ବିଶ୍ବର ବୃହତ୍ତମ ସନ୍ତରଣାଗାର

ଆମ ଭିତରୁ ଅନେକ ପୋଖରୀ, ଗାଡ଼ିଆ ବା ନଦୀ ପରି ପ୍ରାକୃତିକ ଜଳଉତ୍ସରେ ପଶି ସିଧାସଳଖ ପହଁରା ଶିଖିଥା’ନ୍ତି। ତେବେ ସେଠାରେ ବିପଦର ଆଶଙ୍କା ବେଶୀ ଥାଏ। ଅପରପକ୍ଷେ, ଆଜିକାଲି ପିଲାଙ୍କୁ ପହଁରା ଶିଖାଇବା ପାଇଁ କୃତ୍ରିମ ସନ୍ତରଣାଗାରମାନ ନିର୍ମିତ ହେଲାଣି ଯେଉଁଠି ବୁଡ଼ିଯିବାର କି ଭାସିଯିବାର ଆଶଙ୍କା ନାହିଁ। ବେଳେ ବେଳେ ଏହି କୃତ୍ରିମ ସନ୍ତରଣାଗାରଗୁଡ଼ିକରେ ମଧ୍ୟ ପହଁରା ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ।

ସାଧାରଣତଃ ସନ୍ତରଣାଗାରକୁ ବ୍ୟବହାର କରୁଥିବା ଆଗନ୍ତୁକମାନଙ୍କ ସଂଖ୍ୟା ଉପରେ ଉକ୍ତ ସନ୍ତରଣାଗାରର କଳେବର ନିର୍ଭର କରିଥାଏ। ତେବେ ଚିଲିର ସାନ୍‌ ଆଣ୍ଟୋନିଓ ପ୍ରଦେଶ ଅନ୍ତର୍ଗତ ଆଲଗାରୋବୋ ସହର ସ୍ଥିତ ‘ସାନ୍‌ ଆଲଫୋଁସୋଡେଲ ମାର’ ନାମକ ଘରୋଇ ଆବାସସ୍ଥଳୀରେ ନିର୍ମିତ ସନ୍ତରଣଗାରର ଆକାର ମନରେ କୌତୂହଳ ସୃଷ୍ଟି କରିଥାଏ। ଗିନିସ୍‌ ବିଶ୍ବ ରେକର୍ଡ ଦ୍ବାରା ବିଶ୍ବର ବୃହତ୍ତମ ସନ୍ତରଣାଗାରର ମାନ୍ୟତା ରଖିଥିବା ଏହି କୃତ୍ରିମ ଜଳାଶୟଟିକୁ ପାଖରୁ ଦେଖିଲେ ଏକ ବିରାଟ ନଦୀର କିଛି ଅଂଶର ଭ୍ରମ ସୃଷ୍ଟି କରିଥାଏ।

ମୋଟ ୧୯.୭୭ ଏକର ପରିମିତ ଜାଗାରେ ଗଢ଼ାଯାଇଥିବା ଏହି ସନ୍ତରଣାଗାରର ଦୈର୍ଘ୍ୟ ହେଉଛି ୩,୩୨୪ ମିଟର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ପ୍ରଶାନ୍ତ ମହାସାଗର ଉପକୂଳରେ ନିର୍ମିତ ଏହି ସନ୍ତରଣାଗାରରେ ୨୫ କୋଟି ଲିଟରର ପରିଷ୍କୃତ ସମୁଦ୍ର ପାଣି ଛଡ଼ାଯାଇଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଏହାର ଜଳରାଶିର ରଙ୍ଗକୁ ସମୁଦ୍ରଜଳର ରଙ୍ଗ ପରି ନୀଳ କରାଯାଇଛି। ତେଣୁ ସମୁଦ୍ରର ବିପଜ୍ଜନକ ଢେଉ ଓ ସ୍ରୋତ ବଦଳରେ ପର୍ଯ୍ୟଟକମାନେ ଏହି ସନ୍ତରଣାଗାରରେ ସମୁଦ୍ରର ମଜା ନେଇ ପାରୁଛନ୍ତି।

ସମ୍ବନ୍ଧିତ ଖବର