ହେଲଥ୍‌ କନ୍‌କ୍ଲେଭ୍‌ର ଦ୍ବିତୀୟ ଅଧିବେଶ‌ନରେ ‘ଜୀବନଶୈଳୀ ଓ ମଧୁମେହ’ ବିଷୟରେ ବିଷେଶଜ୍ଞମାନେ ମତ ରଖିଥିଲେ। ମଧୁମେହ ରୋଗ ବିଶେଷଜ୍ଞ ଡା. ସୁରଜିତ୍‌ ପାତ୍ର କହିଲେ, ଅସନ୍ତୁଳିତ ଜୀବନଶୈଳୀ ପାଇଁ ଭାରତରେ ଅଧିକାଂଶ ଲୋକଙ୍କୁ ମଧୁମେହ ରୋଗ ହେଉଛି। ଅସନ୍ତୁଳିତ ଖାଦ୍ୟ ଖାଇବା, ଠିକ୍‌ ସମୟରେ ଓ ଆବଶ୍ୟକ ପରିମାଣ‌ରେ ନ ଶୋଇବା ଓ ମାନସିକ ଚାପ ପରିଚାଳନା କରି ନ ପାରିବା ମଧୁମେହ ହେବାର ପ୍ରମୁଖ କାରଣ। ମଧୁମେହ ରୋଗ ହେବାର କୌଣସି ବୟସ ନାହିଁ। ଛୋଟ ପିଲାଙ୍କୁ ମଧ୍ୟ ଟାଇପ୍‌-୧ ମଧୁମେହ ହେଉଛି। ଆଜିକାଲି ପ୍ରାକ୍‌ ମଧୁମେହ ମଧ୍ୟ ଅନେକଙ୍କ ଠାରେ ଦେଖା ଦେଉଛି। କିଛି ମାସ ଅନ୍ତରରେ ରକ୍ତ ପରୀକ୍ଷା କରି ଏଚ୍‌ବିଏୱାନ୍‌ସି ୫.୭ ରୁ ଭିତରେ ରହିଛି କି ନାହିଁ ପରୀକ୍ଷା କରନ୍ତୁ। ଏଥିସହ ସନ୍ତୁଳିତ ଖାଦ୍ୟ, ଆବଶ୍ୟକ ବିଶ୍ରାମ, ନିୟମିତ ବ୍ୟାୟାମ, ଚାପମୁକ୍ତ ରହି ପାରିଲେ ମଧୁମେହ ରୋଗ ଛୁଇଁବ ନାହିଁ। 

Advertisment

ଫିଜିଓଥେରାପିଷ୍ଟ ଡା.ଅଂଶୁମାନ ଦାସ ଯୋଗଦେଇ କହିଲେ, ବହୁତ କମ୍‌ ବୟସରୁ ପିଲାମାନଙ୍କଠାରେ ମଧୁମେହ ରୋଗ ‌ଦେଖାଦେଉଛି। ପୂର୍ବ ସମୟରେ ପିଲାମାନେ ସାଙ୍ଗସାଥୀଙ୍କ ସହ ବାହାରେ ଖେଳୁଥିଲେ। କିନ୍ତୁ ଏବେ ଅଭିଭାବକମାନେ ପିଲାଙ୍କୁ ବାହାରକୁ ଛାଡ଼ୁ ନାହାନ୍ତି। ଅଥଚ ମା’ମାନେ ପିଲାଙ୍କୁ ଭଲ ଭଲ ଖାଇବାକୁ ଦେଉଛନ୍ତି। ଅଧିକ ପୋଷଣ ଓ ଶାରୀରିକ ପରିଶ୍ରମ ହେଉ ନ ଥିବାରୁ ପିଲାମାନେ ମଧୁମେହ ରୋଗର ଶିକାର ହେଉଛନ୍ତି। ଆଜି କୃତ୍ରିମ ବୁଦ୍ଧିମତା (ଏଆଇ) ଯୁଗରେ ଅଧିକାଂଶ ଶାରୀରିକ ପରିଶ୍ରମ କରୁନାହାନ୍ତି। ଅଫିସ୍‌ରେ ଡେକ୍ସ ଜବ୍‌ ହିଁ ମଧୁମେହର ଆଉ ଏକ ବଡ଼ କାରଣ। ତେବେ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଜୀବନ ଶୈଳୀକୁ ଠିକ୍‌ ଭାବେ ପରିଚାଳନା କରିବାକୁ ପଡ଼ିବ। କାମ ବାହାନାରେ ବିଳମ୍ବରେ ଶୋଇବା, ସକାଳ ଜଳଖିଆ ନ ଖାଇବା, ଅଧିକ ପ୍ୟାକେଟ୍‌ ଖାଦ୍ୟ ଓ କୋଲ୍‌ଡ ଡ୍ରିଙ୍କସ୍‌ ପିଇବା, ଶାରୀରିକ ବ୍ୟାୟାମ ନ କରିବା, ଚାପଗ୍ରସ୍ତ ରହିବା ଦ୍ବାରା ମଧୁମେହ ହେଉଛି। କିଛି ମାସ ଅନ୍ତରରେ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ରକ୍ତ ପରୀକ୍ଷା କରିବା ଆବଶ୍ୟକ। ସ୍ବସ୍ତିକା ପଣ୍ଡା ଏହି ଅଧିବେଶନକୁ ପରିଚାଳନା କରିଥିଲେ।