ଆମ ସୌରମଣ୍ଡଳ ବାହାରେ ଏପରି ଏକ ନୂତନ ଗ୍ରହକୁ ଜ୍ୟୋତିର୍ବିଜ୍ଞାନୀମାନେ ଆବିଷ୍କାର କରିଛନ୍ତି ଯାହା ସବୁଠୁ ଉଜ୍ଜ୍ବଳ ବୋଲି ସେମାନେ ଗତ ସୋମବାର ଘୋଷଣା କରିଛନ୍ତି। ୟୁରୋପର ଚିଅପ୍ସ ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ନିରୀକ୍ଷଣ କରୁଥିବା ଜ୍ୟୋତିର୍ବିଜ୍ଞାନୀମାନେ ଉକ୍ତ ଗ୍ରହଟିକୁ ପୃଥିବୀ ଠାରୁ ୨୬୦ ଆଲୋକବର୍ଷ ଦୂରରେ ଠାବ କରିଥିବା ଜଣାଯାଇଛି। ଏହି ଗ୍ରହ ନିଜ ନକ୍ଷତ୍ରଠାରୁ ପାଉଥିବା ଆଲୋକର ୮୦ ପ୍ରତିଶତ ଭାଗ ପ୍ରତିଫଳନ କରୁଥିବାରୁ ତାହାକୁ ଏକ ଦର୍ପଣ ଗ୍ରହ ବୋଲି କୁହାଯାଉଛି। ‘ଏଲ୍ଟିଟି୯୭୭୯ବି’ ନାମକ ଏହି ଗ୍ରହର ଆକାର ନେପ୍ଚ୍ୟୁନ୍ ସଙ୍ଗେ ସମାନ। ପ୍ରଥମେ ଏହାକୁ ୨୦୨୦ ମସିହାରେ ଠାବ କରାଯାଇଥିବା ବେଳେ ତାହା ସମ୍ପର୍କରେ ବିଶେଷ କିଛି ତଥ୍ୟ ମିଳିପାରିନଥିଲା। ଏହାର ନକ୍ଷତ୍ରକୁ ମୁହାଁଇଥିବା ଭୂପୃଷ୍ଠର ତାପମାତ୍ରା ୨,୦୦୦ ଡିଗ୍ରି ସେଲସିଅସ ଛୁଇଁଥାଏ। ଏତେ ଉଚ୍ଚ ତାପମାତ୍ରାରେ କେବଳ ଧାତବ ମେଘମାଳା ସମ୍ଭବ। ଏହାର ବୈଚିତ୍ର୍ୟ ହେଲା, ପୃଥିବୀର ପାଞ୍ଚଗୁଣା ଆକାର ବିଶିଷ୍ଟ ଏହି ଗ୍ରହର ଆବର୍ତ୍ତନ କାଳ ୨୪ ଘଣ୍ଟାରୁ କମ୍। ଏତେ କମ୍ ଆବର୍ତ୍ତନ କାଳ ଥିବା ଗ୍ରହଗୁଡ଼ିକ ପୃଥିବୀଠୁ ଯଥେଷ୍ଟ ବଡ଼ ଆକାରର ବାଷ୍ପୀୟ ପିଣ୍ଡ ହୋଇଥା’ନ୍ତି ଅଥବା ପୃଥିବୀର ଅଧା ଆକାରର ପ୍ରସ୍ତରପିଣ୍ଡ ହୋଇଥା’ନ୍ତି। ମାତ୍ର ଏହା ଏତେ ଆଲୋକ ପ୍ରତିଫଳନ କରୁଥିବାରୁ ତାହାର ଧାତବ ମେଘମାଳା ହିଁ ଆଇନାର ଭୂମିକା ନିର୍ବାହ କରୁଥିବା ଜଣାଯାଏ। ସେହିପରି ଏହାକୁ ‘ନେପ୍ଚ୍ୟୁନ୍ ମରୁଭୂମି’ ନାମକ ଏକ ଇଲାକାରେ ଠାବ କରାଯାଇଛି ଯେଉଁଠି ଏତେ ବଡ଼ ଗ୍ରହର ଅସ୍ତିତ୍ବ ଅସମ୍ଭବ।
ଦର୍ପଣ ଗ୍ରହ
/sambad/media/post_attachments/wp-content/uploads/2023/07/56f4sh654sfhfshfh.jpg)