ସଂକ୍ଷେପରେ ଅମର 
ଅମର ପ୍ରସାଦ ଶତପଥୀ ଛାତ୍ରଜୀବନରୁ ରାଜନୀତି ଆରମ୍ଭ କରିଥିଲେ। ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇ ୧୯୭୧ ମସିହାର ଇନ୍ଦିରା ଗାନ୍ଧୀଙ୍କ ସରକାର ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ବିବାଦୀୟ ଆଇନ ମେଣ୍ଟେନାନ୍ସ ଅଫ୍ ଇଂଟର୍‌ନାଲ୍‌ ସିକ୍ୟୁରିଟି ଆକ୍ଟ (ମିସା)ରେ ୧୮ ମାସ ଅଟକ ବନ୍ଦୀ ରହିଥିଲେ। ୧୯୭୩ରେ ସେ ଏବିଭିପିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇବା ସହିତ ୧୯୯୪-୯୫ରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରସଂଘର ମଧ୍ୟ ସାଧାରଣ ସମ୍ପାଦକ ରହିଥିଲେ। ପରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳରେ ସାମିଲ ହୋଇ ଦଳର ମୁଖପାତ୍ର କାର୍ଯ୍ୟ ତୁଲାଇଥିଲେ। ଏହାପରେ ନବଗଠିତ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ସେ ଜନତା ଦଳରୁ ଦୁଇ ଥର, ଏନ୍‌ସିପିରୁ ଥରେ ଏବଂ ବିଜୁ ଜନତା ଦଳରୁ ୩ ଥର ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। 

Advertisment

ଗତ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟର କାରଣକୁ ନେଇ ଥମି ଆସୁଥିବା ଚର୍ଚ୍ଚାକୁ ପୁଣିଥରେ ଉଜାଗର କରିଛନ୍ତି ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ। ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ଶତପଥୀ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ନିର୍ବାଚିତ ହେଇଛନ୍ତି। ବିଜୁ ଜନତା ଦଳ ପ୍ରତିଷ୍ଠା ସମୟରୁ ଏହାର ଜଣେ ସକ୍ରିୟ ନେତା ରହି ଆସିଥିବା ତଥା ୨୦୦୦ ମସିହାରୁ ଦଳୀୟ ଟିକେଟ୍‌ରେ ନିର୍ବାଚନ ଜିତି ଆସୁଥିବା ଅମର ଶତପଥୀଙ୍କୁ  ବିଜେଡି ୨୦୨୪ ନିର୍ବାଚନରେ ଟିକେଟ ଦେଇ ନଥିଲା। ଦୀର୍ଘ ଦିନ ନିରବ ରହିବା ପରେ ବଡ଼ଚଣାରେ ବିଜେଡିର ବିପର୍ଯ୍ୟୟକୁ ନେଇ ଶ୍ରୀ ଶତପଥୀ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରି ଝଡ଼ ସୃଷ୍ଟି କରିଛନ୍ତି। ଏହି ଝଡ଼ ପଛର ରହସ୍ୟ, ବିଜୁବାବୁ ଓ ନବୀନଙ୍କ ସହିତ ତାଙ୍କର ସମ୍ପର୍କ ଏବଂ ତାଙ୍କର ରାଜନୈତିକ ଯାତ୍ରାକୁ ନେଇ ‘ସମ୍ବାଦ ରବିବାର’ ସହ ଅମର ଶତପଥୀଙ୍କ ସ୍ୱତନ୍ତ୍ର ସାକ୍ଷାତ୍‌କାର।

ଦୀର୍ଘ ରାଜନୈତିକ ଜୀବନରେ ଆପଣ ୬ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ସ୍ବଳ୍ପ ସମୟ ପାଇଁ ମନ୍ତ୍ରୀ ରହିଛନ୍ତି, ସରକାରୀ ଦଳ ମୁଖ୍ୟସଚେତକ ଦାୟିତ୍ବ ବି ନିର୍ବାହ କରିଛନ୍ତି। ମୋଟାମୋଟି କେମିତି ରହିଛି ରାଜନୈତିକ ଯାତ୍ରା?
ମୋର ଅନୁଭୂତି କମ୍‌ ସୁଖଦ, ବରଂ ଅଧିକ ଦୁଃଖଦ। ଯେହେତୁ ମୁଁ ସକ୍ରିୟ ରାଜନୀତିରେ ଅଛି, ତେଣୁ ଲୋକଙ୍କ ସହିତ ରହି ଅନେକ ଆହ୍ବାନର ମୁକାବିଲା କରିଛି। ଯେଉଁମାନଙ୍କର ଉତ୍ତରଦାୟିତ୍ବ ନ ଥାଏ, ସେମାନେ ରାଜନୀତିକୁ ଉପଭୋଗ କରନ୍ତି। ଉପଭୋଗ ପାଇଁ ସେଭଳି ବ୍ୟକ୍ତିବିଶେଷ ରାଜନୀତିର ସାହାରା ନିଅନ୍ତି। କିନ୍ତୁ ମୁଁ କେବେ ରାଜନୀତିର ସାହାରା ନେଇନାହିଁ, ବରଂ ଅନ୍ୟମାନଙ୍କ ପାଇଁ ସାହାରା ସାଜିଛି। 

ନବୀନବାବୁଙ୍କୁ ନିର୍ବାଚନୀ ବିଫଳତା ନେଇ ଜବାବ ମାଗିବା ପରେ କେତେକ ନେତା କହୁଛନ୍ତି ଆପଣ ଦଳ ଛାଡ଼ିଦିଅନ୍ତୁ, କିଛି କ୍ଷତି ହେବନି? ‌
ସେମାନେ ମୋ ସମାସ୍କନ୍ଦ ନେତା ନୁହନ୍ତି। ମୁଁ ସେମାନଙ୍କ ମତାମତକୁ ଗୁରୁତ୍ବ ଦେବାକୁ ଚାହେନି। ସେମାନେ ଜାଣନ୍ତି ବିଜୁ ଜନତା ଦଳ ଗଠନରେ, ଦଳକୁ ଶକ୍ତିଶାଳୀ କରିବାରେ ଏବଂ ନିର୍ବାଚନରେ ବିଜୟୀ କରାଇବାରେ ସେମାନଙ୍କର ଭୂମିକା କ’ଣ? ମୋ ଭୂମିକା ବିଷୟରେ ତ ବିଜେଡିର ଗୋଡ଼ିମାଟି ଜାଣିଛନ୍ତି। ଛାତ୍ର ଜୀବନରେ ମୁଁ ଏବିଭିପିରେ ଥିଲି। ବିଜୁ ପଟ୍ଟନାୟକଙ୍କ ଡାକରାରେ ଜନତା ଦଳକୁ ଆସି ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଇଥିଲି। ବିଜୁବାବୁଙ୍କ ଅବର୍ତ୍ତମାନରେ ବିଜେଡିରେ ସାମିଲ ହେଲି। ବିଜେଡି ପାଇଁ ଯଥେଷ୍ଟ ପରିଶ୍ରମ କରିଛି। ଦଳକୁ ଯେଉଁମାନେ ଶକ୍ତିଶାଳୀ କରିଛନ୍ତି ଆଜି ସେମାନେ ଉପେକ୍ଷିତ, ଅପମାନିତ ଓ ବିତାଡ଼ିତ ହେଉଛନ୍ତି।
 
