‘ଗାର୍ଗୀ ଶତପଥୀ

Advertisment

ପାଇଲେ ଅପୂର୍ବ ଦ୍ରବ୍ୟ, ଶ୍ରୀଗୁରୁଙ୍କୁ ଆଗ ଦେବ’- ସନ୍ଥକବି ଭୀମ ଭୋଇଙ୍କ ଅମୃତ ଲେଖନୀରୁ ଝରି ଆସିଥିବା ଏହି ପଦଟି ମହିମା ଧର୍ମରେ ଗୁରୁ ପରମ୍ପରାର ମହତ୍ତ୍ବ ପ୍ରତିପାଦନ କରେ। କୌଣସି ଅପୂର୍ବ ଦ୍ରବ୍ୟ ଲାଭ କଲେ ତାହା ପ୍ରଥମେ ଗୁରୁଙ୍କୁ ଅର୍ପଣ କରାଯିବ। ଏହି କ୍ରମରେ ନୂତନ ଫସଲର ପ୍ରଥମ ଉପଜ ଆରାଧ୍ୟଙ୍କୁ ନିବେଦନର ପରମ୍ପରା ନୂଆଁଖାଇ ମାଧ୍ୟମରେ ମହିମା ଧର୍ମ ସହ ଯୋଡ଼ିହୋଇଛି। ଭୀମ ଭୋଇଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଥିବା ମହିମା ଧର୍ମାବଲମ୍ବୀଙ୍କର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପର୍ବ ହେଉଛି ନୂଆଁଖାଇ। ତେଣୁ ମହିମାପନ୍ଥୀଙ୍କ ମଧ୍ୟରେ ନୂଆଁଖାଇ ପାଳନ ନିର୍ଦ୍ଦିଷ୍ଟ ଭୌ‌େଗାଳିକ ପରିସୀମାରେ ସୀମିତ ନୁହେଁ। ଅର୍ଥାତ୍‌, ନୂଆଁଖାଇ କେବଳ  ପଶ୍ଚିମ ଓଡ଼ିଶାର ପର୍ବ ନୁହେଁ, ବରଂ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ଉତ୍ସାହ-ଉନ୍ମାଦନାର ସହିତ ଏହା ପାଳିତ ହୁଏ। ବ୍ୟତିକ୍ରମ ଏତିକି ଯେ ମହିମା ପରମ୍ପରାରେ ସରକାରଙ୍କ ନିର୍ଦ୍ଧାରିତ ଦିନରେ ନବାନ୍ନ ଗ୍ରହଣ ହୁଏ ନାହିଁ କିମ୍ବା ରାଜ୍ୟର ସବୁ ମହିମା ଧର୍ମାବଲମ୍ବୀ ଗୋଟିଏ ଦିନରେ ନୂଆଁଖାଇ ପାଳନ କରନ୍ତି ନାହିଁ। ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି, ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା, କୋରାପୁଟ, ନବରଙ୍ଗପୁର ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭିନ୍ନ ତିଥିରେ ନବାନ୍ନ ଅର୍ପଣ ହୁଏ। 

ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ବହନ କରେ ଲୋକପର୍ବ ‘ନୂଆଁଖାଇ’। ନିଜ ଆରାଧ୍ୟଙ୍କୁ ନୂଆ ଫସଲର ପ୍ରଥମ ଅର୍ଘ୍ୟ ଅର୍ପଣ ପରେ ସମସ୍ତେ ଏକାଠି ନବାନ୍ନ ଗ୍ରହଣ କରନ୍ତି। ବିଶ୍ବାସ ରହିଛି, ମହିମା ଧର୍ମର ପ୍ରାରମ୍ଭ ଯୁଗରୁ ହିଁ ଏହା ପାଳନ ହୋଇଆସିଛି । ଏଠାରେ ଧାନ ବଦଳରେ ନୂଆଚୁଡ଼ା ଶୂନ୍ୟ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ। ଲୋକକଥା ଅନୁସାରେ, ୧୮୩୫ ମସିହା ଏବଂ ଦସ୍ତାବିଜ ଅନୁସାରେ ୧୮୫୫ ମସିହାରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅବିଭକ୍ତ ସମ୍ବଲପୁର (ବର୍ତ୍ତମାନର ବରଗଡ଼) ଜିଲ୍ଲାର ଭୁକ୍ତାରେ ଚଉଷଠି ସିଦ୍ଧ ସାନକୃପାସିନ୍ଧୁବାବାଙ୍କ ଆଶ୍ରମରେ ସାମୂହିକ ଭାବରେ ନୂଆଁଖାଇ ପାଳନ ଆରମ୍ଭ ହୋଇଥିଲା। ଏହି ଅବସରରେ ପ୍ରସ୍ତୁତ ବୁନ୍ଦି, ସେଓ, ମାଲପୁଆ, କାକରା ସମେତ ବିଭିନ୍ନ ପ୍ରକାର ପିଠା ସମାଗତ ଶ୍ରଦ୍ଧାଳୁ ଏକତ୍ର ଭୋଜନ କରିଥିଲେ। ଏମିତି ଏକ ସମୟ ଥିଲା, ଯେତେବେଳେ ଏହି ପର୍ବରେ ଏତେ ଜନସମାଗମ ହେଉଥିଲା ଯେ ୧୨ଟି ବଡ଼ ବଡ଼ କଡ଼େଇରେ ପିଠା ଛଣା ହେଉଥିଲା। ବର୍ତ୍ତମାନ ବୀରେନ୍ଦ୍ରବାବାଙ୍କ ତତ୍ତ୍ବାବଧାନରେ ସେଠାରେ ନୂଆଁଖାଇ ପାଳନ ହେଉଛି। ପ୍ରାୟ ୧୫୦୦ ଲୋକ ସାମୂହିକ ଭୋଜନର ଆନନ୍ଦ ନେଉଛନ୍ତି। 

ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ମହିମା ଆଶ୍ରମରେ ନୂଆଁଖାଇ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏହି ଆଶ୍ରମର ବାବା ଦୀନବନ୍ଧୁ ଦାସ କହନ୍ତି, ‘‘ଭାଦ୍ରବ ମାସ ଦ୍ବିତୀୟା ତିଥିର ଭୋର୍‌ ୪ଟାରେ ଅଲେଖ ମହିମା ଦୀକ୍ଷା ସ୍ଥାନରେ ନୂଆଁଚୁଡ଼ା ଅର୍ପଣ କରାଯାଇ ଶିଶୁଙ୍କୁ ବିତରଣ କରାଯାଏ। ଏହାପରେ ବଳ୍କଳଧାରୀ, କୌପୁନିଧାରୀବାବାଙ୍କ ସହିତ ଓଡ଼ିଶା ତଥା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଭଳି ରାଜ୍ୟରୁ ଆସିଥିବା ୮୦୦୦ରୁ ଊର୍ଦ୍ଧ୍ବ ଭକ୍ତଙ୍କ ସହିତ ମିଳିତ ଭାବରେ ନବାନ୍ନ ଗ୍ରହଣ ହୁଏ। ଏହି ଅବସରରେ ନୂଆଁଚୁଡ଼ା, ଘିଅ, ଦହି, ଚନ୍ଦନ, ମହୁ, ସେଓ, ଅଙ୍ଗୁର, କଦଳୀ, କାକୁଡ଼ି, ନଡ଼ିଆ, କାଜୁ, କିସ୍‌ମିସ୍, ଲବଙ୍ଗ, ଗୁଜରାତି, ଛେନା ଓ ରାବିଡ଼ି ମିଶାଇ ନବାନ୍ନ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ପୂର୍ବରୁ ୮୦୦ ଲିଟର କ୍ଷୀର ସଂଗୃହୀତ ହୋଇ ଦହି ପ୍ରସ୍ତୁତ କରାଯାଇଥାଏ। ବଡ଼ ହଣ୍ଡାରେ କ୍ଷୀର, ଦହି ଓ ୨ରୁ ୩ କ୍ବିଣ୍ଟାଲ୍‌ ଫଳ ଚୂର୍ଣ୍ଣ କରାଯାଏ। ନୂଆଁଚୁଡ଼ା ସହିତ ଆବଶ୍ୟକ ଅନୁସାରେ ପାଣି ଦିଆଯାଇ ଚକଟାଯାଏ। ନବାନ୍ନ ପ୍ରସ୍ତୁତିରେ ୧ କ୍ବିଣ୍ଟାଲ୍‌ ଚୁଡ଼ା ଏବଂ ଭୋଜନ ପାଇଁ ୬ କ୍ବିଣ୍ଟାଲ୍‌ ଚୁଡ଼ା ବ୍ୟବହାର ହୋଇଥାଏ। ଏଥିସହ କଞ୍ଚା ଆମ୍ବୁଲରେ ପ୍ରସ୍ତୁତ ଖଟା ଯୋରନ୍ଦା ନବାନ୍ନ ସାମୂହିକ ଭୋଜନର ଆକର୍ଷଣର କେନ୍ଦ୍ରରେ ଥାଏ। ଆଶ୍ରମ ପ୍ରତିଷ୍ଠା ଦିନଠାରୁ ଏଠାରେ ନୂଆଁଖାଇ ପାଳନ ହୋଇଆସୁଛି।’’ 

ପୂର୍ବରୁ ଯୋରନ୍ଦା, ଢେଙ୍କାନାଳ, ଅନୁଗୁଳ, ଆଠଗଡ଼, ଭୁବନ ଓ ଯାଜପୁରର ଭକ୍ତମାନେ ହିଁ ଏହା ଆୟୋଜନ କରୁଥିଲେ। ବର୍ତ୍ତମାନ ବାବା ଏବଂ ଭକ୍ତ ମିଳିତ ଭାବରେ ନବାନ୍ନ ଉତ୍ସବ ପରିଚାଳନା କରୁଛନ୍ତି। କିଛି ସାମଗ୍ରୀ ଭକ୍ତମାନେ ଅର୍ପଣ କରନ୍ତି ତ ଆଉ କିଛି ଆଶ୍ରମ ପକ୍ଷରୁ କ୍ରୟ କରାଯାଏ। ଆଠଗଡ଼ର ଜଣେ ଭକ୍ତ ଆଶ୍ରମକୁ ନିୟମିତ ନୂଆଁଚୁଡ଼ା ଦିଅନ୍ତି ଏବଂ ନୂଆଁଖାଇ ସାଂଧ୍ୟ ଭୋଜନ ବ୍ୟବସ୍ଥା ବି କରନ୍ତି। ବାହାରୁ ଆସିଥିବା ଭକ୍ତମାନେ ଉତ୍ସବ ସାରି ଘରକୁ ଫେରିବା ବେଳେ ସାଥିରେ ନୂଆଁଚୁଡ଼ା ନେଇ ଥାଆନ୍ତି। ଏହି ଆୟୋଜନ ଲାଗି ଖର୍ଚ୍ଚ ହେଉଥିବା ୫ ଲକ୍ଷ ଟଙ୍କା ଆଶ୍ରମ ଏବଂ ଭକ୍ତମାନେ ମିଳିତ ଭାବରେ ବହନ କରନ୍ତି। ଖଲିଆପାଲିର ସନ୍ନ୍ୟାସୀବାବା କହନ୍ତି, ‘‘ଭାଦ୍ରବ ମାସ ପଞ୍ଚମୀରେ ଏଠାରେ ନବାନ୍ନ ହୁଏ। ଆଶ୍ରମରେ ସାଧୁମାନେ ସଅଳ କିସମ ଧାନ ଚାଷ କରି ପୂର୍ବରୁ ପ୍ରସ୍ତୁତ ହୋଇଥାଆନ୍ତି। ଜଗତର ମଙ୍ଗଳ ଏବଂ ଶସ୍ୟଶ୍ୟାମଳା ପୃଥିବୀ ପାଇଁ ମହାପ୍ରଭୁଙ୍କୁ ନବାନ୍ନ ଲାଗି ହୁଏ। ସେଦିନ ଭଜନ ସହିତ ଧୁନି ଜଳାଯାଏ।’’ 

ମହିମା ଧର୍ମାବଲମ୍ବୀ ଭିନ୍ନ ଭିନ୍ନ ତିଥିରେ ନୂଆଁଖାଇ ପାଳିଥାଆନ୍ତି। ଶ୍ରାବଣ ଅମାବାସ୍ୟା ପରେ କୋରାପୁଟ ଓ ନବରଙ୍ଗପୁରରେ, ଶ୍ରାବଣ ପୂର୍ଣ୍ଣିମାରେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ବୌଦ୍ଧରେ ଏବଂ ଭାଦ୍ରବ ମାସ ତୃତୀୟା ପରେ ନିର୍ଦ୍ଧାରିତ ତିଥିରେ ପୂର୍ବ ଓଡ଼ିଶାର ମହିମାପନ୍ଥୀ ନବାନ୍ନ ଗ୍ରହଣ କରନ୍ତି। ଏସବୁ ଅଞ୍ଚଳରେ ଆଶ୍ରମରେ ନବାନ୍ନ ଲାଗି ପରେ ଗ୍ରାମବାସୀଙ୍କ ସହିତ ବାବାମାନେ ଏକାଠି ନୂଆଁଖାଇ ପାଳନ କରନ୍ତି। ଏହା ପାରସ୍ପରିକ ସ୍ନେହ ବନ୍ଧନକୁ ମଜଭୁତ କରେ। ଭୀମ ଭୋଇଙ୍କ ଜଗତ ଉଦ୍ଧାର ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବି ଯୁବପିଢ଼ି ମହିମା ଧର୍ମ ଗ୍ରହଣ କରୁଛନ୍ତି।