ପୃଥିବୀର ପ୍ରାୟ ସମସ୍ତଙ୍କ ପାଇଁ ନଦୀ, ଝରଣା କି ହ୍ରଦ ପରି ମଧୁର ଜଳ ଉତ୍ସ ଉପଲବ୍ଧ ନୁହେଁ। ତେଣୁ ବିଶ୍ବର ପ୍ରାୟ ୨୫ ପ୍ରତିଶତ ଲୋକ ନିଜର ଜୀବନଧାରଣ ପାଇଁ ଭୂତଳ ଜଳ ଉପରେ ନିର୍ଭରଶୀଳ। ତେବେ ତାପମାତ୍ରା ବଢ଼ିବା ଯୋଗୁଁ ଏହି ଭୂତଳ ଜଳ ଧୀରେଧୀରେ ବିଷାକ୍ତ ହୋଇଯିବା କାରଣରୁ ଚଳିତ ଶତାବ୍ଦୀର ଶେଷ ଆଡ଼କୁ କୋଟିକୋଟି ଲୋକ ସାଧାରଣ ଜଳଯୋଗାଣରୁ ବଞ୍ଚିତ ହେବେ ବୋଲି ଏକ ଆନ୍ତର୍ଜାତିକ ଗବେଷକ ଦଳ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅଷ୍ଟ୍ରେଲିଆର ଚାର୍ଲସ ଡାର୍ଵିନ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ବିଭିନ୍ନ ଉଷ୍ମ ସ୍ଥିତିରେ ବିଶ୍ବର ଭୂତଳ ଜଳ ଉତ୍ସର ତାପମାତ୍ରା ପରିବର୍ତ୍ତନକୁ ଆକଳନ କରିବା ପାଇଁ ଏକ ମଡେଲ୍ ପ୍ରସ୍ତୁତ କରିଛନ୍ତି। ସବୁଠୁ ଖରାପ ପରିସ୍ଥିତିରେ ୨୧୦୦ ମସିହାରେ ପାଖାପାଖି ୫୯ କୋଟି ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ ବୋଲି ସେମାନେ ଆକଳନ କରିଛନ୍ତି। ମାତ୍ର ପରିତାପର ବିଷୟ, ବୈଶ୍ବିକ ତାପମାତ୍ରା ବୃଦ୍ଧି ବା ଜଳବାୟୁ ପରିବର୍ତ୍ତନ କିପରି ଗ୍ରୀଷ୍ମ ଲହରି, ବରଫ ତରଳିବା ଓ ସମୁଦ୍ର ପତନ ବୃଦ୍ଧି ଆଦିକୁ ପ୍ରଭାବିତ କରିଥାଏ, ସେ ବାବଦରେ ଆମେ ତର୍ଜମା କରୁଥିବା ବେଳେ ଭୂତଳ ଜଳ ଉପରେ ଏହାର ପ୍ରଭାବକୁ ଆମେ କମ୍ ଗୁରୁତ୍ବ ଦେଇଥାଉ। କିନ୍ତୁ ବାସ୍ତବରେ ଭୂତଳ ଜଳର ତାପମାତ୍ରା ଏକ ବା ଦୁଇ ଡିଗ୍ରି ବଢ଼ିଗଲେ ପରିବେଶରୁ ଅମ୍ଳଜାନ ହରଣ ହେବା, ପାଣିରେ ବିପଜ୍ଜନକ ବୀଜାଣୁ ଅଭିବୃଦ୍ଧି ସୁଗମ ହେବା କିମ୍ବା ପାଣିରେ ଆର୍ସେନିକ ଓ ମାଙ୍ଗାନିଜ ଭଳି ଭାରୀ ଧାତୁ ଅତ୍ୟଧିକ ମାତ୍ରାରେ ଦ୍ରବୀଭୂତ ହେବା ଭଳି ଭୟଙ୍କର ପରିଣାମ ଦେଖାଦେଇପାରେ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି।
