ଲାଲ ରଂଜିତ ସିଂ ବରିହା, ଆଜିର ବରଗଡ଼ ଜିଲ୍ଲାର ପ୍ରଥମ ମନ୍ତ୍ରୀ। ବୋଡ଼ାସମ୍ବର ଜମିଦାର ବଂଶର ସ୍ବର୍ଗତ ବରିହା ପ୍ରାକ୍ ସ୍ବାଧୀନତା ୧୯୪୬ ନିର୍ବାଚନ ଜିଣିବା ପରେ ମନ୍ତ୍ରୀ ପଦ ପାଇଥିଲେ। ସମଗ୍ର ପଶ୍ଚିମ ଓଡ଼ିଶାର ସେ ଥିଲେ ଦ୍ବିତୀୟ ମନ୍ତ୍ରୀ। ତାଙ୍କ ପୂର୍ବରୁ ସ୍ବତନ୍ତ୍ର ଓଡ଼ିଶା ଗଠନ ପରେ ୧୯୩୭ ମସିହାରେ ଅନୁଷ୍ଠିତ ଓଡ଼ିଶା ବିଧାନସଭା ନିର୍ବାଚନରେ ସମ୍ବଲପୁର ସଦର ନିର୍ବାଚନମଣ୍ତଳୀରୁ ଜିଣି ବୋଧରାମ ଦୁବେ, ବିଶ୍ବନାଥ ଦାସଙ୍କ ମନ୍ତ୍ରିମଣ୍ତଳରେ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିଲେ। ୧୯୩୭ ଜୁଲାଇ ୧୯ ରୁ ୬ ନଭେମ୍ବର ୧୯୩୯ ପର୍ଯ୍ୟନ୍ତ ସେ ଆଇନ୍, ବାଣିଜ୍ୟ, ସ୍ବାସ୍ଥ୍ୟ, ସ୍ବାୟତ୍ତ ଶାସନ ବିଭାଗ ପଦ ସମ୍ଭାଳି ଥିଲେ।
ବୋଡ଼ାସମ୍ବର ଜମିଦାରୀ, ପଶ୍ଚିମ ବରଗଡ଼ ନିର୍ବାଚନମଣ୍ତଳୀ ଅଧୀନରେ ଥିଲା ଓ ୧୯୩୭ ନିର୍ବାଚନରେ ସମ୍ବଲପୁର କଂସାରୀପଡ଼ାର ପ୍ରହଲ୍ଲାଦ ରାଏ ଲାଠ ନିର୍ବାଚିତ ହୋଇଥିଲେ। ସେଠାରୁ ୧୯୪୬ ନିର୍ବାଚନରେ ଲାଲ ରଞ୍ଜିତ ସିଂ ବରିହା କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ବରିହା ଇଂଲଣ୍ତର ରୟାଲ ଏୟାରଫୋର୍ସରେ ଚାକିରି କରୁଥିଲେ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ଲଢ଼ିବା ସହିତ ସେଠାକାର ଜଣେ ଇଂରେଜ ମହିଳାକୁ ବିବାହ କରିଥିଲେ। ତାଙ୍କ ପ୍ରାର୍ଥିତ୍ବ ନେଇ କଂଗ୍ରେସରେ ବିଦ୍ରୋହ ଦେଖାଦେଇଥିଲା ଓ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି କବିରାଜ ଘନଶ୍ୟାମ ପାଣିଗ୍ରାହୀ ଅନଶନ କରିବାପରେ ଫଳ ନହେବାରୁ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଦେଲେ। ସ୍ବର୍ଗତ ବରିହା ବାୟୁସେନାରୁ ଅବସର ନେଇ ଭାରତ ଆସିବା ପରେ ବଲ୍ଲଭଭାଇ ପଟେଲଙ୍କ ଚାପରେ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ସିଧାସଳଖ ଭାବରେ ୧୯୪୬ ଜାନୁଆରି ୮ ତାରିଖ ଦିନ ତାଙ୍କୁ କଂଗ୍ରେସ ସଭ୍ୟ କରିଦେଲେ। କିଛିଦିନ ପରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
