ଚକ୍ଷୁ ମିଳନର ଆରୋଗ୍ୟକାରୀ ଶକ୍ତି

ପ୍ରତି ମୁହୂର୍ତ୍ତରେ ମଣିଷ ସଙ୍କ୍ରମିତ ହେଉଛି ଏବଂ ସ୍ୱାସ୍ଥ୍ୟ ମସସ୍ୟା ଭୋଗୁଛି। ଏଥିରୁ ମୁକ୍ତି ପାଇବାକୁ ରହିଛି ଅନେକ ଚିକିତ୍ସା ପଦ୍ଧତି। ସେଥିରୁ ଗୋଟିଏ ହେଉଛି ହୋଲିଷ୍ଟିକ୍‌। ପ୍ରାଚୀନ ବିଦ୍ୟା ହେଲେ ମଧ୍ୟ ଗତ କିଛି ବର୍ଷ ହେବ ଏହା ଖୁବ୍‌ ଜନପ୍ରିୟ ହୋଇପାରିଛି। ଏହି ଚିକିତ୍ସା ପ୍ରଣାଳୀରେ ଆଇ କଣ୍ଟାକ୍ଟ୍‌ ବା ଚକ୍ଷୁ ମିଳନ ଗୋଟାଏ ଗୁରୁତ୍ୱପୂର୍ଣ୍ଣ କୌଶଳ।

କାହାକୁ ଦେଖିବା କିଂବା କେହି ଆପଣଙ୍କୁ ଦେଖିବାରେ ହିଁ ରହିଥାଏ ଅଦ୍ଭୁତ ଆରୋଗ୍ୟକାରୀ ଗୁଣ। ତେଣୁ ‘ମୁଁ ଆପଣଙ୍କୁ ଦେଖୁଛି’ କେବଳ ତୁଚ୍ଛ କଥାଟିଏ ନୁହଁ, ଏହା ଅନୁଭବ ଏବଂ ବୁଝାମଣାର ଏକ ବନ୍ଧନ ଯାହା ଦୁଇ ବ୍ୟକ୍ତିଙ୍କୁ ପୂର୍ବାପେକ୍ଷା ଅଧିକ ଘନିଷ୍ଠ କରି ପକାଏ। କିନ୍ତୁ, କଥା ହେଲା ଜଣେ ଅନ୍ୟ ଜଣଙ୍କ ଆଖିକୁ କେତେ ଗଭୀର ଭାବରେ ଚାହୁଁଛି ଏବଂ ନିଜର ମନୋଭାବନାର ସ୍ରୋତକୁ ବିନା କାଣ୍ଟଛାଣ୍ଟରେ ଉନ୍ମୁକ୍ତ କରୁଛି। ଅର୍ଥାତ ଅସୁସ୍ଥ ବ୍ୟକ୍ତିଙ୍କ ଆଖିକୁ ଚାହିଁଲାବେଳେ ଜଣେ ନିଜ ଅନ୍ତରର ଭାବନାକୁ କେଡ଼େ ଅକୃତ୍ରିମ ଭାବେ ପ୍ରକାଶ କରୁଛି। ଏଇ ସାମାନ୍ୟ କଥାରେ ରହିଛି ଅସାଧାରଣ ଆରୋଗ୍ୟକାରୀ କ୍ଷମତା।


ଚକ୍ଷୁକୁ ଚାହିଁବା କଥା ଶହ ଶହ ବର୍ଷର ପୁରାତନ କୌଶଳ। ଏହା ବୌଦ୍ଧ ପରମ୍ପରା ଏବଂ ଅଧ୍ୟାତ୍ମିକ ମାନସିକତାରେ ମଧ୍ୟ ରହିଛି। ଚକ୍ଷୁମିଳନ ବା ଚକ୍ଷୁକୁ ଚାହିଁବା କାର୍ଯ୍ୟ ସାଧାରଣତଃ ୧ରୁ ୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥାଏ। ପୀଡ଼ିତଙ୍କୁ ନିରବ ରହି କିଛି ନୀତି ନିୟମ ପାଳନ କରିବାକୁ କୁହାଯାଇ ଥାଏ। କୋଠରିରେ କିଛି ଉତ୍ତମ ସଙ୍ଗୀତ ମଧ୍ୟ ବାଜୁଥାଏ।

ପ୍ରଥମେ ଏ କାର୍ଯ୍ୟ ସାମାନ୍ୟ ଅଶ୍ୱସ୍ତିକର ଲାଗିଲେ ମଧ୍ୟ ପରେ ଭଲ ଲାଗେ। ଶରୀର ହଠାତ୍‌ ଆରୋଗ୍ୟ ହୋଇଗଲା ପରି ଲାଗେ। ଭାବନ୍ତୁ, ଅଜ୍ଞାତ ବ୍ୟକ୍ତିଙ୍କ ସହ ଚକ୍ଷୁମିଳନର କ୍ଷମତା ଯଦି ଏତେ ପରିଚିତ ଲୋକଙ୍କ କ୍ଷେତ୍ରରେ ଏହା କେଡ଼େ ଆନନ୍ଦଦାୟୀ ନ ହେବ!

ସମ୍ବନ୍ଧିତ ଖବର