ବାଡ଼ଗ୍ରାହୀ ଦଇତାପତି ଭାବେ ରଥଯାତ୍ରାର ସଂପୂର୍ଣ୍ଣ ଦାୟିତ୍ବ ଆମେ ତୁଲାଉ। ଶ୍ରୀଅଙ୍ଗର ସମସ୍ତ ସେବା ସଂପନ୍ନ କରୁ। ଲାଗି ଓ ଓଲାଗି ସବୁ କରୁ। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ଏହି ସେବା ଆରମ୍ଭ ହୁଏ। ସେନାପଟା ଲାଗିଠାରୁ ଆରମ୍ଭ କରି ପହଣ୍ଡି ବିଜେ, ରଥଯାତ୍ରା, ଅଣସର, ସବୁ ସେବା କରୁ। ଠାକୁରଙ୍କୁ ଯାହା ଲାଗେ, ତାହା ଆମ ଜାଣତରେ ଲାଗିହୁଏ। ଓଲାଗି ପରେ ଆମ ମାର୍ଫତରେ ଶ୍ରୀମନ୍ଦିର ପ୍ରଶାସନକୁ ତାହା ଫେରସ୍ତ ଦେଉ। ଶ୍ରୀଗୁଣ୍ଡିଚାରେ ପହଣ୍ଡି, ଠାକୁରଙ୍କ ନୀତିକାନ୍ତି ସବୁ ଆମ ଦ୍ବାରା ସଂପନ୍ନ ହୋଇଥାଏ। ବାହୁଡ଼ାରେ ଫେରିବା ସମୟରେ ସମାନ ଦାୟିତ୍ବ ସଂପାଦନ କରୁ। ରଥରେ କେହି ନ ଥିଲେ ବି ବାଡ଼ଗ୍ରାହୀ ରଥରେ ଉପସ୍ଥିତ ରହିବେ। ରଥରେ ଯଦି କେହି ବାହାର ଲୋକ ଚଢ଼ନ୍ତି, କିଛି ଅସୁବିଧା ସୁବିଧା ହେଲେ, ବାଡ଼ଗ୍ରାହୀ ଭାବରେ ମୁଁ ଉତ୍ତରଦାୟୀ ରହେ। ରଥ ଶୋଧ, ଠାକୁରଙ୍କ ବିଜେ ପ୍ରତିମାଙ୍କ ସେବା କାର୍ଯ୍ୟ ବି କରୁ। ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ଆମର। ରଥଯାତ୍ରା ପରେ ଚିତାଲାଗି ଅମାବାସ୍ୟାରେ ଚିତା ଲାଗି କରୁ। ପରେ ରେଖା ପଞ୍ଚମୀରେ ରାହୁ ରେଖା ଲାଗି କରୁ। ଗହ୍ମା ପୂର୍ଣ୍ଣିମା ଶ୍ରୀବଳଭଦ୍ରଙ୍କ ଜନ୍ମରେ ସୁଦର୍ଶନ ବିଜେ ସେବା କାର୍ଯ୍ୟ ସଂପନ୍ନ କରୁ। ଠାକୁରଙ୍କ ପଇତା ଲାଗି ସେବା ସଂପନ୍ନ କରୁ। କୁମାର ପୂର୍ଣ୍ଣିମାରେ ବି ସେବା କାର୍ଯ୍ୟ ରହିଛି। ରାଧାଷ୍ଟମୀରେ ବି ସେବା ରହିଛି। ବିଶ୍ବଶାନ୍ତି ପାଇଁ ସୁଦର୍ଶନଙ୍କ ଦାରୁ ବିଗ୍ରହ ଅଙ୍ଗିରା, ଭୃଗୁ, କଣ୍ଡୁ ଓ ମାର୍କଣ୍ଡେୟ- ଏହି ଚାରି ଋଷିଙ୍କ ଆଶ୍ରମ ବିଜେ କରିଥାନ୍ତି। ଗହ୍ମା ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା ଓ ରାଧାଷ୍ଟମୀରେ ଏହି ଚାରି ଆଶ୍ରମ ବିଜେ ନୀତି ଆମେ କରିଥାଉ। ସେଦିନ ପଣ୍ଡୁ ଆଶ୍ରମରେ ଶ୍ରୀଜଗନ୍ନାଥଙ୍କ ଆୟ-ବ୍ୟୟ ହିସାବ ହୁଏ।
