ଗୋବିନ୍ଦଚନ୍ଦ୍ର ମିଶ୍ର ଅବିଭକ୍ତ ପୁରୀ ଜିଲ୍ଲା ଦଶପଲ୍ଲାଠାରେ ୧୮୮୮ଡିସେମ୍ବର ୩୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଯେଉଁ ସମୟରେ ଗଡ଼ଜାତ ମୁଲକର ଅନ୍ଧାରି ଶାସନରେ କାହାର ସ୍ବାଧୀନ ମତବ୍ୟକ୍ତ କରିବା ଅପରାଧ ଭାବେ ଗଣ୍ୟ ହେଉଥିଲା ଏବଂ ରାଜ୍ୟରେ ରାଜନୈତିକ ଜୀବନର ଚିହ୍ନବର୍ଣ୍ଣ ନଥିଲା, ସେତିକିବେଳେ ଉତ୍କଟ ଦାରିଦ୍ର୍ୟ ସହିତ ସଂଗ୍ରାମ କରୁଥିବା ଯୁବକ ଗୋବିନ୍ଦ ଦେଶୀୟ ରାଜଶକ୍ତି ତଥା ପ୍ରବଳ ପରାକ୍ରମୀ ଇଂରେଜ ଶାସକଙ୍କ ବିରୁଦ୍ଧରେ କିପରି ସ୍ବର ଉତ୍ତୋଳନ କରିବାର ଦୁଃସାହାସ କରିଲେ, ଆଜିର ଦିନରେ ମଧ୍ୟ ତାହା ମନରେ ପ୍ରଶ୍ନବାଚୀ ସୃଷ୍ଟିକରେ। କିନ୍ତୁ ଏହା ନିରାଟ ସତ୍ୟ ଯେ ନିଜର ସ୍ବାଧୀନ ଚିନ୍ତାଧାରା, ଏକାନ୍ତ ନିଷ୍ଠା ଓ ଅସାଧାରଣ ସାହାସ ଦ୍ବାରା ଗୋବିନ୍ଦ ତାହାକୁ ନିଜ ଜୀବନରେ ପ୍ରମାଣିତ କରି ପାରିଥିଲେ।
ସେ ଥିଲେ ଆଜୀବନ ତ୍ୟାଗୀ, ରାଷ୍ଟ୍ରଭକ୍ତ ଓ ନିଃସ୍ୱାର୍ଥପର ଜନସେବକ। ତାଙ୍କର ତ୍ୟାଗପୂତ ସମଗ୍ର ଜୀବନ ଥିଲା ଅତ୍ୟନ୍ତ ଦୁଃଖଦ ଓ କାରୁଣ୍ୟଭରା। ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ସେ ବହୁବାର କାରାବରଣ କରିଥିଲେ। ତାଙ୍କ ରଚିତ ‘କାରାଗାର କାହାଣୀ’ ପୁସ୍ତକରୁ ଜଣାଯାଏ ଯେ ହଜାରିବାଗ ଓ ପାଟଣା ଜେଲ୍ରେ ଥିଲାବେଳେ ଜେଲ୍ କର୍ତ୍ତୃପକ୍ଷଙ୍କ ବିଚାରାଧୀନ ବନ୍ଦୀଙ୍କ ପ୍ରତି ଅନ୍ୟାୟ ଆଚରଣର ପ୍ରତିବାଦ କରି ସେ ଏକାଧିକବାର ନିର୍ଜନ କାରାବାସ ଦଣ୍ଡ ଭୋଗ କରିଥିଲେ। ସେତେବେଳେ ଗୋବିନ୍ଦବାବୁଙ୍କୁ ପ୍ରବଳ ଗ୍ରୀଷ୍ମ କାଳରେ ଝୋଟବୁଣା ଅଖା ପୋଷାକ ପିନ୍ଧାଯାଇ, ଗୋଡ଼ ଓ ହାତରେ ବେଡ଼ି ପକାଯିବା ସହ କ୍ଷୁଦ୍ର ଅନ୍ଧକାର କୋଠରି ମଧ୍ୟରେ ରଖାଯାଇଥିଲା। ଏଠାରେ ଗୋବିନ୍ଦବାବୁ ଯେପରି ଅକଥନୀୟ ଯନ୍ତ୍ରଣା ଭୋଗ କରିଥିଲେ ଅନ୍ୟ କୌଣସି ଓଡ଼ିଆ ରାଜନୈତିକ ବନ୍ଦୀଙ୍କ କ୍ଷେତ୍ରରେ ସମ୍ଭବତଃ ସେପରି ଦୁର୍ଦ୍ଦଶା ଘଟି ନଥିଲା। ଏପରିକି କାରାମୁକ୍ତ ହେବାପରେ ମଧ୍ୟ ଦୁଃଖ ଗୋବିନ୍ଦଙ୍କ ପିଛା ଛାଡ଼ିନଥିଲା। ଭୀଷଣ ଅସୁସ୍ଥତା ମଧ୍ୟରେ ଜେଲ୍ରୁ ମୁକୁଳିବା ପରେ ଟିକିଏ ବିଶ୍ରାମ ନେବାପାଇଁ ତାଙ୍କର କେଉଁଠାରେ ଘରଟିଏ ନଥିଲା କିମ୍ବା ତାଙ୍କୁ ସାନ୍ତନା ଦେବା ସକାଶେ ନିଜର ଭାଇ ବନ୍ଧୁ, କୁଟୁମ୍ବ କେହି ନଥିଲେ। କିନ୍ତୁ ଜନସେବା ଭିତରେ ନିଜକୁ ହଜାଇ ଦେଇ ଗୋବିନ୍ଦ ସମସ୍ତ ଦୁଃଖ ଯନ୍ତ୍ରଣାକୁ ଭୁଲି ଯାଇଥିଲେ।
