ମରୁଭୂମିର ଜାହାଜ ଭାବେ ପରିଚିତ ଓଟ ପିଠିରେ ରହିଥିବା କୁଜ ହିଁ ତାହାକୁ ଅନ୍ୟ ପ୍ରାଣୀଙ୍କ ଠାରୁ ସ୍ବତନ୍ତ୍ର କରିଥାଏ। ଭୂପୃଷ୍ଠରେ ପ୍ରାୟ ୪୫ ଲକ୍ଷ ବର୍ଷ ତଳୁ ଉତ୍ପତ୍ତି ହୋଇଥିବା ଏହି ସ୍ତନ୍ୟପାୟୀ ସମ୍ପର୍କରେ ଏମିତି ଏକ ବଦ୍ଧମୂଳ ଧାରଣା ରହିଛି ଯେ କୁଜ ନାହିଁ ତ ତାକୁ ଓଟ କୁହାଯିବନାହିଁ। ତେବେ ଏହି ବିଶେଷ ପ୍ରତ୍ୟଙ୍ଗ କୁଜ ସମ୍ପର୍କରେ ଅନେକ ରୋଚକ କଥା ରହିଛି। ପ୍ରଥମତଃ ପରିବେଶ ସହ ଖାପ ଖାଇ ଚଳିବା ପାଇଁ ବିବର୍ତ୍ତନ ପ୍ରକ୍ରିୟାରେ ଏହି କୁଜ ଓଟ ପିଠିରେ ଯୋଡ଼ି ହୋଇଯାଇଛି। ପ୍ରାଗୈତିହାସିକ କାଳରେ ମୁଖ୍ୟତଃ ଥଣ୍ଡା ଅଞ୍ଚଳରେ ଚଳୁଥିବା ଓଟର ଶରୀର ତାପମାତ୍ରାକୁ ସନ୍ତୁଳିତ କରିବାରେ ଏହି କୁଜ ସହାୟକ ହୋଇ ଆସିଛି। ଅନେକଙ୍କର ଧାରଣା ଯେ ବହୁ ଦିନ ଧରି ପାଣି ବିନା ଚଳିପାରୁଥିବା ଓଟ ତାହାର କୁଜରେ ଆବଶ୍ୟକ ପରିମାଣର ଜଳ ଗଚ୍ଛିତ କରି ରଖିଥାଏ। ମାତ୍ର ସେଥିରେ ଜଳ ନ ଥାଏ! ତାହା ସଂପୂର୍ଣ୍ଣ ତନ୍ତୁଯୁକ୍ତ ଓ ଚର୍ବିଳ। ଜଳର ଆବଶ୍ୟକତା ଭରଣା ପାଇଁ ଓଟ ଶରୀରର ଏକପ୍ରକାର ଅଣ୍ଡାକୃତି ରକ୍ତକୋଷ ସହାୟକ ହୋଇଥାଏ। ସେହିପରି ଖାଦ୍ୟାଭାବ ବେଳେ ସେହି କୁଜରେ ସଂରକ୍ଷିତ ଚର୍ବି ତରଳି ଆବଶ୍ୟକ ଶକ୍ତି ଯୋଗାଇଥାଏ। ଯେଉଁ ଓଟର କୁଜ ଯେତେ ବଡ଼, ତାହା ସେତେ ସୁସ୍ଥ ସବଳ ଭାବେ ପରିଗଣିତ ହୋଇଥାଏ। ତେଣୁ ଓଟ ବେପାରୀମାନେ କୁଜର ଆକୃତିକୁ ପରଖି ଓଟର ମୂଲ୍ୟ ନିର୍ଦ୍ଧାରଣ କରିଥା’ନ୍ତି। ସେହିପରି ଏହି କୁଜ ମରୁଭୂମିର ପ୍ରଚଣ୍ଡ ରୌଦ୍ରତାପକୁ ମଧ୍ୟ ଓଟର ଶରୀର ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp