ସମୁଦ୍ରରେ ଭରି ରହିଛି ଅନେକ ରତ୍ନ, ସେଥିପାଇଁ ତ ସେ ରତ୍ନାକର। ସମୁଦ୍ର ମନ୍ଥନରୁ ଯେଉଁ ରତ୍ନସବୁ ପ୍ରାପ୍ତ ହୋଇଥିଲା ତାହା ପୁରାଣରେ ବର୍ଣ୍ଣିତ ହୋଇଛି। ତେବେ ରତ୍ନାକରର ରତ୍ନଭଣ୍ଡାର ଖାଲି ହେଇଯାଇନାହିଁ। ଏବେ ବି ତା’ର ଅନ୍ୟତମ ରତ୍ନ ‘ସିପ’ ଅନେକଙ୍କୁ ଦେଇଛି ଜୀବନ ଜୀବିକା। କେତେ କେତେ ରଙ୍ଗର ସିପ ସମୁଦ୍ର ବେଳାଭୂମିରୁ ଶ୍ରୀମନ୍ଦିର ଯାଏ, ପୁଣି ପାନରୁ ସୃଜନସାମଗ୍ରୀ ଯାଏ ଅନେକ କ୍ଷେତ୍ରରେ ବ୍ୟବହୃତ ହେଉଛି। ତା’ ନାଁରେ ଗଢ଼ିଉଠିଛି ଜନପଦ। ଓଡ଼ିଶାର କୁଟୀର ଶିଳ୍ପଠୁ ଦୈନନ୍ଦିନ ଜୀବନକୁ ଏହି କ୍ଷୁଦ୍ର ରତ୍ନ ‘ସିପ’ର ଅବଦାନ କିଛି କମ୍‌ନୁହେଁ। ଏଥର ପ୍ରଚ୍ଛଦ ପ୍ରସଙ୍ଗରେ ପଢ଼ନ୍ତୁ ‘ସିପ’ର କାହାଣୀ...  
ଉପସ୍ଥାପନା: ସତ୍ୟନାରାୟଣ ରାଉତରାୟ
ଫଟୋ: ସନ୍ତୋଷ ବରାଳ

Advertisment

‘ସିପ’। ଅନ୍ତତଃ ସମୁଦ୍ର ଢେଉ ସଙ୍ଗେ ଗୋଡ଼ାଗୋଡ଼ି ଖେଳୁଥିବା ପ୍ରତିଟି ବ୍ୟକ୍ତି ଏ ଶବ୍ଦ ସହ ନିଶ୍ଚୟ ପରିଚିତ ଥିବେ। ଲହଡ଼ି ଭସେଇ ଆଣୁଥିବା ରଙ୍ଗବେରଙ୍ଗର ସିପକୁ ହାତ ପାପୁଲିରେ ରଖି ମନରେ କେତେ କଳ୍ପନା ଆଙ୍କିଥିବେ। ସାଥିରେ ଆଣି ସାଙ୍ଗସାଥୀଙ୍କୁ ଦେଖେଇ ପୁଲକିତ କରିବା ପରେ କେତେ ଆଦରରେ ସାଇତିଥିବେ। ଦେବତା ଓ ଦାନବ କରିଥିବା ସମୁଦ୍ର ମନ୍ଥନରୁ ସିନା ୧୪ଟି ରତ୍ନ ମିଳିଥିଲା, କିନ୍ତୁ ବିନା ମନ୍ଥନରେ ସମୁଦ୍ର ଭେଟି ଦେଉଥିବା ରତ୍ନ ମଧ୍ୟରେ ‘ସିପ’ ଅନ୍ୟତମ। ରତ୍ନଗର୍ଭା ସାଗରର ଏହା ଏକ ଅନନ୍ୟ ଦାନ। ଘରର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତିରେ ଏହାର ବ୍ୟବହାର ସୀମିତ ନୁହେଁ। ପାନରେ ଲାଗୁଥିବା ‘ଚୂନ’ ମଧ୍ୟ ସିପର