କେତେବେ‌‌ଳେ ଏ ଦୁନିଆରେ ଏମିତି ମଣିଷ ଜନ୍ମ ନିଅନ୍ତି ଯେଉଁମାନଙ୍କ ଜୀବନରେ ନିଜସ୍ବ କୃତି ଏବଂ କୀର୍ତ୍ତି ପାଇଁ ଅତୁଳନୀୟ ହୋଇଯାଆନ୍ତି। ସେହିଭଳି ଜଣେ ଯୋଗଜନ୍ମା ଥିଲେ ସ୍ବର୍ଗତ ବିଜୁ ପଟ୍ଟନାୟକ।

Advertisment

ଦ୍ବିତୀୟ ବିଶ୍ବଯୁଦ୍ଧ ଚାଲିଥିବା ବେଳେ ଭାରତରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ସ୍ବାଧୀନତା ସଂଗ୍ରାମ ପ୍ରବଳରୁ ପ୍ରବଳ ହେଉଥାଏ। ବ୍ରିଟିସ ରୟାଲ୍ ଏୟାର୍ ପୋର୍ଟରେ ବୈମାନିକ ଥାଇ ମଧ୍ୟ ଭାରତର ସ୍ବାଧୀନତା ସଂଗ୍ରାମକୁ ଗଭୀର ଆନ୍ତରିକତାର ସହିତ ନିରୀକ୍ଷଣ କରୁଥାନ୍ତି। ଏହି ସମୟରେ କଂଗ୍ରେସର ବମ୍ବେ ଅଧିବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହେଲା। ସେହିଦିନ ସଂଧ୍ୟାବେଳେ ବ୍ରିଟିସ ପୋଲିସ ଗାନ୍ଧୀଙ୍କୁ ଗିରଫ କରି ଜେଲକୁ ନେଇଗଲେ। କଂଗ୍ରେସରେ ହତାଶା ଖେଳିଗଲା ଯେ, ସେନାପତି ନ ଥାଇ ଯୁଦ୍ଧ କେମିତି ହେବ? ଏହି ସମୟରେ ବିଜୁବାବୁ ବ୍ରିଟିଶ ବିମାନରେ ଅତି ଗୋପନରେ ପଟାରି ସୀତାରାମାୟା, ଅରୁଣା ଆସଫ ଅଲ୍ଲୀ ଏବଂ ଜୟପ୍ରକାଶ ନାରାୟଣଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଭାରତଛାଡ଼ ଆନ୍ଦୋଳନକୁ ତୀବ୍ରତର କରାଇଥିଲେ। ଜୟପ୍ରକାଶ ନାରାୟଣଙ୍କୁ ମି. ମୁଖାର୍ଜି ଭାବେ ଛଦ୍ମ ବେଶରେ ବିମାନରେ ନେଲାବେଳେ ଧରାପଡ଼ି ରାଜଦ୍ରୋହ ଅପରାଧରେ ଗିରଫ ହୋଇ ଜେଲରେ ରହିଲେ।

ଜେଲରୁ ଖଲାସ ହେଲାପରେ ତାଙ୍କ ଜୀବନର ଗତି ବଦଳିଗଲା। ସେ ଅନୁଭବ କଲେ ଗରିବ ହୋଇ ଜନ୍ମ ନେବା ଅପରାଧ ନୁହେଁ। କିନ୍ତୁ ଗରିବ ହୋଇ ବଞ୍ଚିବା ଅପରାଧ। ପ୍ରାକୃତିକ ସଂପଦ ଭରା ନିଜ ଜନ୍ମମାଟି ଓଡ଼ିଶାର ଦାରିଦ୍ର୍ୟ ବ୍ୟଥିତ କଲା। ଶିଳ୍ପ ପ୍ରତିଷ୍ଠା ଜରିଆରେ ଦାରିଦ୍ର୍ୟ ହଟାଇବା ପାଇଁ ସେ ସଂକଳ୍ପ ନେଲେ। ଆରମ୍ଭ କଲେ ରାଜ୍ୟର ପ୍ରକାଶ ଶିଳ୍ପ ଓ.ଟି.ଏମ୍। ପରେ ପରେ କଳିଙ୍ଗ ଟ୍ୟୁବ୍‌ସ, କଳିଙ୍ଗ ଆଇରନ୍ ୱାର୍କ୍ସ, ଓଡ଼ିଶା ଇଣ୍ଡଷ୍ଟ୍ରିଜ୍। ଆଶ୍ଚର୍ଯ୍ୟଜନକ ଭାବେ ଅଳ୍ପ କେତେ ବର୍ଷରେ ବିଜୁବାବୁ ଜଣେ ବିତ୍ତଶାଳୀ ଖ୍ୟାତି ସଂପନ୍ନ ଶିଳ୍ପୋଦ୍ୟୋଗୀ ଭାବେ ପ୍ରତିଷ୍ଠା ଅର୍ଜନ କଲେ। କିନ୍ତୁ ନିଜେ ଧନୀ ହେବେ ରାଜ୍ୟବାସୀ ଗରିବ ରହିବେ ଏହା ତାଙ୍କୁ ମର୍ମ ବେଦନା ଦେଲା। ରାଜନୀତିକୁ ଲମ୍ପ ପ୍ରଦାନ କଲେ। ତୃତୀୟ ସାଧାରଣ ନିର୍ବାଚନରେ କଂଗ୍ରେସର ଦାୟିତ୍ବ ନେଇ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ‌ହେଲେ।

publive-image

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲାପରେ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥା ସ୍ଥାଣୁ ହେବାକୁ ଲାଗିଲା। ୧୯୬୭ ମସିହାରେ ଜିଲ୍ଲା ପରିଷଦକୁ ବାତିଲ କରାଗଲା। ପଞ୍ଚାୟତ ସମିତି ଏବଂ ଗ୍ରାମପଞ୍ଚାୟତରୁ ବ୍ୟାପକ ଭାବେ କ୍ଷମତା ପ୍ରତ୍ୟାହାର କରାଗଲା।

୧୯୯୦ ମସିହା ସେପ୍ଟେମ୍ବର ୯ ତାରିଖରେ ସେତେବେଳର ପ୍ରଧାନମନ୍ତ୍ରୀ ଭି.ପି ସିଂହ ଆବଶକ ସଂ‌େଶାଧନ ଆଣି ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଣିଲେ। ମାତ୍ର ତାହା ଗୃହୀତ ନ ହୋଇ ସିଲେକ୍‌ଟ କମିଟିକୁ ଚାଲିଗଲା। ୧୯୯୦ ରେ ବିଜୁବାବୁ ବିକ୍ଷୁବ୍‌ଧ ହୋଇ ଆଉ ଅପେକ୍ଷା ନ କରି ରାଜ୍ୟ ଆଇନକୁ ସଂଶୋଧନ କରି ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କଲେ। ମହିଳାମାନଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ କଲେ। ମହିଳା ବ୍ୟାଙ୍କ, ମହିଳା ଥାନା ସହିତ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମହିଳା ବିକାଶ ସମବାୟ ନିଗମ ପ୍ରତିଷ୍ଠା କଲେ।

ସେ ହେଲେ ଦେଶରେ ମହିଳା ମୁକ୍ତି ଆନ୍ଦୋଳନର ପ୍ରବକ୍ତା। ମଜୁରୀ ପ୍ରତ୍ୟାଶୀ ଶ୍ରମିକମାନଙ୍କ ପାଇଁ ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସର୍ବନିମ୍ନ ମଜୁରୀକୁ ୧୧ ଟଙ୍କାରୁ ୨୫ ଟଙ୍କା କଲେ। ରାଜ୍ୟ ଯୋଜନାରେ ଗ୍ରାମାଞ୍ଚଳ ବିକାଶ ପାଇଁ ଦିଆଯାଉଥିବା ମାତ୍ର ୧୮ ରୁ ୨୨ ପ୍ରତିଶତ ପୁଞ୍ଜି ବିନିଯୋଗକୁ ବୃଦ୍ଧି କରି ୫୭ ପ୍ରତିଶତ କଲେ। ଏକ ସ୍ ଲୋଗାନ୍ ଦେଲେ ‘‘ଗାଁ କୁ କାମ, ମାଆଙ୍କୁ ସମ୍ମାନ’’।

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୭ ତମ ଜନ୍ମ ଜୟନ୍ତୀ। ତାଙ୍କ ଦେହାନ୍ତ ହେବାର ୨୫ବର୍ଷ ପୂରିଗଲାଣି, କିନ୍ତୁ ଏବେ ବି ଓଡ଼ିଆ ଜାତିର ପ୍ରାଣରେ ତାଙ୍କର ସ୍ମୃତି ଜାଜୁଲ୍ୟମାନ ହୋଇରହିଛି। ସମୃଦ୍ଧ ଏବଂ ସ୍ବାଭିମାନି ଓଡ଼ିଆ ଜାତି ଗଠନ ପାଇଁ ସାରା ଜୀବନ ସଂଗ୍ରାମ କରି କୋଟିପତିରୁ କୋଠି ବିକିଥିଲେ ବିଜୁବାବୁ। ଗରିବ ଲୋକଙ୍କର ସେ ଥିଲେ ଆଶାର ପ୍ରଦୀପ। ଯୁବପିଢ଼ି ପାଇଁ ସେ ଥିଲେ ଉତ୍ସାହ ଉଦ୍ଦିପନାର ଉତ୍ସ। ଆଜି ସେ ନାହାନ୍ତି। ଆଜିର ଏହି ପୁଣ୍ୟ ଅବସରରେ ତାଙ୍କର ସ୍ମୃତିଚାରଣ କରିବା ପ୍ରତ୍ୟେକ ଓଡ଼ିଆର କର୍ତ୍ତବ୍ୟ। ନିଜର କୃତି ଏବଂ କିର୍ତ୍ତି ପାଇଁ ସେ ହୋଇଛନ୍ତି ପ୍ରବାଦ ପୁରୁଷ।