ପଶ୍ଚିମବଙ୍ଗର ଦୀଘାରେ ନିକଟରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରର ବିଗ୍ରହ ଓ ‘ଜଗନ୍ନାଥ ଧାମ’ ଭାବେ ଏହାର ନାମକରଣକୁ ନେଇ ବିବାଦ ଓ ଆରୋପ ପ୍ରତ୍ୟାରୋପ ଜୋର୍‌ ଧରିଛି। ଇତିମଧ୍ୟରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି  ବିବାଦ ସଂପର୍କରେ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣେ ଦୀଘାରେ ମନ୍ଦିର ପ୍ରତିଷ୍ଠା ଉତ୍ସବରୁ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଓଡ଼ିଶା ଫେରି ନବକଳେବରରୁ ବଳକା ଦାରୁରେ ବିଗ୍ରହ ହୋଇନାହାନ୍ତି ବୋଲି ସଫେଇ ଦେଇଛନ୍ତି। ସେପଟରେ ଗୋବର୍ଦ୍ଧନ ପୀଠ ଆଦିତ୍ୟବାହିନୀର ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର ଏଭଳି କାର୍ଯ୍ୟକୁ ଘୋର ବିରୋଧ କରିଛନ୍ତି। ଏଭଳି ବାଦବିବାଦ ମଧ୍ୟରେ ସାମ୍ନାସାମ୍ନି ହୋଇଛନ୍ତି ରାମକୃଷ୍ଣ ଦାସ ମହାପାତ୍ର ଓ ମାତୃପ୍ରସାଦ ମିଶ୍ର।

Advertisment

ଆପଣଙ୍କ ଉପସ୍ଥିତିରେ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କୁହାଗଲା କେମିତି? ପବିତ୍ର ନୀଳାଚଳ ଧାମ ଆଦିଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ସଂସ୍ଥାପିତ ହୋଇଛି। ଦୀଘାରେ ଜଗନ୍ନାଥ ଧାମ ନିର୍ମାଣ ଏକ ବାଚାଳତା ନୁହେଁ କି?
ମୁଁ  ପ୍ରଥମରୁ କହିଛି, ଏହାକୁ ଜଗନ୍ନାଥ ଧାମ କୁହାଯିବା ସଂପୂର୍ଣ୍ଣ ଭୁଲ୍। କାହିଁକି ଓ କିପରି ଏଭଳି ପ୍ରଚାର ହୋଇଛି ତାହା ମୁଁ ଜାଣିନାହିଁ। ପୂର୍ବରୁ ଏ ନେଇ ମୁଁ ସାମାନ୍ୟ ସୂଚନା ମଧ୍ୟ ପାଇ ନଥିଲି। ‌େଯତେବେଳେ ଜାଣିଲି ଯେ ଏହାକୁ ଜଗନ୍ନାଥ ଧାମ କୁହାଯାଇଛି, ମୁଁ ମଧ୍ୟ ଏହାକୁ ଗ୍ରହଣ କଲିନାହିଁ। ଏପରି ନ କରିବାକୁ ପରାମର୍ଶ ବି ଦେଇସାରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ମଧ୍ୟ ଲେଖିଛି। ଦୀଘାକୁ ଜଗନ୍ନାଥ ଧାମ କୁହାଯିବା ଅନୁଚିତ। ସମଗ୍ର ବିଶ୍ବ ଜାଣିଛି ଶ୍ରୀକ୍ଷେତ୍ର ହେଉଛି ଜଗନ୍ନାଥ ଧାମ। ଯିଏ ଯେତେ ଚେଷ୍ଟା କଲେ ମଧ୍ୟ ଜଗନ୍ନାଥ ଧାମ ଅନ୍ୟତ୍ର ହୋଇପାରିବ ନାହିଁ। ଆମ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଆପତ୍ତି ଜଣାଇବା ଜରୁରି। ବ୍ରହ୍ମ ପରିବର୍ତ୍ତନ କେବେ ସମ୍ଭବ ନୁହେଁ। ଗଣମାଧ୍ୟମ ଏହାକୁ ଅତିରଞ୍ଜିତ କରି ବର୍ଣ୍ଣନା କରୁଛି।

