ଭେନେଜୁଆଲର ‘ଟାୱାର ଅଫ୍ ଡେଭିଡ୍’ ନାମକ ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକା ଏକଦା ଏକ ପଞ୍ଚତାରକା ହୋଟେଲ ଓ ବିଳାସମୟ ବାସଭବନ ପାଇଁ ଉଦ୍ଦିଷ୍ଟ ଥିଲା। ତେବେ ସମୟାନୁକ୍ରମେ ରାଜଧାନୀ କାରାକାସର କେନ୍ଦ୍ରସ୍ଥଳରେ ନିର୍ମିତ ୪୫ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାଟି ବିଶ୍ବର ଉଚ୍ଚତମ ବସ୍ତିରେ ପରିଣତ ହୋଇଛି। ସେଠାରେ ଏବେ ପ୍ରାୟ ୩,୦୦୦ ଅସହାୟ ନିଃସ୍ବ ଲୋକ ରହୁଛନ୍ତି।
ସୂଚନାନୁଯାୟୀ, ଭେନେଜୁଆଲାର ବିଭିନ୍ନ ଅର୍ଥନୈତିକ ବ୍ୟାପାରର ମୁଖ୍ୟ କାର୍ଯ୍ୟାଳୟ ଭାବେ ୧୯୯୦ରେ ଉକ୍ତ ଅଟ୍ଟାଳିକାର ନିର୍ମାଣ ଆରମ୍ଭ ହୋଇଥିଲା। ତେବେ ଏହାର ପ୍ରାଥମିକ ନିବେଶକଙ୍କର ୧୯୯୩ରେ ପରଲୋକ ଘଟିବା ପରେ ସରକାର ଉକ୍ତ ନିର୍ମାଣାଧୀନ ଅଟ୍ଟାଳିକାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ମାତ୍ର ନିର୍ମାଣ ସଂପୂର୍ଣ୍ଣ କରିପାରିନଥିଲେ। ସେଥିଯୋଗୁଁ ଏହାର ୬ଟି କୋଠାର ଶିଡ଼ି, ବିଦ୍ୟୁତ୍, ପାଣି, ଝରକା ଆଦି ସାଧାରଣ ସୁବିଧା ସଂପୂର୍ଣ୍ଣ ହୋଇପାରିନଥିଲା ଏବଂ ତାହା ଖାଲି ପଡ଼ିଥିଲା।
୧୯୯୮ରେ ରାଷ୍ଟ୍ରପତି ହ୍ୟୁଗୋ ସ୍ୟାଭେଜ୍ ଗରିବ ଲୋକମାନଙ୍କୁ ସେଠାରେ ବିନା ପାଉଣାରେ ମାଲିକ ଭଳି ରହିବାକୁ ଉତ୍ସାହିତ କରିଥିଲେ। ଫଳରେ ଲୋକେ ସେଠାରେ ରହିବା ଆରମ୍ଭ କରିଥିଲେ ଏବଂ ୨୦୦୭ ବେଳକୁ ତାହା ଜନଗହଳିପୂର୍ଣ୍ଣ ହୋଇଯାଇଥିଲା। ବାସିନ୍ଦାମାନେ ନିଜ ଉଦ୍ୟମରେ ଓ ନିଜ ଢଙ୍ଗରେ କୋଠାକୁ ଖୋଳିତାଡ଼ି ବିଦ୍ୟୁତ୍ ଓ ଜଳସଂଯୋଗ ଆଦି ବ୍ୟବସ୍ଥା କରିବା ସହ ଦୋକାନଗୃହ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାସୁଯୋଗ ଖଞ୍ଜିଦେଲେ। ପ୍ରତି ମହଲାରେ ୫୦ଟି ପରିବାର କରି ୨୨ଟି ମହଲାକୁ ସେମାନେ ବାସଯୋଗ୍ୟ କରି ରହିଲେ। ଏଲ୍ ନିନୋ ନାମକ ଜଣେ ଡନ୍ ପିଲାମାନଙ୍କୁ ବଟି ଆଦାୟରେ ଲଗାଇ ଅର୍ଥ ସଂଗ୍ରହ କରୁଥିଲା। ୨୦୧୪ରେ ଉକ୍ତ ଅଟ୍ଟାଳିକାଟି ବିପଦପୂର୍ଣ୍ଣ ଓ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଦର୍ଶାଇ ସରକାର ଲୋକମାନଙ୍କୁ ସେଠାରୁ ନେଇ ଅନ୍ୟତ୍ର ଥଇଥାନ କରିବା ଆରମ୍ଭ କରିଥିଲେ। ଏହା ସତ୍ତ୍ବେ ଆଜି ବି ସେଠାରେ ବେସାହାରା ଲୋକମାନେ ବସବାସ କରୁଛନ୍ତି।