ଆମାଜନ୍‌ ପ୍ରାଇମ୍‌ ଫିଲ୍ମ ‘ଆମ୍ମା କି ବୋଲି’ ଓ ବଲିଉଡ୍‌ର ବର୍ତ୍ତମାନ ବହୁ ଚର୍ଚ୍ଚିତ ସଂଗୀତ ‘କିୟୁଟି ପାଇ’ରେ ନୃତ୍ୟ ଓ ଅଭିନୟ କରି ଚହଳ ସୃଷ୍ଟି କରିଛନ୍ତି ଓଡ଼ିଆ ଝିଅ ଜୁଗୁନ୍‌ ଇସ୍କି। ଜୁଗୁନ୍‌ ନିଜର ବଳିଷ୍ଠ ଅଭିନୟ, ସଂଗୀତ ସାଙ୍ଗକୁ ମଡେଲିଂ ମାଧ୍ୟମରେ ବର୍ତ୍ତମାନ ବଲିଉଡ୍‌ରେ ନିଜର ସ୍ଥାନ ସୁରକ୍ଷିତ କରି ପରିଚୟ ସୃଷ୍ଟି କରିଛନ୍ତି। ଜୁଗୁନ୍‌ଙ୍କ ଯାଦୁରେ ମତୁଆଲା ହେଉଛନ୍ତି ଦର୍ଶକ। ଜୁଗୁନ୍‌ ଇସ୍କିଙ୍କ ପ୍ରକୃତ ନାଁ ସୋନମ୍ ମିଶ୍ର। ଜୁଗୁନ୍‌ କେତେକ ହିନ୍ଦୀ, ତାମିଲ୍‌ ଓ ପଞ୍ଜାବୀ ସଂଗୀତ ଆଲ୍‌ବମ୍‌ ଓ ଚଳଚ୍ଚିତ୍ରରେ ପ୍ରଥମ ପଦାର୍ପଣରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ସେ ତାଙ୍କ ବାପା ଡାକ୍ତର ସୁଶୀଳ କୁମାର ମିଶ୍ରଙ୍କ ଶ୍ରାଦ୍ଧରେ ଯୋଗ ଦେବାକୁ ଭୁବନେଶ୍ବର ଆସିଥିଲେ। ଜୁଗୁନ୍‌ ବର୍ତ୍ତମାନ କାନାଡ଼ା ଓ ନ୍ୟୁୟର୍କର କେତେକ ଚଳଚ୍ଚିତ୍ର ଓ ଥିଏଟର୍‌ ପାଇଁ ଅଭିନୟ କରୁଛନ୍ତି। ନିଜର ଏକ ସାକ୍ଷାତ୍‌କାରରେ ଜୁଗୁନ୍ ଇସ୍କି ସୁଶ୍ରୀକୁ କହିଛନ୍ତି, ‘‘ଗାଇବା ଓ ନାଚିବା ମୋର ଦୁଇଟି ଆଖି ଏବଂ ଅଭିନୟ ହେଉଛି ମୋର ଶରୀର। ପିଲାଟି ଦିନରୁ ମୋର ସଂଗୀତ ଓ ନୃତ୍ୟ ଅଭିନୟ ପ୍ରତି ଆଗ୍ରହ ଥିଲା। ମୋ ମାଆ କମଲ ମିଶ୍ର ଓଡ଼ିଶୀ ସଂଗୀତ ଓ ଅଲ୍ଇଣ୍ଡିଆ ରେଡିଓର ଜଣେ କଣ୍ଠଶିଳ୍ପୀ ଥିଲେ। ସେ କଳାବିକାଶ କେନ୍ଦ୍ର ଓ ସଂଗୀତ ସମ୍ରାଟ୍‌ ଭିକାରି ବଳଙ୍କ ଠାରୁ ସଂଗୀତ ଶିକ୍ଷା ମଧ୍ୟ କରିଥିଲେ। ତାଙ୍କର ପ୍ରେରଣା ମୋତେ ସଂଗୀତ ଅଭିନୟ ଦୁନିଆକୁ ନେଇ ଆସିଛି’’। 

Advertisment

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ବଲିଉଡ୍‌ ତୁଳନାରେ ଅଧିକ ଉତ୍କୃଷ୍ଟ ବୋଲି ଖୋଲାଖୋଲି କହନ୍ତି ଜୁଗୁନ୍ ଇସ୍କି। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ଅଭିନୟ ଜଗତର ଉତ୍ତମ ବ୍ୟାବସାୟିକ ପ୍ରତିଷ୍ଠାନ। ସେମାନଙ୍କର ସମୟାନୁବର୍ତ୍ତିତା ସାଙ୍ଗକୁ ଆର୍ଥିକ ସ୍ବୀକୃତି ତଥା ପ୍ରାପ୍ୟ ପ୍ରଦାନ କରିବାରେ ସେମାନେ ବହୁତ ବୃତ୍ତିଗତ ଓ ପ୍ରତିବଦ୍ଧ ଅଟନ୍ତି, ଯାହା ଅନ୍ୟତ୍ର ଖୁବ୍‌ କମ୍‌ ଦେଖିବାକୁ ମିଳେ, ଏପରିକି ବଲିଉଡ୍‌ରେ ମଧ୍ୟ ଏହା ମିଳେନାହିଁ। ‘‘ଯେହେତୁ ମୋର ଜନ୍ମ ଓ ଶିକ୍ଷାଦୀକ୍ଷା ସବୁକିଛି ଜାମସେଦପୁରରେ ତେଣୁ ମୁଁ ଓଡ଼ିଆ ଭଲରେ କହିପାରେ ନାହିଁ। କିନ୍ତୁ ଯଦି ମୋତେ ଓଡ଼ିଶାରେ ବଡ଼ ସଂଗୀତ ଆଲ୍‌ବମ୍‌ ସହିତ ଚଳଚ୍ଚିତ୍ରରେ ଅଭିନୟ ଓ ଗାଇବାର ସୁଯୋଗ ମିଳିବ ତେବେ ମୁଁ ଖୁସିରେ ଏହାକୁ ଗ୍ରହଣ କରିବି। ଭଲ ଓଡ଼ିଆ କହିବାକୁ ଚେଷ୍ଟା କରିବି। ଅବଶ୍ୟ ଚଳଚ୍ଚିତ୍ରରେ ଓଡ଼ିଆ ଡାଏଲଗ୍‌ ଉଚ୍ଚାରଣ କରି କହିବା ମୋ ପାଇଁ ସମସ୍ୟା ହେବ’’ ବୋଲି ସେ କହନ୍ତି।

ଆଜିର ଯୁବପିଢ଼ି ଅଧିକରୁ ଅଧିକ କଳା ଓ ଅଭିନୟ ପ୍ରତି ଆକୃଷ୍ଟ ହେଉଛନ୍ତି। ଏହା ଭବିଷ୍ୟତ ପାଇଁ ଗୋଟିଏ ଭଲ ସୂଚନା ଦେଉଛି। େତବେ କାଷ୍ଟିଙ୍ଗ କାଉଚ୍‌ ଭଳି ପ୍ରସଙ୍ଗରେ ସେ ସ୍ପଷ୍ଟ ମତ ଦେଇ କହନ୍ତି, ଗୋଟିଏ ହାତରେ ତାଳି ବାଜେନି। ନିଜର ଆତ୍ମସମ୍ମାନ ଓ ବ୍ୟକ୍ତିତ୍ୱକୁ କିପରି ବଜାୟ ରଖାଯାଇ ପାରିବ ତାହା ସମସ୍ତଙ୍କୁ ଭଲଭାବରେ ଜଣା। ଯଦି ନିଜର ଇଚ୍ଛା ବିରୋଧରେ କେହି ଜଣେ କାହାର ସମ୍ମାନକୁ କ୍ଷତି ପହଞ୍ଚାଇବାର ପ୍ରୟାସ କରୁଛି ତେବେ ଯଥାଶୀଘ୍ର ତା’କୁ ନେଇ ଅଭିଯୋଗ ଦାୟର କରାଯିବା ଜରୁରି। ଏଥିପାଇଁ ଆଇନ ରହିଛି। କିନ୍ତୁ ସ୍ୱାର୍ଥସାଧନ କରି ଅନେକ ଦିନ ପରେ କୌଣସି କାରଣରୁ ଏହାକୁ ଏକ ପ୍ରସଙ୍ଗ କରି ଅଭିଯୋଗ କରିବା ମୋ’ ମତରେ ଭିତ୍ତିହୀନ।