ଜୟପୁର: ରାତି ପାହିଲେ ପାଳନ ହେବ ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧଦିବସ। ସହିଦଙ୍କ ଗାଁ ତେନ୍ତୁଳିଗୁମ୍ମାରେ ପହଞ୍ଚି ସ୍ମୃତିଚାରଣ କରିବ ପ୍ରଶାସନ। ବିକାଶ ପାଇଁ ମିଳିବ ପୁଣି ଅନେକ ପ୍ରତିଶ୍ରୁତି। ହେଲେ ଉତ୍ସବ ପାଳନ ସରିଲେ ସବୁ କିଛି ଯଥା ପୂର୍ବଂ ତଥା ପରଂ। ପୁଣି ଅପେକ୍ଷା ଜନ୍ମ ତିଥିକୁ। ଏମିତି ଅବହେଳା ଭିତରେ ବିତିଗଲାଣି ୮୨ ବର୍ଷ। ଦେଶ ସ୍ବାଧୀନତା ପାଇଁ ଫାଶୀ ଖୁଣ୍ଟରେ ଚଢ଼ିଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ଗାଁର ବିକାଶ ପାଇଁ ପ୍ରଶାସନର ସାମାନ୍ୟତମ ଦରଦ ନାହିଁ। କେବଳ ସହିଦ ସ୍ମୃତିସ୍ତମ୍ଭ ନିର୍ମାଣକୁ ଛାଡ଼ିଲେ ଗାଁରେ ନାହିଁ ବିକାଶର ଚିହ୍ନବର୍ଣ୍ଣ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍‌ର ତେନ୍ତୁଳିଗୁମ୍ମା ପଞ୍ଚାୟତ। ବ୍ଲକ୍ ସଦର ମହକୁମାରୁ ଦୂରତା ୭୫ କିମି। ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟି ଭାବେ ପରିଚିତ ଏହି ଗାଁ ବିକାଶଠାରୁ ବହୁ ଦୂରରେ ରହିଛି। ‌ଯେଉଁ ଘରେ ଲକ୍ଷ୍ମଣ ନାୟକ ରହୁଥିଲେ ତାକୁ ଶେଷ ସନ୍ତକ ଭାବେ ବଞ୍ଚାଇଛନ୍ତି ପରିବାର ସଦସ୍ୟ। ଝାଟିମାଟି ବଖର‌ାଏ ଘରେ ଲକ୍ଷ୍ମଣଙ୍କ ନାତୁଣୀ ବତୀ ନାୟକଙ୍କ ସମେତ ୪ ସଦସ୍ୟଙ୍କ ଜୀବନ ବିତୁଛି। କାନ୍ଥରେ ଝୁଲୁଛି ସହିଦଙ୍କ ଫଟୋ। ପ୍ରଶାସନ ପକ୍ଷରୁ ଏହି ଘରର ସ୍ମୃତି ରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇନି। ପରିବାର ଲୋକଙ୍କୁ ଅନ୍ୟତ୍ର ଥଇଥାନ କରି ପରପିଢ଼ିକୁ ଏହି ବୀରଙ୍କ ଗାଥା ସମ୍ପର୍କରେ ଅବଗତ କରିବା ପାଇଁ ସଂଗ୍ରହାଳୟ ଭାବେ ଘରକୁ ସଂରକ୍ଷିତ ରଖାଯାଇପାରନ୍ତା। ଅଥଚ ମରାମତି ଅଭାବରୁ ତାହା ଏବେ ଜରାଜୀର୍ଣ୍ଣ।

Advertisment

ଅବହେଳିତ ତେନ୍ତୁଳିଗୁମ୍ମା, ଯାତାୟାତ ପାଇଁ ମାଲକାନଗିରି ଭରସା
ସରକାରୀ ଯୋଜନାରୁ ବହୁ ଦୂରରେ ସହିଦଙ୍କ ପରିବାର
ପୋଲ ଅଧାପନ୍ତରିଆ, ବ୍ଲକ୍‌ରୁ ଗାଁର ଦୂରତା ୭୫ କିମି