ଅଭିଯୋଗ ହେଉଛି, ଶ୍ରୀଜଗନ୍ନାଥଙ୍କ ବଳକା ଦାରୁ ଆପଣ ଦୀଘାକୁ ଦେଇଛନ୍ତି। ଏଥିପାଇଁ ଆପଣ ମନ୍ଦିର ପ୍ରଶାସନ କିମ୍ବା ସଂପୃକ୍ତ ବିଭାଗୀୟ ପଦାଧିକାରୀଙ୍କ ପରାମର୍ଶ ଓ ନିର୍ଦ୍ଦେଶ ନେଇନାହାନ୍ତି। ମୁଁ ବାରମ୍ବାର କହୁଛି ମୁଁ କୌଣସି ଦାରୁ ଦେଇନାହିଁ। ନିମ୍ବକାଠ‌େର ବିଗ୍ରହ କରି ସେଠାରେ ପ୍ରତିଷ୍ଠା କରାଯାଇଛନ୍ତି। ବର୍ତ୍ତମାନ ଆଇନମନ୍ତ୍ରୀ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ତଦନ୍ତ କରି ସତ୍ୟାସତ୍ୟ ଲୋକଲୋଚନକୁ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ମୋର କୌଣସି ଆପତ୍ତି ନାହିଁ। ଆପଣମାନେ ଏହାକୁ ନେଇ ଏତେ ବ୍ୟସ୍ତ ହୋଇପଡୁଛନ୍ତି କାହିଁକି?

ଆପଣ ଏକ ବଙ୍ଗଳା ଟେଲିଭିଜନ୍ ଚାନେଲ୍‌ରେ ନିଜେ ଏକଥା ସ୍ବୀକାର କରିଛନ୍ତି। କିନ୍ତୁ ବର୍ତ୍ତମାନ ବଳକା ଦାରୁ ଦେବା କଥା ଫାଙ୍କି ଦେଉଛନ୍ତି। ପ୍ରମାଣ ଥିବା ସତ୍ତ୍ବେ ଆପଣ ଏହାକୁ ଗ୍ରହଣ କରୁନାହାନ୍ତି କାହିଁକି? ଆପଣ କାହା ପ୍ରରୋଚନାରେ ଏପରି କରିଛନ୍ତି କି?
ମୁଁ ଆପଣଙ୍କ ପ୍ରଶ୍ନ ସହ ଏକମତ ନୁହେଁ। ଏହାକୁ ନେଇ ମୁଁ ମୋର ପ୍ରତିକ୍ରିୟା ଦେଇସାରିଛି। ମୁଁ କାହା ପ୍ରରୋଚନାରେ ପଡ଼ିବି କାହିଁକି? ମନ୍ଦିରର କୌଣସି ବଳକା ଦାରୁ ମୁଁ ନେଇନାହିଁ କିମ୍ବା କେଉଁ ଗଣମାଧ୍ୟମ ଏପରି କହିଛି ମୁଁ ତାହା ଜାଣିନାହିଁ ଏବଂ ମୁଁ ଏପରି କହିନାହିଁ। (ତେବେ ଆମେ ତାଙ୍କୁ ଟିଭିରେ ପ୍ରସାରିତ ତାଙ୍କର ମତାମତ ଦେଖାଇବା ସମୟରେ ସେ ବିରକ୍ତି ପ୍ରକାଶ କରିଥିଲେ)।