ବିଜୁ ପଟ୍ଟନାୟକ ଓ ନବୀନବାବୁଙ୍କ ସହିତ ଆପଣ ଦୀର୍ଘ ଦଶନ୍ଧି ଧରି କାର୍ଯ୍ୟ କରିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରଭେଦ କ’ଣ?
ଦୟାକରି ବିଜୁବାବୁଙ୍କ ସହିତ ନବୀନବାବୁଙ୍କୁ ତୁଳନା କରନ୍ତୁ ନାହିଁ। ୧୯୮୩ରେ ମୁଁ ସକ୍ରିୟ ରାଜନୀତିକୁ ଆସି ବିଜୁବାବୁଙ୍କ ନେତୃତ୍ବରେ ୧୯୯୦ ଓ ୧୯୯୫ରେ ନିର୍ବାଚନ ଲଢ଼ିଥିଲି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମୋ ନିର୍ବାଚନମଣ୍ଡଳୀର ଜନସାଧାରଣ ସବୁବେଳେ ମତେ ଆଶୀର୍ବାଦ ଓ ସମର୍ଥନ ଅଜାଡ଼ି ଦେଇଛନ୍ତି। ସେଥିପାଇଁ ତ ମୁଁ ଛ’ ଛ’ ଥର ବିଧାୟକ ହୋଇପାରିଛି। ବିଜୁବାବୁ ଛୋଟ ଛୋଟ କଥାକୁ ଗୁରୁତ୍ବ ଦିଅନ୍ତିନାହିଁ। ସେ ସମାଲୋଚନାକୁ ସମୀକ୍ଷା କରନ୍ତି, କିନ୍ତୁ ପ୍ରତିହିଂସାପରାୟଣ ହୁଅନ୍ତି ନାହିଁ। ହେଲେ, ନବୀନବାବୁ ସେ ସବୁର ବିପରୀତ ବୋଲି ସମସ୍ତେ ଜାଣନ୍ତି। ବିଜୁବାବୁ ସ୍ବାଧୀନତା ଆନ୍ଦୋଳନ ସମୟର ନେତା ଏବଂ ବିଶ୍ବବନ୍ଦିତ ବ୍ୟକ୍ତିତ୍ବ। ସଂଘର୍ଷରୁ ତାଙ୍କର ରାଜନୈତିକ ଉତ୍‌ଥାନ ହୋଇଥିଲା। ସେ ରାତାରାତି ନେତା ବନି ନଥିଲେ।

ନବୀନବାବୁ ଯଦି ସଂଘର୍ଷରୁ ଆସିଥାନ୍ତେ, ତେବେ ରାଜନୀତି‌ରୁ ସେ ବହୁତ କିଛି ଶିକ୍ଷାଲାଭ କରିଥାନ୍ତେ ବୋଲି ଆପଣ ଭାବୁଛନ୍ତି?
ମୋ ବିଚାରରେ, ଜଣେ ରାଜନୀତିକ ବ୍ୟକ୍ତି ଯଦି ସଂଘର୍ଷ ଭିତରୁ ଆସନ୍ତି, ତେବେ ସେ ତୃଣମୂଳ ସ୍ତରରେ ଜନତାଙ୍କ ସହିତ ‌େଯାଡ଼ିହୋଇ ରହିପାରିବେ। ଚାହିଁଲେ ମଧ୍ୟ ଜନତାଙ୍କଠାରୁ ଦୂରେଇ ଯାଇପାରି‌େବନି। ପ୍ରତିକୂଳ ପରିସ୍ଥିତି ପାର କରିଥିବା ନେତା ରାଜନୀତିରେ ଜନତାଙ୍କ ଗୁରୁତ୍ବ ବୁଝିଥାଆନ୍ତି। କିନ୍ତୁ ଅନୁକୂଳ ପରିସ୍ଥିତିରେ ଜନ୍ମିତ ନେତା ଜନତାଙ୍କ ଗୁରୁତ୍ବ ବୁଝିପାରିବେ ନାହିଁ। ସେମାନେ କେବଳ ନେତା ହୋଇ ଦଳରୁ ସୁବିଧା ନେବେ ଏବଂ ସ୍ବାର୍ଥସାଧନ କରିବେ। ରାଜନୀତିର ‘ର’ ଅକ୍ଷର ନଜାଣି ରାତାରାତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ହାରିଗଲା ପରେ କୌଶଳକ୍ରମେ ରାଜନୈତିକ ପରାମର୍ଶଦାତା ଭଳି ପଦବି ହାତେଇନେଉଥିବା ନେତା ଦଳ, ଗଣତନ୍ତ୍ର ଓ ଜନସାଧାରଣଙ୍କ ପାଇଁ ବିପଦ। କିନ୍ତୁ ପ୍ରତିକୂଳ ପରିସ୍ଥିତିରୁ ଆସିଥିବା ନେତାଙ୍କର ଦଳ ପ୍ରତି ସର୍ବଦା ପ୍ରତିବଦ୍ଧତା ଓ ଅାନୁଗତ୍ୟ ରହିଥାଏ।