ତାପମାତ୍ରା ବୃଦ୍ଧି ଯୋଗୁଁ ଭୂତଳ ଜଳ ଧୀରେଧୀରେ ବିଷାକ୍ତ ହୋଇଯିବା କାରଣରୁ ୨୧୦୦ ମସିହା ବେଳକୁ କୋଟିକୋଟି ଲୋକ ନିରାପଦ ପାନୀୟ ଜଳରୁ ବଞ୍ଚିତ ହେବେ ବୋଲି ଏକ ଆନ୍ତର୍ଜାତିକ ଗବେଷକ ଦଳ ଆଶଙ୍କା ବ୍ୟକ୍ତ କରିଛନ୍ତି।
ତାପମାତ୍ର ବଢ଼ାଉଛି ବଜ୍ରପାତ
ତାପମାତ୍ରା ବୃଦ୍ଧି ଜନିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଜ୍ରପାତ ଓ ତଦ୍ଜନିତ କ୍ଷୟକ୍ଷତି ବୃଦ୍ଧି ପାଉଛି ବୋଲି ବିଶ୍ବସ୍ତରୀୟ ବୈଜ୍ଞାନିକମାନେ କହିଛନ୍ତି। ଭାରତ ସମେତ ସମଗ୍ର ପୃଥିବୀରେ ଦିନକୁ ଦିନ ଅଧିକରୁ ଅଧିକ ବଜ୍ରପାତ ହେଉଥିବା ଲୋକେ ଅନୁଭବ କରୁଥିବା ବେଳେ ତାପମାତ୍ରା ବୃଦ୍ଧି ଯୋଗୁଁ ଏପରି ଘଟୁଥିବାର ଅନୁମାନ କରାଯାଉଛି। କାରଣ ସେଥିଯୋଗୁଁ ଅଧିକ ବଜ୍ରପାତ ସୃଷ୍ଟିକାରୀ ମେଘ ସୃଷ୍ଟି ହେଉଥିବା କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରାଳୟର ପ୍ରାକ୍ତନ ସଚିବ ମାଧବନ୍ ନାୟର ରାଜୀବନ୍ କହିଛନ୍ତି। ତାଙ୍କ କହିବା କଥା, ବଜ୍ରପାତ ସାଧାରଣତଃ ବିଶାଳ ଆଲମ୍ବ ବିସ୍ତାରଯୁକ୍ତ ଗଭୀର ମେଘଖଣ୍ଡ ସହ ଜଡ଼ିତ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବାୟୁର ଆର୍ଦ୍ରତା ଧାରଣ କ୍ଷମତା ବଢ଼ିବା ସହ ସେଭଳି ଅଧିକ ବଜ୍ରପାତକାରୀ ମେଘ ସୃଷ୍ଟି ହୋଇଥାଏ। ସେହିପରି ଭୂପୃଷ୍ଠର ତାପମାତ୍ରା ଯେତେ ବଢ଼ିବ, ବାୟୁ ସେତିକି ହାଲୁକା ହେବା ସହ ସେତେ ଅଧିକ ଉପରକୁ ଉଠିବ। ତେଣୁ ତାପମାତ୍ରା ବୃଦ୍ଧି ସହ ବଜ୍ରପାତ ହେବାର ଅଧିକ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡି. ଏସ୍. ପାଇ କହିଛନ୍ତି। ମୋଟାମୋଟି ତାପମାତ୍ରା ଭାବେ ଏକ ଡିଗ୍ରି ସେଲ୍ସିଅସ୍ ବଢ଼ିଲେ ବାୟୁର ଆର୍ଦ୍ରତା ଧାରଣ କ୍ଷମତା ୭ ପ୍ରତିଶତ ବଢ଼ିଯିବ ଏବଂ ବଜ୍ରପାତ ଘଟଣା ୧୨ ପ୍ରତିଶତ ବଢ଼ିଯିବ ବୋଲି ପାଣିପାଗ ବିଭାଗର ପ୍ରାକ୍ତନ ଅଧ୍ୟକ୍ଷ କେ. ଜେ. ରମେଶ କହିଛନ୍ତି।