ଅବଦାନ। ଶ୍ରୀମନ୍ଦିର ଶୀର୍ଷରେ ଧଳା ରଙ୍ଗରେ ଚମକୁଥିବା ମକର ବେଢ଼ାଠୁ ନେଇ ଘରର ଧଉଳା କାନ୍ଥରେ ଚମକ ଭରିଥାଏ ସିପ। ‌ଛୋଟିଆ ଦ୍ରବ୍ୟଟିଏ ସତ, କିନ୍ତୁ ତା’ର ଉପଯୋଗିତା ଦେବାଳୟରୁ ନେଇ  ପାନ ଦୋକାନ ପର୍ଯ୍ୟନ୍ତ।  

ଆଜିକାଲି ହୁଏତ ବର୍ଜ୍ୟରେ ସୌନ୍ଦର୍ଯ୍ୟ ଫୁଟାଇବାକୁ ବାବୁମାନେ କୁଶଳୀ କାରିଗରଙ୍କୁ ଯୋଗାଡୁଛନ୍ତି। ମାତ୍ର ଗେଣ୍ଡା ବା ଶାମୁକା ଜାତୀୟ ଏକ ଜୀବର ଅବଶେଷକୁ କାହିଁ କେଉଁ କାଳରୁ ସୌନ୍ଦର୍ଯ୍ୟର ଉପାଦାନ ଭାବେ ସମୁଦ୍ର ଭେଟି ଦେଇସାରିଛି। ସିପ ସାମୁଦ୍ରିକ ଜୀବାବଶେଷ ହେଲେ ମଧ୍ୟ, ଏହି ନାଁ’କୁ ନେଇ ଗଢ଼ିଉଠିଛି ଅଞ୍ଚଳ। ପୁରୀର ‘ସିପ ସରୁବାଲି’ ହେଉ ଅବା ଗଞ୍ଜାମର ‘ସିପକୁଦା’। ସମୁଦ୍ର ଢେଉରେ ଭାସି ଆସି କୂଳରେ ଲାଗୁଥିବା ସିପରେ ସୃଜନ ଭରି କିଏ ଏହାକୁ କଣ୍ଢେଇ ରୂପ ଦେଇଛି ତ ଆଉ କିଏ ଏଥିରୁ ଚୂନ ପ୍ରସ୍ତୁତ କରି ରୋଜଗାର ପାଇଛି।

ସିପରୁ ସୃଜନ
ସମୁଦ୍ରକୂଳ ବୁଲି ଆସୁଥିବା ପର୍ଯ୍ୟଟକ ସାମୁଦ୍ରିକ ଦ୍ରବ୍ୟରୁ ପ୍ରସ୍ତୁତ କଳାକୃତିଟିଏ ସନ୍ତକ ରୂପେ କିଣି ନେବାକୁ ପସନ୍ଦ କରନ୍ତି। ପର୍ଯ୍ୟଟକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୁରୀରେ ସିପରୁ ପ୍ରସ୍ତୁତ ହେଉଛି ନାନଦି ଆକର୍ଷଣୀୟ ସାଜସଜ୍ଜା ସାମଗ୍ରୀ, ମାଳି, ଚାବିନେନ୍ଥା ଓ ଭଳିକି ଭଳି କଣ୍ଢେଇ। ଏଣୁ ସିପକୁ କେନ୍ଦ୍ରକରି ଗଢ଼ିଉଠିଛି କୁଟୀର ଶିଳ୍ପ। ପୁରୀ ଦିଗବାରେଣୀ କ୍ଷୁଦ୍ର ବ୍ୟବସାୟୀ ସଂଘର ଏମ୍‌. ଦିଲୀପଙ୍କ କହିବା ଅନୁଯାୟୀ, ସେ ପୂର୍ବରୁ ଘରେ ସିପରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଯୋଗାଉଥିଲେ। ଏବେ ବିଭିନ୍ନ କାରିଗରଙ୍କ ଦ୍ବାରା ପ୍ରସ୍ତୁତ ସିପ ସାମଗ୍ରୀକୁ ନେଇ ବ୍ୟବସାୟ କରୁଛନ୍ତି। ସମୁଦ୍ରରୁ ପ୍ରାୟ ୫ ପ୍ରକାରର ସିପ ମିଳିଥାଏ। ସେଥିମଧ୍ୟରୁ ରଙ୍ଗବେରଙ୍ଗର ସିପ କି‌େଲାପିଛା ୩୦୦ରୁ ୪୦୦ ଟଙ୍କା ଦରରେ ବିକ୍ରିହୁଏ। ମାତ୍ର ଧଳା ସିପ କିଲୋପିଛା ୨୦୦ ଟଙ୍କା ମଧ୍ୟରେ ମିଳିଯାଏ। ଏଥିରେ ସାଜସଜ୍ଜା ଓ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଏ।

ମୁଖ୍ୟତଃ ଦୁଆର ବନ୍ଧା, ଡୋର୍‌ ସ୍କ୍ରିନ୍‌, ଝୁମର ଲ୍ୟା‌ମ୍ପ୍‌, ଦୀପଦାନି, କଣ୍ଢେଇ, ସୁସଜ୍ଜିତ ଆଇନା, ଚୁଟି ଖୋଷିବା କ୍ଲିପ୍‌, ବେକ ମାଳି, ବ୍ରେସ୍‌ଲେଟ୍ ଆଦି ତିଆରି କରାଯାଏ। କିଛି ଲୋକ ସମୁଦ୍ରରୁ ଏହାକୁ ସଂଗ୍ରହ କରି କେମିକାଲ୍‌ ଦେଇ ସଫା କରିଥାଆନ୍ତି ଏବଂ ତା’ପରେ କାରିଗରଙ୍କୁ ବିକ୍ରୟ କରିଥାଆନ୍ତି। ପୁଣି ଅନେକ ସିପ ସ୍ବତଃ ଢେଉରେ ଭାସି ଆସି କୂଳରେ ଲାଗେ। ଏହା ଚିତ୍ରବିଚିତ୍ର ହୋଇଥିବାରୁ ଏଥିରେ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରାଯାଏ। ଅନେକ ଏହି ରଙ୍ଗିନ ସିପକୁ ଆକ୍ବାରିୟମ୍‌ରେ ରଖିବା ପାଇଁ କିଣିନିଅନ୍ତି ଅବା ସମୁଦ୍ରକୂଳରୁ ସଂଗ୍ରହ କରନ୍ତି। ଦିଲୀପଙ୍କ କହିବା ମୁତାବକ, ଯଦିଓ ପୁରୀରେ ସମୁଦ୍ର ଢେଉରେ ସିପ ଭାସିଆସେ, କିନ୍ତୁ ଏହାର ପରିମାଣ ଖୁବ୍‌ କମ୍‌। ଉଚ୍ଚ ଢେଉ ଓ ଗର୍ଜନ ସ୍ଥାନରେ ସିପର ଆମଦାନି କମ୍‌। ରାମେଶ୍ବର ଓ କନ୍ୟାକୁମାରୀ ଆଦି ସ୍ଥାନରେ ସମୁଦ୍ର ଶାନ୍ତ ରହୁଥିବାରୁ ଏଠାରେ ସିପ ବହୁ ପରିମାଣରେ ଉପଲବ୍ଧ ହୁଏ। ଅଧିକାଂଶ ସିପ ବାହାରୁ ଆସି ଏଠାରେ ସାମଗ୍ରୀ ତିଆରି କରାଯାଏ। ସମୁଦ୍ର ବୁଲି ଆସୁଥିବା ପର୍ଯ୍ୟଟକ ସମୁଦ୍ରକୂଳ ନିକଟରୁ ସାମୁଦ୍ରିକ ଜିନିଷଟିଏ କିଣି ନେବାକୁ ଆଗ୍ରହ ଦେଖାଇଥାଆନ୍ତି। ପୁରୀ ବେଳାଭୂମିରେ ୧୦ ହଜାରରୁ ଅଧିକ ବ୍ୟକ୍ତି କେବଳ ଗେଣ୍ଡା, ଶଙ୍ଖ, ଶାମୁକା ଓ ସିପରୁ ପ୍ରସ୍ତୁତ ସାମଗ୍ରୀ ବିକି ନିଜ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି ବୋଲି ସେ କହିଛନ୍ତି।

 ଖିଲି ପାନରେ କଲି ଚୂନ
ପାନ, ଗୁଆ, ଗୁଣ୍ଡି, ଚୂନ, ଖଇର ଦେଇ, କାହାକୁ ପକେଇ ପାନ ଖାଇ? ପୁରୁଣା କାଳରୁ ପାନଖିଆକୁ ନେଇ ଏ କୌତୁକିଆ ଢଗ ବହୁପ୍ରଚଳିତ। ଅର୍ଥାତ୍‌ ପାନର ଡେମ୍ଫ ଛିଡ଼ାଇ ଦେଇ ପାନରେ ଏହି ଚାରି ପ୍ରକାର ଜିନିଷ ଦେଇ ପାନ ଖାଇବାର ବିଧି ବହୁ ପ୍ରାଚୀନ। କୌଣସି ମସଲା ପକାଇବା ପୂର୍ବରୁ ପାନରେ ଚୂନ ବୋଳାଯାଏ। ଆଉ ଚୂନ ବିନା ପ୍ରସ୍ତୁତ ହେଉଥିବା ପାନକୁ ବିଡ଼ିଆ କୁହାଯାଏ। ପୁଣି କେହି ପାନରସିକ ମୋଟା ଚୂନ ଦିଆ ଖିଲିପାନ ପସନ୍ଦ କରୁଥିବା ବେଳେ ଆଉ କେହି ପତଳା ଚୂନ ବ୍ୟବହାର କରିଥାଆନ୍ତି। ତେବେ ଏହି ଚୂନ ତିଆରି ହୋଇଥାଏ ସିପରୁ।

fshhfhxb


ପୁରୀର ପୁରୁଣା ଜେଲ୍‌ ରୋଡ୍‌ରେ ଚୂନ ପ୍ରସ୍ତୁତ କରୁଥିବା ରେଶ୍‌ମା ବିବି କହନ୍ତି, ପ୍ରାୟତଃ ଧଳା ରଙ୍ଗର ସିପରୁ ଚୂନ ପ୍ରସ୍ତୁତ ହୋଇଥାଏ। ଏହା ଅନ୍ୟ ରଙ୍ଗିନ ସିପ ଅପେକ୍ଷା ଅଧିକ ଫପ୍‌ସା। ଏହା କୁଇଣ୍ଟାଲ ପିଛା ୨୫୦୦ ଟଙ୍କାରେ କିଣାଯାଏ। ଏହାକୁ ପ୍ରାୟତଃ ବ୍ରହ୍ମପୁର ସିପକୁଦାରୁ କିଛି ବ୍ୟବସାୟୀ ସଂଗ୍ରହ କରି ଆମକୁ ଯୋଗାଇ ଥାଆନ୍ତି। ଏହା ଭାଟିରେ ପୋଡ଼ାଯିବା ପରେ ପାଣି ଗରମକରି ଏହି ପୋଡ଼ା ସିପକୁ ମାତ୍ର ୧୦-୧୫ ମିନିଟ୍‌ ରନ୍ଧାଯାଏ। ପରେ ଖାଦଅଂଶ କାଢ଼ିଦେବା ପରେ ଧଳା ଅଂଶକୁ ଛାଣି ବିକ୍ରି କରାଯାଏ। ଚୂନ ପାଣିକୁ ଦୀର୍ଘସମୟ ଧରି ରଖିବାର କ୍ଷମତା ରଖିଥାଏ। ତୁରନ୍ତ ଏହା ପାଣିକୁ ଶୋଷିନିଏ। ତେଣୁ ୧ କିଲୋ ସିପରୁ ପ୍ରାୟ ୨ କିଲୋ ଚୂନ ପ୍ରସ୍ତୁତ ହୋଇଥାଏ। ଚୂନକୁ ଛାଣି ଏହାକୁ ପାନ ଦୋକାନୀମାନଙ୍କୁ ବିକ୍ରି କରାଯାଏ। ଏହାବ୍ୟତୀତ ପ୍ୟାକେଟ୍‌ ହୋଇ ବଜାରରେ ବିକ୍ରି କରାଯାଏ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁଯାୟୀ ଯେଉଁ ଜାତିର ଲୋକମାନେ ‌ବୃତ୍ତିଗତ ଭାବେ ସିପ ଓ ଗେଙ୍ଗୁଟି  ପୋଡ଼ି ଚୂନ ପ୍ରସ୍ତୁତ କରୁଥିଲେ ସେମାନଙ୍କୁ ‘ଚୂନରା’ ବା ଚୂର୍ଣ୍ଣକାର କୁହାଯାଉଥିଲା।
ସିପରୁ ଧଉଳା ଚୂନ
ଚୂନ ଶୁଦ୍ଧତାର ପ୍ରତୀକ। ତେଣୁ ଘରେ କାହାର ମୃତ୍ୟୁ ହେଲେ ଏକାଦଶାହ ପୂର୍ବରୁ ଘରକୁ ଚୂନରେ ଧଉଳିବାର ବିଧି ପ୍ରଚଳିତ। ଯଦିଓ ରାସାୟନିକ ରଙ୍ଗ ଆସିବା ପରେ ଚୂନରେ ଘର କାନ୍ଥ ଧଉଳା ହ୍ରାସ ପାଇଛି, କିନ୍ତୁ ଅନେ‌େକ ଏବେ ବି ଶୁଦ୍ଧତାର ପ୍ରତୀକ ଭାବେ ଚୂନ ପ୍ରଲେପକୁ ଅଗ୍ରାଧିକାର ଦିଅନ୍ତି। କେବଳ ସେତିକି ନୁହେଁ, କାର୍ତ୍ତିକ ମାସରେ ତୁଳସୀ ଚଉରାକୁ ଚୂନରେ ଧଉଳା ଯିବାର ପରମ୍ପରା କାହିଁ କେତେ କାଳୁ ପ୍ରଚଳିତ। ସିପ ରାନ୍ଧି ଚୂନ ପ୍ରସ୍ତୁତ କରୁଥିବା ପୁରୁଣା ଜେଲ୍‌ ରୋଡ୍‌ର ସୟଦ୍‌ ଅହମ୍ମଦ୍‌ ଅଲ୍ଲୀଙ୍କ କହିବା ମୁତାବକ, ୧୦ବର୍ଷ ତଳେ ସେ ଦୈନିକ ୨ରୁ ୩ କୁଇଣ୍ଟାଲ୍‌ ସିପ ବିକ୍ରି କରୁଥିଲେ। ମାତ୍ର ଧୀରେ ଧୀରେ ରାସାୟନିକ ରଙ୍ଗ ବଜାରକୁ ପ୍ରବେଶ ପରେ ସିପ ଚୂନର ଚାହିଦା ହ୍ରାସ ପାଇଲା। ପୂର୍ବରୁ ଦୈନିକ ୨ କୁଇଣ୍ଟାଲ୍‌ ବିକୁଥିବା ବେଳେ ଏବେ ୧ କୁଇଣ୍ଟାଲ୍‌ ସିପ ବିକ୍ରି ପାଇଁ ମାସେ ଲାଗିଯାଉଛି। ତଥାପି ଅନେକ ଘର ଧଉଳା ପାଇଁ ଚୂନ କିଣୁଛନ୍ତି। ବର୍ତ୍ତମାନ ଚୂନ କିଲୋପିଛା ୨୫ରୁ ୩୦ ଟଙ୍କା ଦରରେ ବିକ୍ରି ହେଉଛି। ଚିଲିକା ଓ ବ୍ରହ୍ମପୁରରୁ ମୁଖ୍ୟତଃ ସିପ କିଣାହୋଇ ଆସିଥାଏ। କାନ୍ଥ ଧଉଳା ବ୍ୟତୀତ ଲୋକେ ପାଣିରେ ଶୁଦ୍ଧତା ଓ ମାଟିରେ ଉର୍ବରତା ପାଇଁ ମଧ୍ୟ ଚୂନର ବ୍ୟବହାର କରନ୍ତି। ବିଶେଷକରି କୂଅ ପୋଖରୀରେ ଲୋକେ ଚୂନ ପକାଇବା ଦ୍ବାରା ଗୋଳିଆ ଅଂଶ ଚୂନ ଶୋଷି ନେଇଥାଏ। ମାଟିର ଉର୍ବରତା ବଢ଼ାଇବା ପାଇଁ ମଧ୍ୟ ଅନେକ ଚୂନର ବ୍ୟବହାର କରିଥାଆନ୍ତି। ଯଦିଓ ପୂର୍ବାପେକ୍ଷା ବିକ୍ରିବଟା କମିଛି, କିନ୍ତୁ କେବେ ବି ଏହା ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ ବୋଲି ଅହମ୍ମଦ୍‌ ଅଲ୍ଲୀ କହିଛନ୍ତି।

fssffs

ଚୂନରେ ଝଲସେ ଶ୍ରୀମନ୍ଦିର ମକର ବେଢ଼ା
ଶ୍ରୀମନ୍ଦିରରେ ପାରମ୍ପରିକ ପଦ୍ଧତିରେ ମକର ବେଢ଼ା ଧଉଳିବାର ବିଧି ଏବେ ବି ପ୍ରଚଳିତ। ପ୍ରତି ବର୍ଷ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍‌ ମହାପ୍ରଭୁଙ୍କ ନବାଙ୍କ ବେଶ ଦିନ ଶ୍ରୀମନ୍ଦିର ମକର ବେଢ଼ା ଚୂନରେ ଧଉଳାଯାଏ। ଯଦିଓ ପଥର କାରୁକାର୍ଯ୍ୟ ଯୋଗୁଁ ମନ୍ଦିରର ଅନ୍ୟ ଅଂଶରେ କୌଣସି ରଙ୍ଗ ଦିଆଯାଏ ନାହିଁ, କିନ୍ତୁ ମନ୍ଦିର ଚୂଡ଼ାକୁ ଚୂନରେ ଧଉଳାଯାଇଥାଏ। ଚୂନରା ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ମୁତାବକ, ଶ୍ରୀମନ୍ଦିରରେ ପାରମ୍ପରିକ ପଦ୍ଧତିରେ ଚୂନରେ ପ୍ରତିବର୍ଷ ମକର ବେଢ଼ାକୁ ଧଉଳାଯିବାର ବିଧି ରହିଆସିଛି। ଚୂନକୁ ବାନ୍ଧି ରଖିବା ପାଇଁ ଏଥିରେ ଅଠା ସ୍ବରୂପ ଗୁଡ଼ର ବ୍ୟବହାର କରାଯାଏ। ଶହ ଶହ ବର୍ଷ ଧରି ଏହି ଧାରା ଅନୁକରଣ କରାଯାଉଛି। ଚୂନରେ ବେଢ଼ା