ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ସ୍କ୍ରୋଲ୍ କରିବା ସମୟରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଉପକରଣ ଦ୍ୱାରା ପ୍ରସ୍ତୁତ ଅସଂଖ୍ୟ ଡିପ୍‌ଫେକ୍(ଅତି ନକଲି) ଭିଡିଓ ଦେଖିବାକୁ ମିଳୁଛି। ତେବେ ଓପନ୍‌ଏଆଇର ‘ସୋରା’ ଭଳି ପ୍ଲାଟ୍‌ଫର୍ମଗୁଡ଼ିକ ନକଲି ଭିଡିଓକୁ ଏଭଳି ବାସ୍ତବ ଶୈଳୀରେ ଉପସ୍ଥାପନା କରିବାରେ ସୁଦକ୍ଷ ଯେ ଲୋକେ ମୃତ ସେଲିବ୍ରିଟି ଓ ଐତିହାସିକ ବ୍ୟକ୍ତିତ୍ୱଙ୍କର ବିଚିତ୍ର ଓ ଆପତ୍ତିଜନକ ପରିସ୍ଥିତିରେ ନକଲି ଭିଡିଓ ପ୍ରସ୍ତୁତ କରି ସେୟାର କରି ଚାଲିଛନ୍ତି। ଏପରିକି ଡକ୍ଟର ମାର୍ଟିନ୍ ଲୁଥର କିଙ୍ଗ୍ ଜୁନିଅରଙ୍କ ଭଳି ଦିବଂଗତ ବ୍ୟକ୍ତିତ୍ୱଙ୍କ ପରିବାର ବାଧ୍ୟ ହୋଇ ଏଆଇ ଫାର୍ମଗୁଡ଼ିକୁ ତାଙ୍କର ଭିଡିଓ ପ୍ରସ୍ତୁତିକୁ ନିଷିଦ୍ଧ କରିବା ଲାଗି ଆବେଦନ କରିଛନ୍ତି। ତେବେ ଡିପ୍‌ଫେକ୍‌ ଭିଡିଓର ଆଉ ଏକ ଲୁକ୍କାୟିତ ନକାରାତ୍ମକ ଦିଗ ବାବଦରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର କେଭିନ୍ ଗ୍ରେକ୍‌ଶ୍ଚ ଚେତାବନୀ ଦେଇଛନ୍ତି, ତାହା ହେଉଛି ପାରିବେଶିକ କ୍ଷତି।

Advertisment

ଏଆଇ ଆପ୍‌ର ସୁଲଭତା ଯୋଗୁଁ ସାମାଜିକ ଗଣମାଧ୍ୟମରେ ଡିପ୍‌ଫେକ୍‌ ଭିଡିଓର ବନ୍ୟା ସୃଷ୍ଟି ହୋଇଛି। ସେଗୁଡ଼ିକୁ ପ୍ରସ୍ତୁତ କରୁଥିବା ଡାଟା ସେଣ୍ଟର୍‌ ପରିବେଶର ପ୍ରଭୂତ କ୍ଷତି କରୁଛି।

ନୂତନ ଏଆଇ ଆପ୍‌ର ସୁଲଭତା ଯୋଗୁଁ ସାମାଜିକ ଗଣମାଧ୍ୟମରେ ସେଥିରୁ ସୃଷ୍ଟ ଡିପ୍‌ଫେକ୍‌ ଭିଡିଓର ଏକପ୍ରକାର ବନ୍ୟା ସୃଷ୍ଟି ହୋଇଛି। ଚଳିତ ମାସ ପ୍ରାରମ୍ଭରେ, ‘ସୋରା’ ଆପ୍‌ ପାଞ୍ଚ ଦିନରୁ କମ୍ ସମୟ ମଧ୍ୟରେ ଦଶ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ ହୋଇଥିଲା। ଏହି  ଆପ୍ ଏବେ ବି ଆମେରିକାରେ ଆପଲ୍‌ ଆପ୍‌ ଷ୍ଟୋର ତାଲିକାର ଶୀର୍ଷରେ ଅଛି। ତେବେ ଡକ୍ଟର ଗ୍ରେକ୍‌ଶ୍ଚଙ୍କ ବ୍ୟାଖ୍ୟାନୁସାରେ, ଉକ୍ତ ଭିଡିଓଗୁଡ଼ିକ ଆମ ଫୋନ୍‌ରେ ପ୍ରସ୍ତୁତ ହୋଇ ନଥାଏ। ସେଗୁଡ଼ିକ ବିଶ୍ବର କୌଣସି ସ୍ଥାନରେ ଅବସ୍ଥିତ କୌଣସି ଡାଟା ସେଣ୍ଟରରେ ଉତ୍ପାଦିତ ହୋଇଥାଏ। ପ୍ରଥମ କଥା ହେଲା, ଏଭଳି ଭିଡିଓ ପ୍ରସ୍ତୁତି ପ୍ରକ୍ରିୟାରେ ପ୍ରଚୁର ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ ହୋଇଥାଏ ଏବଂ ଦ୍ୱିତୀୟତଃ ଏହା ପ୍ରଚୁର ପାଣି ମଧ୍ୟ ବ୍ୟବହାର କରେ। ଡାଟା ସେଣ୍ଟରଗୁଡ଼ିକ ସର୍ଭରଗୁଡ଼ିକୁ ଥଣ୍ଡା କରିବା ପାଇଁ ପ୍ରଚୁର ପରିମାଣର ମଧୁର ଜଳ ବ୍ୟବହାର କରିଥା’ନ୍ତି। ମାତ୍ର ବ୍ୟବହାରକାରୀମାନେ ଏ ନେଇ ସଚେତନ ନୁହନ୍ତି। ତେଣୁ ଏଆଇ ଭିଡିଓ ପ୍ରସ୍ତୁତିକାରୀ ଆପ୍‌ ବ୍ୟବହାର କରିବା ବେଳେ ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ ଆମେ ଏହାକୁ କ’ଣ ପାଇଁ, କିପରି ଏବଂ କେତେ ଥର ବ୍ୟବହାର କରୁଛୁ। ସେହିପରି ଡାଟା ସେଣ୍ଟରଗୁଡ଼ିକ କେଉଁଠି ରହିଛି ଏବଂ ସେଗୁଡ଼ିକୁ  କିପରି ଥଣ୍ଡା କରାଯାଉଛି, ସେ ବିଷୟରେ ଅଧ୍ୟୟନ କରିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି।