ଗତ କେତେ ବର୍ଷ ହେଲା ଓଡ଼ିଆ ଅସ୍ମିତା ଏକ ମୁଖ୍ୟ ଆଲୋଚନାର ବିଷୟବସ୍ତୁ ରୂପେ ସ୍ଥାନ ପାଇଛି। ଆଲୋଚ୍ୟମାନ ପାଠ କଲେ କିଛି ପାଣ୍ଡିତ୍ୟପୂର୍ଣ୍ଣ ଥିଲାବେଳେ କିଛି ଅହମିକାଭିତ୍ତିକ ବୋଲି ମନେ ହୁଏ। ଲିଖନରେ ଅହଙ୍କାର ମନୋଭାବ ଥିଲେ, ଲେଖା କିମ୍ଭୂତକିମାକାର ରୂପ ଧାରଣ କରିଥାଏ। କିଛି କ୍ଷେତ୍ରରେ ଓଡ଼ିଆ ଅସ୍ମିତାକୁ ଯେତେବେଳେ ବିଶ୍ବସ୍ତରୀୟ ଶ୍ରେଷ୍ଠତାର ମାନ୍ୟତା ଦିଆଯାଏ, ତାହା ଯଥାର୍ଥ ବୋଧ ହେଉଥିଲା ବେଳେ ଅଧିକାଂଶ କ୍ଷେତ୍ରରେ ଏହା ହାସ୍ୟାସ୍ପଦ ଜଣାପଡ଼େ। ଅସ୍ମିତା ଓ ବିଶ୍ବସ୍ତରୀୟତା ବର୍ତ୍ତମାନ ବୌଦ୍ଧିକ ପରିସରରୁ ଯାଇ ରାଜନୀତିକ ରୂପ ନେଇ ଏକ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କଲେଣି। ବିଜେଡି ସରକାର ବେଳେ ଆରମ୍ଭ ହୋଇଥିବା ଏହି ଅସ୍ମିତା ସ୍ଲୋଗାନ ବର୍ତ୍ତମାନ ବିଜେଡି ସରକାର ସମୟରେ ଆହୁରି ପ୍ରଚାର ଓ ପ୍ରସାର ହୋଇପଡ଼ିଛି। ଅସ୍ମିତାର ବିଭିନ୍ନ ଦିଗ ଓ ଦୃଷ୍ଟିକୋଣକୁ ଆଣି ଆମର ବୁଦ୍ଧିଜୀବୀମାନେ ଅସ୍ମିତାର ନିରାସକ୍ତ ବ୍ୟାଖ୍ୟାନ କରନ୍ତୁ, ଏହା ଏ ଆଲେଖ୍ୟର ଲକ୍ଷ୍ୟ।
ଏଥିରେ କୌଣସି ଦ୍ବିମତ ନାହିଁ ଯେ ଆମେ ଆମ ଅସ୍ମିତାର ଗୌରବ ଗାନ କରୁଁ ଆମର ଗୌରବମୟ ଅତୀତକୁ ନେଇ, ଆମର ଅପୂର୍ବ ଭାସ୍କର ରଚିତ ମନ୍ଦିରମାନ, ତହିଁରୁ ଜାତ ହୋଇଥିବା ଓଡ଼ିଶୀ ନୃତ୍ୟ ଓ ସଂଗୀତ, ଆମ ନୃପତିମାନଙ୍କ ଗଙ୍ଗା ଠାରୁ ଗୋଦାବରୀ ଯାଏ ଅଭିଯାନର ବିଜୟ ଗାନ, ଯାହା କପିଳେନ୍ଦ୍ର ଦେବଙ୍କ ସମୟରେ ଶୀର୍ଷରେ ପହଞ୍ଚିଥିଲା। ଜଗନ୍ନାଥ ସଂସ୍କୃତି, ମହାପ୍ରସାଦର ମହାମାନବିକତା, ଓଡ଼ିଆ ଭାଷାର ପ୍ରାଚୀନତା ଯାହା ଏବେ ଶାସ୍ତ୍ରୀୟ ମାନ୍ୟତା