ଶ୍ରୀଚୈତନ୍ୟ ଜଣେ ପରମ ବୈଷ୍ଣବ ଭାବରେ ପ୍ରଖ୍ୟାତ। ସନ୍ନ୍ୟାସ ଦୀକ୍ଷା ନେବା ପରେ ସେ ଅନ୍ୟାନ୍ୟ ସ୍ଥାନ ପରିଭ୍ରମଣ କରି ଶ୍ରୀକ୍ଷେତ୍ର ପୁରୀକୁ ହିଁ ତାଙ୍କର ଅନ୍ତିମ ନିବାସ କରିଥିଲେ। ଶ୍ରୀଜଗନ୍ନାଥଙ୍କଠାରେ ସେ କୃଷ୍ଣଙ୍କୁ ଦେଖୁଥିଲେ। ଶ୍ରୀଜଗନ୍ନାଥ ହୋଇଯାଇଥିଲେ ତାଙ୍କ ପ୍ରାଣର ପ୍ରାଣ।
୧୫୧୦ରେ ପ୍ରଥମଥର ପାଇଁ ଓଡ଼ିଶା ଆସିଥିଲେ ହେଁ, ଦକ୍ଷିଣ ଭାରତ ଓ ପଶ୍ଚିମ ଭାରତର ବହୁ ତୀର୍ଥ ଭ୍ରମଣ ସାରି ୧୫୧୫ରେ ସେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ ପୁରୀକୁ ଏବଂ ଇହଲୀଳା ସମ୍ବରଣ ପର୍ଯ୍ୟନ୍ତ, ଜୀବନର ଶେଷ ୧୮ ବର୍ଷ ସେ ଶ୍ରୀକ୍ଷେତ୍ର ପୁରୀରେ ହିଁ ଅବସ୍ଥାନ କରିଥିଲେ।
ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥାନ କାଳରେ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଯାନିଯାତ୍ରା ଦେଖି ସେ ମହାସୁଖ ପାଉଥିଲେ। ମାତ୍ର ସ୍ନାନପୂର୍ଣ୍ଣିମା ପରେ ପନ୍ଦରଦିନ ବ୍ୟାପୀ ଶ୍ରୀଜଗନ୍ନାଥ ଅଣସର ଘରେ ରହିବା ବେଳେ ତାଙ୍କର ମହାଦୁଃଖ ହେଉଥିଲା। କୃଷ୍ଣଦାସ କବିରାଜ ଗୋସ୍ବାମୀଙ୍କ ‘ଚୈତନ୍ୟ ଚରିତାମୃତ’ର ଉପରୋକ୍ତ ସୁଭାଷିତ ତାହାର ପ୍ରମାଣ।
ସେହି ମହାଦୁଃଖର ଅପନୋଦନ ପାଇଁ ସେ ବ୍ୟାକୁଳ ହୋଇ ଧାଇଁ ଯାଉଥିଲେ ଅଦୂରବର୍ତ୍ତୀ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ନିକଟକୁ। ‘ଚୈତନ୍ୟ ଚକଡ଼ା’ ଗ୍ରନ୍ଥରେ ଏହାର ସୁନ୍ଦର ବର୍ଣ୍ଣନା କରି କୁହାଯାଇଛି- ଅଲାରନାଥଙ୍କୁ ଦର୍ଶନ କରି ସେ ତାଙ୍କଠାରେ କୃଷ୍ଣ ଓ ନାରାୟଣଙ୍କର ଅଭେଦତ୍ବ ଅନୁଭବ କରୁଥିଲେ। ବ୍ରହ୍ମଗିରି ହୋଇଯାଇଥିଲା ତାଙ୍କର ଅଣସର ସମୟର ବିରହବାସ।
ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ମନ୍ଦିରର ଉତ୍ତର ପାର୍ଶ୍ବରେ ଗୋଟିଏ ବଡ଼ ଆବୁଡ଼ା ଖାବୁଡ଼ା ଶିଳା ରହିଛି। ତାହା ଲୋକମୁଖରେ ‘ଶ୍ରୀଚୈତନ୍ୟ ବିରହ ଶିଳା’ ଭାବରେ କଥିତ। କୁହାଯାଏ ଯେ ଶ୍ରୀଜଗନ୍ନାଥଙ୍କ ଅଣସର ବେଳେ ଶ୍ରୀଚୈତନ୍ୟ ସେଠାରେ ବିରହବାସ କରୁଥିଲେ। ସେହି ସମୟରେ ତାଙ୍କର ଶରୀରର ସ୍ପର୍ଶରେ ସେହି ଶିଳା ତରଳି ଯାଇଥିଲା।
ସ୍ନାନଯାତ୍ରା ମହାସୁଖ: ଅଣସର ମହାଦୁଃଖ
ଶ୍ରୀଚୈତନ୍ୟ ଜଣେ ପରମ ବୈଷ୍ଣବ ଭାବରେ ପ୍ରଖ୍ୟାତ। ସନ୍ନ୍ୟାସ ଦୀକ୍ଷା ନେବା ପରେ ସେ ଅନ୍ୟାନ୍ୟ ସ୍ଥାନ ପରିଭ୍ରମଣ କରି ଶ୍ରୀକ୍ଷେତ୍ର ପୁରୀକୁ ହିଁ ତାଙ୍କର ଅନ୍ତିମ ନିବାସ କରିଥିଲେ। ଶ୍ରୀଜଗନ୍ନାଥଙ୍କଠାରେ ସେ କୃଷ୍ଣଙ୍କୁ ଦେଖୁଥିଲେ।
/sambad/media/media_files/2025/06/13/lqnmQUiTpY5O9injVxRX.jpg)