୧୯୩୭ ଓ ୧୯୪୬ ନିର୍ବାଚନରେ ବିଧାନସଭାର ସଭ୍ୟ ସଂଖ୍ୟା ଥିଲା ୬୦। ୫୬ଜଣ ସିଧାସଳଖ ନିର୍ବାଚିତ ହେଉଥିବା ବେଳେ ୪ ଜଣଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ୧୯୪୬ ମସିହା ନିର୍ବାଚନ ଅପ୍ରେଲ ୪ ରୁ ୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସେହିସମୟରେ ନିର୍ବାଚନରେ ଭୋଟରଙ୍କୁ ଗାଡ଼ିରେ ଭୋଟ କେନ୍ଦ୍ରକୁ ବୋହି ଆଣିବା, ଆପ୍ୟାୟିତ କରିବା ଅପରାଧ ନ ଥିଲା। ରଣଜିତ ସିଂ ବିନା ଲଢ଼େଇରେ ଜଣେ ସାଧାରଣ ବର୍ଗର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ। ଅପ୍ରେଲ ୨୩ ରେ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ତଳରେ ପଶ୍ଚିମ ଓଡ଼ିଶାରୁ କେହି ସ୍ଥାନ ପାଇନଥିଲେ। ମାତ୍ର, ପରବର୍ତ୍ତୀ ସଂପ୍ରସାରଣରେ ଲାଲ ରଞ୍ଜିତ ସିଂ ବରିହା ୧୫ ମଇ ୧୯୪୯ ରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ହୋଇଥିଲେ। ତେବେ, ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେଲା ଏବଂ ସେ ଗ୍ରାମ ମଙ୍ଗଳ ବିଭାଗର ଦାୟିତ୍ବ ନେଇଥିଲେ। ୧୨ ମଇ ୧୯୫୦ରେ ସେ ମହତାବଙ୍କ ମନ୍ତ୍ରିମଣ୍ତଳରୁ ଇସ୍ତଫା ଦେଇଥିଲେ। ସେହିଦିନ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ବରେ ମନ୍ତ୍ରିମଣ୍ତଳ ଗଠନ ହୋଇଥିଲା। ନବକୃଷ୍ଣଙ୍କ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡିଶାର ଏକମାତ୍ର ମନ୍ତ୍ରୀ ଭାବେ ରଞ୍ଜିତ ସିଂ ବରିହା ସ୍ଥାନ ପାଇଥିଲେ ଏବଂ ଆଦିବାସୀ, ଗ୍ରାମ ମଙ୍ଗଳ ବିଭାଗ ଦାୟିତ୍ବରେ ରହିଥିଲେ। ଗଡ଼ଜାତ ମିଶ୍ରଣ ପରେ ପଶ୍ଚିମ ଓଡ଼ିଶାର କପିଳେଶ୍ବର ପ୍ରସାଦ ନନ୍ଦଙ୍କ ସହ ମଧ୍ୟ ୧୯ ନଭେମ୍ବର ୧୯୫୦ ଓ ୧୫ ନଭେମ୍ବର ୧୯୫୧ ସଂପ୍ରସାରଣରେ ରଣଜିତ ପୂର୍ବ ପଦ ଓ ବିଭାଗର ମନ୍ତ୍ରୀ ଥିଲେ। ସାବାଳକ ପ୍ରଥାରେ ୧୯୫୧–୫୨ ସ୍ବାଧୀନତା ପର ବିଧାନସଭାକୁ ରଣଜିତ ସିଂ ବରିହା ପଦ୍ମପୁର ଦ୍ବୈତ ନିର୍ବାଚନମଣ୍ତଳୀରୁ ଜଣେ ଆଦିବାସୀ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ତଳରେ ସ୍ଥାନ ପାଇନଥିଲେ। କିଛିବର୍ଷ ବିଧାୟକ ରହିବା ପରେ ମାନସିକ ରୋଗରେ ପରଲୋକ ହେବାରୁ ପ୍ରଥମଥର ପାଇଁ ଉପ–ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବୀର ବିକ୍ରମାଦିତ୍ୟ ସିଂ ବରିହା ନିର୍ବାଚନ ଜିଣିଥିଲେ।
୧୯୫୭ ନିର୍ବାଚନରେ ପଦମପୁର ଦ୍ବୈତ ଆସନରୁ ବୀର ବିକ୍ରମାଦିତ୍ୟ ସିଂ ବରିହା ନିର୍ବାଚିତ ହୋଇଥିଲେ ଏବଂ ହରେକୃଷ୍ଣ ମହତାବଙ୍କ ମୁଖ୍ୟମନ୍ତ୍ରିତ୍ବରେ ଗଠିତ ମନ୍ତ୍ରିମଣ୍ତଳରେ ଜଣେ ଉପମନ୍ତ୍ରୀ ଭାବରେ ସ୍ଥାନ ପାଇଲେ। ତାଙ୍କୁ ବିଭାଗ ମିଳିଥିଲା ଆଦିବାସୀ ଓ ଗ୍ରାମ ମଙ୍ଗଳ ବିଭାଗ (ଆଦିବାସୀ ହରିଜନ ଶିକ୍ଷା ଓ ଆଦିବାସୀ ଗବେଷଣା ବ୍ୟତୀତ)। ମାତ୍ର କଂଗ୍ରେସ-ଗଣତନ୍ତ୍ର ପରିଷଦର ଗଠନ ୨୨ ମେ ୧୯୫୯ ରେ ତାଙ୍କୁ ମନ୍ତ୍ରିମଣ୍ତଳରେ ସ୍ଥାନ ମିଳିନଥିଲା।
୧୯୬୧ ନିର୍ବାଚନରେ ପଦମ୍ପୁର ଆସନରୁ ପୁଣିଥରେ ଜିଣିଲେ କଂଗ୍ରେସ ପ୍ରାର୍ଥୀ ବୀର ବିକ୍ରମାଦିତ୍ୟ ସିଂ ବରିହା। ୧୯୬୧ ଜୁନ ୨ ତାରିଖରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ଏହି ନିର୍ବାଚନରେ ଜିଣି ବିଜୁବାବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପରେ କାମରାଜ ଯୋଜନାରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାରୁ ବୀରେନ୍ ମିତ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୬୩ ଅକ୍ଟୋବର ୨ ତାରିଖ ଦିନ ସେ ୧୪ ଜଣିଆ ମନ୍ତ୍ରିମଣ୍ତଳ ଗଠନ କରିଥିଲେ। ଶ୍ରୀ ବରିହା, ଉପମନ୍ତ୍ରୀ ଭାବରେ ଶପଥ ନେଇ ପୂର୍ତ୍ତ ବିଭାଗର ପରିବହନ ଶାଖା, କୃଷି ବିଭାଗର ପଶୁପାଳନ ଶାଖା ଓ ପଶୁ ଚିକିତ୍ସା ବିଭାଗ ସମ୍ଭାଳିଥିଲେ। ମାତ୍ର, ୧୯୬୫ ଫେବ୍ରୁଆରି ୨୧ ତାରିଖରେ କଂଗ୍ରେସ ବିଧାୟକ ଦଳର ନେତା ହୋଇ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ସଦାଶିବ ତ୍ରିପାଠୀ ଗଠନ କରିଥିବା ମନ୍ତ୍ରିମଣ୍ତଳରେ ବୀର ବିକ୍ରମ ସିଂ ବରିହା ସ୍ଥାନ ପାଇନଥିଲେ। ତେବେ ୧୯୬୫ ମେ ମାସ ୫ ତାରିଖରେ ଓଡ଼ିଶା ଜନ କଂଗ୍ରେସ ନାମରେ ଗଠିତ ଆଞ୍ଚଳିକ ଦଳରେ ପ୍ରତିଷ୍ଠା ଦିନରୁ ଯୋଗଦେଇଦେଲେ। ସେ ଦଳର ନେତା ଥିଲେ କଂଗ୍ରେସର ଅସନ୍ତୁଷ୍ଟ ହରେକୃଷ୍ଣ ମହତାବ।
ଜନ କଂଗ୍ରେସ ଦଳରୁ ୧୯୬୭ ନିର୍ବାଚନ ପଦମପୁର ଆସନରୁ ଜିଣିବା ପରେ ସ୍ବତନ୍ତ୍ର–ଜନ କଂଗ୍ରେସ ଦଳର ମିଳିତ ମନ୍ତ୍ରିମଣ୍ତଳରେ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓ ହେଲେ। ୧୯୭୧ ଜାନୁଆରି ୫ ତାରିଖରେ ମିଳିତ ମନ୍ତ୍ରିମଣ୍ତଳ ଭାଙ୍ଗିଗଲା ଓ ଜାନୁଆରି ୯ ତାରିଖ ଠାରୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁହେଲା। ସେ ସମୟରେ କଂଗ୍ରେସ, ଶାସକ କଂଗ୍ରେସ (ଇନ୍ଦିରା ଗୋଷ୍ଠୀ) ଓ ସଂଗଠନ କଂଗ୍ରେସ ନାମରେ ଦୁଇଭାଗ ହୋଇଗଲା। ଜନ କଂଗ୍ରେସ ନେତା ହରେକୃଷ୍ଣ ମହତାବ ଶାସକ କଂଗ୍ରେସରେ ଯୋଗ ଦେଇଦେଲେ ଓ ତାଙ୍କ ସହିତ ରହିଥିଲେ ବୀର ବିକ୍ରମାଦିତ୍ୟ ସିଂ ବରିହା ଏବଂ ପରେ ସେ ଉତ୍କଳ କଂଗ୍ରେସରେ ରହିଥିଲେ।
୧୯୭୧ରେ ଓଡ଼ିଶାରେ ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନ ହେଲା ଓ ପଦମପୁରରୁ ଶାସକ କଂଗ୍ରେସ ପ୍ରାର୍ଥୀ ଭାବେ ଜିଣିଗଲେ ଡାକ୍ତର କୃପାସିନ୍ଧୁ ଭୋଇ। ବିଶ୍ବନାଥ ଦାସଙ୍କ ଅଧ୍ୟକ୍ଷତାରେ ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ତଳ ଗଠିତ ହେଲା ମାତ୍ର ଦଳ ବଦଳରେ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠ ହୋଇଯିବାରୁ କେନ୍ଦ୍ରରୁ ଆସି ନନ୍ଦିନୀ ଶତପଥୀ ୧୪ ଜୁନ୍ ୧୯୭୨ ରେ ମୁଖ୍ୟମନ୍ତ୍ରୀ ହେଲେ। ୧୯୭୩ ଜାନୁଆରି ୨୯ ତାରିଖରେ ଶ୍ରୀମତୀ ଶତପଥୀ ମନ୍ତ୍ରିମଣ୍ତଳ ସଂପ୍ରସାରଣ କଲେ ଏବଂ ତହିଁରେ ପଦମପୁରର ସଭ୍ୟ ଡାକ୍ତର ଭୋଇ ରାଷ୍ଟ୍ରମନ୍ତ୍ରୀ ଭାବରେ ଗୋଷ୍ଠୀ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ପାଇଲେ। କଂଗ୍ରେସ ଦଳରେ ମିଶିଥିବା ଉତ୍କଳ କଂଗ୍ରେସର ୨୧ ସଭ୍ୟ ସମର୍ଥନ ପ୍ରତ୍ୟାହାର ଯୋଗୁ ଶ୍ରୀମତୀ ଶତପଥୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ଓ ପ୍ରଗତି ମେଣ୍ଟ ନାମରେ ଏକ ଦଳ ସୃଷ୍ଟି ହୋଇଥିଲା। ତହିଁରେ ଉତ୍କଳ କଂଗ୍ରେସ, ସ୍ବତନ୍ତ୍ର ଓ ଅନ୍ୟ କେତେ ଦଳ ରହିଲେ। ୦୧.୦୯.୧୯୭୩ ମାର୍ଚ୍ଚ ୩ ତାରିଖ ଦିନ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।
୧୯୭୪ ମସିହାରେ ନିର୍ବାଚନ ଫେବ୍ରୁଆରି ୨୨, ୨୪ ଓ ୨୬ ରେ ଅନୁଷ୍ଠିତ ହୋଇଥିଲା ଏବଂ ଓ ପଦମପୁରରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପୁଣିଥରେ ଜିଣିଥିଲେ ଡାକ୍ତର କୃପାସିନ୍ଧୁ ଭୋଇ। ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ତଳରେ ସେ ରାଷ୍ଟ୍ରମନ୍ତ୍ରୀ ହୋଇ ଖଣି ଓ ଭୂତତ୍ତ୍ବ ବିଭାଗ ପାଇଲେ। ପରେ ୨୦.୧୦.୧୯୭୫ ରେ ମନ୍ତ୍ରିମଣ୍ତଳ ସଂପ୍ରସାରଣରେ ଡାକ୍ତର ଭୋଇ କ୍ୟାବିନେଟ୍ ମନ୍ତ୍ରୀ ହୋଇ ଖଣି, ଭୂତତ୍ବ ଓ ପରିବହନ ଦାୟିତ୍ବରେ ରହିଥିଲେ। ଡାକ୍ତର ଭୋଇ କେନ୍ଦ୍ର ମନ୍ତ୍ରିମଣ୍ତଳରେ ମଧ୍ୟ ସ୍ଥାନ ପାଇଥିଲେ। ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚିତ ହୋଇ ୧୫.୦୯.୧୯୯୫ ରୁ ୧୬.୦୫.୧୯୯୬ ପର୍ଯ୍ୟନ୍ତ ରାଷ୍ଟ୍ରମନ୍ତ୍ରୀ ଭାବରେ ମାନବ ସମ୍ବଳ ବିକାଶ ବିଭାଗ ତୁଲାଇଥିଲେ।
୧୯୮୫ ନିର୍ବାଚନ ଜିଣି ସତ୍ୟଭୂଷଣ ସାହୁ କଂଗ୍ରେସ ଦଳର ଉପ–ମୁଖ୍ୟ ସଚେତକ ଓ ମୁଖ୍ୟ ସଚେତକ ଥିଲେ। ୨୦୦୯ ନିର୍ବାଚନରେ ପଦମପୁରରେ ଜିଣିଥିବା ବିଜୟ ରଞ୍ଜନ ସିଂ ବରିହା କ୍ୟାବିନେଟ୍ ମନ୍ତ୍ରୀ ହୋଇ ଅନୁସୂଚିତ ଜାତି, ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତ ବର୍ଗ କଲ୍ୟାଣ ବିଭାଗ ପାଇଥିଲେ। ମାତ୍ର୧୧.୦୫.୨୦୧୧ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ତଳ ସଂପ୍ରସାରଣ ବିଭାଗ ଅଦଳବଦଳ କରିଥିଲେ, ତହିଁରେ ବିଜୟ ରଞ୍ଜନ ସିଂ ବରିହାକୁ ବାଦ୍ ପଡ଼ିଥିଲେ।
-ରାଜେଶ ଅଗ୍ରୱାଲ
ଅତାବିରା, ଜି–ବରଗଡ଼
ଫୋନ୍–୯୪୩୮୨୧୪୮୭୮