ଅନ୍ୟପକ୍ଷରେ ପରିବାର ଲୋକଙ୍କୁ ଏଯାବତ୍‌ ମିଳିନି କୌଣସି ସରକାରୀ ସୁବିଧା। ଭତ୍ତାଠୁ ଆରମ୍ଭ କରି ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି ସହିଦଙ୍କ ପରିବାର। ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଛନ୍ତି। କେବଳ ସେତିକି ନୁହେଁ, ସହିଦଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିବା ସ୍ମୃତି ସ୍ତମ୍ଭ ଏବଂ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କି ଅମୃତ ମହୋତ୍ସବ‌ରେ ଲକ୍ଷ୍ମଣ ନାୟକଙ୍କ ନାଁରେ ଉନ୍ମୋଚନ କରାଯାଇଥିବା ସ୍ମୃତି ଫଳକ ମଧ୍ୟ ମାଟିରେ ଲୋଟୁଛି। ସହିଦଙ୍କ ଗାଁକୁ ଯାତାୟାତ ପାଇଁ ବ୍ଲକ୍ ସଦର ମହକୁମାରୁ ସିଧାସଳଖ ରାସ୍ତା ମଧ୍ୟ ନାହିଁ। ବ୍ଲକ୍‌ର ରାମଗିରି ପଞ୍ଚାୟତରୁ ତେନ୍ତୁଳିଗୁମ୍ମାକୁ ଯୋଡ଼ିବା ପାଇଁ କୋଲାବ ନଦୀରେ ୧୪ କୋଟି ବ୍ୟୟରେ ଚାଲିଛି ବ୍ରିଜ୍ ନିର୍ମାଣ। ହେଲେ ୫ବର୍ଷ ହେଲା ନିର୍ମାଣ କାର୍ଯ୍ୟ ସରିପାରୁନଥିବାରୁ ମାଲକାନଗିରି ଜିଲ୍ଲା ଦେଇ ବୁଲି ବୁଲି ଯିବାକୁ ପଡ଼ୁଛି। ସୋଲାର ଆଲୁଅ ଗାଁକୁ ଆଲୋକିତ କରୁଥିବା ବେଳେ କେବଳ ଗୋଟିଏ ବସ୍‌ ମାଲକାନଗିରି ଜିଲ୍ଲା ସଦର ମହକୁମାକୁ ଯାତାୟାତ କରୁଛି। ଫଳରେ ବିଭିନ୍ନ କାର୍ଯ୍ୟରେ ବ୍ଲକ୍‌କୁ ଆସୁଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁରେ ଜୀବନ ଜୀବିକାର କୌଣସି ସୁଯୋଗ ନଥିବାରୁ ଅଧିକାଂଶ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ଫିରିଙ୍ଗି ଶାସନକୁ ମୁହଁତୋଡ଼ ଜବାବ ଦେଇ ମାଳଭୂମିରେ ଭାରତ ଛାଡ଼ ଆନ୍ଦୋଳନର ମଙ୍ଗ ଧରିଥିଲେ ଓଡ଼ିଆ ବୀର ଲକ୍ଷ୍ମଣ ନାୟକ। ବେଠି, ଗୋତି, ବେଆଇନ ଖଜଣା ଆଦାୟକୁ ଦୃଢ଼ ବିରୋଧ କରିଥିଲେ। ୧୯୪୨ରେ ମାଥିଲି ଥାନା ଘେରାଉ କରି ଗିରଫ ହେବା ପରେ ୧୯୪୩ ମାର୍ଚ୍ଚ ୨୯ରେ ତାଙ୍କୁ ବ୍ରହ୍ମପୁର ଜେଲ୍‌ରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଯାହାଙ୍କ ନେତୃତ୍ବ ପାଇଁ ଦେଶ ସ୍ବାଧୀନତାର ଆଲୋକ ଦେଖିଲା, ସେହି ବୀରଙ୍କ ସ୍ମୃତିରକ୍ଷା ଦିଗରେ ପ୍ରାଶାସନିକ ଅବହେଳାକୁ ବୁଦ୍ଧିଜୀବୀ ସମାଲୋଚନା କରିଛନ୍ତି।