ରଙ୍ଗ ହେବା ପରେ ସେଥିରେ ଗେରୁ ଛାପ ଦିଆଯାଏ। ସୁନା ଗୋସେଇଁଙ୍କ ଦ୍ବାରା ଗେରୁ, ତେନ୍ତୁଳି ମଣ୍ଡ, ରାଶି ତେଲ ଓ କଇଁଥ ଅଠା ଦେଇ ଗେରୁ ପ୍ରସ୍ତୁତ କରାଯାଇଥାଏ। ଏହା ପ୍ରାକୃତିକ ଅଏଲ୍‌ ପେଣ୍ଟ୍‌ ସଦୃଶ। ଚୂନ ଉପରେ ଗେରୁ ରଙ୍ଗରେ ରାମାନନ୍ଦୀ  ଚିତା ଓ ପଟି କରାଯାଇଥାଏ।

ଚୂନରା ସେବକ ଶରତ ମହାନ୍ତି କହନ୍ତି, ପୂର୍ବରୁ ସିପ ଗୁଣ୍ଡ ଆଣି ଚୂନ ରନ୍ଧାଯାଇ ଏଥିରେ ମକର ବେଢ଼ା ଧଉଳା ଯାଉଥିଲା। ଏବେ ବଜାରରେ ଚୂନ ଉପଲବ୍ଧ ଥିବାରୁ ଏହାକୁ ବ୍ୟବହାର କରାଯାଉଛି। ଦେଉଳ ମଧ୍ୟରେ ପାଟ ଅଗଣାରେ ଏହାକୁ ପ୍ରସ୍ତୁତ କରି ନେଇ ବେଢ଼ାରେ ପ୍ରଲେପ ଦିଆଯାଏ। ପ୍ଲାଷ୍ଟିକ୍‌ ପେଣ୍ଟ୍‌ ଓ ଏନାମେଲ୍‌ ବଜାରରେ ଉପଲବ୍ଧ ହେଉଛି, କିନ୍ତୁ ମନ୍ଦିରରେ ପରମ୍ପରାଗତ ରଙ୍ଗର ବ୍ୟବହ‌ାର ଆଜି ବି ଜାରି ରହିଛି। ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଦିନ ବେଢ଼ା ଧଉଳାଯିବା ପରମ୍ପରା ରହିଛି। ଚୂନ ଧଉଳା ପରଦିନ ଗେରୁ ରଙ୍ଗରେ ରାମାନନ୍ଦୀ ଚିତା ଓ ଦଧି ନଉତି ପାଖୁଡ଼ା ସଜାଯାଇଥାଏ।’’ ଆଶ୍ଚର୍ଯ୍ୟର କଥା ହେଲା, ସିପ ହେଉଛି ଏକ କ୍ଷୁଦ୍ର ସାମୁଦ୍ରିକ ପ୍ରାଣୀର ଶରୀରାଂଶ। ଉକ୍ତ ପ୍ରାଣୀର ମୃତ୍ୟୁ ପରେ ତା’ ଶରୀରର ଉପର ଅଂଶର ପ୍ରକ୍ରିୟାକରଣ ପରେ ତାକୁ ଖିଆଯିବା ଠାରୁ ନେଇ ଦେବାଳୟ ଓ ଚଉରା ଭଳି ପବିତ୍ର ସ୍ଥାନରେ ରଙ୍ଗ ରୂପେ ବ୍ୟବହାର କରାଯାଉଛି।

fshsfhfs

ଶାମୁକା, ସିପରେ ସୃଜନ ଭରି ଜାତୀୟ ପୁରସ୍କାର
