ଏକ ଚିତ୍ତାକର୍ଷକ ପ୍ରଦର୍ଶନ ସ୍ବରୂପ ୪୨ ବର୍ଷୀୟ ସଫ୍‌ଟୱେର ଇଞ୍ଜିନିଅର ସିଧୁ କ୍ଷେତ୍ରୀ ପଞ୍ଚିଂ ବ୍ୟାଗ୍‌କୁ ସବୁଠାରୁ ଅଧିକ ସମୟ ମୁଥ ମାରି ରେକର୍ଡ ସୃଷ୍ଟି କରିଛନ୍ତି। ବିଗତ ୨୫ ବର୍ଷ ହେଲା ତାଏକ୍ବାଣ୍ଡୋ ପରି ସାମରିକ କୌଶଳ ଅଭ୍ୟାସ କରୁଥିବା ସିଧୁ ସଂଖ୍ୟାଧିକ ଥର ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରି ଆସିଛନ୍ତି। ତେବେ ସେ ଅବିରତ ଭାବେ ଦୀର୍ଘ ୫୫ ଘଣ୍ଟା ୧୫ ମିନିଟ୍‌ ମୁଥ ମାରି ଏହି ବିରଳ କୃତିତ୍ବ ହାସଲ କରିଛନ୍ତି। ପୂର୍ବ ରେକର୍ଡକୁ ୫ ମିନିଟ୍‌ ଟପି ସେ ଏହି ରେକର୍ଡ କରିଛନ୍ତି। ଏଥି ପାଇଁ ପ୍ରସ୍ତୁତି ସ୍ବରୂପ ସେ ଦୀର୍ଘ ଛଅ ମାସ ହେଲା ଦୈନିକ ଆଠଘଣ୍ଟାର ଅଭ୍ୟାସ କରୁଥିଲେ। ସକାଳ ୪ଟାରୁ ୮ଟା ଯାଏ ଓ ବାକି ୪ ଘଣ୍ଟା ସନ୍ଧ୍ୟାରେ ସେ ଏଥିପାଇଁ ତାଲିମ ନେଇଥିଲେ। ଏହି ବିଶ୍ବ ରେକର୍ଡ କରିବା ଲାଗି ନିୟମ ଭାରି କଡ଼ା। ପ୍ରତିଯୋଗୀଙ୍କୁ ସମଗ୍ର ସମୟ ପ୍ରତି ଦୁଇ ସେକେଣ୍ଡ୍‌ ଭିତରେ ଅତି କମ୍‌ରେ ଥରେ ମୁଥ ମାରିବାକୁ ପଡ଼ିଥାଏ। ପୁଣି ପଞ୍ଚିଂ ବ୍ୟାଗ୍‌କୁ ଆଘାତ କଲା ପରେ ମୁଥ ମାରୁଥିବା ବାହୁଟିକୁ ମୂଳ ପୂର୍ବାବସ୍ଥାକୁ ଫେରାଇ ନେବାକୁ ହୋଇଥାଏ। ନିରନ୍ତର ଘଣ୍ଟାଏ କାଳ ଏପରି ମୁଥ ମାରି ସାରିଲା ପରେ ମାତ୍ର ପାଞ୍ଚ ମିନିଟ୍‌ ପାଇଁ ବିଶ୍ରାମ ମିଳେ। କୌଣସି ଥର ଏହି ବିଶ୍ରାମ ସମୟ ନନେଲେ ତାହା ପରବର୍ତ୍ତୀ ବିଶ୍ରାମ ସମୟରେ ମିଶିଯାଏ।

Advertisment

ଏପରି ସମ୍ମିଳିତ ବିଶ୍ରାମ ସମୟ ଭିତରେ ସିଧୁ ଖାଇବା, ପିଇବା, ଶୋଇବା ଓ ଶୌଚାଳୟ ଯିବା କାମ ସାରୁଥିଲେ। ତେବେ କୋଡ଼ିଏ ଘଣ୍ଟା କାଳ ମୁଥ ମାରି ସାରିଲା ପରେ ତାଙ୍କୁ କଷ୍ଟ ଲାଗିବା ଆରମ୍ଭ ହୋଇଥିଲା। ସେହିପରି ଦ୍ବିତୀୟ ରାତିଟି ତାଙ୍କ ପାଇଁ ଭୀଷଣ କଷ୍ଟଦାୟକ ଥିଲା, କାରଣ ତାଙ୍କୁ ସଂପୂର୍ଣ୍ଣ ଅନିଦ୍ରା ହେବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। ଏହି ପ୍ରତିଯୋଗିତା ପାଇଁ ତାଙ୍କୁ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଦୃଢ଼ ହେବାକୁ ପଡ଼ିଥିଲା। ପୂର୍ବରୁ ସେ ୨୦୧୧ ମସିହାରେ ଏକ ମିନିଟ୍‌ରେ ଗୋଟିଏ ଗୋଡ଼ ଉଠାଇ ୧୬୮ ଥର ଉପରକୁ ଗୋଇଠା ମାରିବାରେ ରେକର୍ଡ କରିଥିଲେ। ସେହିପରି ୨୦୧୩ ମସିହାରେ ସେ ତିନି ମିନିଟ୍‌ରେ ଏପରି ୬୨୦ ଥର ଗୋଇଠା ମାରି ରେକର୍ଡ କରିଥିଲେ। ତେବେ ତାଙ୍କର ଉଭୟ ରେକର୍ଡକୁ ପାକିସ୍ତାନର ଅହମଦ ଅମିନ ବଦଲା ଭାଙ୍ଗି ଦେଇଥିଲେ। ଏଥି ସହିତ ଅମିନ ଘଣ୍ଟାକରେ ୬,୯୭୦ ଥର ଗୋଇଠା ମାରି ନୂଆ ରେକର୍ଡ କରିଥିଲେ। ତେବେ ସେହି ରେକର୍ଡକୁ ମଧ୍ୟ ସିଧୁ ଦିନେ ଅତିକ୍ରମ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।