ଚତୁର୍ଥ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଶ୍ବାସକ୍ରିୟା ଓ ହୃଦୟର ସମ୍ପର୍କ’। ଏଥିରେ ମତ ରଖି ଡା. ବିଶ୍ବଜିତ ମହାପାତ୍ର କହିଲେ, ଫୁସ୍ଫୁସ୍ ଓ ହୃଦୟ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଗୋଟିଏ ଅଙ୍ଗ ଅସୁସ୍ଥ ହେଲେ ଅନ୍ୟଟି ଅସୁସ୍ଥ ହେବା ସ୍ବାଭାବିକ। ଅତ୍ୟଧିକ ପରିମାଣରେ ଲୁଣ ଓ ମିଠା ଖାଇବା ଦ୍ବାରା ଶରୀରରେ ସମସ୍ୟା ଦେଖାଯାଉଛି। ପ୍ୟାକେଟ୍ ଖାଦ୍ୟ ଓ ପାନୀୟରେ ମାତ୍ରାଧିକ ଲୁଣ, ଚିନି, ପାମ୍ ଅଏଲ, ମଇଦା ଓ ରାସାୟନିକ ସମଗ୍ରୀର ବ୍ୟବହାର ହେଉଛି। ଛୋଟ ବେଳୁ ପିଲାଙ୍କୁ ଏହାର ଅଭ୍ୟାସ କରିଦିଆଯାଉଛି। ଏବେ ଯୁବାବସ୍ଥାରେ ହୃଦ୍ଘାତ ସମସ୍ୟା ବଢ଼ିଛି। ୨୫ରୁ ୪୫ ବର୍ଷ ବୟସର ବ୍ୟକ୍ତି ଅଧିକ ହୃଦ୍ଘାତର ଶିକାର ହେଉଛନ୍ତି। ମଦ୍ୟପାନ ଓ ଧୂମପାନ ହୃଦ୍ ସମସ୍ୟାର ଆଉ ଏକ କାରଣ।
ଖାଇବାରେ ଲୁଣ ଓ ଚିନି ଯଥା ସମ୍ଭବ କମ୍ କରିବା, ମଦ୍ୟ ଓ ଧୂମପାନକୁ ବନ୍ଦ କରିବା, ପ୍ରତିଦିନ ଶାରୀରିକ ପରିଶ୍ରମ କରିବା ହେଉଛି ଏଥିରୁ ମୁକ୍ତି ପାଇବାର ମାଧ୍ୟମ। ଡା. ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀ କହିଲେ, ଫୁସ୍ଫୁସ୍ କର୍କଟ ଓ ହୃଦ୍ରୋଗ ବହୁତ ମାତ୍ରାରେ ବଢ଼ିଛି। ଫୁସ୍ଫୁସ୍ ସଂକ୍ରମଣ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଦେହରେ ଥଣ୍ଡା ଓ କଫ ଥିଲେ ଶ୍ବାସକ୍ରିୟାରେ ସମସ୍ୟା ହୁଏ। ବାୟୁ ପ୍ରଦୂଷଣ ପାଇଁ ମଧ୍ୟ ଶ୍ବାସକ୍ରିୟାରେ ସମସ୍ୟା ହୋଇଥାଏ। କଳ କାରଖାନା, ଧୂଳି, ଧୂଆଁ, ଘରେ ଚୁଲିରେ ରାନ୍ଧିବା ଓ ଘରେ ମଶାଧୂପ ଦେଇ କବାଟ ବନ୍ଦ କରି ଶୋଇବା ଯୋଗୁଁ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିଥାଏ। ପୂର୍ବରୁ ଫୁସ୍ଫୁସ୍ର ଭିତର ଅଂଶ ସାମାନ୍ୟ ଗୋଲାପି ରଙ୍ଗ ରହୁଥିଲା। କିନ୍ତୁ ଏବେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଛି ଯେ ଧୂମପାନ ନ କଲେ ମଧ୍ୟ ଫୁସ୍ଫୁସ୍ ଧୂଷର ରଙ୍ଗ ପାଲଟିଯାଉଛି। ନିୟମିତ ବ୍ୟାୟାମ, ଯୋଗ ଦ୍ବାରା ନିଜକୁ ସୁରକ୍ଷିତ ରଖିପାରିଲେ ହୃଦୟର ଆୟୁଷ ବଢ଼ିପାରିବ।