ପାଇଛି ଆଦି। ଓଡ଼ିଶାର ଏ ଗୌରବମୟ ସମୟ ପ୍ରାୟ ୧୦୦୦ ବର୍ଷ। ଅଶୋକଙ୍କ ଆକ୍ରମଣ ପରେ ଅନ୍ଧକାର ଯୁଗ, ତା’ ପରେ ଖାରବେଳଙ୍କ ଉତ୍ଥାନ, ସେ ଗଲା ପରେ ପୁଣି ଅନ୍ଧକାର ଅଷ୍ଟମ ଶତାବ୍ଦୀ ଯାଏ ଏବଂ ତା’ ପରେ ୮୦୦ ବର୍ଷ, ଏକ ଐତିହାସିକ ଯୁଗ ଯାହା ରହିଲା ସୂର୍ଯ୍ୟବଂଶର ଉତ୍ଥାନ, କପିଳେନ୍ଦ୍ର ଦେବଙ୍କ ରାଜତ୍ବ ପର୍ଯ୍ୟନ୍ତ। ତା’ ପରେ ପୁଣି ଅନ୍ଧକାର। ଏତେ ଅନ୍ଧକାର ଯେ ଓଡ଼ିଆ ତା’ର ବୀରତ୍ବ, ଶୌର୍ଯ୍ୟ, ସୃଜନଶୀଳତା ହରାଇଲା। ଏହା ମଧ୍ୟ ସାଧାରଣ ଥିଲା। ରାଜାମାନେ ନିଜକୁ ବାହ୍ୟ ଆକ୍ରମଣକାରୀ, ଆଫଗାନ, ମୋଗଲ, ମରଠା ଓ ଇଂରେଜୀମାନଙ୍କ ଦାସତ୍ବ ସ୍ବୀକାର କଲେ। ଜଣେ ଗଜପତି ନିଜ ଧର୍ମ ଛାଡ଼ି ମୁସଲମାନ ଧର୍ମ ଗ୍ରହଣ କଲେ। ମରଠା ଶାସକଙ୍କ ଲୁଣ୍ଠନ ନିରବରେ ସହ୍ୟ କଲେ। ୧୮୦୪ ମସିହାରେ ଇଂରେଜମାନେ ଓଡ଼ିଶା କରିବା ଦଖଲ ପରେ ତ୍ରିଖଣ୍ଡିତ ଓଡ଼ିଶା ଏକ ଦୟନୀୟ ଅବସ୍ଥାରେ ପହଞ୍ଚିଲା- ଉପକୂଳ ଅଞ୍ଚଳ, ବିରାଟ ବଙ୍ଗଳା, ପ୍ରେସିଡେନ୍ସିର ଅଂଶ ରୂପେ ଅବହେଳିତ ଓ ଲାଞ୍ଛିତ ଅବସ୍ଥାରେ ରହିଲା। ଦକ୍ଷିଣ ଓଡ଼ିଶା ମାଡ୍ରାସ ପ୍ରେସିଡେନ୍ସି ଓ ପଶ୍ଚିମ ଓଡ଼ିଶା ମଧ୍ୟପ୍ରଦେଶର ଅଂଶ ହୋଇ ରହିଲା। ଯେଉଁ ରାଜ୍ୟ ୧୪ ଓ ୧୫ଶ ଶତାବ୍ଦୀରେ ଅସ୍ମିତାର ଶୀର୍ଷ ଦେଶରେ ଥିଲା, ତାହା ତିନି ଶହ ବର୍ଷ ଧରି ପଙ୍ଗୁ ଓ ବାକ୍ଶକ୍ତିହୀନ ହୋଇଗଲା। ନ’ଅଙ୍କ ଦୁର୍ଭିକ୍ଷରେ ସରକାରୀ ଅବହେଳା ଯୋଗୁଁ ୧୦ ଲକ୍ଷ ଲୋକ, ଉପକୂଳ ଓଡ଼ିଶାର ଏକ-ତୃତୀୟାଂଶ ଜୀବନ ହରାଇଲେ। ଏ ଦାରୁଣ ବିପର୍ଯ୍ୟୟ ଗୋଟିଏ ଦୃଷ୍ଟିରୁ ସରକାର ଓ ସୁପ୍ତ ଓଡ଼ିଆମାନଙ୍କ ଆଖି ଖୋଲିଲା। ଯେଉଁ ନୂତନ ସୂର୍ଯ୍ୟ ଉଦୟ ହେଲା ତା’ର ସାରଥିମାନେ ଥିଲେ ଓଡ଼ିଆ ରେନାସଁା ବା ନୂତନ ଅଭ୍ୟୁଦୟର ଜନକ, ବିନ୍ଧାଣି ଓ ସ୍ଥପତି। ଫକୀରମୋହନ, ଗଙ୍ଗାଧର ମେହେର, ରାଧାନାଥ ରାୟ, ଗୌରୀଶଙ୍କର ରାୟ, ମଧୁସୂଦନ ଦାସ, ପାରଳା ମହାରାଜା ପ୍ରମୁଖଙ୍କ ପ୍ରେରଣାଦାୟକ ସୃଜନଶୀଳତା ଓଡ଼ିଆ ଅସ୍ମିତାର ବୀଜ ବୁଣିଲା। ବିଂଶ ଶତାବ୍ଦୀ ଆରମ୍ଭରେ ଏ ନୂତନ ସୂର୍ଯ୍ୟର କିରଣ ବିଚ୍ଛୁରିତ ହୋଇ ୧୯୩୬ରେ ତ୍ରିଖଣ୍ଡିତ ଓଡ଼ିଶା ଏକତ୍ରିତ ହେଲା, ବହୁତ କିଛି ହରାଇ। ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବଙ୍ଗଳା, ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ରହିଗଲା।
ଜଗନ୍ନାଥ ସଂସ୍କୃତି ଯେପରି ଚିରନ୍ତନ, ବିଂଶ ଶତାବ୍ଦୀର ଆଉ ଏକ ସଂସ୍କୃତିର ଜାଗରଣ ହେଲା, ଯାହାକୁ ମୁଁ କହିବି ରେଭେନ୍ସା ସଂସ୍କୃତି। ରେଭେନ୍ସା ଓଡ଼ିଶା ପ୍ରଦେଶ ଗଠନର ଏନ୍ତୁଡ଼ିଶାଳ ଥିଲା। ଏହାର ଦାୟାଦମାନେ କେବଳ ସ୍ବତନ୍ତ୍ର ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ତୁଲାଇ ନ ଥିଲେ, ପ୍ରଦେଶ ଗଠନ ପରେ ଏକ ସଫଳ ଓ ଅଗ୍ରଣୀ ରାଜ୍ୟର ରୂପାନ୍ତରରଣରେ ନିଜକୁ ନିୟୋଜିତ କଲେ। ପ୍ରଶାସନ, ଶିକ୍ଷା, ସ୍ବାସ୍ଥ୍ୟ, ବୈଷୟିକ ଜ୍ଞାନ, ସବୁ କ୍ଷେତ୍ରରେ ଥିଲେ ରେଭେନ୍ସାର ଦାୟାଦ। ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ସେମାନଙ୍କ ଅବଦାନ ଥିଲା ଅନନ୍ୟ। ଓଡ଼ିଶା ବାହାରେ ଏ ରାଜ୍ୟର ପରିଚିତି ଥିଲା ପୁରୀ ଜଗନ୍ନାଥ ମନ୍ଦିର ଓ କଟକ ରେଭେନ୍ସା କଲେଜ ପାଇଁ। ଏ ସମୟ ଥିଲା ଓଡ଼ିଶା ଇତିହାସରେ ଏକ ସ୍ବର୍ଣ୍ଣାଭ ଯୁଗ। କିନ୍ତୁ ଏହି ଗୁଣାତ୍ମକ ଗତିଶୀଳତା ଶିଥିଳ ହୋଇଗଲା