ଓଡ଼ିଶାରେ ଶାମୁକା, ସିପ ଓ ଶଙ୍ଖ କେବଳ ଚୂନ ତିଆରିରେ ବ୍ୟବହାର ହେଉଥିଲା। କିନ୍ତୁ ଦକ୍ଷିଣ ଭାରତୀୟମାନେ ଏଥିରେ ଆକର୍ଷଣୀୟ କଳାକୃତି ପ୍ରସ୍ତୁତ କରୁଥିଲେ। ସେଇ ଢାଞ୍ଚାରେ ସିପ ଓ ଶାମୁକାରେ ସୃଜନ ଭରିବାକୁ ଉଦ୍ୟମ କରି ସଫଳ ହୋଇଥିଲେ ଦିବଙ୍ଗତ ଶିଳ୍ପୀ ରଘୁନାଥ ମହାପାତ୍ର। ରଘୁନାଥ ସମ୍ଭବତଃ ଥିଲେ ଓଡ଼ିଶାରେ ସିପ-ଶାମୁକା କାରିଗରୀର ଜନକ। ରଘୁନାଥଙ୍କ ଅନ୍ତେ ତାଙ୍କ ପୁତ୍ର ଜଗନ୍ନାଥ ମହପାତ୍ର ସିପ ଓ ଶାମୁକାରେ କଳାକୃତି ପ୍ରସ୍ତୁତି ଜାରି ରଖିଲେ। ଶାମୁକା ଓ ସିପ ନିର୍ମିତ ‘ନନ୍ଦିଘୋଷ ରଥ’ କଳାକୃତି ତାଙ୍କୁ ଜାତୀୟ ପୁରସ୍କାର ଆଣିଦେଇଥିଲା। ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବ୍‌ଦୁଲ୍‌ କାଲାମ୍‌ଙ୍କଠାରୁ ୨୦୦୧ ମସିହାରେ ସେ ଏହି କଳା ପାଇଁ ଜାତୀୟ ହସ୍ତକଳା ପୁରସ୍କାର ଲାଭ କରିଥିଲେ। ଏହାବାଦ୍‌ ସେ ରାଜ୍ୟ ପୁରସ୍କାର ମଧ୍ୟ ହାତେଇଥିଲେ। ଏବେ ତାଙ୍କ ନିର୍ମିତ ଉକ୍ତ ରଥଟି ଦିଲ୍ଲୀର ଜାତୀୟ କ୍ରାଫ୍‌ଟ ମ୍ୟୁଜିୟମ୍‌ର ଶୋଭା ବଢ଼ାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ନେଇ ବହୁ ପ୍ରତିଷ୍ଠିତ ବ୍ୟକ୍ତି ତାଙ୍କ କଳାକୃତି କିଣି ନେଇ ଘରେ ସାଇତିଛନ୍ତି। ଜଗନ୍ନାଥ ଏବେ ଶାମୁକା ଓ ସିପରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ସ୍ବରୂପ ସାଧବ ପୁଅଙ୍କ ବିଦେଶ ଯାତ୍ରାର କଥାକୁ ଉତାରୁଛନ୍ତି। ଏଥିସହ ଦଶାବତାର ଓ ଚତୁର୍ଦ୍ଧା ମୂର୍ତ୍ତିକୁ ନେଇ ଏକ କାରିଗରୀ ମଧ୍ୟ ନିର୍ମାଣ କରୁଛନ୍ତି। ବହୁ ପ୍ରଦର୍ଶନୀ ବୁଲି ଏହି କଳାକୃତିର ପ୍ରଚାର ପ୍ରସାର କରିଛନ୍ତି। ପର୍ଯ୍ୟଟକଙ୍କ ଦ୍ବାରା ଏହା ବେଶ୍ ଆଦୃତ ହୋଇଛି। ତାଙ୍କ କହିବା ମୁତାବକ, କଳାରେ ନିଖୁଣତା ଓ ନିପୁଣତା ଥିଲେ ପ୍ରତିଟି ଜିନିଷ ଭିତରେ ଜଣେ ସୃଜନ ଫୁଟାଇପାରିବ।