କିଶୋରାବସ୍ଥାରେ ଏକ କମ୍ପାନିର ସିଇଓ ହେବାର ଗୌରବ ଅର୍ଜନ କରି ଚର୍ଚ୍ଚିତ ହୋଇଥିବା ଅଷ୍ଟ୍ରେଲିଆର ୧୧ ବର୍ଷୀୟ ପିକ୍ସି କ୍ୟୁଟିସ୍ ତାଙ୍କର ଦ୍ବାଦଶତମ ଜନ୍ମଦିନରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ନିଜ ପାଠପଢ଼ାରେ ମନୋନିବେଶ କରିବା ଲାଗି ସେ ଏପରି ନିଷ୍ପତ୍ତି ନେଇଥିବା ବେଳେ କମ୍ପାନିରୁ ଅବସର ଦିବସକୁ ସ୍ମରଣୀୟ କରିବା ଲାଗି ସେ ତାଙ୍କ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଓ କର୍ମଚାରୀମାନଙ୍କୁ ମହାର୍ଘ ଉପହାର ପ୍ରଦାନ କରିବେ। ‘ପିକ୍ସି’ସ ଫିଜେଟ୍ସ’ ନାମରେ ତାଙ୍କର ଅନ୍ଲାଇନ୍ ଖେଳନା କମ୍ପାନି ମାସକୁ କୋଟି କୋଟି ଟଙ୍କାର ବେପାର କରୁଥିବା ବେଳେ କ୍ୟୁଟିସ୍ଙ୍କର ବାର୍ଷିକ ଆୟ ହେଉଛି ୧,୩୩,୦୦୦ ଡଲାର ବା ପାଖାପାଖି କୋଟିଏ ଦଶ ଲକ୍ଷ ଟଙ୍କା। ସେ ସ୍ବଅର୍ଜିତ ଧନରେ ଏକ ଦାମୀ ମର୍ସିଡିସ ବେଞ୍ଜ କାର କିଣିସାରିଛନ୍ତି। କ୍ୟୁଟିସ୍ଙ୍କୁ ମାତ୍ର ୭ ବର୍ଷ ହୋଇଥିବା ବେଳେ ମହାମାରୀ କାଳରେ ତାଙ୍କ ମାଆ ରକ୍ସି ଜାସେଙ୍କୋ କ୍ୟୁଟିସଙ୍କ ନାମରେ ଏକ ଛୋଟ ଅନ୍ଲାଇନ୍ କମ୍ପାନି ଖୋଲି ତହିଁରେ ସମ୍ଭ୍ରାନ୍ତ ଶ୍ରେଣୀୟ ଚୁଟିବନ୍ଧା ରବର ଓ କ୍ଲିପ୍ ଆଦି ବିକିବା ଆରମ୍ଭ କରିଥିଲେ।
ବ୍ୟବସାୟର ଆଶାତୀତ ସଫଳତା ଦେଖି ସେ ତାଙ୍କ ଶିଶୁକନ୍ୟାକୁ ତାହାର ସିଇଓ ନିଯୁକ୍ତ କରିଥିଲେ। ଦିନକୁ ଦିନ କମ୍ପାନିର ଆୟ ବଢ଼ିବା ସହ କ୍ୟୁଟିସ ମଧ୍ୟ ସେଥିପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଏବଂ ଜଣେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ ହୋଇଥିଲେ। ତେବେ କ୍ୟୁଟିସ୍ ତାଙ୍କର ଆଗାମୀ ଜନ୍ମଦିନ ତଥା ଅବସରଗ୍ରହଣ ଦିବସରେ ଅତିଥିମାନଙ୍କୁ ଭବ୍ୟ ଉପହାର ସହିତ ଆପ୍ୟାୟିତ କରିବେ ବୋଲି ଜଣାଯାଇଛି। ଉପହାରରେ ଅନ୍ତର୍ଭୁକ୍ତ ଅଛି ଅଷ୍ଟ୍ରେଲିଆର ନାମୀ କମ୍ପାନି ଏମ୍କୋବିଉଟି ଦ୍ବାରା ପ୍ରସ୍ତୁତ ବିଳାସପୂର୍ଣ୍ଣ ବ୍ୟାଗ୍ ଯାହାର ମୂଲ୍ୟ ୫୦ ଡଲାର ବା ପାଖାପାଖି ୪,୧୦୦ ଟଙ୍କା। ଏଥି ସହିତ ସେଥିରେ ବିଭିନ୍ନ ପ୍ରକାର ଦାମୀ ପ୍ରସାଧନ ସାମଗ୍ରୀ ମଧ୍ୟ ରହିବ ବୋଲି ଜଣାଯାଇଛି। ଜଣେ କୁନି ଉଦ୍ୟୋଗୀ ଭାବରେ କ୍ୟୁଟିସ୍ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିବା ସହ ସଫଳତା ପାଇଁ ବୟସ କେବେ ପ୍ରତିବନ୍ଧ ନୁହେଁ ବୋଲି ପ୍ରମାଣିତ କରିଛନ୍ତି।