ଆମ ଋତୁଚକ୍ର ଅନୁସାରେ, ଫାଲଗୁନ ଓ ଚୈତ୍ର ହେଉଛି ବସନ୍ତ ଋତୁ। ବସନ୍ତ ଋତୁରାଜ। ଭଗବାନ ଶ୍ରୀକୃଷ୍ଣ ‘ଶ୍ରୀମଦ୍ଭଗବଦ୍ଗୀତା’ରେ କହିଛନ୍ତି, ‘‘ମୁଁ ଋତୁମାନଙ୍କ ଭିତରେ କୁସୁମାକର ବା ବସନ୍ତ।’’ ଏହି ଫୁଟାଫୁଲର ରଙ୍ଗିନ ଋତୁରେ ଯେଉଁ ମହାକୁମ୍ଭ ଅନୁଷ୍ଠିତ ହୁଏ, ତାହା ହେଉଛି ଦୋଳଯାତ୍ରା। ମହାକୁମ୍ଭ ଯୋଗର ବିଭିନ୍ନ ସ୍ନାନତିଥି ପରି, ଫଗୁଣର ଏହି ମହାକୁମ୍ଭରେ ଦୋଳଯାତ୍ରାର ତିଥି ମଧ୍ୟ ଭିନ୍ନ ଭିନ୍ନ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଳିତ ହେଉଥିବା ଏହି ଯାତ୍ରା ବା ଉତ୍ସବର ତିଥିରୁ ଏହା ସାବ୍ୟସ୍ତ ହୁଏ ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ଯାତ୍ରା ବା ଉତ୍ସବ ପାଳନର ଅୟମାରମ୍ଭ ହୋଇଥାଏ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀରୁ। ଏହା ଶ୍ରୀଜଗନ୍ନାଥଙ୍କର ଚାଚେରୀ ଲୀଳା। ଏହି ଅବସରରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଶ୍ରୀଦୋଳଗୋବିନ୍ଦ ନଗର ଭ୍ରମଣ କରି ଆମୋଦଦାୟକ ଲୀଳା କରିଥାନ୍ତି। ଏହି ଅବସରରେ ରତ୍ନବେଦିରେ ଶ୍ରୀଜୀଉମାନଙ୍କର ଚାଚେରୀ ବେଶ ଓ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଚାଚେରୀ ଭୋଗ ହୋଇଥାଏ। କିନ୍ତୁ ସମଗ୍ର ଓଡ଼ିଶାରେ ‘ରାଜଦୋଳ’ ଓ ‘ପଞ୍ଚୁଦୋଳ’ ପ୍ରସିଦ୍ଧ। ରାଜଦୋଳ ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀଠାରୁ ଫାଲଗୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏବଂ ପଞ୍ଚୁଦୋଳ ଫାଲଗୁନ ପୂର୍ଣ୍ଣିମା ପରେ ଚୈତ୍ର କୃଷ୍ଣପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ସମୟରେ ବିଭିନ୍ନ ଅଞ୍ଚଳରେ ଦୋଳ ମେଳଣ ଅନୁଷ୍ଠିତ ହୁଏ। ଏହାର ଶେଷ ଦିନର ମେଳଣ ‘ପଞ୍ଚୁଦୋଳ’ ନାମରେ ପ୍ରସିଦ୍ଧ। ପଞ୍ଚୁଦୋଳ ମେଳଣ ପରି, ତିନିଦୋଳ ଓ ଦଶଦୋଳ ମେଳଣ ମଧ୍ୟ ଓଡ଼ିଶାରେ ଅନୁଷ୍ଠିତ ହୋଇଥାଏ। ଚୈତ୍ର ମାସରେ ହେଉଥିବା ଏହି ମେଳଣର ଅନ୍ୟନାମ ‘ଚଇତି ମେଳଣ’।
ଏହିସବୁ ମେଳଣ ମଧ୍ୟରେ ଓଳକଣା, ଧର୍ମଶାଳା, ଯାଜପୁର, ବଳଙ୍ଗା, ବାଳକାଟି, ହରିରାଜପୁର, ଚାନ୍ଦପୁର, ବୈରୀ, ମାହାଙ୍ଗା, ବୋଲଗଡ଼, ବାଣପୁର, ରଣପୁର, ବାଲେଶ୍ବର, କଣ୍ଟାବଣିଆ, କଳାପଥର, କାଳିମେଘା, େଦାପଟି ଆଦି େମଳଣ ପ୍ରସିଦ୍ଧ। ତେବେ ଏହିସବୁ ମେଳଣ କେବଳ ରାଧାକୃଷ୍ଣଙ୍କୁ ନେଇ ‘ରାଧାକୃଷ୍ଣ ମେଳଣ’ ଭାବରେ ପାଳିତ ହୋଇ ନ ଥାଏ। କେତେକ ମେଳଣକୁ ଦେବତାଙ୍କ ପ୍ରତୀକ ଭାବରେ ଭାଗବତ ଗାଦିମାନ ବିମାନରେ ଆସୁଥିବାରୁ, ତାହାକୁ ‘ଭାଗବତ ମେଳଣ’ ମଧ୍ୟ କୁହାଯାଏ। ଏସବୁ ଦୃଷ୍ଟିରୁ ଓଡ଼ିଶାର ଦୋଳ ମେଳଣଗୁଡ଼ିକ ଫଗୁଣର ମହାକୁମ୍ଭ ପରି ମନେ ହୋଇଥାଏ।