ଶୀର୍ଷକ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥାଇପାରେ। କାରଣ ବିନା କଳାକୋଟ୍‌ ଓ ଗାଉନ୍‌ରେ ଓକିଲମାନେ କୋର୍ଟ ରୁମ୍‌ରେ ଯୁକ୍ତି ଉପସ୍ଥାପନ କରିବା ସାଧାରଣ ଭାବେ ଗ୍ରହଣୀୟ ନୁହେଁ। କିନ୍ତୁ, କେରଳ ହାଇକୋର୍ଟ ଏଭଳି ଏକ ଅଭିନବ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଉ ଏହା ପଛର କାରଣ ହେଉଛି ଅସହ୍ୟ ତାତି। ତେଣୁ ଗ୍ରୀଷ୍ଣଋତୁରେ ଆଡ୍‌ଭୋକେଟ୍‌ମାନେ ଗାଉନ୍‌ ନ ପିନ୍ଧିଲେ ଚଳିବ ବୋଲି କହିଛନ୍ତି ଅଦାଲତ।

Advertisment

ଏ ସଂକ୍ରାନ୍ତରେ ଜାରି କରିଥିବା ନିର୍ଦ୍ଦେଶନାମାରେ ଅଦାଲତ କହିଛନ୍ତି, ଜିଲ୍ଲା ନ୍ୟାୟପାଳିକାରେ ଥିବା ଅଦାଲତଗୁଡ଼ିକରେ ଓକିଲାତି କରୁଥିବା ଆଡ୍‌ଭୋକେଟ୍‌ମାନେ ଧଳା ସାର୍ଟ ଓ ବ୍ୟାଣ୍ଡ୍‌ ପିନ୍ଧିବେ। କଳାକୋଟ୍‌ ଏବଂ ଆଡ୍‌ଭୋକେଟ୍‌ ଗାଉନ୍‌ ପିନ୍ଧିବା ସେମାନଙ୍କ ଇଚ୍ଛାଧୀନ ବ୍ୟାପାର। ସେହିପରି, ହାଇକୋର୍ଟରେ ଓକିଲାତି କରୁଥିବା ଆଡ୍‌ଭୋକେଟ୍‌ଙ୍କ ପାଇଁ ବି ଗାଉନ୍‌ ପିନ୍ଧିବା ଇଚ୍ଛାଧୀନ। ଏହି ନିର୍ଦ୍ଦେଶନାମା ୨୦୨୪ ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ।
‘କେରଳ ହାଇକୋର୍ଟ ଆଡ୍‌ଭୋକେଟ୍‌ସ୍‌ ଆସୋସିଏସନ୍‌’ର ଅନୁରୋଧକ୍ରମେ ଏହି ପ୍ରସ୍ତାବନା ଗୃହୀତ ‌ହୋଇଛି। ଅଦାଲତଙ୍କୁ ଓକିଲ ସଂଘ ଅନୁରୋଧ କରିଥିଲା କି, ଗ୍ରୀଷ୍ଣ ଉତ୍ତାପ ଯୋଗୁଁ ରାଜ୍ୟବ୍ୟାପୀ ଆଡ୍‌ଭୋକେଟ୍‌ମାନେ ଭୋଗୁଥିବା ଅସୁବିଧା ପ୍ରତି ଧ୍ୟାନ ଦିଆଯାଇ ସେମାନଙ୍କୁ ଗାଉନ୍‌ ପିନ୍ଧାରୁ ନିଷ୍କୃତି ଦିଆଯାଉ।