୨୦୨୪ରେ ଦଳ ଆପଣଙ୍କ ଟିକେଟ୍ କାଟିଦେଲା। ଏଥିପାଇଁ ଦାୟୀ କିଏ?
୨୦୨୪ ନିର୍ବାଚନ ବଡ଼ଚଣା ରାଜନୀତିର ଗୋଟିଏ ଟର୍ଣ୍ଣିଙ୍ଗ୍‌ ପଏଣ୍ଟ୍। କିଛି ଅଣରାଜନୈତିକ ବ୍ୟକ୍ତି ବା ଅନ୍ୟ ଦଳରୁ ବିଜେଡିକୁ ଆମଦାନି ହୋଇଥିବା ନେତା ବଡ଼ଚଣା ନିର୍ବାଚନମଣ୍ଡଳୀର ବିଜୟ ଧାରାରେ ବ୍ରେକ୍ ଲଗାଇବାକୁ ଷଡ୍‌ଯନ୍ତ୍ର କରୁଥିଲେ। ସେଥିରେ ସେମାନେ ମତେ ବଳି ପକାଇଲେ। ଟିକେଟ୍ ନପାଇ ମଧ୍ୟ ମୁଁ ନିରବ ରହିଥିଲି। କାରଣ, ଯେଉଁ ଦଳ ଗଠନରେ ଆମେ ଲହୁଲୁହାଣ ହୋଇଛୁ, ହଠାତ୍ ଖଣ୍ଡିଏ ଟିକେଟ୍ ନପାଇ ଉତ୍ସୃଙ୍ଖଳ ଆଚରଣ କରିବା ଠିକ୍ ନୁହେଁ। ଦଳର ସ୍ବାର୍ଥରକ୍ଷା ଓ ଜନସାଧାରଣଙ୍କ ବିଶ୍ବାସ ଅତୁଟ ରଖିବାକୁ ମୁଁ ଶୃଙ୍ଖଳିତ ନେତା ଭାବେ ବଡ଼ଚଣାରେ କାମ କରୁଥିଲି। ଏହାପରେ ବି କୁଚକ୍ରୀ ଗୋଷ୍ଠୀଙ୍କ ଷଡ୍‌ଯନ୍ତ୍ର ଜାରି ରହିଲା। ଏଥିପ୍ରତି ନବୀନବାବୁ ଧ୍ୟାନ ଦେଲେନି କିମ୍ବା ପରେ ଘଟଣାର ସମୀକ୍ଷା କଲେନି। ତେଣୁ ମୁଁ ବାଧ୍ୟହୋଇ ବର୍ତ୍ତମାନ ଏହାର ଜବାବ ମାଗିଲି। ଏହାକୁ ମଧ୍ୟ ନବୀନ ପଟ୍ଟନ‌ାୟକ ଧ୍ୟାନ ଦେଲେନି। ତେଣୁ ମତେ ଟିକେଟ୍ ନ ମିଳିବା ପଛରେ ନବୀନବାବୁ ହିଁ ଦାୟୀ। କାରଣ, ସେ ଦଳର ନେତା।

ଅନ୍ୟ ଦଳରୁ ଆମଦାନି ହୋଇଥିବା କିଛି ନେତା ଏବଂ ରାଜନୀତିରେ ସଂପୂର୍ଣ୍ଣ ଅନଭିଜ୍ଞ ବ୍ୟକ୍ତି ବିଜେଡିରେ କ୍ଷମତାଶାଳୀ ହୋଇଗଲେ। ଏଥିପାଇଁ ଦାୟୀ କିଏ?

ମୁଁ କହିଛି, ଦଳର ମୁଖିଆ ତଥା ସଭାପତି ନବୀନବାବୁ ଦଳର ପ୍ରତ୍ୟେକ କାର୍ଯ୍ୟ ପାଇଁ ଉତ୍ତରଦାୟୀ। ଦେଖନ୍ତୁ, ମତେ ସମାଲୋଚନା କରୁଥିବା ବିଜେଡିର କେତେକ ନେତା କହୁଛନ୍ତି ପାଣ୍ଡିଆନ୍ ଆମର ନେତା ନ ଥିଲେ କିମ୍ବା ନାହାନ୍ତି। ନବୀନବାବୁ ଆମର ନେତା। ତେଣୁ ଦଳର ହାନିଲାଭ ପାଇଁ ସେ ହିଁ ଦାୟୀ।