ଶତାବ୍ଦୀର ଶେଷ ଭାଗରେ। ବିକାଶର ଚକ୍ରରେ ସଂଖ୍ୟା ବୃଦ୍ଧି ହେଲା। ଏକ ସମୟରେ ଓଡ଼ିଶାରେ ୧୦୦୦ରୁ ଅଧିକ କଲେଜ ଓ ଶତାଧିକ ଇଞ୍ଜିନିଅରିଂ କଲେଜ ଛତୁ ଫୁଟିଲା ପରି ଫୁଟି ଉଠିଲା। କିନ୍ତୁ ଗୁଣାତ୍ମକ ମାନଦଣ୍ଡରେ ଯେଉଁ ଅବକ୍ଷୟ ହେଲା, ତା’ର ପୁନରୁଦ୍ଧାର ଅସମ୍ଭବ ହୋଇପଡ଼ିଛି। ୧୯୮୦ ଦଶକରେ ଚାରିଟି ବିଶ୍ବବିଦ୍ୟାଳୟରୁ ବର୍ତ୍ତମାନ ସଂଖ୍ୟା ଛବିଶ। ଏହା ସରକାରୀ ସଂଖ୍ୟା। ତେବେ ପ୍ରାୟ ୧୫୦୦ ପ୍ରଫେସର ପଦ ଖାଲି ପଡ଼ିଛି ଏବଂ ଏହି ଅବସ୍ଥା ୧୯୯୦ ଦଶକରୁ ରେଭେନ୍ସା କଲେଜରେ ଥିଲା। ୪୫ରୁ ସଂଖ୍ୟା ବଢ଼ି ବର୍ତ୍ତମାନ ୧୫୦।
ଚଳିତ ଶତାବ୍ଦୀର ତୃତୀୟ ଦଶକରେ ଆମ ଅସ୍ମିତା ନିରୀକ୍ଷଣ କଲେ କ’ଣ ଦେଖିବା? ଓଡ଼ିଶାରୁ ଜଣେ ମଧ୍ୟ ନୋବେଲ ପୁରସ୍କାର ପାଇ ନାହାନ୍ତି। ପଡ଼ୋଶୀ ବଙ୍ଗଳାରୁ ୩ ଜଣ। ଆମେ ଗର୍ବ କରୁଁ ଆମେରିକାର ସବୁ ବୃହତ୍ତମ କଂପାନିମାନଙ୍କ ମୁଖ୍ୟ ହେଲେ ଭାରତୀୟ। ଜଣେ ମଧ୍ୟ ଓଡ଼ିଆ ନାହାନ୍ତି। ଆମ ଚଳଚ୍ଚିତ୍ର ଶିଳ୍ପକୁ ୯୦ ବର୍ଷ ହେଲାଣି। କାହିଁକି ଗୋଟିଏ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ଶ୍ରେଷ୍ଠ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇନାହିଁ? ବଙ୍ଗଳାରେ ଏହାର ସଂଖ୍ୟା ଗଣିହେବ ନାହିଁ। ଏ ବର୍ଷ ବଙ୍ଗାଳୀ ଝିଅ ଅନ୍ନପୂର୍ଣ୍ଣ ରାୟ ଭେନିସ୍ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ପାଇଛନ୍ତି। ଇଂରେଜୀରେ ଲେଖୁଥିବା ଭାରତୀୟମାନଙ୍କ ପୁସ୍ତକ ସମଗ୍ର ବିଶ୍ବରେ ଆଲୋଡ଼ନ ସୃଷ୍ଟି କରୁଛି। କବି ଜୟନ୍ତ ମହାପାତ୍ର ଏ ଦିଗରେ କିଛି ସୁନାମ ଅର୍ଜିଥିଲେ। ଆଉ କେହି