ମହାପ୍ରଭୁ ବଡ଼ ବିଚିତ୍ର ଠାକୁର। ଶ୍ରୀଜଗନ୍ନାଥଙ୍କ ଅାଶିଷ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛି। ସେ ଖାଇବା, ରହିବା, ପିନ୍ଧିବା ସହ ଆମର ରକ୍ଷାକର୍ତ୍ତା ସାଜିଛନ୍ତି। ଭୁଲ କଲେ ମାଡ଼ ମାରି ଭଲ ବାଟ ଦେଖାଉଛନ୍ତି। ସେ ବିଶ୍ବର ଠାକୁର, ସେ ପଞ୍ଚଭୂତ। ପଞ୍ଚଭୂତରେ ସାରା ବିଶ୍ବ ଚାଲିଛି। ବିଶ୍ବର ପ୍ରତୀକ ରୂପ ହେଲେ ଶ୍ରୀଜଗନ୍ନାଥ। ସୂର୍ଯ୍ୟ ହେଉଛନ୍ତି ବିଶ୍ବର ସକଳ ଶକ୍ତିର ଆଧାର। ସୂର୍ଯ୍ୟ ହେଉଛନ୍ତି ଜଗନ୍ନାଥ। ତାଙ୍କ ଦୁଇ ଆଖି ସୂର୍ଯ୍ୟ-ଚନ୍ଦ୍ର। ରଥଯାତ୍ରାରେ, ରଥରେ ବସିବା ଓ ରଥରୁ ଓହ୍ଲାଇବା, ରତ୍ନ ସିଂହାସନରୁ ଓହ୍ଲାଇବା ଓ ପୁଣି ରତ୍ନ ସିଂହାସନରେ ବିଜେ କରିବା ଆଦି ସେବା ସମୟରେ ଅନେକ ଅନୁଭୂତି ଭରି ରହିଛି। ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁ ବାହାରିବା ବେଳେ ଯେଉଁଭଳି ବଡ଼ଦାଣ୍ଡରେ ଲୋକାରଣ୍ୟ ପରିବେଶ, ପହଣ୍ଡିରେ ଆସିବା ବେଳର ଠାଣି, ଚାମର ସେବା, ରଥରେ ଚଢ଼ିବା ସବୁରେ ଭିନ୍ନତା ଭରି ରହିଛି। ପାଦେ ପାଦେ ଅନୁଭୂତି ରହିଛି। ଅସୁବିଧାରେ ପଡ଼ିଲେ, ତାଙ୍କୁ ହିଁ ଡାକୁ। ଅସୁବିଧାରେ ପଡ଼ିଲେ, କାହିଁକି ଅସୁବିଧାରେ ପକାଇଲ ବୋଲି ତାଙ୍କୁ ପ୍ରଶ୍ନ କରୁ। ସେ ଅନୁଭୂତି ଅବର୍ଣ୍ଣନୀୟ।
୩୦ ବର୍ଷ ତଳର ଗୋଟିଏ ଘଟଣା। ଶ୍ରୀଗୁଣ୍ଡିଚା ଘରଠାରେ ମହାପ୍ରଭୁ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅଟକିଗଲେ। ରଥକୁ ଆସିଲେନି। ପରେ ପ୍ରଶାସକ ଆସି ଦୃଷ୍ଟି ଆକର୍ଷଣ କଲେ। ସେ ସମୟରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସକ ଦାୟିତ୍ବରେ ରୁହନ୍ତି। ଗୁରୁ ମହାନ୍ତି ଶ୍ରୀମନ୍ଦିର ପ୍ରଶାସକ ଥିଲେ। ସେ ବହୁ ଅନୁରୋଧ କରିଥିଲେ- ଠାକୁର କେମିତି ଆସିବେ, ଦେଖିବାକୁ। ଯେହେତୁ ଜଗନ୍ନାଥ ଆମ ଭାଇ, ସେ ଅସୁବିଧାରେ ଅଛନ୍ତି ମାନେ, ସେ ମୁହୂର୍ତ୍ତରେ ମୁଁ ଯିବା ନିଶ୍ଚିତ ଥିଲା। ସେ ସମୟରେ ବଡ଼ବାପା ଗଙ୍ଗାଧର ଦାସମହାପାତ୍ର, ମୋତେ ଯୁବ ବୋଲି ଡାକନ୍ତି। କିଛିଦିନ ତଳେ ମୋତେ ବଡ଼ବାପା କହିଥିଲେ- ଯେତେବେଳେ ବି ଜଗନ୍ନାଥଙ୍କର କିଛି ଅସୁବିଧା ପଡ଼ିବ, ସେଥିରେ ପଶି ନ ପାରିବୁ, ତୁ ବଡ଼ଠାକୁର ବଳଭଦ୍ରଙ୍କର ଶରଣ ପଶିବୁ। ତା’ ନ ହେଲେ ଏହି ଅସୁବିଧାର ଅନ୍ତ ଘଟିବନି। ସେଇଆ ହିଁ କଲି। ଶ୍ରୀବଳଭଦ୍ରଙ୍କ ଶରଣ ପଶି ମୁଣ୍ଡିଆ ମାରି ପ୍ରାର୍ଥନା କଲି, ‘ପ୍ରଭୁ ତୁମେ ରଥକୁ ଆସିଲ, କିନ୍ତୁ ଜଗନ୍ନାଥ ରଥକୁ ଆସୁନାହାଁନ୍ତି। ଶ୍ରୀଜଗନ୍ନାଥ ରଥକୁ ନ ଆସିଲେ କ’ଣ ରଥଯାତ୍ରା ସଂପୂର୍ଣ୍ଣ ହୋଇପାରିବ। ଏଣୁ ତୁମେ ମୋ ସାଙ୍ଗରେ ଆସ।’’ ବଡ଼ଠାକୁରଙ୍କ କୁଣ୍ଢାଇ ଧରି ମୁଣ୍ଡିଆ ମାରିଲି। ଏହି ସମୟରେ ପ୍ରଭୁଙ୍କ ନାକଚଣା ଆସି ମୋ ପିଠିରେ ପଡ଼ିଲା। ମୋ ମନରେ ଭରସା ଜୁଟିଲା। ଏହି ସମୟରେ ଅନ୍ୟ ଜଣେ ଦଇତାପତି ଭାଇ ବି ମୋ ସାଙ୍ଗରେ ଯିବାକୁ ମଙ୍ଗିଥିଲେ। ନାକଚଣାକୁ ଧରି ମୁଁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଯାଇଥିଲି। ଯେଉଁ ରାସ୍ତା ଦେଇ ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଯାଇଥିଲେ, ସେହି ବାଟ ଦେଇ ଗଲି। ଦେହକୁ ଦେହ ବାଜୁଥିଲା। ସୋରିଷ ପକାଇବାକୁ ଜାଗା ନ ଥିଲା। ସେ ବାଟ ଦେଇ ଯିବା ବି ଅସମ୍ଭବ ଭାବି ଦେଇଥିଲି। କିନ୍ତୁ ପଶିବା ପରେ ସତେ ଯେପରି ମୋର ଯିବା ବାଟ ପ୍ରଶସ୍ତ ହୋଇଗଲା। ମୋତେ ଦେଖି ସମସ୍ତେ ବାଟ ଛାଡ଼ି ଦେଉଥିଲେ। ମୁଁ ସିଧା ଜଗନ୍ନାଥଙ୍କ ପାଖରେ ପହଞ୍ଚି ବଡ଼ଠାକୁରଙ୍କ ନାକଚଣା ଦେଇ ରଥକୁ ଆସିବାକୁ ଗୁହାରି କରିଥିଲି। ପରେ ମହାପ୍ରଭୁ ସେଠାରୁ ବାହାରି ତୁରନ୍ତ ରଥକୁ ବିଜେ କରିଥିଲେ। ରଥଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇଥିଲା।
- ହଳଧର ଦାସମହାପାତ୍ର (ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/f7995a9c-f1a4-41e1-b455-8dc2c735ddfa.jpg)