ନବୀନବାବୁଙ୍କ ସଫଳତାର ରହସ୍ୟ କ’ଣ?
ବିଜୁବାବୁଙ୍କ ପୁଅ ଏବଂ ନବାଗତ ନେତା ହିସାବରେ ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ବ ରାଜନୀତିରେ ସଫଳତା ପାଇବା ପାଇଁ ଯଥେଷ୍ଟ ଥିଲା। ପରବର୍ତ୍ତୀ ସମୟରେ ନିଜ ସରଳ ଜୀବନଯାପନ ଶୈଳୀର ପ୍ରଚାର ଏବଂ ନିଜ ଭାବମୂର୍ତ୍ତି ପାଇଁ ଦଳରୁ ଅନ୍ୟନେତାଙ୍କୁ ବିତାଡ଼ିତ କରି ସେ  ନିଜକୁ ସ୍ବଚ୍ଛ ପ୍ରତିପାଦିତ କଲେ। ଗଣମାଧ୍ୟମ ଏକଥା ପ୍ରଚାରପ୍ରସାର କରି ନବୀନବାବୁଙ୍କୁ ପ୍ରଶଂସାରେ ପୋତିଦେଲ‌ା। ଏହାରି ଭିତରେ ତାଙ୍କ ବ୍ୟକ୍ତିତ୍ବର ନକାରାତ୍ମକ ଦିଗ ଏବଂ ରାଜନୈତିକ ବିଫଳତା ସବୁ ଲୁଚିଗଲା। ସବୁ ସଫଳତା ପାଇଁ ଗଣମାଧ୍ୟମ କେବଳ ତାଙ୍କୁ ହିଁ ଶ୍ରେୟ ଦେଲା।

କିଛି ଅକୁହା କଥା ଅଛି କି? ଯାହା କେବେ ଆପଣ କାହା ପାଖରେ ପ୍ରକାଶ କରିନାହାନ୍ତି? 
ମୁଁ ନବୀନ ପଟ୍ଟନାୟକଙ୍କୁ ଯାହା ଭାବିଥିଲି ପ୍ରକୃତରେ ସେ ସେଥିପାଇଁ ଯୋଗ୍ୟ ନୁହନ୍ତି। ସବୁ ସ୍ନେହ, ଶ୍ରଦ୍ଧା ଓ ଭକ୍ତି ପାଇ ମଧ୍ୟ ସେ ଓଡ଼ିଆ ଲୋକଙ୍କ ପ୍ରତି କେବେହେଲେ ଉତ୍ତରଦାୟୀ ହେଲେନାହିଁ। 

ସମାଲୋଚକ କହୁଛନ୍ତି, ବର୍ତ୍ତମାନ ପୁଅକୁ ବିଜେପିରେ ସାମିଲ କରିବେ ଏବଂ ତା’ ଆଗରୁ ତା’କୁ ସରକାରୀ ଓକିଲ କରିବା ପାଇଁ ଆପଣଙ୍କର ଏହି ବିଦ୍ରୋହ?
ସୁପ୍ରିମ୍ କୋର୍ଟରେ ମୋ ପୁଅର ଓକିଲାତି କ୍ୟାରିୟର୍ ଦେଖନ୍ତୁ। ସେ ‌େ‌କତେ ସଫଳ ଏବଂ ତା’ର କେତେ ଟ୍ୟାଲେଣ୍ଟ୍‌ ଆପଣ ଜାଣିପାରିବେ। ସିମ୍ବୋସିସ୍ ଓ ଲଣ୍ଡନ୍‌ରେ ସେ ଆଇନ ଶିକ୍ଷା କରିଛି। ଭାରତର ଅନ୍ୟତମ ପ୍ରସିଦ୍ଧ ଆଇନଜୀବୀ ପ୍ରବୀଣ ପାରେଖ୍‌ଙ୍କ ପାଖରେ ସେ ତାଲିମ ନେଇଛି। ପୁଅକୁ ସରକାରୀ ଓକିଲ କରିବା ପାଇଁ ମୁଁ ବିଦ୍ରୋହ କରୁଛି ଏବଂ ନବୀନବାବୁଙ୍କ ବିରୋଧରେ ବିଷୋଦ୍‌ଗାର କରୁଛି ବୋଲି କହିବା ନିତାନ୍ତ ହାସ୍ୟାସ୍ପଦ ଓ ମନଗଢ଼ା କଥା।