ନାହାନ୍ତି। ୨୬ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ଗୋଟିଏ ମଧ୍ୟ ୧୦୦ ମଧ୍ୟରେ ନାହିଁ। ଏ ତାଲିକାର ଅନ୍ତ ନାହିଁ। ବର୍ତ୍ତମାନ ଅସ୍ମିତା ଓ ବିଶ୍ବସ୍ତରୀୟତା ବୌଦ୍ଧିକ କ୍ଷେତ୍ରରୁ ରାଜନୀତିର ଏକ ଆୟୁଧ ବନିଲାଣି।
ବିକାଶ କ୍ଷେତ୍ରକୁ ଆସନ୍ତୁ। ନିଶ୍ଚିତ ରୂପେ ବିକାଶ ହେଉଛି। କିନ୍ତୁ ବର୍ଦ୍ଧିଷ୍ଣୁ ବିକାଶ ଧାରା ବିଭିନ୍ନ କ୍ଷେତ୍ରରେ ପରିପୂର୍ଣ୍ଣତା ଆଣିବାରେ ସଫଳ ହୋଇନାହିଁ। ୧୯୯୦ ଦଶକରେ ମୁଁ ମୋର ପ୍ରବନ୍ଧମାନଙ୍କରେ ଓଡ଼ିଶା ବିଷୟରେ ଯାହା ଲେଖିଥିଲି, ବର୍ତ୍ତମାନ ସ୍ଥିତି ସେପରି ଅଛି। ପ୍ରତିଦିନ ମାଛ, ଅଣ୍ଡା, ଡାଲି, ଆଳୁ, ଫଳ, ଫୁଲ ଓ ପନିପରିବା ଅନ୍ୟ ରାଜ୍ୟରୁ ଆସିଲେ ଓଡ଼ିଆ ଖାଇବେ। କଲେଜ ଓ ଚିକିତ୍ସାଳୟରେ ୫୦ ପ୍ରତିଶତ ପଦ ଖାଲି। ଶିଳ୍ପ କ୍ଷେତ୍ରରେ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପମାନଙ୍କ ବିକାଶ ନଗଣ୍ୟ। ବହୁଚର୍ଚ୍ଚିତ ଷ୍ଟାଟ୍ଅପ୍ ଉଧେଇ ପାରୁ ନାହିଁ। ଏହା ସୂଚାଇଦିଏ ଚଳିତ ଶତାବ୍ଦୀରେ ଏନ୍ଟ୍ରୋପେନରସିପ୍ ଦିଗରେ ଓଡ଼ିଆ ମାନସିକତାରେ ସଂକଳ୍ପର ଅଭାବ। ମୁଁ ଗତ ଶତାବ୍ଦୀରେ ସଂପୃକ୍ତ ଥିବା ଦୁଇଟି ଶିଳ୍ପର ଉଦାହରଣ ଦେବି। ପର୍ଯ୍ୟଟନ କ୍ଷେତ୍ରରେ ୧୯୮୦ ଦଶକରେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ପ୍ରାୟ ୨୫ ହଜାର ଥିଲାବେଳେ, ଜାତୀୟ କ୍ଷେତ୍ରରେ ଏହା ଥିଲା ୨୫ ଲକ୍ଷ। ଅର୍ଥାତ୍ ମାତ୍ର ୧ ପ୍ରତିଶତ। ବର୍ତ୍ତମାନ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ପ୍ରାୟ ୧ କୋଟି ହେଲାବେଳେ, ଓଡ଼ିଶାରେ ପ୍ରାୟ ୫୦,୦୦୦। ଅର୍ଥାତ୍ ଅର୍ଦ୍ଧ ପ୍ରତିଶତ। ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ବହୁ ଆଡ଼ମ୍ବରରେ ଆଇ.ଟି. ଶିଳ୍ପ ଆରମ୍ଭ ହେଲା। ନବୀନ ପଟ୍ଟନାୟକଙ୍କ ସମୟରେ ବହୁତ କୁହାଗଲା ଓଡ଼ିଶା ଆଇ.ଟି.ରେ ଅଗ୍ରଣୀ ହେବ। ଇନ୍ଫୋସିସ୍ ଅାସିଲା। ଓଡ଼ିଶାରେ ଏହା ପାଇଁ ଥିଲା ପ୍ରଚୁର ସମ୍ଭାବନା। ବର୍ତ୍ତମାନ ପ୍ରାୟ ୨୦୦ ବିଲିଅନ ଡଲାର ଆଇ.ଟି. ରପ୍ତାନିରେ କର୍ଣ୍ଣାଟକର ଭାଗ ୩୬ ପ୍ରତିଶତ, ମହାରାଷ୍ଟ୍ର ୨୦, ତେଲଙ୍ଗାନା ୧୫ ଓ ତାମିଲନାଡୁ ୧୩ ପ୍ରତିଶତ। ବିଳମ୍ବରେ ଏ କ୍ଷେତ୍ରକୁ ଆସିଥିବା ପଶ୍ଚିମ ବଙ୍ଗଳାର ଭାଗ ୨ ପ୍ରତିଶତ ଥିଲାବେଳେ ଓଡ଼ିଶାର ଭାଗ ମାତ୍ର ୦.୭୫ ପ୍ରତିଶତ। ଏହା କ’ଣ ଆମ ଅସ୍ମିତା?
୧୯୪୮ରେ ପଣ୍ଡିତ ନେହରୁ ଦୁଇଟି ପ୍ରଦେଶର ରାଜଧାନୀ ପାଇଁ ଶୁଭ ଦେଇଥିଲେ, ଭୁବନେଶ୍ବର ଓ ଚଣ୍ଡୀଗଡ଼। ଭୁବନେଶ୍ବର କଳେବର ଆଶାତୀତ ଭାବେ ବୃଦ୍ଧି ପାଇଛି। କିନ୍ତୁ ଏହାର ସ୍ଥପତି କିନିସବର୍ଗରଙ୍କ ଯୋଜନା ହଜି ଯାଇଛି କଂକ୍ରିଟ ଜଙ୍ଗଲରେ। ସ୍ଥପତି ଲେକର୍ବୁଜିଅରଙ୍କ ଚଣ୍ଡୀଗଡ଼ର କାପିଟୋଲ କମ୍ପ୍ଲେସ୍ ବିଶ୍ବ ଐତିହ୍ୟ ମାନ୍ୟତା ପାଇଛି। ଏକ ଆଲେଖ୍ୟରେ ପଢ଼ିଲି ଓଡ଼ିଆ ଭାଷା ଇଂରେଜୀ ଭାଷା ଠାରୁ ବହୁତ ଉନ୍ନତ। ସୁତରାଂ ଇଂରେଜୀ ପରିତ୍ୟାଗ କରି ସବୁ ଓଡ଼ିଆ ହେଉ। ଏପରି ପଦକ୍ଷେପ ଆତ୍ମଘାତୀ ହେବ। ଆମ ଉଚ୍ଚଶିକ୍ଷା ଯେପରି ଦୟନୀୟ ଅବସ୍ଥାରେ ଅଛି, ସେତେବେଳେ ସବୁ ଓଡ଼ିଆ କହିଲେ ଶ୍ରେଷ୍ଠତା ପ୍ରତି ନିଷ୍ଠୁର ପ୍ରହାର ହେବ। ୨୦୩୬ ବେଳକୁ ବିକଶିତ ଓଡ଼ିଶାର ପନ୍ଥା ଯେ କେତେ ବନ୍ଧୁର ତାହା ଆମ ଶାସକମାନେ ହୃଦୟଙ୍ଗମ କରନ୍ତୁ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]