ବିଶ୍ବନାଥ ଦାଶ ଓଡ଼ିଶାର ଏଭଳି ଜଣେ ନିଷ୍ଠାପର, ସଚ୍ଚୋଟ ଓ ସରଳ ଜାତୀୟତାବାଦୀ ରାଜନେତା ଯିଏ ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ସ୍ବାଧୀନତା ହାସଲ ପରବର୍ତ୍ତୀ ସମୟରେ ନିଜ ସମାଜ, ରାଜ୍ୟ ଓ ଦେଶର ଉନ୍ନତି ପାଇଁ ସଦାସର୍ବଦା ସକ୍ରିୟ ରହିଥିଲେ। ୧୮୮୯ ମାର୍ଚ୍ଚ ୮ ତାରିଖରେ ଗଞ୍ଜାମ ଜିଲ୍ଲାର ବେଲଗାଁ ଗ୍ରାମରେ ବିଶ୍ବନାଥ ଜନ୍ମଗ୍ରହଣ କରିଥିଲେ। ରେଭେନ୍ସା କଲେଜରୁ ସ୍ନାତକ ଏବଂ କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରି ହାସଲ କରିବା ପରେ ସେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ତତ୍ତ୍ବାବଧାନରେ ଓକିଲାତି ଶିଖିଥିଲେ। ମଧୁବାବୁ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ମନରେ ଜାତୀୟତା ଭାବନା ଉଦ୍ରେକ ହୋଇଥିଲା। ୧୯୨୦ ମସିହାରେ ବିଶ୍ବନାଥ ବ୍ରହ୍ମପୁର ଫେରିଯାଇ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ତେବେ ନିଜ ଅଜସ୍ର ଦେଶପ୍ରେମର ନିଦର୍ଶନ ସ୍ବରୂପ ୧୯୨୧ ମସିହାରେ ସେ ଓକିଲାତି ଛାଡ଼ି ଅସହଯୋଗ ଅନ୍ଦୋଳନରେ ଯୋଗ ଦେଇଥିଲେ। ଏହା ପରେ ପ୍ରମୁଖ ଜାତୀୟ ଆନ୍ଦୋଳନମାନଙ୍କରେ ଝାସ ଦେଇ ବିଶ୍ବନାଥ ଅନେକ ଥର କାରାବରଣ କରିଥିଲେ। ନିର୍ବାଚନରେ ଭାଗ ନେଇ ୧୯୨୧ରୁ ୧୯୩୦ ଯାଏ ମାଡ୍ରାସ୍ ବିଧାନ ପରିଷଦରେ ଗଞ୍ଜାମକୁ ପ୍ରତିନିଧିତ୍ବ କରିଥିଲେ।
ଲବଣ ସତ୍ୟାଗ୍ରହରେ ଯୋଗ ଦେବା ପାଇଁ ସେ ବିଧାନ ପରିଷଦରୁ ଇସ୍ତଫା ଦେଇଥିଲେ ଏବଂ ଗିରଫ ହୋଇ ଏକ ବର୍ଷ ବନ୍ଦୀ ଜୀବନ କାଟିଥିଲେ। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ପରେ ୧୯୩୭ ମସିହାରେ ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ସେ କଂଗ୍ରେସ ପ୍ରାର୍ଥୀ ରୂପେ ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୩୭ ଜୁଲାଇ ୧୯ରେ ସେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହୋଇଥିଲେ। କୃଷକ ଆନ୍ଦୋଳନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଶ୍ବନାଥ କୃଷକମାନଙ୍କ ପାଇଁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ। କଂଗ୍ରେସର ପରାମର୍ଶ ବିନା ବ୍ରିଟିସ୍ ସରକାରଙ୍କ ଭାରତକୁ ମିତ୍ରପକ୍ଷ ରାଷ୍ଟ୍ର ଘୋଷଣା ପ୍ରତିବାଦରେ ସେ ୧୯୩୯ ମସିହାରେ ଓଡ଼ିଶା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହୋଇଥିଲେ ଏବଂ ଗାଁ ଗାଁ ବୁଲି ଆନ୍ଦୋଳନର ବାର୍ତ୍ତା ପ୍ରଚାର କରୁଥିଲେ। ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟରେ ତାଙ୍କୁ ଗିରଫ କରି ବ୍ରହ୍ମପୁର ଜେଲରେ ରଖାଯାଇଥିଲା। ସେ ଜେଲ ଭିତରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ପୁଲିସର ଲାଠି ମାଡ଼ରେ ଲହୁଲୁହାଣ ହୋଇଥିଲେ। ସ୍ବାଧୀନତା ପରେ ସେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ଯୋଗ ଦେଇ ଜରୁରୀକାଳୀନ ପ୍ରାବଧାନ ଓ ରାଜସ୍ବ ଆବଣ୍ଟନ ଭଳି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ହସ୍ତକ୍ଷେପ କରିଥିଲେ। ସେ ପ୍ରାୟ ଏକ ଦଶନ୍ଧି କାଳ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ବ ତୁଲାଇଥିଲେ। ସେ ୧୯୫୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ସମୟରେ ଜାତୀୟ ସ୍ତରକୁ ପହଞ୍ଚି ପାରିଥିବା ହାତଗଣତି ରାଜନେତାଙ୍କ ମଧ୍ୟରୁ ବିଶ୍ବନାଥ ଦାଶ ଜଣେ ଥିଲେ। ୧୯୬୨ରେ ଉତ୍ତର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ ହୋଇ ୧୯୬୭ ମସିହା ପର୍ଯ୍ୟନ୍ତ ସେହି ପଦବିରେ ରହିଥିଲେ। ୧୯୭୧ରେ ଦ୍ବିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହୋଇଥିଲେ। ସେ ଭାରତ ଲୋକ ସେବକ ମଣ୍ଡଳର ଆଜୀବନ ସଭ୍ୟ ଥିଲେ। ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଲୋକ ସେବକ ମଣ୍ଡଳର ସଭାପତି ମଧ୍ୟ ହୋଇଥିଲେ। ୧୯୮୪ ଜୁନ ୨ ତାରିଖରେ କଟକଠାରେ ଏହି ଓଡ଼ିଆ ମହାନାୟକ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।