ସମ୍ପ୍ରତି ବିଶ୍ବ ଏବେ ଲୋକପ୍ରିୟ ଭ୍ରମଣସ୍ଥଳୀ ଦ୍ବାରା ପ୍ରଭାବିତ ହେଉଥିବା ବେଳେ ଏମିତି ଅନେକ ଦେଶ ଅଛନ୍ତି, ଯେଉଁଠିକି ପର୍ଯ୍ୟଟକମାନେ ଭ୍ରମଣ କରିବାକୁ ଆଦୌ ପସନ୍ଦ କରିନଥା’ନ୍ତି। ବିଶେଷ କରି ଉଚ୍ଚ ଅପରାଧ ହାର, ଅର୍ଥନୈତିକ ସଂଘର୍ଷ, ରାଜନୈତିକ ଅସ୍ଥିରତା, ବିଷମ ପାଣିପାଗ ଓ ଅନ୍ୟାନ୍ୟ ସମସ୍ୟାରେ ଜର୍ଜରିତ ଏହି ଦେଶଗୁଡ଼ିକ ଲୋକଲୋଚନରୁ ଦୂରରେ ରହିଛନ୍ତି। ତଥାପି ପ୍ରାମାଣିକ ଅନୁଭୂତି ଓ ନିରୋଳା ସୌନ୍ଦର୍ଯ୍ୟ ଖୋଜୁଥିବା ଦୁଃସାହସିକ ଭ୍ରମଣକାରୀଙ୍କ ପାଇଁ ଏହି ସର୍ବନିମ୍ନ ଭ୍ରମଣ କରାଯାଇଥିବା ଦେଶଗୁଡ଼ିକର ରହସ୍ୟ ଓ ବିସ୍ମୟକୁ ଉନ୍ମୋଚନ କରିବାର ମଜା ନିଆରା ଥାଏ।

Advertisment

publive-image Visit Mogadishu

ପରିସଂଖ୍ୟାନ ଅନୁଯାୟୀ, ସେଭଳି ଅଜ୍ଞାତ ଦେଶ ମଧ୍ୟରେ ପ୍ରଥମେ ଆସିବ ସୋମାଲିଆ। ଦଶନ୍ଧି ଦଶନ୍ଧି ଧରି ସେଠାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଓ ସଶସ୍ତ୍ର ସଂଘର୍ଷ ଯୋଗୁଁ ଅନେକ ଐତିହାସିକ ସ୍ଥାନ, ସୁନ୍ଦର ଉପକୂଳ ଓ ଚକିତ କଲା ଭଳି ଭୂମିରୂପ ଥିବା ସତ୍ତ୍ବେ ବହିରାଗତ ପର୍ଯ୍ୟଟକମାନେ ସେଠାକୁ ଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ଫଳରେ ବର୍ଷକୁ ମାତ୍ର ୧୦୦ ଜଣ ପର୍ଯ୍ୟଟକ ସେଠାକୁ ଆସୁଥିବା ଜଣାଯାଇଛି। ତା’ ପଛକୁ ଆସିବ ୟେମେନ। ଉନ୍ନତ ଇତିହାସ, ପୁରାତନ ସହର ଓ ମନମୁଗ୍ଧକର ଭୂମିରୂପ ଆଦିକୁ ବହନ କରୁଥିବା ଏହି ଆରବୀୟ ଦେଶରେ ଜାରି ରହିଥିବା ଗୃହଯୁଦ୍ଧ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଭୀଷଣ ଭାବରେ ବାଧାପ୍ରାପ୍ତ। ଫଳସ୍ବରୂପ, ବାର୍ଷିକ ମାତ୍ର ୫୦୦ ପର୍ଯ୍ୟଟକ ୟେମେନ ଯାଇଥିବା ପରିସଂଖ୍ୟାନ କହୁଛି। ସେହିପରି ତୃତୀୟରେ ଅଛି ଇକ୍ବେଟୋରିଆଲ୍ ଗିନି। ସମୃଦ୍ଧ ଜୈବ ବିବିଧତା, ପ୍ରାଚୀନ ତଥା ଅକ୍ଷତ ସବୁଜ ବନାନୀ ଓ ଜୀବନ୍ତ ସଂସ୍କୃତି ଆଦିକୁ ବହନ କରୁଥିବା ଏହି ଆଫ୍ରିକୀୟ ଦେଶର ସ୍ଥିତି ଭିନ୍ନ। ଅନ୍ୟ ଦେଶ ତୁଳନାରେ ଏହା ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ସୁରକ୍ଷିତ ମନେ ହେଲେ ହେଁ ଏହାର ସୀମିତ ଭିତ୍ତିଭୂମି, ଖର୍ଚ୍ଚବହୁଳତା ଓ କଠୋର ଭିସା ଆବଶ୍ୟକତା ପାଇଁ ସେଠାକୁ ବାର୍ଷିକ ହଜାରେରୁ କମ୍‌ ପର୍ଯ୍ୟଟକ ଯାଇଥାନ୍ତି।