ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କ ମୃତ୍ୟୁର ପରୱାନା ଉପରେ ଲାଗିଲା ମୋହର । ଶେଷରେ ଚଳିତ ମାସ ୨୨ ତାରିଖରେ ତିହାର ଜେଲର ଫାଶୀ ଖୁଂଟରେ ଝୁଲିିବେ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀ । ତେବେ କୌଣସି କଏଦୀକୁ ଫାଶୀ ଦେବା ପୂର୍ବରୁ ସାଧାରଣତଃ ତାର ଶେଷ ଇଚ୍ଛା କ’ଣ ବୋଲି ପଚରାଯାଇଥାଏ । ଯାହାକୁ ପୂରଣ ମଧ୍ୟ କରାଯାଇଥାଏ । ହେଲେ ନିର୍ଭୟା ମାମଲାରେ କିନ୍ତୁ ଅପରାଧୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ସଂପର୍କରେ ପଚରା ଯିବ ନାହିଁ ।
କେବଳ ନିର୍ଭୟା ହତ୍ୟାକାରୀଙ୍କୁ ନୁହେଁ, ଦେଶ ସ୍ୱାଧୀନ ହେବା ପରଠୁ ଏଯାବତ୍ ଯେତେ ଜଣଙ୍କୁ ବି ଫାଶୀ ଖୁଂଟରେ ଝୁଲାଯାଇଛି ସେମାନଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚରାଯାଇ ନାହିଁ । ତିହାର ଜେଲର ପୂର୍ବତନ ଡିଜି ଅଜୟ କଶ୍ୟପଙ୍କ କହିବା ଅନୁସାରେ, ଫାଶୀ ଦଣ୍ଡ ପାଇବାକୁ ଯାଉଥିବା ଦୋଷୀମାନଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚରାଯିବାର ପରମ୍ପରା କେବଳ ସିନେମାରେ ହିଁ ଦେଖାଯାଇଥାଏ । ଅସଲରେ କିନ୍ତୁ ଏହା ହୋଇ ନ ଥାଏ । ବହୁଚର୍ଚ୍ଚିତ ମୁମ୍ବାଇ ଆକ୍ରମଣର ଆତଙ୍କୀ ମହମ୍ମଦ ଅଜବଲ କସାବ ଏବଂ ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁ ସହିତ ଏ ପ୍ରକାରର କୌଣସି ବି ପ୍ରକ୍ରିୟା କରାଯାଇ ନଥିଲା । ଏପରିକି ଜେଲ ମାନୁଆଲରେ ବି ଏ ସଂପର୍କରେ କୌଣସି ବିବରଣୀ ମଧ୍ୟ ଉଲ୍ଲେଖ କରାଯାଇନାହିଁ । ତେବେ ଆଇନ ଅନୁସାରେ ଫାଶୀ ଦେବା ସମୟରେ ଶେଷ ଇଚ୍ଛା ପଚରା ଯିବାର କୌଣସି ନିୟମ ହିଁ ନାହିଁ ।
ଅଜୟ କଶ୍ୟପଙ୍କ ସୂଚନା ମୁତାବକ, ଫାଶୀ ଦେବା ଏକ ନ୍ୟାୟିକ ନିର୍ଦ୍ଦେଶ । ଯାହାକୁ କୌଣସି ବି ପରିସ୍ଥିତିରେ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରାଯାଇଥାଏ । କାହିଁକି ନା ଯଦି କୌଣସି ଅପରାଧୀ ଫାଶୀ ସମୟରେ ନିଜ ଶେଷ ଇଚ୍ଛାରେ ଫାଶୀ ନ ଦେବାକୁ ଇଚ୍ଛାବ୍ୟକ୍ତ କରେ ତେବେ ଏଭଳି ପରିସ୍ଥିତିରେ କ’ଣ କରାଯିବ? ଅଜୟ କଶ୍ୟପଙ୍କ କହିବାନୁସାରେ, ଫାଶୀ ଦେବା ପୂର୍ବରୁ ଏସଡିଜିଏମଙ୍କ ସାମ୍ନାରେ ଦୋଷୀର ୱସିୟତ୍ ବା ଇଚ୍ଛାପତ୍ର କରାଯାଇଥାଏ, ଯାହା ଦ୍ୱାରା ସ୍ଥିର କରାଯାଇଥାଏ କି ଅପରାଧୀର ମୃତ୍ୟୁ ପରେ ତାର ସମ୍ପତ୍ତିି ଉତ୍ତରାଧିକାରୀ କିଏ ହେବ ଆଉ ତାର ଅନ୍ତିମ ସଂସ୍କାର କିଏ କରିବ ।
ତେବେ କଏଦୀର ଉଚ୍ଚତା ଏବଂ ଓଜନକୁ ଦେଖି ସଜଡା ହୋଇଥାଏ ଫାଶୀ ଖୁଂଟ । ଫାଶୀ ପାଇବା ଦିନ ବଡି ଭୋରରୁ ଦୋଷୀଙ୍କୁ ଉଠାଇ ଦିଆଯିବା ସହ ସେମାନଙ୍କୁ ପେଟପୂରା ଖାଇବାକୁ ଦିଆଯାଇଥାଏ । ଏହାପରେ ଅପରାଧୀକୁ ଧଳା ପାଇଜାମା ବଦଳରେ କଳା ପୋଷାକ ପିନ୍ଧାଇ ଦିଅନ୍ତି ଜେଲ କର୍ମଚାରୀ । ସେହିଭଳି ଫାଶୀ ଦେବା ପୂର୍ବରୁ ଦୋଷୀର ହାତ ସହ ଗୋଡ ବି ବାନ୍ଧି ଦିଆଯାଏ । ମୁହଁରେ କଳାପଟି ବାନ୍ଧିବା ପରେ ଅପରାଧୀଙ୍କୁ ଫାଶୀ ଖୁଂଟରେ ଝୁଲାଇଦିଆଯାଏ । ତେବେ ଫାଶୀ ପରେ ଅପରାଧୀକୁ ଅଧଘଂଟା କାଳ ସେହିଭଳି ଫାଶୀ ଖୁଂଟରେ ଝୁଲାଇ ରଖାଯାଇଥାଏ ଆଉ ଡାକ୍ତରୀ ଯାଂଚ ପରେ ମୃତଦେହକୁ ତଳକୁ ଓହ୍ଲାଯିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଅପରାଧିର ମୃତଦେହ ହସ୍ତାନ୍ତର କରାଯାଇଥାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Saitaan-07_Thumb.jpg)
/sambad/media/post_attachments/wp-content/uploads/2020/01/555.jpg)