁ ବିପର୍ଯ୍ୟସ୍ତ କରିପକାଇଥିଲେ। ବହୁ ଇଂରେଜ ସୈନିକ ହତାହତ ହୋଇଥିଲେ। କର୍ଣ୍ଣେଲ ହାରକୋର୍ଟ ବାଧ୍ୟ ହୋଇ ମାନ୍ଦ୍ରାଜରୁ ଅତିରିକ୍ତ ସେନାବାହିନୀ ଆଣିଥିଲେ। ମେଜର ଫ୍ଲେଚର ସେହି ସେନାବାହିନୀର ନେତୃତ୍ବ ନେଇଥିଲେ। ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବିଶାଳ ବ୍ରିଟିସ୍ ସେନାବାହିନୀ ସମ୍ମୁଖରେ ପାରମ୍ପରିକ ଯୁଦ୍ଧାସ୍ତ୍ର ସାହାଯ୍ୟରେ ଲଢୁଥିବା ପାଇକଙ୍କର ପରାଜୟ ସୁନିଶ୍ଚିତ ଥିଲା। ଏହା ସତ୍ତ୍ବେ ଜୟୀ ରାଜଗୁରୁ ଆତ୍ମସମର୍ପଣ ପରିବର୍ତ୍ତେ ପରାଜୟକୁ ଶ୍ରେୟସ୍କର ମଣିଥିଲେ। ତିନି ସପ୍ତାହର ଲଢ଼େଇ ପରେ ମେଜର ଫ୍ଲେଚର ଖୋର୍ଦ୍ଧା ଦୁର୍ଗ ଅଧିକାର କରିନେଇଥିଲେ। ବିଶ୍ବସ୍ତ ଅନୁଗାମୀଙ୍କ ସହିତ ରାଜା ମୁକୁନ୍ଦଦେବ ଓ ଜୟୀ ରାଜଗୁରୁ ଦୁର୍ଗରୁ ପଳାୟନ କରିବାରେ ସଫଳ ହୋଇଥିଲେ। ଜୟୀ ରାଜଗୁରୁ ନିଜେ ଗିରଫ ହେବା ପୂର୍ବରୁ ରାଜାଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଦେଇଥିଲେ। କିନ୍ତୁ ୧୮୦୫ରେ ରାଜା ମଧ୍ୟ ବିଶ୍ବାସଘାତକତାର ଶିକାର ହୋଇ ଗିରଫ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ବାରବାଟୀ ଦୁର୍ଗ ଓ ପରେ ମେଦିନିପୁର ଜେଲରେ ରଖାଯାଇଥିଲା।
ମେଦିନିପୁରର ବାଘିତୋଟାରେ ଜୟୀ ରାଜଗୁରୁଙ୍କ ବିଚାର ହୋଇଥିଲା। କର୍ଣ୍ଣେଲ ହାରକୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେଇ ଜୟୀ ରାଜଗୁରୁ କହିଥିଲେ ଯେ ବିଦ୍ରୋହ ପାଇଁ ସେ ଏକା ଦାୟୀ। ନାବାଳକ ଗଜପତି ତାଙ୍କର ଏହି ସ୍ବୀକାରୋକ୍ତି ପାଇଁ ବର୍ତ୍ତିଯାଇଥିଲେ। ଶେଷରେ ଜୟୀ ରାଜଗୁରୁଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ୧୮୦୬ ଡିସେମ୍ବର ୬ ତାରିଖରେ ନିଜ ମାତୃଭୂମି ପାଇଁ ସେ ହସି ହସି ପ୍ରାଣବଳି ଦେଇଥିଲେ। ଏଥିପାଇଁ ଜୟୀ ରାଜଗୁରୁଙ୍କୁ ଭାରତୀୟ ସ୍ବାଧୀନତା ସଂଗ୍ରାମର ପ୍ରଥମ ସହିଦ ଭାବେ ଅନେକ ଗ୍ରହଣ କରିଥାନ୍ତି।