ଦଇତାପତି ନିଯୋଗ ଆପଣଙ୍କ କାର୍ଯ୍ୟକଳାପକୁ ନେଇ ଆପଣଙ୍କୁ କୈଫିୟତ ତଲବ କରିଛନ୍ତି। ଏହାକୁ ନେଇ କ’ଣ କହିବେ?
ଦଇତାପତି ନିଯୋଗ ମୋତେ କୈଫିୟତ ମାଗିବା ସଂପର୍କିତ ଚିଠା ମୋ ପାଖକୁ ଆସିବା ପରେ ମୁଁ ଏହାର ଜବାବ ନିଶ୍ଚିତ ଦେବି। ମୁଁ ଅପେକ୍ଷା କରିଛି, ମୋତେ କୈଫିୟତ ମଗାଯାଉ। ମୁଁ ଯାହା କରିଛି ସେ ସଂପର୍କରେ ମୁଁ ମୋର ସ୍ପଷ୍ଟ ମତ ଓ ଉତ୍ତର ରଖିବି। ତେବେ ଏ ସଂପର୍କରେ ମୁଁ ଆଉ ବିଶେଷ କିଛି ଆଲୋଚନା କରିବାକୁ ଚାହୁନାହିଁ।

ଦୀଘାକୁ ଜଗନ୍ନାଥ ଧାମ କହିବା ପାଗଳର ପ୍ରଳାପ: ପଣ୍ଡିତ ମାତୃପ୍ରସାଦ ମିଶ୍ର

scsccs

 

ଦୀଘାରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ ବଳକା ଦାରୁ ଦେବା ଅଭିଯୋଗ ଆସିଛି। ଜଗନ୍ନାଥ ଧାମ ନାମକରଣ ବି ହୋଇଛି। ଏହା ସହିତ ବ୍ରହ୍ମ ପରିବର୍ତ୍ତନ ବିବାଦରେ ମଧ୍ୟ ଦଇତାପତି ଛନ୍ଦି ହୋଇଛନ୍ତି। କ’ଣ କହିବେ?
ରାମକୃଷ୍ଣବାବୁଙ୍କ ଭଳି ଯେଉଁ ଏଗାରଜଣ ଦୀଘା ଯାଇଛନ୍ତି ସେମାନେ ମାତୃମଣ୍ଡପ, ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଏବଂ ସର୍ବୋପରି ଜଗନ୍ନାଥ ମନ୍ଦିର ପ୍ରଶାସନର ପରାମର୍ଶ ନ ନେଇ ତଥା ସେମାନଙ୍କୁ ଅବଗତ ନ କରାଇ ଏଭଳି ମନ୍ଦିର ପ୍ରତିଷ୍ଠାରେ ଯୋଗଦାନ ଆଦୌ ଗ୍ରହଣୀୟ ନୁହେଁ। ଏହା ଅନୈତିକ। ଧାମ ପ୍ରତିଷ୍ଠା ଆଦିଶଙ୍କରାଚାର୍ଯ୍ୟ କରିଥିଲେ। ତେଣୁ ଜଣେ ଚାହିଲେ ମଧ୍ୟ ଅନ୍ୟତ୍ର ଧାମ ପ୍ରତିଷ୍ଠା କରିପାରିବ ନାହିଁ। ତେବେ ଯେଉଁମାନେ ଯାଇଛନ୍ତି ସେଇଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ଦୀଘାରେ ହୋଇଥିବା ଜଗନ୍ନାଥ ମନ୍ଦିରକୁ ଧାମ କହୁଛନ୍ତି କାହିଁକି? ଏପରି କହୁଥିବା ବ୍ୟକ୍ତିବିଶେଷଙ୍କର ଏହା ଏକପ୍ରକାର ପାଗଳର ପ୍ରଳାପ ଏବଂ ସେମାନଙ୍କ ସୀମିତ ବିବେକ, ବୁଦ୍ଧି ତଥା ଶାସ୍ତ୍ରୀୟ ଜ୍ଞାନର ପରିଚୟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟମାନଙ୍କର ଏଭଳି ଶାସ୍ତ୍ରୀୟ ଜ୍ଞାନ ନାହିଁ। ତେଣୁ ସେମାନେ ନିଜ ଅଜ୍ଞତାର ପରିଚୟ ଦେଇ ଏଭଳି କାର୍ଯ୍ୟ କରିଛନ୍ତି। ପୂର୍ବରୁ ହୋଇଥିବା ବ୍ରହ୍ମ ବିଭ୍ରାଟ ବିବାଦର ତଦନ୍ତ ହୋଇ ରିପୋର୍ଟ ପ୍ରକାଶ କରାଯାଇ ନାହିଁ। ଜଗନ୍ନାଥ ଧାମ ଦାରୁ ବିବାଦର ଅନୁସନ୍ଧାନ କରି ଯଥାଶୀଘ୍ର ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।

ବର୍ତ୍ତମାନ ଏ ଘଟଣା ନେଇ ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ଆପଣ କିଭଳି ଦେଖୁଛନ୍ତି?
ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ନିଶ୍ଚିତ ସ୍ବାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଏଥିରେ କୌଣସି କାଳକ୍ଷେପଣ ନୀତି ଆପଣାଇବା ଉଚିତ ନୁହେଁ। ଯଥାଶୀଘ୍ର ତଦନ୍ତ ଶେଷ କରି ଏବଂ ଏହାକୁ ସାର୍ବଜନୀନ କରି ଦୋଷୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। କେତେକ ବ୍ୟକ୍ତି ନୀଳାଚଳ ଧାମ, ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନୀତିନିୟମ ଓ ହିନ୍ଦୁ ସଂସ୍କୃତିକୁ ଅପବିତ୍ର କରିବାର ପ୍ରୟାସ କରୁଛନ୍ତି। ଭବିଷ୍ୟତରେ ଆଦିତ୍ୟବାହିନୀ ମମତା ବାନାର୍ଜୀଙ୍କର ଶ୍ରୀମନ୍ଦିର ଗସ୍ତକୁ ଘୋର ବିରୋଧ କରିବ।

ବଙ୍ଗଳା ଗଣମାଧ୍ୟମରେ ଦାରୁ ଦୀଘା ଯିବା କଥା ସ୍ବୀକାରକରି ବକ୍ତବ୍ୟ ରଖିବା ପରେ ସଂପୃକ୍ତ ଦଇତାପତି ବର୍ତ୍ତମାନ ଏହାକୁ ଫାଙ୍କି ଦେଉଛନ୍ତି। ଏହାକୁ ନେଇ କ’ଣ କହିବେ?
ଦେଖନ୍ତୁ ଏ ପ୍ରସଙ୍ଗରେ ମୁଁ ସଂପୂର୍ଣ୍ଣ ଅବଗତ ହୋଇପାରିନି। ଯଦି ଏହା ସତ୍ୟ ତେବେ ଦୋଷୀ ବିରୋଧରେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରି ବୋଲି ମୁଁ କହିଆସୁଛି। କିନ୍ତୁ ମୋତେ ଲାଗୁନି ଏତେସଂଖ୍ୟକ ବଳକା ଦାରୁ ନେଇ ସେମାନେ ବିଗ୍ରହ ପ୍ରତିଷ୍ଠା କରିଥିବେ। ପୁନଶ୍ଚ ବ୍ରହ୍ମ ସ୍ଥାପନା କରିବା ମଧ୍ୟ ଏତେ ସହଜସାଧ୍ୟ ନୁହେଁ। ବ୍ରହ୍ମ ସଂପର୍କିତ ରହିଥିବା ଶାସ୍ତ୍ରୀୟ ବିଧି ଅତ୍ୟନ୍ତ କଷ୍ଟସାଧ୍ୟ ଓ ଗୋପନୀୟ। ଚୋରାଲୁଚାରେ ଏଭଳି କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ବୋଲି ମୁଁ ଭାବୁଛି।

ଦଇତାପତି ନିଯୋଗ ସଂପୃକ୍ତ ଦଇତାପତିଙ୍କ କାର୍ଯ୍ୟକଳାପକୁ ନେଇ କୈଫିୟତ ତଲବ କରିଛନ୍ତି। ଏସଂପର୍କରେ ଆପଣଙ୍କ ମତାମତ କ’ଣ?
ଦଇତା ନିଯୋଗ ପକ୍ଷରୁ କୈଫିୟତ ତଲବ କରାଯିବା ଏକ ସମୟୋଚିତ ପଦକ୍ଷେପ। କିନ୍ତୁ କେବଳ କୈଫୟତ ତଲବ କରି ବସିଗଲେ ଚଳିବ ନାହିଁ। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।