ଗୋବିନ୍ଦବାବୁ ଅତ୍ୟନ୍ତ ଦୃଢ଼ମନା ଥିଲେ। ସାବରମତୀ ସତ୍ୟାଗ୍ରହ ଆଶ୍ରମର ସଦସ୍ୟ ଭାବେ କର୍ତ୍ତବ୍ୟରତ ଥିବାବେଳେ (୧୯୧୮-୧୯) ଆଶ୍ରମର ପରିଚାଳକ ଶ୍ରୀ ମଗନଲାଲ ଗାନ୍ଧିଙ୍କ କେତେକ କାର୍ଯ୍ୟର ପ୍ରତିବାଦରେ ଗୋବିନ୍ଦ ତତକ୍ଷଣାତ୍ ଆଶ୍ରମ ଛାଡ଼ିଦେବା ସକାଶେ ପ୍ରସ୍ତୁତ ହୋଇଯାଇଥିଲେ। ଦ.ଆଫ୍ରିକାରୁ ସପରିବାର ଆସି ସାବରମତୀ ଆଶ୍ରମରେ ଅବସ୍ଥାନ କରୁଥିବା ଗାନ୍ଧିଜୀଙ୍କ ଜଣେ ବନ୍ଧୁ ଇମାମ୍ ସାହେବ ଓ ଆଚାର୍ଯ୍ୟ ବିନୋବାଙ୍କ ପରାମର୍ଶ ମାନି ଗାନ୍ଧିଜୀ ଆଶ୍ରମକୁ ଫେରିବାଯାଏ ଗୋବିନ୍ଦ ଅପେକ୍ଷାକରି ରହିଥିଲେ। କିନ୍ତୁ ଗାନ୍ଧିଜୀ ଆଶ୍ରମକୁ ଫେରି ଆସି ସମସ୍ତ ଘଟଣା ଶୁଣିବାପରେ ତାଙ୍କୁ ଆଶ୍ରମ ଛାଡ଼ିବାପାଇଁ ଅନୁମତି ଦେଇନଥିଲେ ବରଂ ତାଙ୍କୁ ବିଭିନ୍ନ କାର୍ଯ୍ୟରେ ସହାୟତା କରିବାପାଇଁ ସେ ଗୋବିନ୍ଦଙ୍କୁ ବମ୍ବେ ନେଇ ଯାଇଥିଲେ। କାରଣ ଗାନ୍ଧିଜୀଙ୍କର ଗୋବିନ୍ଦବାବୁଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଦୃଢ଼ବିଶ୍ୱାସ ରହିଥିଲା। ସେହି ଦିନଠାରୁ ଗୋବିନ୍ଦ ପ୍ରତ୍ୟକ୍ଷଭାବେ ଗାନ୍ଧିଜୀଙ୍କୁ ସହାୟତା କରିବାର ସୁଯୋଗ ଲାଭ କରିଥିଲେ। ୧୯୨୦ ମସିହାରେ ଆଉ ଏକ ଉଲ୍ଲେଖନୀୟ ଘଟଣା ଘଟିଥିଲା। ସେତେବେଳେ ପୁରୀ ଜିଲ୍ଲାର ଉପକୂଳ ଅଂଚଳରେ ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା। ଖାଦ୍ୟବିନା ବହୁ ଲୋକ ମୃତ୍ୟୁବରଣ କରିଥିଲେ। ଓଡ଼ିଶାର ଦୁର୍ଭିକ୍ଷ ପ୍ରପୀଡ଼ିତମାନଙ୍କ ସକାଶେ ସାହାଯ୍ୟ ପଠାଇବା ପାଇଁ ଗାନ୍ଧିଜୀଙ୍କୁ ଗୋବିନ୍ଦବାବୁ ଅନୁରୋଧ କରିଥିଲେ। କିନ୍ତୁ ଗାନ୍ଧିଜୀ ପଞ୍ଜାବ ଗୁଳିକାଣ୍ଡରେ ମୃତ୍ୟୁ ଲଭିଥିବା ମୃତକମାନଙ୍କ ପରିବାରକୁ ସାହାଯ୍ୟ ପାଇଁ ଚାନ୍ଦା ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତରହି ଗୋବିନ୍ଦଙ୍କ କଥାକୁ ମନଯୋଗ ଦେଇନଥିଲେ। ଗାନ୍ଧିଜୀଙ୍କ ଉଦାସୀନତାକୁ ଗୋବିନ୍ଦ ସହଜରେ ଗ୍ରହଣ କରିନଥିଲେ। ଦିନେ ଏପ୍ରେଲ ମାସର ପ୍ରବଳ ଗ୍ରୀଷ୍ମ ସମୟରେ ଗାନ୍ଧିଜୀ ଚାନ୍ଦା ସଂଗ୍ରହ ଶେଷକରି କ୍ଲାନ୍ତ ଅବସ୍ଥାରେ ବସାକୁ ଫେରିବା ବେଳେ ଓଡ଼ିଶା ଦୁର୍ଭିକ୍ଷ ଘଟଣା ପ୍ରତି ଅଣଦେଖା କରୁଥିବାରୁ ଗୋବିନ୍ଦ ନିଜର କ୍ଷୋଭ ପ୍ରକାଶ କରି ‘ଓଡ଼ିଶାରେ ଖାଦ୍ୟଭାବରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ପ୍ରତି ଆପଣଙ୍କ ସାମାନ୍ୟ ଅନୁଶୋଚନା ନାହିଁ’ ବୋଲି କହିଥିଲେ। ଏହା ସେହି ସମୟରେ ଗାନ୍ଧିଜୀଙ୍କୁ ଖୁବ୍ ଆଘାତ ଦେଇଥିଲା। ଗୋବିନ୍ଦଙ୍କ କଥାରେ ସେ ବିରକ୍ତି ପ୍ରକାଶ କରିଥିଲେ ମଧ୍ୟ ଗୋବିନ୍ଦ ନିଜ ବକ୍ତବ୍ୟରେ ଦୃଢ଼ ରହିଥିଲେ। ଅବଶ୍ୟ ପରକ୍ଷଣରେ ଗାନ୍ଧିଜୀ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ତୁରନ୍ତ ଓଡ଼ିଶା ଦୁର୍ଭିକ୍ଷ ସଂପର୍କରେ ଅନୁଧ୍ୟାନ କରିବା ସକାଶେ ଶ୍ରୀ ଅମୃତଲାଲ ଠକ୍କରଙ୍କୁ ଓଡ଼ିଶା ପଠାଇବା ସହିତ ଦୁର୍ଭିକ୍ଷଗ୍ରସ୍ତ ଅଞ୍ଚଳକୁ ସହାୟତା ରାଶି ପ୍ରେରଣ କରିଥିଲେ।
ଓଡ଼ିଶାର ପଲ୍ଲୀ ଅଞ୍ଚଳବାସୀଙ୍କ ସକାଶେ କାର୍ଯ୍ୟ କରିବାର ସିଦ୍ଧାନ୍ତ ଗ୍ରହଣ କରି ୧୯୨୪ ରେ ଗାନ୍ଧିଜୀଙ୍କ ବାରଣକୁ ନମ୍ରତାର ସହ ଏଡ଼ିଦେଇ ଗୋବିନ୍ଦ ସାବରମତୀ ଆଶ୍ରମ ଛାଡ଼ି ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ଗୋବିନ୍ଦଙ୍କ ରାଷ୍ଟ୍ରଭକ୍ତି କର୍ତ୍ତବ୍ୟନିଷ୍ଠା ଓ କର୍ମପ୍ରବଣତା ପ୍ରତି ଗାନ୍ଧିଜୀ ଅତ୍ୟନ୍ତ ଅନୁରକ୍ତ ଥିଲେ ଏବଂ ଶେଷ ପର୍ଯ୍ୟନ୍ତ ତାଙ୍କ ପ୍ରତି ଗାନ୍ଧିଜୀଙ୍କ ସ୍ନେହ ଓ ବିଶ୍ୱାସ ଅତୁଟ ରହିଥିଲା। ଏହି ମହାନ ଗାନ୍ଧିବାଦୀ ରାଷ୍ଟ୍ରଭକ୍ତ କର୍ମଯୋଗୀଙ୍କର ୧୯୬୬ ଏପ୍ରିଲ ୧୩ ତାରିଖ ବିଷୁବ ସଂକ୍ରାନ୍ତି ଅବସରରେ ଅଠସ୍ତରୀ ବର୍ଷ ବୟସରେ ପରଲୋକ ହୋଇଥିଲା। ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ସେହି ଅମରଆତ୍ମା ପ୍ରତି ଆମ୍ଭର ବିନମ୍ର ପ୍ରଣାମ।
ପ୍ରଫୁଲ୍ଲ କୁମାର ମିଶ୍ର
ବିପ୍ଳବୀ ଗୋବିନ୍ଦ ସ୍ମୃତି ପରିଷଦ, ଦଶପଲ୍ଲା
ମୋ.୭୯୭୮୮୯୩୨ ୨୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/5z4h654f6h5fshsffhf.jpg)