ମହାତ୍ମାଙ୍କ ଜୀବନର ଶେଷ ଦିନ….ଜାଣନ୍ତୁ ଗଡସେଙ୍କ ଗୁଳିରେ ଟଳିପଡ଼ିବା ପୂର୍ବରୁ କିପରି ବିତିଥିଲା ଗାନ୍ଧୀଜୀଙ୍କ ସମୟ

୧୯୪୮ ଜାନୁଆରି ୩୦ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ନାଥୁରାମ ବିନାୟକ ଗଡ଼ସେଙ୍କ ଗୁଳିର ଶିକାର ହୋଇଥିଲେ। ମହାତ୍ମାଙ୍କ ମହାନ୍‌ ଜୀବନର ଶେଷ ଦିନଟି ଥିଲା ଶୁକ୍ରବାର। ସେତେବେଳେ ଗାନ୍ଧୀଜୀ ଦିଲ୍ଲୀସ୍ଥିତ ବିଡ଼ଲା ଭବନର ତଳ ମହଲାରେ ଥିବା ଏକ ଅତିଥି ପ୍ରକୋଷ୍ଠରେ ରହୁଥିଲେ।

ଭୋର ୩ ଘଣ୍ଟା ୩୦ ମିନିଟ୍‌ରେ ସେ ଶଯ୍ୟାତ୍ୟାଗ କରିଥିଲେ। ପଟା-ଖଟରୁ ଉଠି ସାଧାରଣ ଭାରତୀୟଙ୍କ ପରି ଦାନ୍ତ-କାଠିରେ ଦାନ୍ତ ଘଷିଥିଲେ। ତାହା ପରେ ୩ ଘଣ୍ଟା ୪୫ ମିନିଟ୍‌ରେ ବାରଣ୍ତାରେ ପ୍ରାର୍ଥନା କରିଥିଲେ। ପାଖରେ ଥିଲେ ମନୁ, ଆଭା, ବ୍ରଜ କୃଷ୍ଣ ଆଦି। ମନୁ ପ୍ରଥମେ ‘ଭଗବଦ୍‌ଗୀତା’ର ଏକ ଶ୍ଳୋକ ପାଠ କରିଥିଲେ। ତାହା ପରେ ଏକ ଗୁଜରାଟି ପ୍ରାର୍ଥନା। କେତେକ ଠିକ୍‌ ସମୟରେ ଶଯ୍ୟା ତ୍ୟାଗ କରୁ ନ ଥିବାରୁ ମହାତ୍ମା ସେହି ଦିନ ସାମାନ୍ୟ ବିରକ୍ତ ହୋଇଥିଲେ। ଶୀତୁଆ ଅନ୍ଧକାର ମଧ୍ୟରେ ପ୍ରାର୍ଥନା ଶେଷ କରି ପ୍ରକୋଷ୍ଠକୁ ଫେରିଥିଲେ। କ˚ଗ୍ରେସର ଏକ ନୂତନ ସମ୍ବିଧାନ ଚିଠା ସ˚ଶୋଧନ ସାରି ୪ ଘଣ୍ଟା ୪୫ ମିନିଟ୍‌ରେ ଏକ ଗ୍ଲାସ୍‌ ମହୁ, ଲେମ୍ବୁ ମିଶ୍ରିତ ଉଷ୍ମ ଜଳ ପାନକରିଥିଲେ। ଏକ ଘଣ୍ଟା ପରେ ଏକ ଗ୍ଲାସ୍‌ କମଳା ରସ। କ୍ଳାନ୍ତି ଯୋଗୁଁ ଅଧ ଘଣ୍ଟା ଶୋଇଥିଲେ। ଉଠିବା ପରେ ଚିଠି-ପତ୍ର ଫାଇଲ୍‌ ଦେଖିଥିଲେ। ସକାଳ ସାତଟା ବେଳେ ଆମେରିକା ଯିବାକୁ ଥିବା ରାଜେନ ନେହରୁ ତାଙ୍କୁ ଭେଟିଥିଲେ। ତାହା ପରେ ଖବରକାଗଜ ପଢ଼ିଥିଲେ।

ସ୍ନାନ ପରେ ମନୁ, ମହାତ୍ମାଙ୍କର ଓଜନ ମାପିଥିଲେ। ୯ ଘଣ୍ଟା ୩୦ ମିନିଟ୍‌ରେ ଭୋଜନ କରି ପୁଣି କିଛି ସମୟ ଶୋଇଥିଲେ। ୨ ଘଣ୍ଟା ୩୦ ମିନିଟ୍‌ରେ ଏକାଧିକ ବ୍ୟକ୍ତିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଆଲୋଚନା ସରିବା ପୂର୍ବରୁ ପ୍ରାର୍ଥନା ସମୟ ଦଶ ମିନିଟ୍‌ରୁ ଅଧିକ ଗଡ଼ିଯାଇଥିଲା। ଜୀବନର ଅନ୍ତିମ ଯାତ୍ରା ଆରମ୍ଭ କରିଥିଲେ। ୫ ଘଣ୍ଟା ୧୭ ମିନିଟ୍‌ରେ ପ୍ରଣାମ କରିବା ବାହାନାରେ ପଥରୋଧ କରିଥିଲା ଗଡ଼ସେ ଏବ˚ ତିନି ଥର ତାଙ୍କ ଛାତିକୁ ଅତି ନିକଟରୁ ଗୁଳି କରିଥିଲା। ‘ହେ ରାମ’ କହି ଟଳିପଡ଼ିଥିଲେ ମହାତ୍ମା। କିଛି ଘଣ୍ଟା ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧିତ ଖବର