ଭେଷଜ ବିଜ୍ଞାନରେ ମହିଳାଙ୍କ ପ୍ରଜନନ ନଳୀ ଦେଇ ଡିମ୍ବାଣୁ ପର୍ଯ୍ୟନ୍ତ ଶୁକ୍ରାଣୁର ପହଞ୍ଚିବା ଏବଂ ତାହାକୁ ନିଷିକ୍ତ କରିବା ଲାଗି ସଠିକ୍‌ ଭାବରେ ପହଁରି ପାରିବାର କ୍ଷମତାକୁ ଶୁକ୍ରାଣୁର ଗତିଶୀଳତା କୁହାଯାଏ। ସ୍ବାଭାବିକ ଭାବେ ଜଣେ ପ୍ରଜନନକ୍ଷମ ପୁରୁଷ ପାଇଁ ଏକ ମିଲିଲିଟର ବୀର୍ଯ୍ୟରେ ସାଢ଼େ ୧୨ କୋଟି ଶୁକ୍ରାଣୁ ରହିବା ଆବଶ୍ୟକ। ତେବେ  ଦୁର୍ବଳ ବା କମ୍‌ ପହଁରି ପାରୁଥିବା ଶୁକ୍ରାଣୁ ବହନ କରୁଥିବା ପୁରୁଷଙ୍କ ତୁଳନାରେ ଅଧିକ ସକ୍ରିୟ ଶୁକ୍ରାଣୁ ଥିବା ପୁରୁଷମାନେ ଅଧିକ ଦିନ ବଞ୍ଚନ୍ତି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଏହି ଅଧ୍ୟୟନରେ ପ୍ରାୟ ୮୦,୦୦୦ ଜଣ ପୁରୁଷଙ୍କୁ ୫୦ ବର୍ଷ ଧରି ପର୍ଯ୍ୟବେକ୍ଷଣ କରାଯାଇଥିଲା। 

Advertisment

ସେଥିରୁ ସ୍ପଷ୍ଟ ହୋଇଛି ଯେ, ପ୍ରତି ମିଲିଲିଟର ବୀର୍ଯ୍ୟରେ ୧୨ କୋଟିରୁ ଅଧିକ ଗତିଶୀଳ ଶୁକ୍ରାଣୁ ଥିବା ପୁରୁଷମାନେ ମୋଟ ୫୦ ଲକ୍ଷ ମଧ୍ୟରେ ଗତିଶୀଳ ଶୁକ୍ରାଣୁ ଥିବା ପୁରୁଷମାନଙ୍କ ତୁଳନାରେ ହାରାହାରି ୨.୭ ବର୍ଷ ଅଧିକ ବଞ୍ଚିବାର ଆଶା କରାଯାଏ। ‘ହ୍ୟୁମାନ୍‌ ରିପ୍ରଡକ୍ସନ’ ପତ୍ରିକାରେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ପ୍ରକାଶ ପାଇଛି। ଡେନ୍‌ମାର୍କର କୋପେନ୍‌ହେଗେନ୍‌ ବିଶ୍ବବିଦ୍ୟାଳୟ ଡାକ୍ତରଖାନାର ପ୍ରଜନନ ଓ ବୃଦ୍ଧି ବିଭାଗ ଗବେଷକମାନେ ଶୁକ୍ରାଣୁର ଗୁଣବତ୍ତା ଓ ଦୀର୍ଘ ଆୟୁଷ ମଧ୍ୟରେ ସମ୍ପର୍କ ଅନୁସନ୍ଧାନ କରିବା ପାଇଁ ୧୯୬୫ ମସିହାରୁ ୨୦୧୫ ମସିହା ମଧ୍ୟରେ କୋପେନହେଗେନ୍‌ର ସାର୍ବଜନୀନ ପରୀକ୍ଷାଗାରରେ ବନ୍ଧାତ୍ବ କାରଣରୁ ବୀର୍ଯ୍ୟ ବିଶ୍ଳେଷଣ କରିଥିବା ୭୮,୨୮୪ ଜଣ ପୁରୁଷଙ୍କ ତଥ୍ୟକୁ ତର୍ଜମା କରିଥିଲେ। ଏହି ମୂଲ୍ୟାୟନ ବେଳେ ବୀର୍ଯ୍ୟ ପରିମାଣ, ଶୁକ୍ରାଣୁ ସାନ୍ଦ୍ରତା ଏବଂ ଗତିଶୀଳ ଓ ସାଧାରଣ ଆକାରର ଶୁକ୍ରାଣୁର ଅନୁପାତକୁ ବିଶ୍ଳେଷଣ କରାଯାଇଥିଲା। ଡେନ୍‌ମାର୍କର ଅନନ୍ୟ ଜାତୀୟ ପଞ୍ଜିକାରେ ଥିବା ତଥ୍ୟକୁ ବିଶ୍ଳେଷଣ କରି ଗବେଷକମାନେ ଅନୁସରଣ ଅବଧିରେ କେତେ ଜଣଙ୍କର କୌଣସି କାରଣ ଯୋଗୁଁ ମୃତ୍ୟୁ ହୋଇଛି, ତାହା ଦେଖିଥିଲେ। ସେଥି ମଧ୍ୟରୁ ୮,୬୦୦ ଜଣ ବା ପ୍ରାୟ ୧୧ ପ୍ରତିଶତ ପୁରୁଷଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ସେମାନଙ୍କ ମୃତ୍ୟୁ ସହିତ ଶୁକ୍ରାଣୁର ଗୁଣବତ୍ତାର ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି। ତେଣୁ ଶୁକ୍ରାଣୁର ଗୁଣବତ୍ତା ସହିତ ପୁରୁଷଙ୍କ ସ୍ବାସ୍ଥ୍ୟ ଜଡ଼ିତ ବୋଲି ଗବେଷକମାନେ ଅନୁମାନ କରୁଛନ୍ତି।